ମହାଦେବ ପାଲିର ପ୍ରାଚୀନ ଶୈବପୀଠ - ଭୁବନେଶ୍ୱର ମନ୍ଦିର

ଆଧୁନିକ ଓଡିଶାରେ ଝାରସୁଗୁଡ଼ା ଜିଲ୍ଲାର କୋଲବିରା ବ୍ଲକ ଅନ୍ତର୍ଗତ ମହାଦେବ ପାଲି ନାମକ ଏକ ବିଖ୍ୟାତ ପଲ୍ଲୀ ଟିଏ ଅଛି। ଭେଡେନ ନଦୀ ବାମରା ଓ ଲଇକେରା ଅଞ୍ଚଳରୁ ପ୍ରବାହିତ ହୋଇ କ୍ରମେ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ଝାରସୁଗୁଡା ଅଞ୍ଚଳ ଦେଇ ପ୍ରବାହିତ ହୋଇ ବ୍ରଜରାଜନଗର ଠାରେ ଇବ ନଦୀ ସହିତ ମିଶିଯାଇଛି ।ମହାଦେବ ପାଲି ସୋଢ଼ାମାଲ ଗ୍ରାମ ପଞ୍ଚାୟତର ଅନ୍ତର୍ଭୁକ୍ତ ଯାହାର ଉତ୍ତର ପ୍ରାନ୍ତରେ ପ୍ରବାହିତ ଭେଡେନ ନଦୀ କୂଳରେ ପଶ୍ଚିମ ଓଡିଶାର ଅନ୍ୟତମ ପ୍ରାଚୀନ ଶୈବପୀଠ - ଭୁବନେଶ୍ଵର ମନ୍ଦିର । ଝାରସୁଗୁଡା ଜିଲ୍ଲା ସଦର ମହକୁମାଠାରୁ  ପ୍ରାୟ  ୩୦ କିଲୋମିଟର ବ୍ୟବଧାନରେ ଝାରସୁଗୁଡା-ଲଇକେରା-ସମ୍ବଲପୁର ରାସ୍ତାରେ ସୋଢ଼ାମାଲ ପୋଲକୁ ଲାଗି ଏକ କ୍ଷୁଦ୍ର ରାସ୍ତାଟିଏ ଏହି ଭୁବନେଶ୍ଵର ମନ୍ଦିରକୁ ଲମ୍ବି ଯାଇଛି । ଭେଡେନ ନଦୀର ଗୋଟିଏ ପାର୍ଶ୍ଵରେ ରହିଛି ମହାଦେବ ପାଲିର ଭୁବନେଶ୍ଵର ମନ୍ଦିର ଏବଂ  ଅପର ପାର୍ଶ୍ଵରେ ରହିଛି ଭୋଗରାପାଲି ନାମକ ପୁରାତନ କ୍ଷୁଦ୍ର ଗ୍ରାମଟିଏ ।
                     ( ଭୁବନେଶ୍ୱର ମନ୍ଦିର, ମହାଦେବପାଲି )

ସୁଦୂର ଅତୀତରେ ଭେଡେନ ନଦୀର ଅବବାହିକାରେ ଭୋଗରପାଲି ସନ୍ନିକଟ ଅଞ୍ଚଲରେ 'ଭୋଗରାଗଡ଼' ନାମକ ଏକ ଦୁର୍ଗା ଥିଲା ବୋଲି ଜନଶ୍ରୁତିରୁ ମିଳେ , ଯାହା ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି  । ଯାହାହେଉ ଏହି ଧୂଂସପ୍ରାପ୍ତ ଦୁର୍ଗ ଭୂମିକୁ ଖନନ କରାଯାଇ ଏହାର ଭଗ୍ନ ଅଂଶ ଉଦ୍ଧାର କରାଯାଇଛି  ଯାହା ଦୁର୍ଗା ଅବସ୍ଥିତି କୁ ପ୍ରତିପାଦନ କରେ ।

