ଝାରସୁଗୁଡ଼ାର ପ୍ରାଚୀନ ଶୈବପୀଠ ଶ୍ରୀ ଝଡେଶ୍ୱର ମନ୍ଦିର

ଆଧୁନିକ ଓଡ଼ିଶା ପ୍ରଦେଶର ଅନ୍ୟ ତିରିଶି ଗୋଟି ଜିଲ୍ଲା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ଏକ ଖଣିଜ ଓ ଶିଳ୍ପ ସମୃଦ୍ଧ ଜିଲ୍ଲା ରୂପେ  ବେଶ ସୁପରିଚିତ ଅଟେ । ଆଦ୍ୟ ଖ୍ରୀଷ୍ଟପୂର୍ବ ତିନିହଜାର ବର୍ଷ ତଳେ ଏହି ଜିଲ୍ଲା ମାଟିରେ ଏକ ଆଦିମ ମାନବ ସଭ୍ୟତା ଉନ୍ମେଷ ଘଟିଥିଲା ଯାହାର ପ୍ରମାଣ ସ୍ୱରୂପ ବିକ୍ରମ ଖୋଲା ଗୁମ୍ପାରେ  ଚିତ୍ରଲିପି ଓ ଶିଳାଲେଖ  ଦୃଷ୍ଟିଗୋଚର ହୁଏ ।  ଏହାର ଅନତି ଦୂରରେ ମହାଭାରତ ଯୁଗର ଏକ ପାର୍ବତ୍ୟ ଦୁର୍ଗ ଉଲାପଗଡ଼ ବିଦ୍ୟମାନ , ଯେଉଁ ଦୁର୍ଗରେ ନାଗବଂଶୀ ରାଜକନ୍ୟା ଉଲୁପି  ପାଣ୍ଡବ ଅର୍ଜୁନ ସହିତ କିଛିକାଳ ବାସ କରିବାର ସାକ୍ଷ୍ୟ ଏଇ ଅଞ୍ଚଳର ପ୍ରାଚୀନତାକୁ  ସିଦ୍ଧ କରେ ।

ଝାରସୁଗୁଡ଼ା ଜିଲ୍ଲାର ଅଷ୍ଟଶମ୍ଭ ପୀଠମାନେ ଯଥାକ୍ରମେ ( ୧ ) ଶ୍ରୀ ଝାଡ଼େଶ୍ଵର ମନ୍ଦିର , ଝାରସୁଗୁଡ଼ା , ( ୨ ) ଶ୍ରୀ ମହେଶ୍ଵରନାଥ କୋଇଲି ଘୋଘର ଜଳପ୍ରପାତ , ( ୩ ) ଶ୍ରୀ ସ୍ଵପ୍ନେଶ୍ବର ମନ୍ଦିର , ସେମିଲିଆ , ( ୪ ) ଶ୍ରୀ ପଶ୍ଚିମେଶ୍ବର ମନ୍ଦିର , ଅଢାପଡ଼ା , ( ୫ ) ଶ୍ରୀ ଭୋଳାନାଥ ମନ୍ଦିର , କୁଲେମୁରା , ( ୬ ) ଶ୍ରୀ ଭୁବନେଶ୍ବର ମନ୍ଦିର ମହାଦେବ ପାଲି ( ସୋଡ଼ାମାଲ ) , ( ୭ ) ଶ୍ରୀ ଲୋକନାଥ ମନ୍ଦିର , କୋଲାବିରା  ( ୮ ) ଶ୍ରୀ ଝାଡ଼େଶ୍ଵର ମନ୍ଦିର , ସିଂହାରପୁର । 

ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ  ଦେଢ଼ କିଲୋମିଟର ବ୍ୟବଧାନରେ ଏକ କ୍ଷୁଦ୍ର  ପ୍ରାକୃତିକ ପ୍ରାଚୀନ ମନୋରମ ଉପବନର  ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ଅବସ୍ଥିତ । ଝାରସୁଗୁଡ଼ାର ଥାନୀୟ ଅଧିବାସୀମାନେ  ଶ୍ରୀ ଝାଡେଶ୍ୱର ବାବାକୁ କେଉଁ ଆବାହନ କାଳରୁ ପୂଜା କରି ଆସୁଛନ୍ତି ତାହା ସଠିକ୍ ରୂପେ ଆକଳନ କରାଯାଇ ପାରି ନାହିଁ । ଝାଡେଶ୍ୱର୍  ବାବାଙ୍କ ପ୍ରତି ସମସ୍ତ ଝାରସୁଗୁଡ଼ା ବାସିଙ୍କ ହୃଦୟରେ  ଅଗାଡ଼ ଶ୍ରଦ୍ଧା ଭକ୍ତି ଭରି ରହିଛି । ଜିଲ୍ଲାର   ଆରାଧ୍ୟ ଦେବତା ରୂପେ ଶ୍ରୀ ଝାଡ଼େଶ୍ଵରଙ୍କ ଆବିର୍ଭାବ କାଳ ଏ ପର୍ଯ୍ୟନ୍ତ ନିରୂପିତ ହୋଇପାରି ନାହିଁ । 

ଝାଡେଶ୍ଵର ଶିବ ମନ୍ଦିର , ଝାରସୁଗୁଡ଼ା, ଓଡ଼ିଶା
ଝାଡେଶ୍ୱର ମନ୍ଦିର

ଇତିହାସ ଓ କିମ୍ବଦନ୍ତୀ

ଇତିହାସର ଅଧ୍ୟୟନରୁ ଜଣାପଡିଛି ଯେ 'ଝାରସୁଗୁଡା ପ୍ରାଗଣ' ଏହି  ଶୈବପୀଠ ସଂଲଗ୍ନ ଭୂମିରେ ପ୍ରତିଷ୍ଠିତ ହୋଇଥିଲା ।  ସମ୍ବଲପୁର ରାଜ୍ୟର ଚୌହାନ ବଂଶୀୟ ସପ୍ତମ ରାଜା ଛତ୍ରଶାହଦେବ ( ଖ୍ରୀ : ୧୬୫୭ - ୧୬୯୫ )ଙ୍କ ଶାସନ କାଳରେ ଆପଣାର ପ୍ରପୌତ୍ର ଶିବ ସିଂହଙ୍କୁ ଝାରସୁଗୁଡ଼ା ପ୍ରଗଣାକୁ ଜାଗିର ସ୍ଵରୁପ ପ୍ରଦାନ କରିଥିଲେ ।

ଏକଦା ଏକ ମହାବଳ ବାଘ୍ର ଏହି  ଝାରସୁଗୁଡ଼ା ପ୍ରଗଣାର ଘଞ୍ଚ ଅରଣ୍ୟରେ ରହି  ବହୁ ସଂଖ୍ୟକ  ପ୍ରାଣୀ ଏବଂ ପ୍ରଜାଙ୍କୁ ଆକ୍ରମଣ କରି ମୃତାହତର ଘଟଣା  ସମୂର୍ଣ୍ଣ କ୍ଷେତ୍ରରେ  ଆତଙ୍କର ବାତାବରଣ  ସୃଷ୍ଟି କରିଥିଲା । ରାଜା ରୁଦ୍ର ଶାହ ଦେବଙ୍କ ଆଦେଶରେ  ବୀର ଶିବ ସିଂହ ତୀକ୍ଷ୍ଣ  ତରବାରୀ ସାହାଯ୍ୟରେ ବଧ କରି ପ୍ରଜାମାନଙ୍କୁ ବ୍ୟାଘ୍ର କବଳରୁ ରକ୍ଷା ପ୍ରଦାନ କରିଥିଲେ । ଉକ୍ତ   ଶିବ ସିଂହଙ୍କ  ଜନ ହିତକାରୀ କାର୍ଯ୍ୟରେ   ପ୍ରସନ୍ନ ହୋଇଛି ରାଜା ଛତ୍ରଶାହ ଦେବ ନିଜର ପ୍ରପୌତ୍ରକୁ ଝାରଗୁଡ଼ା ପ୍ରଗଣା ଜାଗୀର ରୂପେ ଅର୍ପଣ କରିଥିଲେ ।


"ଝାରସୁଗୁଡ଼ା ପ୍ରଗଣା" ଉତ୍ପତ୍ତି ସମ୍ବନ୍ଧରେ ଆଜି ପର୍ଯ୍ୟନ୍ତ କୋୖଣସି ଦୃଢ଼ ପ୍ରମାଣ ନ ମିଳିଥିଲେ ସୁଦ୍ଧା ଆଞ୍ଚଳିକ କ୍ଷେତ୍ରରେ  ଏକ ଐତିହାସିକ ଜନଶୃତି କର୍ଣ୍ଣପାତ କରିବାକୁ ମିଳିଥାଏ । ଓଡ଼ିଶାର ପ୍ରତିବେଶୀ ଝାଡ଼ଖଣ୍ଡ ପ୍ରଦେଶ ଅଧିନସ୍ତ  ଧାନପୁର (ଧାନବାଦ)  ନାମକ ଘନ  ଅରଣ୍ୟ ବେଷ୍ଟିତ ରାଜ୍ୟରେ ବହୁ  ସଂଖ୍ୟାରେ କିସାନ ସଂପ୍ରଦାୟର ପ୍ରଜାମାନେ ବସବାସ କରୁଥିଲେ । ଏହି ଧାନପୁର ରାଜ୍ୟର ଆଦିବାସୀ ରାଜା ନିଃସନ୍ତାନ ଥିଲେ । 

ଥରେ ରାଜା ଶୀକାର ଉଦ୍ଦେଶ୍ୟରେ ଅରଣ୍ୟରେ ଭ୍ରମଣ କରୁଥିବା କ୍ଷଣରେ ଅକସ୍ମାତ  ଦୁଇଟି ମାନବ ଶିଶୁ ସେହି ନିର୍ଜନ ଅରଣ୍ୟ ଭୂମିର ଏକ ପ୍ରାନ୍ତରରେ ଆଶ୍ରୁପାତ ଅବସ୍ଥାରେ  ଲକ୍ଷ୍ୟ କରି ବିସ୍ମୟ ହୋଇଥିଲେ । ତତ୍ପରେ ଅନୁଚରମାନଙ୍କ ସହାୟତାରେ ରାଜା ଉଭୟ ଶିଶୁପୁତ୍ରଙ୍କୁ ଉଦ୍ଧାର କରି  ରାଜଧାନୀରେ ନେଇ ଆସି ସେମାନଙ୍କୁ ଆପଣା ରାଜପ୍ରାସାଦରେ ପୁତ୍ର ପରି ଲାଲନ ପାଳନ କରି  ଜ୍ୟେଷ୍ଠପୁତ୍ରକୁ “ ଚେରଙ୍ଗା ’ ଏବଂ କନିଷ୍ଠ ପୁତ୍ରକୁ "ଜେଙ୍ଗା ” ନାମରେ ନାମକରଣ କରିଥିଲେ । ଉଭୟ ରାଜପୁତ୍ର ଶୈଶବରୁ ସେହି ଅରଣ୍ୟ ପ୍ରଦେଶରେ ନିର୍ଭୟରେ ବିଚରଣ କରିବା ସଙ୍ଗେ ସଙ୍ଗେ ଶୀକାର ଅନ୍ଵେଷଣ କରିବା ପାଇଁ ମଞ୍ଚା ତିଆରି କରିବା , ଅଶ୍ଵ ପୃଷ୍ଠରେ ଆରୋହଣ କରିବା ପ୍ରଭୃତି କାର୍ଯ୍ୟ ନିୟମିତ ଅଭ୍ୟାସ କରୁଥିଲେ । 


