ଲଇଡ଼ାର ଐତିହାସିକ ବଏଲ ଯାତ୍ରା ଓ ସମଲେଇ ମନ୍ଦିର
ଭାରତୀୟ ସଂସ୍କୃତିରେ ଶକ୍ତି ଉପାସନାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ଆଦିକାଳରୁ ମଣିଷ ପ୍ରକୃତିର ଅସୀମ ଶକ୍ତିକୁ ମାତୃସ୍ୱରୂପା ଭାବେ ଗ୍ରହଣ କରି ଆରାଧନା କରିଆସିଛି। କାଳକ୍ରମେ ଆଦିଶକ୍ତିଙ୍କର ବିଭିନ୍ନ ରୂପ, ଉପାସନା ପଦ୍ଧତି ଓ ଆଞ୍ଚଳିକ ପରମ୍ପରା ଗଢ଼ିଉଠିଛି। ପଶ୍ଚିମ ଓଡ଼ିଶାର ଲୋକଜୀବନରେ ମଧ୍ୟ ଶକ୍ତି ଉପାସନାର ଏକ ସମୃଦ୍ଧ ଐତିହ୍ୟ ରହିଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଯାନିଯାତ୍ରା ମଧ୍ୟରେ ସମ୍ବଲପୁର ଜିଲ୍ଲାର ଲଇଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ପୀଠରେ ଆୟୋଜିତ ବଏଲ ଯାତ୍ରାର ଏକ ସ୍ୱତନ୍ତ୍ର ପରିଚୟ ଓ ପ୍ରସିଦ୍ଧି ରହିଛି। ପ୍ରଚଳିତ ଲୋକଶ୍ରୁତି ଅନୁସାରେ, ୧୭୭୦ ମସିହାରେ ତତ୍କାଳୀନ ଜମିଦାର ସମର ସିଂହଙ୍କ ପୃଷ୍ଠପୋଷକତାରେ ଏହି ଯାତ୍ରାର ଆରମ୍ଭ ହୋଇଥିଲା। ମହାଳୟା ଅମାବାସ୍ୟାଠାରୁ ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଥିବା ଏହି ଧାର୍ମିକ ମହୋତ୍ସବ ଲଇଡ଼ା ଅଞ୍ଚଳର ଇତିହାସ, ସଂସ୍କୃତି, ଆଦିବାସୀ ପରମ୍ପରା, ଧାର୍ମିକ ମୂଲ୍ୟବୋଧ ଓ ସାମାଜିକ ଏକତାର ଏକ ଜୀବନ୍ତ ପ୍ରତୀକ। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ; ବରଂ ଅଞ୍ଚଳବାସୀଙ୍କ ଆସ୍ଥା, ଶ୍ରଦ୍ଧା, ସମର୍ପଣ ଓ ସାମୂହିକ ଅଂଶଗ୍ରହଣର ଏକ ମହାମିଳନ। ଲଇଡ଼ାଗଡ଼ର ଐତିହାସିକ ପୃଷ୍ଠଭୂମି ଲଇଡାର ବଏଲ ଯାତ୍ରାର ଐତିହାସିକ ମହତ୍ତ୍ୱ ବୁଝିବା ପାଇଁ ଏହାର ପ୍ରାଚୀନ ଗଡ଼ ଓ ଜମିଦାରୀ ଇତିହାସ ଉପରେ ଦୃଷ୍ଟିପାତ କରିବା ଆବଶ...