ଇତିହାସ

ଖ୍ରୀଷ୍ଟୀୟ ଷୋଢ଼ଶ ଶତାବ୍ଦୀର ଇତିହାସ ପୃଷ୍ଟା ନିରୀକ୍ଷଣ କଲେ ସ୍ପଷ୍ଟ ପ୍ରତୀୟମାନ ହୁଏ - ବଳରାମ ଦେବ ଥିଲେ ସମ୍ବଲପୁରର ପ୍ରଥମ ଚୌହାନ ବଂଶୀୟ  ରାଜା , ତାଙ୍କର ଶାସନ କାଳରେ (୧୫୧୦-୧୫୮୪ ଖୀ) ରାଜ୍ୟ ବିସ୍ତାର କରିବା ଉଦେଶ୍ୟରେ ସୁରଗୁଜ ରାଜ୍ୟ (ଆଧୁନିକ ଛତିଶଗଡ଼ର ସୁରଗୁଜା) ଆକ୍ରମଣ ଅଭିଯାନ ଆରମ୍ଭ କରିଥିଲେ ।ସେଥିପାଇଁ ସର୍ବପ୍ରଥମେ ସେ ସୁରଗୁଜାର ସାମନ୍ତ ରାଜ୍ୟ ଗାଙ୍ଗପୁର (ଆଧୁନିକ ଓଡିଶାର ସୁନ୍ଦରଗଡ଼ ଅଞ୍ଚଳ) ଅଧିକାର କରିଥିଲେ ।ରାଜା ବଳରାମ ଦେବ ନିଜର ରାଜ୍ୟ ବିସ୍ତାର କରିବାପାଇଁ ୧୫୧୪ ଖ୍ରୀ. ରେ ସେନା ବାହିନୀ ସହିତ ରାଜ୍ୟର ପଶ୍ଚିମ  ଦିଗରେ ଅଗ୍ରସର ହୋଇଥିଲେ । ଯେହେତୁ ସୁରଗୁଜା ଲଳିତ ସିଂହ ଜାଣିପାରିଥିଲେ ତାଙ୍କ ରାଜ୍ୟ ଉପରେ ଆକ୍ରମଣ ହେବ । ତେଣୁ ସେ ବିଳମ୍ବ ନ କରି ନିଜର ସୈନ ବଳ ଧରି ରାଜ୍ୟର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ଭୋଗରାଗଡ଼ ଦୁର୍ଗରେ ପହଞ୍ଚି ଥିଲେ । ଫଳସ୍ଵରୂପ ଉଭୟ ସୈନ୍ୟମାନଙ୍କ  ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇଥିଲା । କିନ୍ତୁ ଏହି ଯୁଦ୍ଧରେ ସୁରଗୁଜା ରାଜ୍ୟର ଅନେକ ସୈନ ବାହିନୀ ସମେତ ଭୋଗରାଗଡ଼ ଦାୟିତ୍ୱରେ ଥିବା ସେନାପତୀ,ଦୁର୍ଗରକ୍ଷୀ ଓ କର୍ମଚାରୀମାନେ  ମୃତାହତ ହୋଇଥିଲେ ।
                               ( ପୁରୁଣା ମନ୍ଦିର )