ଦିନକର କଥା ଉଭୟ ଚେରଙ୍ଗା ଓ ଜେଙ୍ଗା  ତାଙ୍କର ରାଜ୍ୟ ପରିସୀମାର  ନିର୍ଜନ ଅରଣ୍ୟ ପ୍ରାନ୍ତରେ  ଅଶ୍ଵ ପୃଷ୍ଠରେ ଆରୋହଣ କରିବାକୁ ଉଦ୍ୟମ କରୁ ଥିଲେ । କିନ୍ତୁ ଜ୍ୟେଷ୍ଠ ଭ୍ରାତା ଅଶ୍ୱ ଆରୋହଣ କରିବା ପାଇଁ କ୍ରମାଗତ ପ୍ରତ୍ନ କଲାପରେ ମଧ୍ୟ ବିଫଳ ହେଉଥିଲେ । ଏହି କ୍ଷଣକରେ କନିଷ୍ଠ ଭ୍ରାତା ଜେଙ୍ଗା ଅଶ୍ଵ ଆରୋହଣ କରିବା ନିମନ୍ତେ ଅଶ୍ଵପୃଷ୍ଠକୁ ଲମ୍ଫ ପ୍ରଦାନ କରି ଅଶ୍ୱ ରଜ୍ଜୁକୁ ଥରିବା ମାତ୍ରେ ଅଶ୍ୱଟି ଚମକି ପଡ଼ି ତିବ୍ରମାନ ଗତିରେ  ଦୌଡ଼ିବାକୁ ଲାଗିଲା । ଅଶ୍ୱଟି  ଦୀର୍ଘ ଅରଣ୍ୟ ଗିରି ଅତିକ୍ରମ ପହଁଚିଲା  ଆଦିବାସୀ ବହୁଳ ରାଜ୍ୟ ନାଗପୁର  ରାଜଧାନୀ  ଉପକଣ୍ଠରେ ଅବସ୍ଥିତ ଏକ ପୁଷ୍କରିଣୀ ତଟରେ ।  ଦୀର୍ଘ ସମୟ ଧରି ରାଜପୁତ୍ର ଅଶ୍ଵପୃଷ୍ଠରେ ଯାତ୍ରା କରିବା ଯୋଗୁଁ ସେ କ୍ଳାନ୍ତ ହୋଇଯାଇଥିଲେ । ସେ ଅଶ୍ୱଟିର ରଜ୍ଜୁକୁ ସେଠାକାର ବୃକ୍ଷ ଦେହରେ ବାନ୍ଧି ଦେଇ ଏକ ବଟବୃକ୍ଷ ଛାୟା ତଳେ  ବିଶ୍ରାମ ନେଲେ ।

ସେତେବେଳେ ନାଗପୁର ରାଜ୍ୟରେ ମହାରାଜାଙ୍କ ଅକାଳ ମୃତ୍ୟୁ ଯୋଗୁଁ ରାଜସିଂହାସନ ଶୂନ୍ୟ ପଡିଥିଲା। ଉପଯୁକ୍ତ ବ୍ୟକ୍ତି ରାଜ ସିଂହାସନରେ ବସାଇବା  ପାଇଁ ରାଜ୍ୟର ମନ୍ତ୍ରୀ , ସେନାପତି ଓ ରାଜ କର୍ମଚାରୀମାନେ  ଏକ ପାଟହସ୍ତୀ ମସ୍ତକରେ ସୁନାକଳସ ରଖି ବିରାଟ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଏହି ଶୋଭାଯାତ୍ରା କ୍ରମେ ନିକଟତର ହେବା ଦେଖି ପୁଷ୍କରିଣୀ ତଟ ଦେଶର ବଟବୃକ୍ଷ ଛାୟାରେ  ବିଶ୍ରାମ କରୁଥିବା ଜେଙ୍ଗା ଭୂମିରୁ ଉଠିପଡିଲେ । 


ତେବେ ପାଟହସ୍ତୀ  ପାଖକୁ ଆସି ଜେଙ୍ଗା ମସ୍ତକରେ ସୁନାକଳସୀ ଜଳ ଢାଳିବାରୁ ରାଜ କର୍ମଚାରୀମାନେ ଜୟଧ୍ବନୀ କରି ମନ୍ତ୍ରୀଙ୍କ ଆଦେଶରେ ଜେଙ୍ଗାକୁ ସମ୍ମାନ ସହ ଅଶ୍ଵ ପୃଷ୍ଠରେ ବସାଇ ରାଜଧାନୀକୁ ନେଇଗଲେ । ଏହାପରେ ଜେଙ୍ଗାଙ୍କୁ ସେଇ ନାଗପୁର ରାଜ୍ୟର ନୂତନ ରାଜା ରୂପେ ସିଂହାସନରେ ଅଭିଷିକ୍ତ କରାଗଲା । ଏହା ଛଡ଼ା, ରାଜାଙ୍କ ଏକମାତ୍ର କନ୍ୟା ସହିତ ତା’ର ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଅନ୍ୟପକ୍ଷରେ  ଜ୍ୟେଷ୍ଠ ଭାଇ ଚେରଙ୍ଗା କନିଷ୍ଠ ଭାଇ ନାଗପୁର ରାଜା ହେବାର ଖବର ପାଇବା ପରେ ଧାନପୁର ରାଜ୍ୟ  ଛାଡ଼ି ନାଗପୁରରେ ଜେଙ୍ଗାର ପ୍ରଜା ହୋଇ ରହିଲେ।

ଏକଦା ଏକ ବିଶାଳ ସମ୍ମିଳନୀ ନାଗପୁର ରାଜ୍ୟରେ କିସାନ‌ମାନଙ୍କ ଦ୍ବାରା ଆୟୋଜନ କରାଯାଇଥିଲା । ଏହି ଅଧିବେଶନରେ ସ୍ଥାନୀୟ ଅଞ୍ଚଳ କିସାନମାନେ ବହୁସଂଖ୍ୟାରେ ଯୋଗଦାନ ଦେଇ  ପ୍ରଚୁର ମଦ୍ୟ ଓ ଅମେଧ୍ୟ ମହିଷି ମାଂସ ଭକ୍ଷଣ କରିବା ଯୋଗୁଁ ଅନେକ ସଂଖ୍ୟାରେ କିସାନ ପରିବାର ଲୋକମାନେ ହଠାତ୍ ଝାଡ଼ାବାନ୍ତି ଓ ହଇଜା ରୋଗରେ ଆକ୍ରାନ୍ତ ହୋଇଥିଲେ | ଏହି ଘଟଣାର କିଛି ସମୟ ମଧ୍ୟରେ ରାଜ୍ୟର ବହୁ ସଂଖ୍ୟକ କିସାନ ସଂପ୍ରଦାୟର ସ୍ତ୍ରୀ , ପୁରୁଷ ଓ ଶିଶୁମାନେ ମୃତାହତ ହୋଇବା କାରଣରୁ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଅନେକ କିସାନ ପରିବାର ଦଳଦଳ ହୋଇ ଅନ୍ୟତ୍ର ପଳାୟନ କରିଥିଲେ ।


ଏହି କିସାନମାନେ ଝାଡ଼ଖଣ୍ଡ ଅଞ୍ଚଳର ରାଞ୍ଚ ପଥ ଦେଇ ଧାନପୁର ପରିତ୍ୟାଗ କରି ଓଡ଼ିଶାର ଗାଙ୍ଗପୁର (ସୁନ୍ଦରଗଡ଼) ରାଜ୍ୟର ପାନପୋଷ ଅଞ୍ଚଳରେ ପ୍ରବେଶ କରିଥିଲେ । ତାପରେ ସେମାନେ ବସବାସ କରିବା ଉଦ୍ଦେଶ୍ୟରେ ବାମଣ୍ଡା ( ଦେବଗଡ଼ ) ରାଜ୍ୟ ମଧ୍ୟରେ ପ୍ରବେଶ କଲେ । 


  କିସାନମାନଙ୍କ ଅମେଧ ଭକ୍ଷଣ ଓ କୁସଂସ୍କାର ଆଚରଣର  ଦେଖି ବାମଣ୍ଡା ରାଜା ପ୍ରଥମେ ସେମାନଙ୍କର ପ୍ରତିକାର ସ୍ବରୂପ ସମସ୍ତ କିସାନ‌ମାନଙ୍କୁ ପ୍ରଥମେ ସଂସ୍କାର ସମ୍ପନ୍ନ କରାଇଥିଲେ ଏବଂ  ଆପଣା ରାଜ୍ୟର ପ୍ରଜା ରୂପେ ଆଶ୍ରୟ ପାଇଁ ଅନୁମତି ଦେଇଥିଲେ ।  ରାଜା କିସାନ ସମ୍ପ୍ରଦାୟର ଲୋକମାନେ ବେଶ୍ ହୃଷ୍ଟପୁଷ୍ଟ ଶରୀର ସମ୍ପନ୍ନ ଏବଂ କଠୋର ପରିଶ୍ରମୀ ଥିଲେ । କୃଷି , ପଶୁପାଳନ , ଭୂମି ଖନନ କାର୍ଯ୍ୟରେ ଅଭିଜ୍ଞ , ନିପୁଣ ଥିଲେ । ତେଣୁ ବାମଣ୍ଡା ରାଜା କିସାନ୍‌ମାନଙ୍କୁ ଜମିବୃତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରଥମେ ସେମାନଙ୍କୁ ଯଥାକ୍ରମେ - କିସାନ , ମିର୍ଜା , କୋଡ଼ା ନାମରେ ତିନୋଟି ଉପଜାତିରେ ବିଭକ୍ତ କରିଥିଲେ । ପରବର୍ତ୍ତୀ କାଳରେ ଏମାନଙ୍କୁ ଲୁହା , କୁଆ , ମାଝୀ , ଟପ୍ପୋ , ଝିଣ୍ , ପାଲ୍ଲା , ବାରା ଓ ଲକରା ନାମରେ  ବିଭକ୍ତ କରିଥିଲେ । ବାମଣ୍ଡା ରାଜା କିସାନଙ୍କୁ ମୁଖ୍ୟତଃ ପାଲିଙ୍କି ବୋହିବା କାର୍ଯ୍ୟରେ  ନିଯୁକ୍ତି କରିଥିଲେ । ଏହିପରି କିଛି ବର୍ଷ ପରେ କିସାନ ପରିବାର ମଧ୍ୟରୁ  କେତେକ ପରିବାର ବାମଣ୍ଡା ରାଜ୍ୟରୁ ଛତିଶଗଡ଼ , ମଧ୍ୟପ୍ରଦେଶ , ମହାରାଷ୍ଟ୍ର ପ୍ରଭୃତି ଅଞ୍ଚଳକୁ ପଳାୟନ କରିଥିଲେ ।

ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀ ମଧ୍ୟଭାଗରେ  ଦଳେ କିସାନ ପରିବାର ବାମଣ୍ଡା  ରାଜ୍ୟରୁ ଝାରୁକିସାନ ନେତୃତ୍ଵରେ ଆଧୁନିକ ଝାରସୁଗୁଡ଼ା ସହର ଉପକଣ୍ଠରେ ଅବସ୍ଥିତ ଶ୍ରୀ ଝାଡ଼େଶ୍ଵର ମନ୍ଦିର ପୂର୍ବଦିଗରେ ବିସ୍ତୀର୍ଣ୍ଣ ଅରଣ୍ୟ ପ୍ରାନ୍ତର ମଧ୍ୟରେ ଆସି ଏକ କ୍ଷୁଦ୍ର ପଲ୍ଲୀ ସ୍ଥାପନ କରି ବସବାସ ଆରମ୍ଭ କରିଥିଲେ । ଏହି କ୍ଷୁଦ୍ର ପଲ୍ଲୀ ବାରଗୋଟି କିସାନ ପରିବାର ବସବାସ କରୁଥିଲେ ଓ  ସର୍ଦ୍ଦାର ଝାରୁ କିସାନ ନାମ ଅନୁସାରେ ପଲ୍ଲୀର ନାମ "ଝାରଗୁଡ଼ା ” ବୋଲି ନାମିତ ହୋଇଥିଲା ବୋଲି ଜଣାଯାଏ ।


