ମହାଦେବ ପାଲିର ପ୍ରାଚୀନ ଶୈବପୀଠ - ଭୁବନେଶ୍ୱର ମନ୍ଦିର
ଆଧୁନିକ ଓଡିଶାରେ ଝାରସୁଗୁଡ଼ା ଜିଲ୍ଲାର କୋଲବିରା ବ୍ଲକ ଅନ୍ତର୍ଗତ ମହାଦେବ ପାଲି ନାମକ ଏକ ବିଖ୍ୟାତ ପଲ୍ଲୀ ଟିଏ ଅଛି। ଭେଡେନ ନଦୀ ବାମରା ଓ ଲଇକେରା ଅଞ୍ଚଳରୁ ପ୍ରବାହିତ ହୋଇ କ୍ରମେ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ଝାରସୁଗୁଡା ଅଞ୍ଚଳ ଦେଇ ପ୍ରବାହିତ ହୋଇ ବ୍ରଜରାଜନଗର ଠାରେ ଇବ ନଦୀ ସହିତ ମିଶିଯାଇଛି ।ମହାଦେବ ପାଲି ସୋଢ଼ାମାଲ ଗ୍ରାମ ପଞ୍ଚାୟତର ଅନ୍ତର୍ଭୁକ୍ତ ଯାହାର ଉତ୍ତର ପ୍ରାନ୍ତରେ ପ୍ରବାହିତ ଭେଡେନ ନଦୀ କୂଳରେ ପଶ୍ଚିମ ଓଡିଶାର ଅନ୍ୟତମ ପ୍ରାଚୀନ ଶୈବପୀଠ - ଭୁବନେଶ୍ଵର ମନ୍ଦିର । ଝାରସୁଗୁଡା ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ବ୍ୟବଧାନରେ ଝାରସୁଗୁଡା-ଲଇକେରା-ସମ୍ବଲପୁର ରାସ୍ତାରେ ସୋଢ଼ାମାଲ ପୋଲକୁ ଲାଗି ଏକ କ୍ଷୁଦ୍ର ରାସ୍ତାଟିଏ ଏହି ଭୁବନେଶ୍ଵର ମନ୍ଦିରକୁ ଲମ୍ବି ଯାଇଛି । ଭେଡେନ ନଦୀର ଗୋଟିଏ ପାର୍ଶ୍ଵରେ ରହିଛି ମହାଦେବ ପାଲିର ଭୁବନେଶ୍ଵର ମନ୍ଦିର ଏବଂ ଅପର ପାର୍ଶ୍ଵରେ ରହିଛି ଭୋଗରାପାଲି ନାମକ ପୁରାତନ କ୍ଷୁଦ୍ର ଗ୍ରାମଟିଏ । ( ଭୁବନେଶ୍ୱର ମନ୍ଦିର, ମହାଦେବପାଲି ) ସୁଦୂର ଅତୀତରେ ଭେଡେନ ନଦୀର ଅବବାହିକାରେ ଭୋଗରପାଲି ସନ୍ନିକଟ ଅଞ୍ଚଲରେ 'ଭୋଗରାଗଡ଼' ନାମକ ଏକ ଦୁର୍ଗା ଥିଲା ବୋଲି ଜନଶ୍ରୁତିରୁ ମିଳେ , ଯାହା ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ଯାହାହେଉ ଏ...