ସର୍ବପ୍ରଥମେ କିଏ ଭୋଗରାଗଡ଼ ନିର୍ମାଣ କରି ଶାସନ କରୁଥିଲେ,  ସେ ବିଷୟରେ ସଠିକ ତଥ୍ୟ ତତ୍କାଳୀନ ଐତିହାସିକମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇ ନାହିଁ । ତଥାପି ସ୍ଥାନୀୟ ଲୋକଙ୍କ ଆନୁମାନରେ କୁହାଯାଇପାରେ ଯେ ଏହି ଦୁର୍ଗ ରେ ସୁରଗୁଜା ରାଜାର ସେନାପତି, ଦୁର୍ଗରକ୍ଷୀ ଓ ରାଜ୍ୟ କର୍ମଚାରୀ ସେମାନଙ୍କ ପରିବାର ସହିତ ବସବାସ କରୁଥିଲେ । ଏହି ଦୁର୍ଗର ନିର୍ମାଣ ସୁରକ୍ଷା ପ୍ରତି ଧ୍ୟାନ ଦେଇ ନିର୍ମାଣ କରାଯାଇଥିଲା ଏବଂ ଶ୍ରେଷ୍ଠ କୌଶଳର ପ୍ରୟୋଗ କରାଯାଇଥିଲା ବୋଲି ଶୁଣିବାକୁ ମିଳେ ।  ଦୁଇଟି ସମ୍ବର ଶିଙ୍ଗ ପ୍ରବେଶ ଏପରି ଖଞ୍ଜା ଯାଇଥିଲା ଯେପରିକି କୌଣସି ଶତ୍ରୁ ଗୃହ ଭିତରକୁ ପ୍ରବେଶ କଲେ ଉକ୍ତ ସମ୍ବର ଶିଙ୍ଗଦ୍ୱୟ ପରସ୍ପର ମଧ୍ୟରେ ବାଜି ଠକ୍... ଠକ୍...ଶଦ୍ଦ ସୃଷ୍ଟି କରୁଥିଲା । ଯାହା ଫଳରେ ଶତ୍ରୁର ଆଗମନ ସଂପର୍କରେ ସୂଚନା ପାଇ ଅନ୍ତେବାସୀ ଦୁର୍ଗ ପଶ୍ଚାତ ଭାଗରେ ଥିବା ଗୁପ୍ତ ଦ୍ବାର ଦେଇ ଭେଡେନ ନଦୀ କୂଳକୁ ପଳାୟନ କରୁଥିଲେ ।

ଇତି ମଧ୍ୟରେ ସୁରଗୁଜା ରାଜ୍ୟର ସେନ୍ୟବାହିନୀର ପରାଜୟ ସୁଯୋଗ ନେଇ ସମ୍ବଲପୁର ରାଜାଙ୍କ ସେନ୍ୟବାହିନୀ ଭୋଗରାଗଡ଼ ଦୁର୍ଗ ଅବରୋଧ କରିଥିଲେ ।ସେ ସମୟରେ ଦୁର୍ଗ ଭିତରେ ସେନାପତି ଓ ଦୁର୍ଗରକ୍ଷୀଙ୍କ ପତ୍ନୀଙ୍କ ଅଥବା ଆଉ କେହି ନ ଥିଲେ ।ବିଜୟ ଲାଭ ପରେ ସମ୍ବଲପୁର ରାଜ୍ୟର ସୈନ୍ୟବାହିନୀ ଭୋଗରାଗଡ଼ ଦୁର୍ଗର ଦ୍ବାର ଭାଙ୍ଗି ଦେଇ କୀର୍ଲାକୁ ଧ୍ୱଂସ ବିଧ୍ୱଂସ କରି ଦେଇଥିଲେ ।ଦୁର୍ଗର ଅନ୍ତେ ବାସୀମାନେ ଶତ୍ରୁ ପ୍ରବେଶ କରିବା ପୂର୍ବରୁ ଗୁପ୍ତ ଦ୍ୱାର ଦେଇ ନଦୀ କୂଳକୁ ଚାଲି ଯାଇଥିଲେ ଏବଂ  ଗଭୀର 'ନଦୀଗଣ୍ଡ' ବା 'ଦରହ' ଜଳ ମଧ୍ୟରେ ଆତ୍ମବିସର୍ଜନ କରି ସତି ହୋଇଥିଲେ ।ଏହା ଛଡ଼ା , ଯୁଦ୍ଧ ସମୟରେ ଉଭୟ ପକ୍ଷର ଅନେକ ସେନ୍ୟ ଯେଉଁ ଗଣ୍ଡ ବା ଦରହରେ ମୃତାହତ ହୋଇ ନଦୀର ଜଳ ରକ୍ତରଞ୍ଜିତ ହୋଇଥିଲା ସେହି ସ୍ଥାନକୁ ଲୋକମାନେ "ରକତ ଝରିଆ ଦରହ" ବୋଲି କହନ୍ତି ।