ତ୍ରୟୋଦଶ ଶତାବ୍ଦୀରେ ମଧ୍ୟପ୍ରଦେଶ ଅନ୍ତର୍ଗତ ପ୍ରାଚୀନ ଗଣ୍ଡୱାନା ଅଞ୍ଚଳର ବିଶାଳ ଗଣ୍ଡ ସାମ୍ରାଜ୍ୟର ପତନ ଘଟିଥିଲା । ଏହାର ଫଳସ୍ଵରୂପ ଦୁର୍ଦ୍ଦାନ୍ତ ଗଣ୍ଡ ସଂପ୍ରଦାୟର ବହୁ ପରିବାର ଓଡ଼ିଶାର ପଶ୍ଚିମ ପ୍ରାନ୍ତ ଅଞ୍ଚଳରେ ପ୍ରବେଶ କରିଥିଲେ । ତେବେ ଉକ୍ତ ଗଣ୍ଡ ସଂପ୍ରଦାୟର ଏକ ଶାଖା ଦଳ ଆସି ଏହି “ ଝାରଗୁଡ଼ା ” ପଲ୍ଲୀମାଟିରେ ଅନୁପ୍ରବେଶ କରିଥିଲେ । ଫଳରେ କିସାନ୍ ଓ ଗଣ୍ଡ ସଂପ୍ରଦାୟ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା କିସାନ୍ ସଂପ୍ରଦାୟ ସେମାନଙ୍କ ଦ୍ଵାରା ପରାସ୍ତ ହୋଇ ଝାରଗୁଡ଼ାର ଉତ୍ତର ପୂର୍ବଦିଗକୁ ପଳାୟନ କରି ଏକ ନିରୋଳା ସ୍ଥାନରେ ଅର୍ଥାତ୍ ଆଧୁନିକ ଝାରସଗୁଡ଼ା ସହର ଅନ୍ତର୍ଗତ ବଡ଼େଇମୁଣ୍ଡା ଅଞ୍ଚଳରେ ବସବାସ କରିଥିଲେ । ଏହି କିସାନମାନେ ଚାଷ କାର୍ଯ୍ୟ , ଗୋପାଳନ ବ୍ୟତୀତ ଗୃହ ନିର୍ମାଣ , କାଷ୍ଠଶିଳ୍ପ ଓ କୃଷି ଶ୍ରମିକ କାର୍ଯ୍ୟରେ କୁଶଳୀ କାରିଗର ଥିବା ଯୋଗୁଁ ସେମାନଙ୍କୁ ବଢ଼େଇ କୁହାଯାଉଥିଲା ଏବଂ ଏହି ପୁନଃବସତି ଅଞ୍ଚଳ ଜନ ମୁଖରେ “ ବଢ଼େଇମୁଣ୍ଡା ’ ବୋଲି ନାମିତ - ହୋଇଥିଲା ।

ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଝାରଗୁଡ଼ା ଅଞ୍ଚଳ  ଗଣ୍ଡ ସଂପ୍ରଦାୟର ସମ୍ପୂର୍ଣ ବାସସ୍ଥାନ ଭୂମି ପରିଣତ ହୋଇଯାଇଥିଲା  ।  ଏହା ସହିତ ଝାରଗୁଡ଼ାର ପ୍ରବାହିତ ନାଳ ପୂର୍ବ ପ୍ରାନ୍ତରେ ଭାଲୁପତ୍ରାଗୁଡ଼ା ଏବଂ କାଲୋପତ୍ରାଗୁଡ଼ା ସମାନ୍ତର ଭାବେ ଗଢିଉଠିଥିଲା । ଏହି କାଲୋପତ୍ରାଗୁଡ଼ା ପଲ୍ଲୀରେ ଗଣ୍ଡସଂପ୍ରଦାୟର ତାନ୍ତ୍ରିକମାନେ ବାସ କରୁଥିଲେ । 

ଖ୍ରୀଷ୍ଟ୍ରୀୟ ସପ୍ତଦଶ ଶତାବ୍ଦୀରେ ସମ୍ବଲପୁର ରାଜା ଛତ୍ର ଶାହଦେବ ଏହି ଝାରଗୁଡ଼ା ସନ୍ନିହିତ ୧୨ଟି ପଲ୍ଲୀକୁ ନେଇ ସ୍ଵତନ୍ତ୍ର “ ଝାରଗୁଡ଼ା ପ୍ରଗଣା ” ଗଠନ କରିଥିଲେ ଏବଂ ଆପଣାର ପ୍ରପୌତ୍ର ଶିବସିଂହଙ୍କୁ ଝାରଗୁଡ଼ା  ପ୍ରଗଣ ଜାଗିରୀ ସ୍ବରୂପ ପ୍ରଦାନ କରିଥିଲେ। ଏହି ଝାରଗୁଡ଼ା ୧୨ଟି ପଲ୍ଲୀକୁ ଗଠିତ ଥିଲା ଯଥାକ୍ରମେ - ( ୧ ) ଝାରଗୁଡ଼ା , ( ୨ ) ବଢ଼େଇମୁଣ୍ଡା , ( ୩ ) ବଞ୍ଜାରୀ , ( ୪ ) ଦଲକି ( ୫ ) କୁମୁଡ଼ାପାଲି ( ୬ ) କୁରେବଗା , ( ୭ ) ସରବାହାଲ , ( ୮ ) ବୁରୋମାଲ , ( ୯ ) ବେହେରାମାଲ , ( ୧୦ ) ଏକାତାଲି , ( ୧୧ ) ବାଲିଯୋରୀ , ( ୧୨ ) ଦେବାଡ଼ିହି ।

୧୮୦୦ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସରେ ନାଗପୁରର ମରହଟ୍ଟା ବ୍ୟାଙ୍କୋଜୀ ଭୋନସଲା ଅପ୍ରତ୍ୟାଶିତ ଭାବେ ସମ୍ବଲପୁର ଦୁର୍ଗ ଆକ୍ରମଣ କରି ସମ୍ବଲପୁର ଇତିହାସରେ ଅସ୍ଵାଭାବିକ ଯୁଦ୍ଧ ଘଟଣା ଘଟାଇଥିଲେ । ମରହଟ୍ଟା ସୈନ୍ୟର ଯୋଜନା ଓ କୌଶଳ କ୍ରମେ ଦୁର୍ଗର ଅଭ୍ୟନ୍ତରକୁ ପ୍ରବେଶ କରିବା ଫଳରେ ସମ୍ବଲପୁର ରାଜାଙ୍କ ସୈନ୍ୟ ଓ  ମରହଟ୍ଟା ସୈନ୍ୟ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା । ଏହି ଯୁଦ୍ଧରେ ମରହଟ୍ଟା ସୈନ୍ୟ ରାଜା ଜୟନ୍ତ ସିଂହଙ୍କ ସୈନ୍ୟଙ୍କୁ ପରାସ୍ତ  କଲେ । ମହାରାଷ୍ଟ୍ର ଚାନ୍ଦା ଜେଲକୁ ସମ୍ବଲପୁର ରାଜା ଜୟନ୍ତ ସିଂହ ଓ ତାଙ୍କ ନାବାଳକ ପୁତ୍ର ମହରାଜା ସାଏ ବନ୍ଦୀ କରାଯାଇ ପଠାହେଲା । ମରହଟ୍ଟା ଭୋସଲାଙ୍କ ପ୍ରତିନିଧ ରୂପେ ଭୂପସିଂହ ସମ୍ବଲପୁର ଦୁର୍ଗ ଦାୟିତ୍ଵରେ ହସ୍ତାନ୍ତର କଲେ। ରାଣୀ ରତନ କୁମାରୀ ନିଜକୁ ରକ୍ଷା କରିବା ପାଇଁ ସମ୍ବଲପୁର ଦୁର୍ଗରୁ ଗୋପନରେ  ପଳାୟନ କରିବା ସହିତ ହଜାରୀବାଗରେ ଇଂରେଜ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କଲେ ।


 ପ୍ରଥମତଃ ସମ୍ବଲପୁର ଦୁର୍ଗକୁ ମରହଟ୍ଟା କବଳରୁ ବନ୍ଧନ ମୁକ୍ତି କରିବା ସହିତ ରାଜା ଜୟନ୍ତ  ସିଂହ ଓ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତି ପାଇବା ପାଇଁ ରାଣୀ ରତ୍ନକୁମାରୀ ଇଂରେଜ ଠାରୁ ସାହାଯ୍ୟ ଲୋଡ଼ିଥିଲେ ।ଚତୁର ଇଂରେଜ କର୍ତ୍ତୃପକ୍ଷ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଫଳସରୂପ  ନାଗପୁର ଭୋନ୍ସଲା ଆପ୍ପାସାହେବଙ୍କ ନାଗପୁରସନ୍ଧି ( ୧୮୧୭ ) ଏବଂ ତୃତୀୟ ମରହଟ୍ଟା ସମର ( ୧୮୧୭ - ୧୮ ) ଫଳସ୍ଵରୂପ ଇଂରେଜମାନେ ସମ୍ବଲପୁର ପ୍ରଦେଶ ମରହଟ୍ଟାମାନଙ୍କ ଠାରୁ ମୁକ୍ତ କରିଥିଲେ । ସମ୍ବଲପୁର ରାଜ୍ୟରେ ନିଜ ଶାସନ ଦୃଢ଼ କରିବା ପାଇଁ ଇଂରେଜ ସେନାପତି ରଫଜିସ ୧୮୧୭ ଖ୍ରୀଷ୍ଟାବ୍ଦରେ ଜୟନ୍ତ  ସିଂହ ଓ ତାଙ୍କ ପୁତ୍ରକୁ ମରହଟ୍ଟା ଭୋସଲା କାରାଗାରରୁ ମୁକ୍ତ କଲେ ।

ଏହା ସମେତ  ଇଂରେଜମାନେ  ୧୮୧୭ ମସିହାରେ ପୁନର୍ବାର ଜୟନ୍ତ ସିଂହ ସମ୍ବଲପୁର ରାଜ  ସିଂହାସନରେ ବସାଇଥିଲେ । ତେବେ ବୃଦ୍ଧ ଓ ଜରାଜୀର୍ଣ୍ଣ ବୟସରେ ରାଜା ଜୟନ୍ତ ସିଂହ ୧୮୧୮ ମସିହାରେ ମୃତ୍ୟୁବରଣ କଲେ । ତାଙ୍କ ପୁତ୍ର ନାବାଳକ ଥିବାରୁ କିଛି କାଳ ପଲିଟିକାଲ ଏଜେଣ୍ଟ ହାତରେ ସମ୍ବଲପୁର ରାଜ୍ୟ ଶାସନ ନିୟନ୍ତ୍ରିତ ହେଉଥିଲା । 

୧୮୨୦  ଖ୍ରୀଷ୍ଟାବ୍ଦରେ   ଚୌହାନ ବଂଶୀୟ ରାଜା  ମହାରାଜା ସାଏ  ସମ୍ବଲପୁର ରାଜ ସିଂହାସନ ଗ୍ରହଣ କଲେ ।  ସେ ନାମକୁ ମାତ୍ର ରାଜା ଥିଲେ ଏବଂ ପରୋକ୍ଷ ଭାବେ ଇଂରେଜମାନେ ସମ୍ବଲପୁର ରାଜ୍ୟର ଶାସନ କ୍ଷମତା ନିୟନ୍ତ୍ରଣ କରିଆସୁଥିଲେ । ୧୮୨୭ ଖ୍ରୀଷ୍ଟାବ୍ଦରେ ସମ୍ବଲପୁର ରାଜା ମହାରାଜା ସାଏ ମୃତ୍ୟୁବରଣ କରିଥିଲେ । କୂଟନୀତି ସମ୍ପନ୍ନ ଇଂରେଜ କର୍ତ୍ତୁପକ୍ଷ ରାଜାଙ୍କ କୌଣସି ଉତ୍ତର ଅଧିକାରୀଙ୍କୁ ରାଜ ସିଂହାସନରେ ବସାଇବା ପରିବର୍ତ୍ତେ ବିଧବା ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ ବସାଇଥିଲେ । 


ସପ୍ତମ ଚୌହାନ ବଂଶୀୟ  ରାଜା ଛତ୍ର ଶାହ ଦେବଙ୍କ ବଂଶଧର ଶିବ ସିଂହଙ୍କର ଆଠୋଟି ପୁତ୍ର ରାଣୀ ମୋହନ କୁମାରୀ ଶାସନ କାଳରେ ସମ୍ବଲପୁର  ରାଜପ୍ରାସାଦରେ ଅବସ୍ଥାନ କରୁଥିଲେ । ରାଣୀ ମୋହନ କୁମାରୀ ଇଂରେଜ ସରକାର ନିକଟରେ ଜ୍ୟେଷ୍ଠ ଭ୍ରାତା ନାରାୟଣ ସିଂହଙ୍କୁ ତାଙ୍କ  ଉତ୍ତରାଧିକାରୀ ରୂପେ ସମ୍ବଲପୁର ରାଜ ସିଂହାସନ ଦେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଇଂରେଜ ସରକାର  ନାରାୟଣ ସିଂହଙ୍କୁ   ସମ୍ବଲପୁର ରାଜ ସିଂହାସନ ବସାଇବା ପରିବର୍ତ୍ତେ ରାଣୀଙ୍କୁ ବସାଇଥିଲେ  । ତେଣୁ ରାଣୀ ମୋହନ କୁମାରୀ ନାରାୟଣ ସିଂହ ଓ ତାଙ୍କ ଭାଇ ଶିବସିଂହଙ୍କୁ “ ଝାରଗୁଡ଼ା ପ୍ରଗଣା" ଅଞ୍ଚଳ ଜାଗିରୀ ରୂପେ ପ୍ରଦାନ କରି  ବସବାସ କରିବାକୁ ପରାମର୍ଶ ଦେଇଥିଲେ । 

ଇତି ମଧ୍ୟରେ ଇଂରେଜ ସରକାର ରାଣୀଙ୍କ ଜଣେ ଦେବାନ୍ ପଦ୍ମନାଭ ବକସି ମାଧ୍ୟମରେ ଏକ ଚକ୍ରାନ୍ତ କରି ନାରାୟଣ ସିଂହ ଓ ତାଙ୍କ ଭାଇମାନଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି କରାଇ ଦେଇଥିଲେ । ସାନ ଭାଇମାନେ ନାରାୟଣ ସିଂହଙ୍କୁ ହତ୍ୟାକରି ମାଁ ସମଲେଇଙ୍କ ଠାରେ ବଳି ଦେବାର ଧମକରେ ସେ ଭୟରେ ସମ୍ବଲପୁର ରାଜ୍ୟ ଛାଡ଼ି  ମଧ୍ୟପ୍ରଦେଶ ନାଗପୁର ଅନ୍ତର୍ଗତ ଆକାଶୀ ଅଞ୍ଚଳକୁ ଜଣେ ଭାଇ ସହିତ ପଳାୟନ କରିଥିଲେ । ପରିଶେଷରେ ରଣଜିତ୍ ସିଂହ ଜଣେ ଭାଇ ସହିତ ଆସି ଝାରଗୁଡ଼ା ପ୍ରଗଣାରେ ଅବସ୍ଥାନ କଲେ ଏବଂ ରାଣୀଙ୍କ  ଅଧୀନରେ  ୧୮୨୯ ମସିହାରୁ ଶାସନ ଆରମ୍ଭ କରିଥିଲେ ।

ଜନଶୃତି ଅନୁସାରେ :-
ରଣଜିତ ସିଂହ ରାଜ କାଳରେ "ଝାରଗୁଡ଼ା  ପ୍ରଗଣ"ର ସମୀପବର୍ତ୍ତୀ କ୍ଷୁଦ୍ର ଅରଣ୍ୟ ଭିତରେ  କେଉଁ ଆବାହମାନ କାଳରୁ ଶ୍ରୀ ଝାଡ଼େଶ୍ୱର  ବାବାଙ୍କ ସ୍ଵୟଂଭୂ ଶ୍ରୀ ଲିଙ୍ଗର ଆବିର୍ଭୁତ ଘଟଣା ଜନ ଅଜାଣତ ହୋଇ ରହିଥିଲା । ଝାରଗୁଡା ନିକଟବର୍ତ୍ତୀ ଗାଁ ଖଳିଆମାଲର ଜଣେ ଗଉଡ  ଗାଈମାନଙ୍କୁ ଚରାଇବା ପାଇଁ ଉକ୍ତ ଉପବନକୁ ନିୟମିତ ଆସୁଥିଲା । କିନ୍ତୁ  ସନ୍ଧ୍ୟାରେ ଗାଈ ଦଳ ମଧ୍ୟରୁ ଗୋଟିଏ ଗାଈର  ପହ୍ନାରେ  ବାରମ୍ବାର କ୍ଷୀର ନ ଥିବା ଲକ୍ଷ୍ୟ କରି 'କିଏ ଗାଈର କ୍ଷୀର ଚୋରି କରୁଛି' ବୋଲି ଗଉଡ଼ ସନ୍ଦେହ କଲା । କ୍ଷୀର ଚୋରକୁ ଧରିବା ପାଇଁ ଗୋଟି ଦିନର ପ୍ରାତହରୁ ସେହି ଗାଈର ପଛକୁ ପଛକୁ ଅନୁସରଣ କଲା । ଗାଈଟି  ଚରିଲା ପରେ ସେହି  କ୍ଷୁଦ୍ର ଅରଣ୍ୟକୁ ଅଗ୍ରସର ହେଲା ଓ ଏକ ଅଲୌକିକ ପଥର ଖଣ୍ଡ ଉପରେ ନିଜର କ୍ଷୀର ଝରାଇ ଅନତ୍ର ପଳାଇଗଲା  ।  ଗଉଡ଼ ଗାଈ ଏପରି ଅବିଶ୍ଵାସନୀୟ କାର୍ଯ୍ୟ ନିଜ ସ୍ଵଚକ୍ଷୁରେ ଅବଲୋକନ କରି ବିସ୍ମିତ ହେଲା ।  ଭୟଭୀତ ଗଉଡ଼ଟି ତତକ୍ଷଣାତ୍  ନିଜ ଘରକୁ  ଫେରିଯାଇ ଉକ୍ତ ଘଟଣା ବିଷୟରେ ସମସ୍ତଙ୍କୁ କହିଥିଲା । ଏହାପରେ ସେଇ ଲୋକମାନେ ଗଉଡ ବର୍ଣ୍ଣିତ ଘଟଣାକୁ  ଝାରଗୁଡ଼ା ପ୍ରଗଣା ଜମିଦାରଙ୍କୁ  ଜଣାଇଲେ । ଉକ୍ତ ଘଟଣା  ପ୍ରଜାମାନଙ୍କୁ ଠାରୁ ଶୁଣିବା ପରେ ଜମିଦାର ସର୍ବପ୍ରଥମେ ରଣଜିତ୍ ସିଂହ ଉକ୍ତ ସ୍ଥାନକୁ ଆସି ମହାଦେବଙ୍କ ଶ୍ରୀଲିଙ୍ଗ ଦର୍ଶନ କରି ପୂଜା,ଉପାସନା କରିବା ସହିତ ସେଠାରେ ଏକ ପତ୍ରକୁଡ଼ିଆ ନିର୍ମାଣ କଲେ ।


ଇଂରେଜ ସରକାର ସମ୍ବଲପୁର ରାଜା ମହାରାଜା ସାଏଙ୍କ ମୃତ୍ୟୁପରେ ଉତ୍ତର ଅଧିକାରୀ ରୂପେ ତାଙ୍କ  ବଂଶଧରମାନଙ୍କ ମଧ୍ୟରୁ କାହାରିକୁ ସିଂହାସନ ନ ବସାଇ ବିଧବା ରାଣୀଙ୍କ ନାମରେ ରାଜ୍ୟ ଶାସନ କରିବାରୁ ସର୍ବତ୍ର ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଝାରସୁଗୁଡ଼ା ଜମିଦାର ରଣଜିତ ସିଂହ ଏହି ରାଜ ସିଂହାସନ ପାଇଁ ପ୍ରଥମ ଦାବିଦାର ରୂପେ  ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ  କରିଥିଲେ । ଚତୁର ଇଂରେଜ ସରକାର ବିଦ୍ରୋହ ଦମନ କରିବା ପାଇଁ ତାଙ୍କୁ ବନ୍ଦୀ କରି ସମ୍ବଲପୁର ରାଜ ପ୍ରାସାଦରେ ଅଟକ ରଖିଲେ ।

 ପିତା ରଣଜିତ ସିଂହଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହକୁ ତାଙ୍କ ପୁତ୍ର ଗୋବିନ୍ଦ ସିଂହ ଏତେ ଶୀଘ୍ର ସମାପ୍ତ କରିବା ପାଇଁ ଚାହୁଁ ନ ଥିଲେ । ତେଣୁ ତାଙ୍କ ଗୋବିନ୍ଦ ସିଂହ ପ୍ରତ୍ୟକ୍ଷ ଭାବେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ ଅଭିଯାନ ଆରମ୍ଭ କରିଥିଲେ । ଏଥିରେ ଝାରଗୁଡ଼ା ଜମିଦାରୀ ଅନ୍ତର୍ଗତ ଅଞ୍ଚଳ ଯଥା ବଞ୍ଜାରୀ , ଦଲକି , ଭାଲୁପତ୍ରାଗୁଡ଼ା , ଝାଙ୍କରପଡ଼ାର ଗଣ୍ଡ ପ୍ରଜାମାନେ ପ୍ରତ୍ୟକ୍ଷ  ରୂପେ ଯୋଗଦାନ କରି ବିପ୍ଲବକୁ  ଅଧିକ ତୀବ୍ର କରିଥିଲେ । 


ଦଲକି ଗ୍ରାମର ଦୁର୍ଦ୍ଦାନ୍ତ ଗଣ୍ଡ ସର୍ଦାର ଗୋପାଲ ଧରୁଆଙ୍କର ନେତୃତ୍ୱ ରେ ଏହି ସମସ୍ତ  ଗଣ୍ଡମାନେ ଗୋବିନ୍ଦ ସିଂହଙ୍କୁ ନେତା ରୂପେ ସ୍ଵୀକାର କରି ବିଦ୍ରୋହରେ ଯୋଗଦେବାକୁ ଶପଥ ନେଇଥିଲେ । ସେମାନେ ହାତରେ ଖଣ୍ଡା , ବଚ୍ଛା , ଧନୁତୀର ଧରି  ଇଂରେଜ ସୈନ୍ୟ ଓ ସମ୍ବଲପୁର ରାଣୀଙ୍କ ସୈନ୍ୟବାହିନୀର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲେ । 

ଖଡ଼ିଆଳର ତ୍ରିଲୋଚନ ରାୟ , ବିଶେଇ କେଲାର ଅବଧୂତ ସିଂହ , ଖରମୁଣ୍ଡାର ମେଦିନୀ ବରିହା , ବାମଣ୍ଡା ଜମିଦାରୀ ଅଞ୍ଚଳର ଚନ୍ଦ୍ର ବେହେରା , ଶିବୁ ଜମାଦାର , ସମ୍ବଲପୁରର ଜଗବନ୍ଧୁ ବାବୁ , ବିଜୁ ଦଫାଦାର , ଡମ୍ବରୁବନ୍ଧ , ରେହନ୍ ବିଶ୍ଵାଳ , ନରସିଂହ ଘଟୁ ପ୍ରମୁଖ ବ୍ୟକ୍ତି ବିଶେଷ ମଧ୍ୟ ବିପ୍ଳବୀ ଗୋବିନ୍ଦ ସିଂହଙ୍କ ସପକ୍ଷରେ ସାମିଲ୍ ହୋଇଥିଲେ ।


୧୮୨୭ ମସିହା ଜୁଲାଇ ୨୭ ତାରିଖରେ ଗୋବିନ୍ଦ ସିଂହଙ୍କ ନେତୃତ୍ଵରେ ସମ୍ବଲପୁର ରାଣୀଙ୍କର ପଦ୍ମପୁର ଗୋଦାମ ଲୁଟ୍ ହେଲା । ୧୮୨୭ ମସିହା ଡିସେମ୍ବର ୧୨ ତାରିଖରେ ବିପ୍ଲବୀମାନେ ରାଣୀ ମୋହନ କୁମାରୀଙ୍କ ସୈନ୍ୟ ଓ ରାୟଗଡ଼ ରାଜାଙ୍କ ମିଳିତ ସୈନ୍ୟର ମୁକାବିଲା କରିଥିଲେ । ୧୮୨୭ ମସିହାରେ ବାମଣ୍ଡା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବିଦ୍ରୋହର ଅଗ୍ନି ପ୍ରଜ୍ଜଳିତ ହୋଇଥିଲା । ପାହାଡ଼ ଶ୍ରୀଗିଡ଼ା , ବିଶେଇ ବେଲା ଖରମୁଣ୍ଡା ଅଞ୍ଚଳରେ ପ୍ରଜାମାନେ ବିଦ୍ରୋହରେ ସାମିଲ୍ ହୋଇ ଖଜଣା ଦେବା ବନ୍ଦ କରିଦେଇଥିଲେ । ୧୮୩୩ ମସିହା ଜୁନ୍ ୩ ତାରିଖ ଦିନ ବିପ୍ଳବୀ ଗୋବିନ୍ଦ ସିଂହ ଓ ଚନ୍ଦ୍ର ବେହେରାଙ୍କ ବିଦ୍ରୋହୀ ଅନୁଗତ ସୈନ୍ୟ ସମ୍ବଲପୁର ଉପକଣ୍ଠରେ ଧନୁପାଲିଠାରେ ପହଞ୍ଚି  ରାଣୀ ମୋହନ କୁମାରୀଙ୍କ ସୈନ୍ୟକୁ ଆକ୍ରମଣ କରିବା ଫଳରେ ରାଣୀଙ୍କ ସୈନ୍ୟ ଅସହାୟ ହୋଇପଡି ଥିଲେ । ବିଦ୍ରୋହୀମାନେ ବହୁ ଧନ ସଂପତ୍ତି ଲୁଟି ନେଇଗଲେ ।