ଅନ୍ତରେ ସୁରଗୁଜା ରାଜା ଲଳିତ ସିଂହ ଯୁଦ୍ଧରେ ପରାଜୟ ଆସନ୍ନ ଜାଣିପାରି  ନିଜ ରାଜଧାନୀ ପଳାୟନ କଲେ । ଯୁଦ୍ଧ ସମୟରେ ସୁରଗୁଜା ରାଜାଙ୍କ ଇଷ୍ଟ ଦେବତା "ଅନନ୍ତ ଶଯ୍ୟା ଶ୍ରୀ ଵିଷ୍ଣୁ''ଙ୍କ ବିଶାଳ ପ୍ରସ୍ତର ବିଗ୍ରହଟି ସମ୍ବଲପୁର ରାଜା ଜବତ କରି ତାଙ୍କ ରାଜ୍ୟକୁ ଆଣି ପକାଇଥିଲେ । ରାଜା ବଳରାମ ଦେବ ୧୫୧୮ ମସିହାରେ ନୂତନ ମନ୍ଦିର ନିର୍ମାଣ କରି ସେହି ବିଗ୍ରହ ପ୍ରତିଷ୍ଠା କରିଥିଲେ । ସମ୍ବଲପୁର ସ୍ଥିତ "ଅନନ୍ତ ଶଯ୍ୟା ମନ୍ଦିର" ଏହି ଯୁଦ୍ଧର ସତ୍ୟତାକୁ ପ୍ରତିପାଦନ କରେ ।


ଏହି ଐତିହାସିକ ଭୋଗରାଗଡ଼ ଯୁଦ୍ଧ ପରେ ସମ୍ବଲପୁର ରାଜ୍ୟ ଉତ୍ତର ପଶ୍ଚିମ ଦିଗରେ ଝାରସୁଗୁଡ଼ା ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଥିଲା । କିନ୍ତୁ ସମୟ କ୍ରମେ ଏହି ପରିତ୍ୟକ୍ତ ଦୁର୍ଗ ଧ୍ଵଂସରେ ପରିଣତ ହୋଇଥିଲା । ଶେଷରେ ଭେଡେନ ନଦୀ କୂଳରେ ଏହି କିର୍ଲା ସଂପୂର୍ଣ୍ଣ ଭୂମିରେ ପରିଣତ ହୋଇଗଲା , ଯାହାର ପାଖାପାଖି ଅଞ୍ଚଳକୁ 'ଗଡ଼ମାଲ' ବୋଲି କହନ୍ତି । ଭୋଗରା ପାଲିର ଅନେକ ବ୍ୟକ୍ତି ଏହି ଭଗ୍ନ  କିର୍ଲା ସ୍ଥାନରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର , ସୁନା ଅଳଙ୍କାର ମିଳିଛି ବୋଲି ପରିପ୍ରକାଶ କରିଛନ୍ତି ।   

ଏହି ଐତିହାସିକ ଭୋଗରାଗଡ଼  ଦୁର୍ଗର ପ୍ରବେଶ  ଦ୍ବାର ସମ୍ମୁଖରେ ଦୁଇଟି ସମ୍ବର ଶିଙ୍ଗ କାରିଗର କୌଶଳ ବିଦ୍ୟା ପ୍ରୟୋଗ କରି ଲଗାଯାଇଥିବାରୁ ଏହି ଗଡ଼ର ନାମ "ସମ୍ବର ଶିଙ୍ଗାଗଡ଼ ଗଡ଼" ନାମରେ ପରିଚିତ ଥିଲା । ଯୁଦ୍ଧର ପରବର୍ତ୍ତୀ କାଳରେ ରାଜ୍ୟର ସେନାପତି, ଦୁର୍ଗରକ୍ଷୀ ଓ  କର୍ମଚାରୀ ତାଙ୍କର ପରିବାର ସହିତ ଭୋଗରା ପାଲି ଠାରୁ ଅଳ୍ପ ଦୂରରେ ଏକ 'ସମ୍ବର ଶିଙ୍ଗା ଗଡ଼' ନାମକ  ସ୍ୱତନ୍ତ୍ର ପଲ୍ଲୀ ସ୍ଥାପନ କରି ବସବାସ ଆରମ୍ଭ କରିଥିଲେ । ବର୍ତ୍ତମାନ ସେହି ପାଲ୍ଲୀର ନାମ ‘ସମାଶିଙ୍ଗା’ ହୋଇଛି ।