 ଇଂରେଜ ସେନାପତି ଲେଫନାଣ୍ଟ ଡ୍ରିଙ୍କ  ସୈନ୍ୟଦଳ  ବିଦ୍ରୋହୀମାନଙ୍କୁ ଜବତ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । ପୁନର୍ବାର ୧୮୩୩ ମସିହା ଜୁନ୍ ୭ ତାରିଖରେ ପ୍ରତ୍ୟୁଷରୁ ଏହି ବିଦ୍ରୋହୀମାନେ ବହୁ ସଂଖ୍ୟାରେ ଆସି ମାନେଶ୍ବର ନିକଟରେ ଘାଟୀ ସ୍ଥାପନ କଲେ । ଲେଫୁନାଣ୍ଟ ହେଗାନଙ୍କ ନେତୃତ୍ଵରେ ଇଂରେଜ ସୈନ୍ୟବାହିନୀ ବିଦ୍ରୋହୀମାନଙ୍କୁ  ନିଷ୍କ୍ରିୟ କରିବାରେ ବିଫଳ ହୋଇଥିଲେ  । ଠିକ୍ ଏହି ସମୟରେ ଅନ୍ୟ ଏକ ବିଦ୍ରୋହୀ ଦଳ ଶୁକ୍ରୁ ଜମିଦାର ନେତୃତ୍ଵରେ ଉତ୍ତରା ଗ୍ରାମ ଅଞ୍ଚଳରୁ ବାହାରି ସମ୍ବଲପୁର ସହର ଉପକଣ୍ଠରେ ଥିବା ସାକ୍ଷୀପଡ଼ାର ଗୋପୀନାଥ ମନ୍ଦିର ଦଖଲ କରିନେଇଥିଲେ । ଏଭଳି ପରିସ୍ଥିତିରେ ସମ୍ବଲପୁର ରାଜ୍ୟରେ ଇଂରେଜମାନଙ୍କର  ଲୋପ ପାଇଯିବାର ଆଶଙ୍କା ଦୂଢ଼ୀଭୁତ ହୋଇଥିଲା ।

୧୮୩୩ ମସିହା ଜୁନ୍ ୧୯ ତାରିଖ ଦିନ ବିପ୍ଳବୀ ଗୋବିନ୍ଦ ସିଂହଙ୍କ ବିଦ୍ରୋହୀ ସୈନ୍ୟବାହିନୀ ସହିତ ରାଣୀଙ୍କର ସୈନ୍ୟବାହିନୀର ପ୍ରବଳ ସଂଘର୍ଷ ହେଲା । ଏଥିରେ ଇଂରେଜ ସୈନ୍ୟବାହିନୀର ଲେପ୍ଟନାଣ୍ଟ ହିଗିନି , ଲେପ୍ଟନାଣ୍ଟ ଡ୍ରିଙ୍କ ତଥା ଲେଫ୍ଟନାଣ୍ଟ ହେଗାନଙ୍କ ନେତୃତ୍ବରେ ପରିଚାଳିତ ବନ୍ଧୁକ , ଗୋଳାବାରୁଦଧାରୀ ଇଂରେଜ ସୈନ୍ୟ  ଯୋଗ ଦେଇଥିଲେ । ପରାଜୟ ଆଶଙ୍କା ଅନୁଭବ କରି ବିପ୍ଳବୀ ଗୋବିନ୍ଦ ସିଂହ ଓ ତାଙ୍କ ଅନୁଗତ  ବାମଣ୍ଡା ( ଦେବଗଡ଼ ) ଘଞ୍ଚ ଜଙ୍ଗଲକୁ ପଳାୟନ କରି ଆଶ୍ରୟ ନେଇଥିଲେ ।ଝାରଗୁଡ଼ାର ଶୈବପୀଠ ଶ୍ରୀ ଝାଡ଼େଶ୍ଵର ମନ୍ଦିର ସମ୍ମୁଖ ପ୍ରାନ୍ତରରେ ୧୮୩୩ ମସିହା ଜୁଲାଇ ୧୭ ତାରିଖ ଦିନ  ମେଜର  ଉଇଲକିନସନଙ୍କ ନେତୃତ୍ବରେ ଇଂରେଜ ସୈନ୍ୟବାହିନୀ ସହିତ ଗୋବିନ୍ଦ ସିଂହଙ୍କ ବିଦ୍ରୋହୀ ସୈନ୍ୟମାନଙ୍କର ପ୍ରବଳ ସଂଘର୍ଷ ହୋଇଥିଲା । ଇଂରେଜ ସୈନ୍ୟଙ୍କର ଆଧୁନିକ ଅସ୍ତ୍ରଶସ୍ତ୍ର ସମ୍ମୁଖରେ ବିଦ୍ରୋହୀମାନଙ୍କର ଧନୁ , ତୀର , ବର୍ଚ୍ଛା , ତରବାରୀ ଅସ୍ତ୍ରବଳ ଅଧିକ ସମୟ ତିଷ୍ଠିପାରି ନ ଥିଲା ।  ଶହ ଶହ ବିଦ୍ରୋହୀ ଗଣ୍ଡ ପ୍ରଜାମାନେ ଏଥିରେ ମୃତାହତ ହୋଇଥିଲେ ଏବଂ ଯୁଦ୍ଧରେ ପରାଜିତ ହୋଇ ବିପ୍ଳବୀ ଗୋବିନ୍ଦ ସିହ ସମେତ ତାଙ୍କ ମୁଖ୍ୟ ସହଯୋଗୀମାନେ ଉଇଲକିନସନଙ୍କ ହସ୍ତରେ ବନ୍ଦୀ ହେଲେ ।  ଏହାପରେ ରାଜଧାନୀ ସମ୍ବଲପୁରରେ ସମସ୍ତ ବନ୍ଦୀମାନଙ୍କର ରାଜଦ୍ରୋହ ଅପରାଧ ପାଇଁ ସାମରୀକ ଅଦାଲତରେ ବିଚାର ହେଲା । ଇଂରେଜ କର୍ତ୍ତୃପକ୍ଷ ଅତ୍ୟନ୍ତ ନିଷ୍ଣୁର ଓ ଅନ୍ୟାୟ ଭାବେ ଦଣ୍ଡବିଧାନ କଲେ । 

୧୮୩୩ ମସିହା ଅଗଷ୍ଟ ମାସରେ ସମ୍ବଲପୁର ଜେଲ ପରିସର ମଧ୍ୟରେ ବିପ୍ଳବୀ ଗୋବିନ୍ଦ ସିଂହଙ୍କ ଅନୁଗତ ଶୁକ୍ରୁ ଜମିଦାର , ଜଗବନ୍ଧୁ ବାବୁ, ବିଜୁ ଦଫାଦାର , ଡମ୍ବରୁକନ୍ଧ , ରେହନ୍ ବିଶ୍ଵାଳ , ନରସିଂହ ଘଟୁ ପ୍ରଭୃତିଙ୍କୁ ପ୍ରମୁଖ ବିଦ୍ରୋହକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା । ୧୮୪୦ ମସିହାରେ  କୂଟନୀତି ସଂପନ୍ନ ଇଂରେଜ କର୍ତ୍ତୃପକ୍ଷ ବିପ୍ଳବୀ ଗୋବିନ୍ଦ ସିଂହଙ୍କୁ ଫାଶୀ ଦଣ୍ଡ ଦେଇ ନ ଦେଇ କାରାଗାରରେ ଆବଦ୍ଧ  ରଖି ସମ୍ବଲପୁର ରାଜ୍ୟରେ ବିଦ୍ରୋହ  ଅଭିଯାନ ଅବ୍ୟାହତ ରହିଥିଲା ।


ତହିଁ ମଧ୍ୟରେ ଖିଣ୍ଡା ଜମିଦାର ଚୌହାନ୍ ବଂଶୀୟ  ବୀର ସୁରେନ୍ଦ୍ର ସାଏ ୧୮୩୭ ମସିହାରେ ଅନ୍ୟତମ ଦାବିଦାର ଭାବରେ ସମ୍ବଲପୁର ରାଜସିଂହାସନ ଦାବି କଲେ । ସୁରେନ୍ଦ୍ର ସାଏ , ତାଙ୍କ ଭ୍ରାତା ଉଦନ୍ତ ସାଏ , ପିତୃବ୍ୟ ବଳରାମ ସାଏଙ୍କୁ ରାମପୁରଗଡ଼ ଜମିଦାରଙ୍କ ହତ୍ୟାକାଣ୍ଡ ଓ ଲୁଟ୍ ଅପରାଧରେ ଦୋଷୀ ସାବ୍ୟସ୍ତ କରି ଇଂରେଜମାନେ ବନ୍ଦୀ  କରିନେଇଥିଲେ । ଅଦାଲତରେ ଦୀର୍ଘଦିନ ବିଚାର ହେବା ପରେ ୧୮୪୦  ମସିହାରେ ସେମାନଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ ସ୍ବରୂପ  ହଜାରୀବାଗ ଜେଲ୍‌କୁ ପଠାଇ ଦିଆଯାଇଥିଲା । ସମ୍ବଲପୁର ରାଜସିଂହାସନର ଉଭୟ  ଦାବିଦାର ବିପ୍ଳବୀ ଗୋବିନ୍ଦ ସିଂହ ଓ ବୀର ସୁରେନ୍ଦ୍ର ସାଏ ବନ୍ଦୀ କରିଲା ପରେ ସମଗ୍ର ସମ୍ବଲପୁର ରାଜ୍ୟରେ  ଇଂରେଜ ସରକାର ବିଦ୍ରୋହ ଦମନରେ  ଅପୂର୍ବ ସଫଳତା  ଲାଭ କରିଥିଲେ । 


ତେବେ ଇଂରେଜମାନେ ଏକାକୀ ସମଗ୍ର ସମ୍ବଲପୁର ରାଜ୍ୟରେ  ଶାସନ କରିବା  ପାଇଁ ଅସମର୍ଥ ଥିଲେ । ତେଣୁ କୂଟନୀତି ସମ୍ପନ୍ନ ଇଂରେଜ କର୍ତ୍ତୃପକ୍ଷ ଗୋବିନ୍ଦ ସିଂହଙ୍କୁ କାରାଗାରରୁ ମୁକ୍ତ କରି  ଝାରଗୁଡ଼ାର ମାଫିଦାର ରୂପ ସ୍ବୀକୃତି ପ୍ରଦାନ କରିଥିଲେ । ଫଳରେ ସମ୍ବଲପୁର ରାଜ ସିଂହାସନ ଦାବି ପ୍ରତ୍ୟାହାର କରି ଝାରଗୁଡ଼ାର ମାଫିଦାର ପଦବୀକୁ ନିର୍ବାହ କରିଲେ  ଏବଂ ପୁନର୍ବାର ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହରୁ ଓହୋରିବାର   ଦୃଢ଼ ପ୍ରତିଶୃତି ଦେଇଥିଲେ ।ଅନ୍ୟପକ୍ଷରେ ଗୋବିନ୍ଦ ସିଂହଙ୍କ ସମସ୍ତ ଅନୁଗାମୀ ବିଦ୍ରୋହୀମାନଙ୍କୁ ଦୀର୍ଘ ୭ ବର୍ଷ ଧରି କାରାଦଣ୍ଡ ଯୋଗୁଁ  ତାଙ୍କର ଆଉ ବିଦ୍ରୋହ କରିବାର ମନବୃତ୍ତି ଭାଙ୍ଗିଯାଇଥିଲା । ଏହିପରି ଭାବରେ ଇଂରେଜ ସରକାର ନିଜର କୌଶଳ ବଳରେ ସମସ୍ତ ବିଦ୍ରୋହକୁ ପୁରାପୁରି ଦମନ କରିବାରେ ସଫଳ ହୋଇଥିଲେ ।


ଏହାର ଫଳସ୍ୱରୂପ,୧୮୪୦ ମସିହାରେ  ବିପ୍ଳବୀ ଗୋବିନ୍ଦ ସିଂହ ସମ୍ବଲପୁର କାରାଗାରରୁ ମୁକ୍ତ ହେଲା ପରେ ଝାରଗୁଡ଼ା ପ୍ରଗଣାର ମାଫିଦାର ରୂପେ  ଶାସନ ଦାୟିତ୍ବ ଗ୍ରହଣ କରିଥିଲେ । ଦୀର୍ଘ ବର୍ଷ ଧରି ମାଫିଦାର ଗୋବିନ୍ଦ ସିଂହ ଶାସନ କଲାପରେ ତାଙ୍କ ପରେ ପୁତ୍ର ଜଗନ୍ନାଥ ସିଂହ ଝାରଗୁଡ଼ା ପ୍ରଗଣାର ମାଫିଦାର ରୂପେ ଶାସନ ଦାୟିତ୍ବ ଗ୍ରହଣ କରିଥିଲେ । 


ଆଞ୍ଚଳିକ  ଜନସୃତି ଅନୁସାରେ ଝାରଗୁଡ଼ା ପ୍ରଗଣା ମାଫିଦାର ଜଗନ୍ନାଥ ସିଂହଙ୍କ ଶାସନବେଳରେ ଗୋଟିଏ ଚିତାବାଘ ଶ୍ରୀ ଝାଡ଼େଶ୍ଵର ମନ୍ଦିର ସ୍ଥିତ ଉପବନରେ ଲୁଚି ଛପି ବିଚରଣ କରୁଥିବାର ଦେଖାଯାଇଥିଲା । ଚାରଣ  ଉଦ୍ଦେଶ୍ୟରେ ଝାଡେଶ୍ଵର  କ୍ଷୁଦ୍ର ଅରଣ୍ୟକୁ ଆସୁଥିବା ଏକାଧିକ ଗୋରୁ ଗାଈଙ୍କୁ ଚିତାବାଘଟି ଆକ୍ରମଣ କରି ମାରିବାର ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କଲା ।  ଲୋକମାନଙ୍କର ଦୈନନ୍ଦିନ ଯାତାୟତ ବନ୍ଦ କରିବା ସହିତ ମନ୍ଦିର ସେବାପୂଜା କାର୍ଯ୍ୟ ମଧ୍ୟ ବାଧିତ ହୋଇ ଅଚଳ ହୋଇପଡିଲା । 

ତତ୍କାଳୀନ ଝାରସୁଗୁଡ଼ା ମାଫିଦାର ଜଗନ୍ନାଥ ସିଂହ ନିଜେ ଚିତାବାଘଟିକୁ ମାରିବା ପାଇଁ ଆଗକୁ ଆସି ପ୍ରଜାମାନଙ୍କୁ ଚିତାବାଘ କବଳରୁ ରକ୍ଷା  କରିଥିଲେ । ସ୍ୱହସ୍ତରେ ଶାଣିତ ତରବାରୀ ଧରି ଝାଡେଶ୍ୱର ମନ୍ଦିର ସ୍ଥିତ ଉପବନରେ ଲୁଚି ଥିବା ଚିତା ବାଘକୁ ମାରିବା ପାଇଁ  ଅରଣ୍ୟ ଭିତରକୁ ପ୍ରବେଶ କଲେ । ବାଘଟି ମନ୍ଦିର ଭିତରେ ଲୁଚି ରହିଥିଲା । ଚିତାବାଘଟିକୁ ମନ୍ଦିର ବାହାରକୁ ଆଣି  ମାରିବା ପାଇଁ ଯୋଜନା ପ୍ରସ୍ତୁତି କଲେ  । ତେଣୁ ଜଗନ୍ନାଥ ସିଂହ ମନ୍ଦିର ପ୍ରବେଶ ପୂର୍ବକ ଚିତାବାଘଟିକୁ ପ୍ରଲୋଭିତ  କରିଥିଲେ । ଫଳରେ ଅଳ୍ପ ସମୟ ମଧ୍ୟରେ ମନ୍ଦିର ଭିତରୁ ବାଘଟି ଶିକାର କରିବା ପାଇଁ ବାହାରକୁ ଆସିଲା ମାତ୍ରେ ନିଜ ଶାଣିତ ତରବାରୀ ସାହାଯ୍ୟରେ ଚିତାବାଘଟିକୁ ମାରିବାରେ ସଫଳ ହୋଇଥିଲେ । ଏହା ସହିତ ସାଧାରଣ ଲୋକଙ୍କ ମନରୁ ଚିତାବାଘ ଭୟ ଦୂର ହୋଇଥିଲା ।

୧୮୯୧ ମସିହାରେ ଇଂରେଜ ସରକାର କଲିକତା - ନାଗପୁର ରେଲପଥ ମଧ୍ୟରେ ଅବସ୍ଥିତ ଝାରସୁଗୁଡ଼ା ଅଞ୍ଚଳରେ ରେଲଷ୍ଟେସନ ପ୍ରତିଷ୍ଠା କରାଯାଇଥିଲା । ଏହି ନୂତନ ରେଲସନ ପ୍ରତିଷ୍ଠା ହେବା ଦିନରେ “ ଝାରଗୁଡ଼ା ’ ର ନାମ ପରିବର୍ତ୍ତନ କରି “ "ଝାରସୁଗୁଡ଼ା ” କରାଯାଇଥିଲା । ଏହାପରେ ଝାରଗୁଡା ନାମ ସବୁଆଡେ ପ୍ରସାରିତ ହେଇ ସମସ୍ତେ  ଝାରସୁଗୁଡ଼ା ବୋଲି କହିବାକୁ ଲାଗିଲେ   ।

ଝାଡେଶ୍ୱର ମନ୍ଦିର, ଝାରସୁଗୁଡ଼ା, ଓଡ଼ିଶା
ପୁରୁଣା ଝାଡେଶ୍ୱର ମନ୍ଦିର

ଆଗତ ମୁନି ଋଷୀ

ଶ୍ରୀ ଝାଡ଼େଶ୍ଵର ମନ୍ଦିର ପଶ୍ଚିମ ଓଡ଼ିଶାର ଏକ ପ୍ରାଚୀନ ଶୈବପୀଠ ରୂପେ  ବିଖ୍ୟାତ ଲାଭ କରିଥିବା ଯୋଗୁଁ ଏହି ମନ୍ଦିର ପରିସରରେ  ବିଭିନ୍ନ ସମୟରେ ଅନେକ ଶୈବଧର୍ମାବଲମ୍ବୀ ସାଧୁ ସନ୍ଥମାନଙ୍କର ସମାଗମ ହୋଇଛି। 

 ଅତୀତରେ ଏହି ପୀଠରେ କନ୍ଧବାବା ନାମରେ ଜଣେ ସାଧୁ ଆଶ୍ରମ ପ୍ରତିଷ୍ଠା କରି ରହିଥିଲେ । ୧୯୨୯ ମସିହାରେ ଜଣେ ସଂସାର ବିରାଗୀ ମୌଜଗିର ବାବା ମଧ୍ୟପ୍ରଦେଶର ଇନ୍ଦୋର ଅଞ୍ଚଳରୁ ଆସି ଏଠାରେ ଅବସ୍ଥାନ କରିଥିଲେ । ୧୯୬୪ ମସିହାରେ ମଧ୍ୟପ୍ରଦେଶର ନର୍ମଦା ନଦୀତଟ ମାଣ୍ଡଲା ଆଶ୍ରମରୁ ଆଗତ ଗଣେଷ ରାମ ବାବା ଶ୍ରୀ ଝାଡ଼େଶ୍ଵର ମନ୍ଦିର ପରିସରରେ ଅବସ୍ଥାନ କରି ଆଶ୍ରମ ପ୍ରତିଷ୍ଠା କରିଥିଲେ । ୧୯୬୬ ମସିହାରେ ତାଙ୍କ ଗୁରୁ ଧନୀରାମ ବାବାଙ୍କ ତିରୋଧାନ ଯୋଗୁଁ ସେ ତାଙ୍କ ନର୍ମଦା ନଦୀ ତଟ ଆଶ୍ରମକୁ ଫେରିଗଲେ । ୧୯୮୨ ମସିହାରେ ମୌନଗିର ବାବାଙ୍କ ତିରୋଧାନ ଘଟିଲା । ୧୯୭୭ ମସିହାରେ ଆଉ ଜଣେ ତରୁଣସାଧୁ ଜନାର୍ଦ୍ଦନ ମୁନୀ  କଠୋର ପଞ୍ଚଧୂନି ଅଗ୍ନି ତପସ୍ୟା କରି ସିଦ୍ଧିଲାଭ କଲାପରେ ସେ ଶ୍ରୀ ଝାଡ଼େଶ୍ୱର ମନ୍ଦିର ଉପବନ ପୂର୍ବପଟେ ୧ - ୩୨ ଡିସିମିଲ ପରିମିତ ଜମିରେ ଏକ ଆଶ୍ରମ ପ୍ରତିଷ୍ଠା କଲେ ।

ଜନାର୍ଦ୍ଦନ ମୁନି ୧୯୬୬ ମସିହାରେ ନର୍ମଦା ନଦୀ ତଟ ମାଣ୍ଡଲା ଆଶ୍ରମରୁ ଆସି  ଶ୍ରୀ ଝାଡ଼େଶ୍ୱର ଉପବନରେ ଏକ ବଟବୃକ୍ଷୀ ତଳେ କ୍ଷୁଦ୍ର ଆଶ୍ରମରେ ଅବସ୍ଥାନ କରିଥିଲେ , ତାଙ୍କ ଗୁରୁଦେବ ତପସ୍ୱୀ କଲ୍ୟାଣ ଦାସଜୀ ନର୍ମଦା ନଦୀତଟ ଅମର କଣ୍ଟକ ଆଶ୍ରମରେ ଅବସ୍ଥାନ କରନ୍ତି । ସେ ଜଣେ ଉଦାସୀନ ସଂପ୍ରଦାୟଭୁକ୍ତ ସନ୍ୟାସୀ ଅଟନ୍ତି । ୧୯୮୪ ମସିହାରେ ପୁରୀ ଜିଲ୍ଲା ଚାନ୍ଦପୁର ଅଞ୍ଚଳରୁ ଆଗତ ଜନୈକ ସାଧୁ ଶ୍ୟାମାନନ୍ଦ ଦାଶ ଏଠାରେ  ଏକ କୁଟୀର ନିର୍ମାଣ କରି ଅବସ୍ଥାନ କରୁଥିଲେ । ୧୯୮୫ ମସିହାରେ ସେ ହଠାତ୍ ଆଶ୍ରମ ଛାଡ଼ି ଚାଲିଯିବା ପରେ ତାଙ୍କ ଆଶ୍ରମରେ ଜଣେ ସଂସାର ବିରାଗୀ କିଶୋର ବାବା ଅବସ୍ଥାନ କଲେ । ଗତ କିଛିବର୍ଷ ତଳେ ତାଙ୍କର ପରଲୋକ ପ୍ରାପ୍ତି ହୋଇଛି ।


ଶ୍ରୀ ଝାଡ଼େଶ୍ଵର ମନ୍ଦିର ଅଞ୍ଚଳ ଏକ ତନ୍ତ୍ରପୀଠ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ୧୯୪୪ ମସିହାରେ ବୁରୋମାଲ  ତନ୍ତ୍ର ସାଧକ  ସୁଦର୍ଶନ ସାହୁ  ଶ୍ରୀ ଝାଡ଼େଶ୍ଵର ମନ୍ଦିର ସଂଲଗ୍ନ ନୀଳତୀରରେ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରି ତାଙ୍କର ଆରାଧ୍ୟ ଶ୍ରୀ ଭୌରବଙ୍କୁ ବୁରୋମାଲ ଗ୍ରାମର ଆମ୍ଵତୋଟାରୁ ଆଣି ସ୍ଥାପନ କରିଥିଲେ । 

ପୂଜକ

୧୮୪୦ ମସିହାରେ ଗୋବିନ୍ଦ ସିଂହ ଝାରସୁଗୁଡ଼ାର ମାଫିଦାର ହେବାପରେ ମନ୍ଦିରର ସେବାକାର୍ଯ୍ୟ ପ୍ରତି ଧ୍ୟାନ ଦେଇଥିଲେ । ଝାରସୁଗୁଡ଼ା ମାଫିଦାର  ଝାଡେଶ୍ଵର ମନ୍ଦିର ନିତିଦିନ ସେବା ପୂଜା  ପାଇଁ ଜଗନ୍ନାଥ ମହାପାତ୍ର ନାମକ ଜଣେ ମାଳି ( ଥନାପତି ) ସେବାୟତ ବରଗଡ଼ର ସୋଣ୍ଡା ଗ୍ରାମରୁ ଆଣି ପ୍ରାୟ ଅଠର ଏକର ଜମି ପ୍ରଦାନ କରିଥିଲେ । ପୂର୍ବରୁ ଭାଲୁପତ୍ରା ଗ୍ରାମର ଗଣ୍ଡ ଝାଙ୍କରମାନେ ଏହି ମନ୍ଦିରର  ପୂଜା ସେବା କରୁଥିଲେ । ସେବାୟତ ଜଗନ୍ନାଥ ମହାପତ୍ରଙ୍କ ବଂଶାବଳୀ ଆଜି ବୃଷାଳ । ତାଙ୍କ ଦୁଇ ପୁତ୍ର ଲକ୍ଷ୍ମଣ ଓ ବନମାଳୀଙ୍କ ବଂଶ ବଢ଼ି ବଢ଼ି ବର୍ତ୍ତମାନ ନାତି ଅଣନାତି ମାନେ ସେବାୟତ ଲକ୍ଷ୍ମଣଙ୍କ ଚାରିପୁତ୍ରଙ୍କ ଅଣନାତି କୃଷ୍ଣ କ୍ଷୀରୋଦ , ସୁଶାନ୍ତ , ଅର୍ଜୁନ , ଭୀମ , ନକୁଳ ସହଦେବ , ଯୁଧିଷ୍ଠିର , ଅମୁଲ୍ୟ , ଅରୁଣ , ଫକୀର , ଶିବଶଙ୍କର ଓ ସୁରେନ୍ଦ୍ର । ସେହିପରି ବନମାଲୀଙ୍କ ନରେନ ମହାପାତ୍ର । ସେମାନେ ପାଲି ଅନୁସାରେ ପୂଜା କାର୍ଯ୍ୟ କରୁଛନ୍ତି । 

ଝାଡେଶ୍ୱର ମନ୍ଦିର, ଝାରସୁଗୁଡ଼ା, ଓଡ଼ିଶା
(ଜଗନ୍ନାଥ ମହାପାତ୍ରଙ୍କ ବଂଶାବଳୀ)

( ଛତ୍ରସାହ ଦେବଙ୍କ ବଂଶାବଳୀ)


ବିକାଶ

ଶ୍ରୀ ଝାଡ଼େଶ୍ୱର ମହାଦେବଙ୍କ ଆବିର୍ଭାବ ଓ ମନ୍ଦିର ପ୍ରତିଷ୍ଠାର ବହୁବର୍ଷ ଅତିବାହିତ ହୋଇଥିଲେ ସୁଦ୍ଧା ଏକ ସ୍ଥାୟୀ ମନ୍ଦିର ନିର୍ମିତ ହୋଇ ପାରି ନ ଥିଲା ।  ସମୟ ଗଡ଼ିବା ସାଥିରେ ଝାଡ଼େଶ୍ଵର ବାବାଙ୍କ ଅପାର କରୁଣା , ଆଶୀର୍ବାଦରେ ମନ୍ଦିରର ବିଭିନ୍ନ  ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇ ଆସିଛି । 

ଝାରସୁଗୁଡ଼ା ସହର ଗଢ଼ି ଉଠିବାର କିଛିବର୍ଷ ପରେ ୧୯୧୪ ମସିହାରେ ଜଗମୋହନ ଗାଙ୍ଗଜୀ ସାରିଆଙ୍କ ପୁତ୍ରଦ୍ୱୟ ଯଥା ମୂରଲୀ ଜଗମଲ୍ଲ ଏବଂ ରନଛୋର ଜଗମଲ୍ଲ  ଗୁଜୁରାଟ ପ୍ରଦେଶରୁ ଆସି ଝାରସୁଗୁଡ଼ା ରେଲଷ୍ଟେସନ ନିକଟରେ ଅବସ୍ଥାନ କଲେ । ସେମାନେ ତତ୍‌କାଳୀନ ରେଲବିଭାଗ ବେଙ୍ଗଲ - ନାଗପୁର ରେଲପଥ ( BNR ) ଅଧିନରେ କଂଟ୍ରାକ୍ଟର ରୂପେ କାର୍ଯ୍ୟ କରୁଥିଲେ । ଏକଦା ମୂଲଜୀ ଜଗମିଲି ସ୍ଥାନୀୟ ଲୋକମାନଙ୍କଠାରୁ  ଶ୍ରୀ ଝାଡ଼େଶ୍ଵରଙ୍କ ମନ୍ଦିରର ସୂଚନା ପାଇ  ଦର୍ଶନ କରିବାକୁ ଆସିଥିଲେ । କୌଣସି ସ୍ଥାୟୀ ମନ୍ଦିର ନିର୍ମାଣ ନ ଥିବା ଲକ୍ଷ୍ୟ ସେ ଉକ୍ତ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କରିଥିଲେ । ତତ୍କାଳୀନ ଝାରସୁଗୁଡ଼ା ମାଫିଦାର ରାଜେନ୍ଦ୍ର ସିଂହଙ୍କ ଅନୁମତି କ୍ରମେ ମୂଲଜୀ ଜଗମଲ୍ଲ ଶ୍ରୀ ଝାଡ଼େଶ୍ୱରଙ୍କ ମନ୍ଦିରର ପ୍ରଥମ  ନିର୍ମାଣ  କାର୍ଯ୍ୟ ଆରମ୍ଭ କରିଥିଲେ  । ତାଙ୍କ ମୁସୀ ଗୋବର୍ଦ୍ଧନ ରାଠୋରଙ୍କ ତତ୍ତ୍ଵାବଧାନରେ ୧୯୧୫ ମସିହାରେ ଶ୍ରୀ ଝାଡ଼େଶ୍ଵର ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ୧୯୧୬ ମସିହାରେ ନୂତନ ମନ୍ଦିର ପ୍ରତିଷ୍ଠା ହେଲା ଏବଂ ନବନିର୍ମିତ ମନ୍ଦିରରେ ଶୈବ ଭକ୍ତଙ୍କ ଭିଡ଼ ବଢ଼ିବା  ସହିତ  ନିୟମିତ ଭାବେ ଶିବ ରାତ୍ରି ମେଳା ଅନୁଷ୍ଠିତ ହେଲା । । ତାପରେ ସାଧାରଣ ବ୍ୟକ୍ତିଙ୍କ ଆର୍ଥିକ ସାହାଯ୍ୟରେ ହନୁମାନ ଏବଂ ଭୈରବ ବାବାଙ୍କ ମନ୍ଦିର ଦୁଇଟି ନିର୍ମିତ କରାଯାଇଥିଲା ।

 ୧୯୬୯ ମସିହାରେ ତତ୍କାଳୀନ  ଭାସ୍କର ଟେକ୍ସଟାଇଲ ମିଲର ମାଲିକ ତଥା କଲିକତାର ଶିଳ୍ପପତି ସୁରବ ମଲ୍ଲ ମହୋତାକ ବଦାନ୍ୟତାରେ ଝାଡ଼େଶ୍ଵର ମନ୍ଦିରର   ପୁନଃନିର୍ମାଣ  ହୋଇଥିଲା । ତେବେ ୭୧ - ୭୨ ମସିହାରେ ଶ୍ରୀ ଝାଡ଼େଶ୍ଵର ଶିବପୀଠ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଝାରସୁଗୁଡ଼ା ପୌର ପରିଷଦପକ୍ଷରୁ ସମ୍ପନ୍ନ ହୋଇଥିଲା । ଏଥିପାଇଁ ପୌର ପରିଷଦର ଅଧ୍ୟକ୍ଷ ନର୍ମଦା ଶଙ୍କର ଅବସ୍ତିଙ୍କ ଅବଦାନ  ଉଲ୍ଲେଖଯୋଗ୍ୟ ଅଟେ। ତାଙ୍କ ଅମଳରେ ଶ୍ରୀ ଝାଡ଼େଶ୍ଵର ମନ୍ଦିର ଉପବନଠାରୁ ଝାରସୁଗୁଡ଼ା ସହରର ମୁଖ୍ୟ ରାଜପଥ ପର୍ଯ୍ୟନ୍ତ ପିଚୁତଳା ରାସ୍ତା ନିର୍ମିତ ହୋଇଥିଲା । ଏହାଛଡ଼ା ଝାଡ଼େଶ୍ୱର  ନାଳା ଉପରେ ଯାତାୟାତ ପାଇଁ ଆବଶ୍ୟକୀୟ ପୋଲ ମଧ୍ୟ ନିର୍ମିତ ହୋଇଥିଲା । ଝାଡ଼େଶ୍ଵର ମନ୍ଦିର ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଫୁଲଗଛ ଓ ଫଳଗଛମାନ ରୋପଣ କରାଯାଇଥିଲା । ମନ୍ଦିର ଦର୍ଶନ ପାଇଁ ଆଗତ ଯାତ୍ରୀ ତଥା ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ତଥା ଭ୍ରମଣ , ବିଶ୍ରାମ ତଥା ଭୋଜି ଉଦ୍ଦେଶ୍ୟରେ ଘନ ବୃକ୍ଷ୍ୟଛାୟା ଆଛାଦିତ ସିମେଣ୍ଟ ନିର୍ମିତ ବେଦୀମାନ ନିର୍ମାଣ କରଯାଇଥିଲା । ମନୋରଞ୍ଜନ ନିମିତ୍ତ ଦୋଳି ସ୍ତମ୍ଭମାନ ସ୍ଥାନେ ସ୍ଥାନେ ନିର୍ମିତ ହୋଇଥିଲା ।  ବିଶ୍ରାମ ଓ ଅବସର ବିନୋଦନ ପାଇଁ ପର୍ଯ୍ୟଟକଙ୍କ ରୁଚି ଅନୁଯାୟୀ ସ୍ଥାନେ ସ୍ଥାନେ ଲୌହ ଚୌକୀମାନ ଲଗା ଯାଇଥିଲା ।

ସ୍ଥାନୀୟ ଜନନେତା ତଥା ବିଧାୟକ ଶ୍ରୀ କିଶୋର  କୁମାର ମହାନ୍ତି ୧୯୯୦ ମସିହାରୁ ଏହି ଶୈବପୀଠର ଉନ୍ନୟନ ପାଇଁ  ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ପଦକ୍ଷେପ ସ୍ୱରୂପ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପ୍ରାୟ ଦେଢ ଏକର ପରିମିତ ଘରୋଇ ଜମି ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ କ୍ରୟ କରାଯାଇ ସେଥିରେ ବ୍ୟାପକ ବୃକ୍ଷରୋପଣ କରାଗଲା । ଉପବନ ପରିସରରେ ଶିଶୁମାନଙ୍କର ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ହେଲା ।

ଶ୍ରୀ ଝାଡ଼େଶ୍ଵର ମନ୍ଦିରକୁ ଓଡ଼ିଶାର ଏକ ପର୍ଯ୍ୟଟନ କେନ୍ଦ୍ର ରୂପେ ନିର୍ମାଣ କରିବାକୁ ସେ ଆପ୍ରାଣ ଉଦ୍ୟମ କରିଅଛନ୍ତି । ।   କିଶୋର କୁମାର ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ରୂପେ ଦାୟିତ୍ବ ବହନ କରିବା ସହିତ ଶ୍ରୀ ଝାଡ଼େଶ୍ଵରଙ୍କ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ  ସମ୍ପନ୍ନ ପାଇଁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଉଲ୍ଲେଖଯୋଗ୍ୟ  ଅଟେ । ୨୦୧୭ ମସିହାରେ ଏକ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ  ହେଇଥିଲା  ନବନିର୍ମିତ ମନ୍ଦିର ୧୨୦ ବର୍ଗ ଫୁଟ ଅଧିକୃତ କରିବା ସହିତ ୨୪ ଫୁଟ  ଉଚ୍ଚର ଅଛି  ।

ବିଭିନ୍ନ ଦେବତାମାନଙ୍କର ମୂର୍ତ୍ତି ସିଂହ ଦ୍ୱାରର ଉଭୟ ପାର୍ଶ୍ୱରେ ଏବଂ ମନ୍ଦିରର ଅଭ୍ୟନ୍ତର ଭାଗରେ ସ୍ଥାପନ କରାଯାଇଛି |  ରାମାୟଣ ଏବଂ ମହାଭାରତ ବିଭିନ୍ନ ଆକୃଷ୍ଟ ଛବି ମନ୍ଦିର ଭିତର ପଟରେ ଅଙ୍କନ କରାଯାଇଛି ।  ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ପିତ୍ତଳ ଷଣ୍ଢର ପ୍ରତିମୂର୍ତ୍ତି ଭଗବାନ ଝାଡେଶ୍ୱର ଆଡକୁ ମୁହାଁଇଛି।  ସମଗ୍ର ମନ୍ଦିରକୁ ସୁବର୍ଣ୍ଣ ରଙ୍ଗର ଲେପନଟି ମନ୍ଦିରର ସୁନ୍ଦରତା ବୃଦ୍ଧି କରିଛି |

ଏହି  ନବନିର୍ମିତ ଶ୍ରୀ ଝାଡ଼େଶ୍ଵର ମନ୍ଦିର ଗର୍ଭ ଗୃହରେ ଯଥାକ୍ରମେ ଶ୍ରୀ ଝାଡ଼େଶ୍ଵର, ମାତା ପାର୍ବତୀ ଏବଂ ଶ୍ରୀ ଭୌବର ବିରାଜିତ ହୋଇଥିଲା ବେଳେ ମନ୍ଦିରର ଉଭୟ ପାର୍ଶ୍ଵରେ ଦକ୍ଷିଣ ଦିଗ ଓ ଉତ୍ତର ଦିଗରେ ନବ ନିର୍ମିତ କ୍ଷୁଦ୍ର ମନ୍ଦିର ଗର୍ଭଗୃହରେ  ଶ୍ରୀ ଗଣେଶ ଏବଂ ଶ୍ରୀ ହନୁମାନ ବିରାଜମାନ କରୁଅଛନ୍ତି । ମନ୍ଦିର ପରିସରରେ ବିସ୍ତୃତ ଯଜ୍ଞବେଦୀ ,ବିଦ୍ୟୁତର ସୁବିଧା , ଫାଟକରୁ ପାଦପକ୍ଷାଳନ ସାଙ୍ଗକୁ ହାତ ଧୋଇବା ବ୍ୟବସ୍ଥା କରାଯାଇଛି ।

ଝାଡେଶ୍ୱର ମନ୍ଦିର, ଝାରସୁଗୁଡ଼ା, ଓଡ଼ିଶା
ଝାଡେଶ୍ୱର ମନ୍ଦିର

ପୂଜା ଓ ଆକର୍ଷଣ 

ଶ୍ରୀ ଝାଡ଼େଶ୍ବର ମନ୍ଦିରର  ପ୍ରତ୍ୟକ୍ଷ ଦେବତା ଶ୍ରୀ ଝଡେଶ୍ଵର୍ ବାବା ସମଗ୍ର ଝାରସୁଗୁଡ଼ା ବାସୀଙ୍କର ଇଷ୍ଟଦେବତା ରୂପେ  ପୂଜା ପାଉଛନ୍ତି । ଝାଡ଼େଶ୍ଵର ବାବାଙ୍କ ମନ୍ଦିର ପରିସରକୁ ପଦାର୍ପଣ କଲେ ଭକ୍ତର ମନ ପରିବର୍ତ୍ତନ ହୋଇଯାଏ । ଝାଡ଼େଶ୍ଵର ବାବା ସ୍ଵୟଂ ନାଗ ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି  । ଅନେକ ଏପରି ଅଲୌକିକ ଦୃଶ୍ୟ , ଘଟଣା ହିଁ , ବାବାଙ୍କ ଅନୁକମ୍ପାର ପରିଚୟ ଦିଏ । ତାଙ୍କର ମୂଲ୍ୟବାନ କରୁଣା ଫଳସରୂପ  ଶହ ଶହ ଭକ୍ତ ନରନାରୀ ମନସ୍କାମନା ପୂରଣ ହେବାର ଘଟଣା ଏବେ କିମ୍ବଦନ୍ତୀ ପାଲଟି ଯାଇଛି । ଦୂରଦୂରାନ୍ତରୁ ବହୁ ଭକ୍ତ ଓ ପର୍ଯ୍ୟଟକ ଏହି ପ୍ରାଚୀନ ଶୈବ ପୀଠକୁ ବର୍ଷର ଅଧିକାଂଶ ସମୟ ରେ ଆସି ଥାଆନ୍ତି । ବର୍ଷର ଅନେକ ସମୟରେ ଏହି ପବିତ୍ର ଶୈବ ପୀଠକୁ ଭାରତର ଅନେକ ବିଶିଷ୍ଟ ରାଜନୈତିକ ନେତାମାନଙ୍କର ଆସିଥିବାର ଉଦାହରଣ ରହିଛି ।

ଶ୍ରୀ ଝାଡ଼େଶ୍ଵର ମନ୍ଦିର ପରିସରରେ ପ୍ରତି ବର୍ଷ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପବିତ୍ର ଶିବରାତ୍ରି ପାଳନ ହେଉଅଛି । ଏହି ପ୍ରାଚୀନ ଶୈବ ପୀଠରେ ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ପ୍ରତ୍ୟୁଷରୁ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଦୂର ଦୂରାନ୍ତ ଅଞ୍ଚଳରୁ ଆଗତ ବୋଲ ବମ୍ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥାଏ । ଶ୍ରାବଣ ଶେଷ ସୋମବାର ଦିନ ଶ୍ରୀ ଝାଡ଼େଶ୍ବର ମନ୍ଦିର ପରିସରରେ ଶ୍ରାବଣୀ ମେଳା ହୁଏ । ୧୯୯୧ ମସିହା ଠାରୁ ଏହି ପ୍ରାଚୀନ ଶୈବପୀଠରେ ଚୈତ୍ରମାସରେ ବାସନ୍ତୀକ ଶ୍ରୀ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଅଛି ।
 ଶ୍ରୀ ଝାଡ଼େଶ୍ଵର ମନ୍ଦିର ପରିସରରେ ବର୍ଷର ଅଧିକାଂଶ ସମୟରେ ଶୁଭବିବାହ କାର୍ଯ୍ୟ  ସମ୍ପନ୍ନ ହୋଇଥାଏ । ଶ୍ରୀ ଝାଡ଼େଶ୍ୱର  ମନ୍ଦିର ସଂଲଗ୍ନ ଉପବନରେ ଶିଶୁମାନଙ୍କ ପାଇଁ ଏକ ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ଏହି ପ୍ରମୋଦ ବିହାରରେ ଦୋଳି , ଝୁଲା ଆଦିର ବ୍ୟବସ୍ଥା ନିତିଦିନିଆ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଝାଡ଼େଶ୍ୱର ମନ୍ଦିର ବିକାଶ ପରିଷଦ ଗଠନ କରାଯାଇଛି ।  ଶ୍ରାବଣ ମେଳା, ଶିବରାତ୍ରୀ, ବାସନ୍ତୀ ଦୁର୍ଗା ପୂଜା ଭଳି ସମସ୍ତ କାର୍ଯ୍ୟକ୍ରମ କମିଟି ଦ୍ୱାରା ପରିଚାଳିତ ହୁଏ |

 ପୋଖରୀ ଖନନ କରାଯାଇ ସେଥିରେ ବିଭିନ୍ନ ପ୍ରକାରର ମାଛ ଛଡା ଯାଇଛି  । ଯାହାକୁ ଅବଲୋକନ ଓ ଖାଦ୍ୟ ଖୁଆଇବା ପାଇଁ ପ୍ରାୟ ପ୍ରତିଦିନ ଯାତ୍ରୀ ଏଠାକୁ ଆସିଥାନ୍ତି । ଏହି ସମୟ ଭିତରେ ଅନେକ ସାଧୁ ସନ୍ଥ , ବୈରାଗୀ ସାଧୁ ସନ୍ଥଗଣ କନ୍ୟାଙ୍କୁ ଆଗମନ ଏହି ମନ୍ଦିର ମହାନତାକୁ ବୃଦ୍ଧି କରୁଛି । ୨୦୧୭ ମସିହାର ନବନିର୍ମିତ ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ତୀର୍ଥଯାତ୍ରୀକୁ ଆକର୍ଷଣ କରି ଏହା ଏକ ପର୍ଯ୍ୟଟନ ସ୍ଥଳରେ ପରିଗଣିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
ଝାରସୁଗୁଡ଼ାର ଏହି ପ୍ରାଚୀନ ଶୈବପୀଠର ପ୍ରାକୃତିକ ମନୋରମ ପରିବେଶ ଯାତ୍ରୀ,ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ପରମ ଶାନ୍ତି ଦେଇଥାଏ । ଉପବନ ମଧ୍ୟରେ ବହୁ ସଂଖ୍ୟକ ବିଲ ଅଭ୍ୟନ୍ତରରେ ଅନେକ ସଂଖ୍ୟାରେ ନାନା ସର୍ଗ ବାସ କରନ୍ତି । ବିଭିନ୍ନ ବନ ବୃକ୍ଷ୍ୟ ଲତାରେ ଆଶ୍ରିତ ପକ୍ଷୀମାନଙ୍କର କୂଜନ , ଗୁଣ୍ଡଚୀ ମୂଷାଙ୍କର ବୃକ୍ଷ ଶିଖର ଆରୋହଣ , ଅବରୋହଣ ଦୃଶ୍ୟ ବେଶ୍ ଉପଭୋଗ୍ୟ । ଝାଡ଼େଶ୍ୱର ନାଳତୀର ଗହ୍ୱରମାନଙ୍କରେ ଶୃଗାଳ ହଟାବାଘ ବହୁ ସଂଖ୍ୟାରେ ବାସ କରନ୍ତି । ଝାଡ଼େଶ୍ଵର ବାବାଙ୍କ ଘେରା ଜଙ୍ଗଲରେ ପଳାଶ , ଅଶ୍ଵତଥ , ଶିମିଳି , ମୁଚୁକୁନ୍ଦ ବାହାଡ଼ା , କୁସୁମ , ଆଙ୍କୁଲ ଆଦି ବୃକ୍ଷରାଜି  ଛାୟାବୃତରେ ଗ୍ରୀଷ୍ମତାପ ଜଣାପଡ଼େ ନାହିଁ  ।

Shiv linga of Jhadeswar Temple jharsuguda
( ଶିବ ଲିଙ୍ଗ )


କିପରି ପହଞ୍ଚିବେ

ଝାରସୁଗୁଡ଼ା ମୁଖ୍ୟ ରାଜ ପଥରୁ ଝାଡେଶ୍ଵର ମନ୍ଦିର ପର୍ଯ୍ୟନ୍ତ ପକ୍କା ରାସ୍ତା ସଂଯୁକ୍ତ କରାଯାଇଛି । ଏହି ପ୍ରାଚୀନ ଶୈବପୀଠଟି ଝାରସୁଗୁଡ଼ା ରେଳ ଷ୍ଟେସନରୁ କେବଳ ଦେଢ କିଲୋମିଟର ଦୂରତାରେ ଅବସ୍ଥିତ। ଆପଣ ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡ କିମ୍ବା ରେଳରୁ ଝାଡେ଼ଶ୍ୱର ମନ୍ଦିରକୁ ଯିବା ପାଇଁ ସହଜରେ ଯାନ ବାହାନ ପାଇଯିବେ । ମନ୍ଦିରକୁ ଆସି ଝାଡେଶ୍ୱର ବାବାଙ୍କ କରୁଣା ଓ ଆଶିର୍ବାଦ ଲାଭ ଉଠାନ୍ତୁ । 

ଝାଡେଶ୍ୱର ମନ୍ଦିର, ଝାରସୁଗୁଡ଼ା, ଓଡ଼ିଶା
ଝାଡେଶ୍ୱର ମନ୍ଦିରର ପ୍ରାକୃତିକ ପରିବେଶ
-------------------------------------------------------------------
ଲେଖକ :- ରୋହିତ କୁମାର ଲୋହରା
               ପୁରୁଣା ବସ୍ତି , ଝାରସୁଗୁଡ଼ା

ସୂଚନା ପାଇଁ :- ଗୋବିନ୍ଦ ଚନ୍ଦ୍ର ତ୍ରପାଠୀ
                ପୁରୁଣା ବସ୍ତି , ଝାରସୁଗୁଡ଼ା

ବଂଶବଳୀ ପାଇଁ :-  ନିକୁଞ୍ଜ ବିହାରୀ ମିଶ୍ର
                   ପୁରୁଣା ବସ୍ତି , ଝାରସୁଗୁଡ଼ା


ଶ୍ରୀ ଝାଡେଶ୍ୱର ଶୈବପୀଠର ଅବସ୍ଥିତିକୁ ଗୁଗୋଲ ମାନଚିତ୍ର (Google map )ରେ ଦେଖିବା ପାଇଁ ତଳେ ଦିଆ ଯାଇଥିବା ସଂଯୋଗ ( link) ରେ  ଛୁଅନ୍ତୁ (click).

Comments

Post a Comment