ପ୍ରାଚୀନ ଭୋଗରାଗଡ଼ ଦୁର୍ଗର ଉତ୍ତର  ପାର୍ଶ୍ବରେ ଏକ କ୍ଷୁଦ୍ର ମନ୍ଦିର ମଧ୍ୟରେ ଦେବୀ ଭୁବନେଶ୍ୱରିଙ୍କ ପୂଜା ଓ ଉପାସନା ହେଉଥିଲା ବୋଲି ପ୍ରତୀୟମାନ ହୁଏ । କିନ୍ତୁ ଯୁଦ୍ଧ ପରେ ଏହି ଭୋଗରାଗଡ଼ ନିର୍ଜନ ହୋଇରହିଲା ଯାହା ଫଳରେ ଭେଡେନ ନଦୀର ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ପୁନଶ୍ଚ ସମ୍ବଲପୁରର ଚୌହାନବଂଶ୍ରୀୟ  ରାଜା ଜୟନ୍ତ ସିଂହଙ୍କ ଶାସନ କାଳରେ (୧୭୮୨-୧୮୧୮) ଭଗ୍ନ ମନ୍ଦିର ପରିସରରୁ ଦେବୀ ଭୁବନେଶ୍ୱରୀ ପ୍ରତିମା ତତ୍କାଳୀନ କୋଲବୀରା ଜାମିନଦାର ସନସାଧର ସିଂହଙ୍କ ପ୍ରସାଦ ପରିସରକୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ଉକ୍ତ ପ୍ରାଚୀନ ଦେବୀଙ୍କ ପ୍ରତିମା ଜମିନଦାରଙ୍କ ପ୍ରସାଦରେ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରି ମାଁ ସମଲେଶ୍ବରୀ ରୂପେ ପୂଜା ଉପାସନା କରାଯାଉଛି । 

ବିକାଶ

ମହାଦେବ ପାଲି ପାଲ୍ଲୀ ର ସମୀପରେ ଭେଡେନ ନଦି ପ୍ରବାହିତ ହୁଏ ଯାହାର ପଶ୍ଚିମ ଦିଗରେ ପ୍ରାଚୀନ ଶୈବପୀଠ ଭୁବନେଶ୍ଵର ମନ୍ଦିର ବିଦ୍ୟମାନ ଅଛି । ବାରମ୍ବାର ବନ୍ୟା ଯୋଗୁଁ ଜୀର୍ଣ୍ଣକାୟ ମନ୍ଦିର ଉର୍ଦ୍ଧ୍ବ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ୧୯୬୦ ମସିହାର କରାଲ ବନ୍ୟା ଜଳସ୍ରୋତରେ ଅବହେଳିତ ଓ ଧ୍ୱଂସ ମନ୍ଦିରର ଦଧିନଉତ ଅଂଶ  ସହିତ ମନ୍ଦିର ପଶ୍ଚାତ ଭାଗରେ ଥିବା ବଡ ବୃକ୍ଷ ମୂଳକୁ ଭାସି  ଯାଇଥିଲା । 

ଯାହାହେଉ ସ୍ଥାନୀୟ ଅଧିବାସୀଙ୍କ ମିଳିତ ଉଦ୍ୟମରେ ଏହି ପ୍ରାଚୀନ ଓ ବିଖ୍ୟାତ ମନ୍ଦିରର ପୁନଃ ନିର୍ମାଣ ଗତ ୧୯୯୩ ମସିହାରେ  କରାଗଲା । ବିଗତ ଦଶ ବର୍ଷ ମଧ୍ୟରେ ଦେବୀ ଦୁର୍ଗା , ଭୈରବ, ହନୁମାନ,ବିଶ୍ଵକର୍ମା ଓ ଶ୍ରୀ ରାଧା ମାଧବଙ୍କ  ପାଇଁ ସ୍ଵତନ୍ତ୍ର ମନ୍ଦିର ପ୍ରତିଷ୍ଠା କରାଯାଇଛି । ମନ୍ଦିରକୁ ବିଦୁତ ସଂଯୋଗ କରିବା ସହିତ ମନ୍ଦିରକୁ ଯିବା ପାଇଁ କଂକ୍ରିଟ ରାସ୍ତା ତିଆରି କରଯାଇଛି । ଭକ୍ତ ମାନଙ୍କ ସୁବିଧା ପାଇଁ ନଦୀକୁ ଯିବା ପାଇଁ  ପାହାଚ ନିର୍ମାଣ କରାଯାଇଛି ।

ପୂଜକ

ଅତୀତରେ ଭୁବନେଶ୍ୱର ମନ୍ଦିର ପୂଜକ ରୂପେ ମହାଦେବ ପାଲିର ମୁକୁନ୍ଦ ପୁଝାରୀ ସେବା ପୂଜା କରି ଆସୁଥିଲେ । ଏବେ ତାଙ୍କର ବଂଶଧର ଶ୍ରୀ ଗୁରୁଦେବ ପୁଝାରୀ ପୂଜାକାଯ୍ୟ ସମାପନ କରୁଛନ୍ତି । ଭୁବନେଶ୍ବର ମନ୍ଦିର ପରିସରରେ ପ୍ରତିବର୍ଷ ଶିବରାତ୍ରି ମେଳା ଆୟୋଜିତ ହୋଇଥାଏ ।
                    ( ଭୁବନେଶ୍ୱର ବାବାଙ୍କ ଶିବଲିଙ୍ଗ )

ଶ୍ରଦ୍ଧା ଏବଂ ବିଶ୍ୱାସ

 ବାବା ଭୁବନେଶ୍ଵରଙ୍କ ଉପରେ ସ୍ଥାନୀୟ ଲୋକମାନଙ୍କ ଶ୍ରଦ୍ଧା ଓ ବିଶ୍ଵାସ ଭରି ରହିଛି ।କହ୍ନେଇ କୁମୁରା ନାମର ଜଣେ ସମାଶିଙ୍ଗା ଗ୍ରାମର ବ୍ୟକ୍ତି ମାନସିକ ସିଦ୍ଧି ଲାଭ କରିବା ସକାଶେ ଦେବତାଙ୍କ ସମ୍ମୁଖରେ ନିଜର ଜିଭକୁ କାଟି ସିଦ୍ଧି ଲାଭ କରିଥିଲା । ସେହିପରି ଏହି ଅଞ୍ଚଳର ଭକ୍ତଗଣଙ୍କ ଦୁଃଖ ଦୁର୍ଦଶା ହରଣ କରି ତାଙ୍କର ମନବାଞ୍ଛା ବର ପ୍ରଦାନ କରିଛନ୍ତି ବୋଲି ଭକ୍ତଗଣ ମତ ପ୍ରଦାନ କରିଛନ୍ତି ।ତେବେ ଦୁର୍ଭାଗ୍ୟ ବିଷୟ ଏହି କି ଯେ ଭେଡେନ ନଦୀ ଅବବାହିକାରେ ଅବସ୍ଥିତ ପ୍ରାଚୀନ ଭୁବନେଶ୍ୱର ମନ୍ଦିର ପ୍ରତି ଭକ୍ତ ଓ ପର୍ଯ୍ୟଟକମାନଙ୍କର ଆକର୍ଷଣ ପାଇଁ କୋୖଣସି ଉନ୍ନୟନ ଯୋଗ୍ୟ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇ ପାରି  ନାହିଁ ।


କିପରି ପହଞ୍ଚିବେ

ଆପଣ ବସ କିମ୍ଵା ଟ୍ରେନ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାକୁ ସହଜରେ ପହଞ୍ଚି ପାରିବେ । ଏହି ପ୍ରାଚୀନ ମନ୍ଦିରଟି ଝାରସୁଗୁଡ଼ା ସହର ଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ । ଆପଣ ଝାରସୁଗୁଡା ବସ ଷ୍ଟାଣ୍ଡ ରେ ଗାଡ଼ି ଭଡା କରି ଏହି  ମନ୍ଦିରକୁ ସହଜରେ ଓ ଅଳ୍ପ ସମୟର ପହଞ୍ଚି ପାରିବେ ।

Comments

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda