ଝାରସୁଗୁଡ଼ାର ପୁରାତାତ୍ଵିକ ସ୍ଥଳ ବିକ୍ରମଖୋଲ ଗୁମ୍ଫା

ପ୍ରାଚୀନ କାଳରେ ଆଦିମ ମାନବମାନେ ଘଞ୍ଚ ଅରଣ୍ୟ ଓ ପର୍ବତ ପ୍ରାନ୍ତରେ ବିଚରଣ କରୁଥିଲେ ।  ବିଭିନ୍ନ ପ୍ରକାରର ପକ୍ଷୀ ,  ମତ୍ସ୍ୟ ଏବଂ ଅରଣ୍ୟର ବନ୍ୟଜନ୍ତୁ ଥିଲା ତାଙ୍କର  ନିୟମିତ ଖାଦ୍ୟ । ତେଣୁ ଶିକାର ଅନ୍ଵେଷଣ କରିବା ପାଇଁ ବ୍ୟବହାର କରୁଥିଲେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର । ତେବେ ଖରା, ବର୍ଷା ଏବଂ ଶୀତରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଉଥିଲେ ଦୁର୍ଗମ ପାର୍ବତ୍ୟ ଗୁମ୍ଫା କନ୍ଦର ଭିତରେ ।କାଳକ୍ରମେ ସେଇ ଆଦିମ ମାନବମାନେ ଗୁମ୍ଫା କନ୍ଦର ତ୍ୟାଗ କରି କୁଟୀର ନିର୍ମାଣ କରି ଦଳ ଦଳ ହୋଇ ରହିଲେ । ନିଜର ଭାବ ଆଦାନ ପ୍ରଦାନ କରିବା ପାଇଁ ଭାଷା ଓ ଲିପିର ବ୍ୟବହାରରୁ  ଆରମ୍ଭ ହେଲା ମାନବ ସଭ୍ୟତାର ବିକାଶ । ଓଡିଶାର  ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ଦେବଗଡ ଏବଂ କଳାହାଣ୍ଡି ଆଦି ଜିଲ୍ଲାର ବଣ ଜଙ୍ଗଲରେ ବେଷ୍ଟିତ ପର୍ବତ ବକ୍ଷରେ ଥିବା ଗୁମ୍ଫାଗୁଡିକ ରେ କେତେକ ପ୍ରାଚୀନ ସଭ୍ୟତାର  ନିଦର୍ଶନ କରିବାକୁ ମିଳେ । ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାର ବର୍ଷ ତଳର ଲିପି ଓ ଚିତ୍ର ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ ବିକ୍ରମଖୋଲ ଗୁମ୍ଫାରେ ଖୋଦିତ ହୋଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯାହା ଦେଶ ବିଦେଶ ଐତିହାସିକ, ଗବେଷକ ଓ ଭାଷାବିଦ୍ ମାନଙ୍କ ପାଇଁ  ମୁଖ୍ୟ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଯାଇଛି।


ପୃଥିବୀର ବିଭିନ୍ନ ପ୍ରାନ୍ତରେ ଯେଉଁସବୁ ପ୍ରାଚୀନ ସଭ୍ୟତାର ନିଦର୍ଶନ ଅଦ୍ୟାବଧି   ଆବିସ୍କୃତ ହୋଇଅଛି , ତନ୍ମଧ୍ୟରୁ ଭାରତର ସୈନ୍ଧବ-ଗାଙ୍ଗେୟ ଅବବାହିକା ରେ  ଏକଦା ଗଡ଼ି ଉଠିଥିବା ମହେଞ୍ଜୋଦାରୋ ଏବଂ ହରପ୍ପା ସଭ୍ୟତା ସର୍ବ ପ୍ରାଚୀନ ବୋଲି ଅନୁମାନ କରାଯାଇଛି । କାରଣ ଏହି ଅଞ୍ଚଳ ରେ ପ୍ରାପ୍ତ ତତ୍କାଳୀନ ଲିପି ସୁମେରୀୟ ଏବଂ କିଲାକ ଲିପି ଉପେକ୍ଷା ନିଶ୍ଚିତ  ପ୍ରାଚୀନ ଅଟେ । ସେଥିମଧ୍ୟରୁ, ସୁମେରିୟ ଲିପି ଖ୍ରୀଷ୍ଟପୂର୍ବ ତିନି ହଜାର ପାଞ୍ଚଶହ ବର୍ଷ ତଳର ବୋଲି ବିଶ୍ଵାସ କରାଯାଏ । ତେବେ ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରାପ୍ତ ଲିପିମାନଙ୍କ ଜନ୍ମଦାତ୍ରୀ  ରୂପେ ସୈନ୍ଧବ ଲିପି ହୋଇଥିଲେ ସୁଦ୍ଧା, ଭାରତରେ ଅନ୍ୟାନ୍ୟ ପ୍ରାନ୍ତର ଲିପିର କ୍ରମ ବିକାଶ ସହିତ ଏହାର ସଂପର୍କ ଥିବାର ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳି ନାହିଁ।

ଭାରତରେ ତାଳ ଏବଂ ଭୁଜ ପତ୍ରରେ ସଂସ୍କୃତ ଭାଷାରେ ବେଦ ଏବଂ  ଉପନିଷଦ  ଖ୍ରୀଷ୍ଟପୂର୍ବ ଦୁଇ ହଜାର ବର୍ଷ ପୂର୍ବେ ଲେଖା ଯାଇଥିଲା । ଏହାର ପରବର୍ତ୍ତୀ କାଳରେ ରାମାୟଣ ଏବଂ  ମହାଭାରତ କାବ୍ୟ ଲିଖିତ ହୋଇଥିବ ବୋଲି ଅନୁମାନ କରାଯାଏ । ବିଖ୍ୟାତ  ସଂସ୍କୃତ ବିଦ୍ଵାନ ପାଣିନୀ , କାତ୍ୟାୟନ ଓ ପାତଞ୍ଜଳି ପ୍ରମୁଖ ସଂସ୍କୃତ ଭାଷାରେ ବ୍ୟାକରଣ ପ୍ରଣୟନ କରି ଏହି ଭାଷା କୁ ମାର୍ଜିତ ଭାଷା ରେ ପରିଣତ କରିଥିଲେ । ତାହାର ଫଳସ୍ଵରୂପ ଗୁପ୍ତ ଯୁଗର ସଂସ୍କୃତ ଭାଷାରେ  ବହୁ ସଂଖ୍ୟକ ଧର୍ମଗନ୍ଥ, କାବ୍ୟ, ଗଳ୍ପ ଓ ନାଟକ ପ୍ରଭୂତ ରଚିତ ହୋଇଥିଲା । କାଳକ୍ରମେ ସଂସ୍କୃତ ଭାଷା ଏବଂ ସାହିତ୍ୟର ଯଥେଷ୍ଟ ଉନ୍ନତି ହୋଇ ପାରିଲା ନାହିଁ । ମୌର୍ଯ୍ୟଯୁଗୀୟ ଖରୋଷ୍ଟୀ ଏବଂ ବ୍ରାହ୍ମୀ ଲିପି ର ଅଭୂଦୟ ସୈନ୍ଧବ ସଭ୍ୟତାକାଳୀନ ଲିପିରୁ ହୋଇଥିବ ବୋଲି ଐତିହାସିକମାନେ ଅଭିମତ ପରିବେଷଣ କରନ୍ତି । ତେବେ ଭାରତର ମୌର୍ଯ୍ୟଯୁଗର ସଂସ୍କୃତ ଭାଷା କେବଳ ରାଜଭାଷା ଥିଲା ଏବଂ କେବଳ ବୁଦ୍ଧିଜୀବୀ ଶ୍ରେଣୀ ରେ ସୀମିତ ଥିଲା । ସେହିପରି ସୌରସେନା ଏବଂ ପ୍ରାକୃତିକ ଭାଷା ସର୍ବସାଧାରଣଙ୍କ କଥିତ ଭାଷା ରୂପେ ପ୍ରଚଳିତ ରହିଥିଲା । ତେଣୁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାଦ୍ଦୀରେ ସମ୍ରାଟ ଅଶୋକଙ୍କ ଶାସନ କାଳରେ ଉଭୟ ବ୍ରାହ୍ମୀ ଏବଂ ଖରୋଷ୍ଟୀ ଲିପିରେ ଲିଖିତ ହୋଇଥିଲା । ସୁତରାଂ ଏହି ବ୍ରାହ୍ମୀ ଲିପିରୁ ଅନ୍ୟାନ୍ୟ ଭାଷାର ଲିପି ବିକଶିତ ହୋଇଥିବାର ଜଣାଯାଏ । ଆଜି ପର୍ଯ୍ୟନ୍ତ ପୃଥିବୀରେ  ବ୍ରାହ୍ମୀ ଲିପି ସୃଷ୍ଟିର ସ୍ଥାନ ଓ କାଳ ସଂପର୍କରେ କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରି ନାହିଁ । ତେବେ ବିକ୍ରମଖୋଲ ଗୁମ୍ଫାରେ ଖୋଦିତ ହୋଇଥିବା ଲିପି ବ୍ରାହ୍ମୀ ଲିପି ଠାରୁ ପ୍ରାଚୀନ ବୋଲି ଜଣାଯାଏ ।

ଓଡ଼ିଶାର ଝାରସୁଗୁଡା ଜିଲ୍ଲା ସଦର ମହକୁମାଠାରୁ ବେଳପାହାଡ଼ ଅତିକ୍ରମ କରି ୧୯ କିଲୋମିଟର ଯାତ୍ରା କରିବା ପରେ ,ବେଳପାହାଡ଼- ହିମଗିରି ଜଙ୍ଗଲ ରାସ୍ତାରେ ଅବସ୍ଥିତ କାଉଦରହ ଛକଠାରୁ ମାତ୍ର ୬ କିଲୋମିଟର ବ୍ୟବଧାନରେ ଓ  ବଞାରି ଗ୍ରାମ ସମୀପରେ ରହିଛି ବିକ୍ରମ ନାମକ ଏକ  ଅର୍ଦ୍ଧଚନ୍ଦ୍ରାକୃତି ପାହାଡ । ପାହାଡର ପୂର୍ବ ଦିଗକୁ ମୁଖ କରି ରହିଛି ଏକ ପ୍ରାଚୀନ ଗୁମ୍ଫା ଏବଂ ତାହାର ନାମ ହେଉଛି ବିକ୍ରମଖୋଲ ।


ବିକ୍ରମଖୋଲ ଗୁମ୍ଫାର ଦୈର୍ଘ୍ୟ ଓ  ଉଚ୍ଚତା ଯଥାକ୍ରମେ ୩୭ ମିଟର ଓ ୮ ମିଟର । ଗୁମ୍ଫାର ଶୀର୍ଷ ଦେଶର ବିଶାଳ ପ୍ରସ୍ତର ଖଣ୍ଡ ପୂର୍ବ ଦିଗକୁ ଛାତ ସଦୃଶ ଲମ୍ବି ଯାଇଛି । ପ୍ରାକୃତିକ ସୁରକ୍ଷା ବିଶିଷ୍ଟ ଏହି ଗୁମ୍ଫାର ଚଟାଣ ପ୍ରାୟ ୬ ମିଟର ପ୍ରସ୍ଥ ଅଟେ । ଏହି ଗୁମ୍ଫା ବର୍ଷର ଯେ କୌଣସି  ସମୟରେ ୧୦/୨୦ ଜଣ ବ୍ୟକ୍ତିଙ୍କୁ ଆଶ୍ରୟ ଦେଇ ପାରେ ।ବିକ୍ରମଖୋଲ ଗୁମ୍ଫା ପ୍ରାଚୀନ ଦେହରେ ପ୍ରାୟ ୧୦ ମିଟର ଆୟତନ ମଧ୍ୟରେ ଦୁଇଟି ଧାଡିରେ କେତେକ ଲିପି ସମେତ ଏକ ବନ୍ୟ ପଶୁର ଚିତ୍ର ଖୋଦିତ ହୋଇଥିବା ଲକ୍ଷ୍ୟ କରାଯାଇପାରେ । ପ୍ରାକୃତିକ ବିପର୍ଯ୍ୟୟରେ ଲିପିର କେତେକ ଅଂଶ ନଷ୍ଟ ହୋଇଯାଇଛି ଏବଂ ଦାୟିତ୍ୱହୀନ ଵ୍ୟକ୍ତିଙ୍କ ହେତୁ କେତେକ ଲିପି ବି ନଷ୍ଟ ହୋଇଛି । ଗୁମ୍ଫା ଚଟାଣରେ ଚାରି ବର୍ଗଇଞ୍ଚ ଆକୃତିର ଓ ଦୁଇଇଞ୍ଚ ବର୍ଗାକୃତି ଗଭୀରତା ବିଶିଷ୍ଟ କେତେକ ଗାତ କରାଯାଇଛି ।  ସେ ଗାତଗୁଡିକରେ ଗୁମ୍ଫାବାସୀ  ଧାନଶସ୍ୟ କୁଟୁଥିଲେ । ଗୁମ୍ଫାର କାନ୍ଥରେ  ମଧ୍ୟ କେତୋଟି ଛିଦ୍ର ସୃଷ୍ଟି କରାଯାଇଛି । ଉକ୍ତ ଛିଦ୍ର ଗୁଡିକରେ  ଗୁମ୍ଫାବାସୀ କାଷ୍ଠଦଣ୍ଡ ଲଗାଇ ନିଜର  ବସ୍ତ୍ର , ଖାଦ୍ୟ ପଦାର୍ଥ  ଏବଂ ଅସ୍ତ୍ରଶସ୍ତ୍ର ଆଦି ଝୁଲାଇ ରଖୁଥିଲେ । ଏହି ବିକ୍ରମଖୋଲ ଗୁମ୍ଫା ବହୁକାଳ ଧରି ଲୋକଲୋଚନ ଅନ୍ତରାଳରେ ରହିଥିଲା । ଅରଣ୍ୟରେ  ଗୋଚାରଣ କରୁଥିବା କେତେକ ଗାଈଆଳ ପିଲାଙ୍କ ଦୃଷ୍ଟିରେ ପଡିବା ପରେ ,  ୧୯୨୪ ମସିହାରେ ବିକ୍ରମଖୋଲ ଗୁମ୍ଫା  ସଂପର୍କ ବିଷୟରେ ଐତିହାସିକ ଏବଂ ଗବେଷକମାନେ ଜାଣିବା ପାଇଁ ସୁଯୋଗ ପାଇଲେ ।

 ବିକ୍ରମଖୋଲ ଗୁମ୍ଫାଲିପି ରେ ମୁଖ୍ୟ ତିନୋଟି ଧାଡିରେ ୪୨ ଟି ଲିପି ଲେଖା ହୋଇଛି । ଏଥିରେ ମୋଟ ୨୩ ଟି ଲିପି କୁ ସ୍ୱଷ୍ଟ ଭାବରେ ପଡିହେଉଛି , ଯାହା ସିନ୍ଧୁ ଓ ବ୍ରାହ୍ମୀ ଲିପି ସହ ମିଶୁଛି। କେତେକ ଲିପି ଏକାଧିକ ବାର ଲେଖାଯାଇଛି ଓ ଆବଶ୍ୟକ ସ୍ଥଳରେ “ଅନୁସ୍ଵାର” ପ୍ରୟୋଗ ଦେଖାଯାଉଛି । ଲେଖା ସ୍ଥାନରେ କୌଣସି ଜୀବର ଚିତ୍ର ନ ଥିବାରୁ ସ୍ୱଷ୍ଟ ପ୍ରତୀୟମାନ ହେଉଛି ଯେ ଏହି ବେଲକୁ ଲିପିର କ୍ରମିକ ଲିଖନ ପଦ୍ଧତି ଆବିଷ୍କୃତ ହୋଇସାରି ଥିଲା ।ସମସ୍ତ ଅଙ୍କିତ ଛବି କୁ ଲେଖନୀର ସାଙ୍କେତିକ ଚିହ୍ନ ଭାବରେ ବ୍ୟବହାର କରାଯାଇଛି। କେତେକ ଲିପି କୁ ଯୋଡି ଲେଖାଯାଇଛି ଯାହା "ସଂଯୁକ୍ତବର୍ଣ୍ଣ"ର ବ୍ୟବହାର କୁ ଦର୍ଶାଏ । ଲିପିର ଉପର ଓ ନିମ୍ନ ଭାଗରେ କେତେକ ସାଙ୍କେତିକ ଚିହ୍ନ ଥିବାରୁ  'ଫଳା' କିମ୍ବା 'ମାତ୍ରା' ଚିହ୍ନର ପ୍ରୟୋଗ ହୋଇଥିବ ଜଣାଯାଏ।


୧୯୩୩ ମସିହାରେ ଭାରତର ବିଶିଷ୍ଟ ଇତିହାସ ଗବେଷକ ସ୍ବର୍ଗତ କାଶୀ ପ୍ରଶାଦ ଜୟସ୍ୱାଲ ଏହି ଗୁମ୍ଫା ପରିଦର୍ଶନ କରିଥିଲେ । ଜୟସ୍ୱାଲଙ୍କ ଗବେଷଣାରୁ ଜଣା ପଡ଼ିଲା ଯେ ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାର ବର୍ଷ ପୂର୍ବେ ଏହି ଅଞ୍ଚଳରେ କୌଣସି ଏକ ଉନ୍ନତ ସଭ୍ୟମାନ ସମାଜ ବସତି ସ୍ଥାପନ କରି ରହୁଥିଲେ । ସେମାନେ ଏହି ପ୍ରାଚୀନ ଲିପି ବ୍ୟବହାର କରୁଥିଲେ ବୋଲି ଅନୁମାନ କରାଯାଏ । ଏହି ବିକ୍ରମଖୋଲରେ ଖୋଦିତ ଲିପି ସଂପର୍କରେ ଗବେଷକ ଜୟସ୍ୱାଲ ଲେଖିଛନ୍ତି-"the characters in Vikramkhol inscription belongs to a period intermediary between the script of Mahenozodaro and Brahmi. Some letters still remain their original or secondary Mahenzodaro form and some have assumed the Brahmi or proto-brahmi form. This throws a flood of light on the history of writing as from Brahmi, The phonician and European Script are derived ". ବିକ୍ରମଖୋଲରେ ଖୋଦିତ ହୋଇଥିବା ପ୍ରାଚୀନ ଲିପିକୁ ଐତିହାସିକ, ଗବେଷକ ଏବଂ  ଭାଷାବିଦମାନେ ପାଠ କରିବାରେ ସମର୍ଥନ ହୋଇ ପାରି ନାହାନ୍ତି । ବିଗତ ବହୁବର୍ଷ ଧରି ଭାରତର ଐତିହାସିକ ଓ ଗବେଷକ ବ୍ୟତୀତ ବିଦେଶରୁ ଅନେକ ଗବେଷକ ମଧ୍ୟ ଏହି ଲିପିକୁ ଅନୁଧ୍ୟାନ କରିବା ପାଇଁ ବିକ୍ରମଖୋଲ ଗୁମ୍ଫା ପରିଦର୍ଶନ କରି ଆସୁଛନ୍ତି । ଏକ ପ୍ରାଚୀନ ଦୁର୍ଗ ଉଲାପଗଡ଼ ଧ୍ୱଂସାବଶେଷ ରହିଛି ଯେଉଁଟା ବିକ୍ରମଖୋଲ ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ  ବେଳପାହାଡ଼ ନିକଟବର୍ତ୍ତୀ ମହେଶ୍ୱର ପାହାଡ଼ରେ ଅବସ୍ଥିତ ।ଉଷାକୁଟୀ ନାମକ ଏକ ଗୁମ୍ଫା ଏହି ପର୍ବତ ଦୁର୍ଗ ସହିତ ସଂଲଗ୍ନ ହୋଇ ଅଛି ଏବଂ ଏହାର ପ୍ରାଚୀନ ଦେହରେ କେତେକ ଚିତ୍ର  ଏବଂ ସାଙ୍କେତିକ ଚିହ୍ନ ଖୋଦିତ ହୋଇଥିବା ଦୃଷ୍ଟିଗୋଚର କରାଯାଇପାରେ । ପୁନଶ୍ଚ ବିକ୍ରମଖୋଲ ଗୁମ୍ଫାରୁ ପ୍ରାୟ ୧୦ କିଲୋମିଟର ବ୍ୟବଧାନରେ ସୁନ୍ଦରଗଡ଼ ଜିଲ୍ଲାର ହିମଗିରି ଅଞ୍ଚଳରେ ଥିବା ପାହାଡ ବକ୍ଷରେ ଯଥାକ୍ରମେ - ମାଣିକମୁଣ୍ଡା, ଲେଖାମୁଣ୍ଡା , ଚିରିରାଖୋଲ , ସର୍ଗିଖୋଲ, କେନ୍ଦୁଖୋଲ, ଶୁଖାମାକର, ଫୁଲଡୁଙ୍ଗୁରି ଆଦି ଗୁମ୍ଫାରେ ପ୍ରାୟ ପାଞ୍ଚ ହଜାର ବର୍ଷର ଚିତ୍ର ଅଙ୍କିତ ହୋଇଥିବା ଅନୁଧ୍ୟାନ କରାଯାଇପାରେ ।

ଉପରୋକ୍ତ ବର୍ଣ୍ଣିତ ପାର୍ବତ୍ୟ ଗୁମ୍ଫାର ଲିପି ଏବଂ ଚିତ୍ରମାନ ଅନୁଧ୍ୟାନ କଲେ ସ୍ୱଷ୍ଟ ପ୍ରତୀୟମାନ ହୁଏ ଯେ ସୁଦୂର ଅତୀତରେ ଏହି ଅଞ୍ଚଳରେ ଏକ ଉନ୍ନତ ସଭ୍ୟତା ବିକଶିତ ହୋଇଥିଲା । ସେମାନଙ୍କ ବାସସ୍ଥଳୀ କୁ ଦୃଷ୍ଟିଗୋଚର କଲେ ପ୍ରତୀୟମାନ ହୁଏ କି , ସେମାନେ ଶିକାର , ଯୁଦ୍ଧବିଦ୍ୟା, ଦୁର୍ଗ ନିର୍ମାଣ ବ୍ୟତୀତ ପ୍ରସ୍ତର ଖୋଦନ ଶିଳ୍ପକଳା ପାରଗମ୍ୟ ଥିଲେ। ସେମାନେ ଦ୍ରାବିଡ଼ମାନଙ୍କ  ବଂଶଧର ଥିଲେ ବୋଲି ବିବେଚନା କରାଯାଏ ।


ବିକ୍ରମଖୋଲ ଓ ଉଳାପଗଡ଼ ବ୍ୟତୀତ ଏକ କ୍ଷୁଦ୍ର ଦୁର୍ଗର ଭଗ୍ନାବଶେଷ ୨୦୦୨ ମସିହା  ଅକ୍ଟୋବର ମାସରେ ଏକ ଲେଖକ ଆବିଷ୍କାର କରିଥିଲେ , ଏହି କ୍ଷୁଦ୍ର ଦୁର୍ଗଟି  ଝାରସୁଗୁଡା ଜିଲ୍ଲାର ଲଖନପୁର ଗ୍ରାମ  ନିକଟବର୍ତ୍ତୀ କୁଳିହାବେର୍ଣ୍ଣା ଗ୍ରାମ ଉପକଣ୍ଠରେ ଲକ୍ଷ୍ମୀ ପାହାଡ଼ ପାଦଦେଶରେ ଅବସ୍ଥିତ । ଉପରୋକ୍ତ  ଧ୍ଵଂସାବଶେଷ ପାଶ୍ୱରେ ପ୍ରାପ୍ତ ଏକ ପ୍ରସ୍ତରଖଣ୍ଡରେ ଦେହରେ ପଶାପାଲିର ଚିତ୍ର ଖୋଦିତ ହୋଇଛି ।  ଉକ୍ତ ପ୍ରସ୍ତରଖଣ୍ଡରେ ମଧ୍ୟ ବିକ୍ରମଖୋଲ ଏବଂ  ଉଲାପଗଡ଼ ଗୁମ୍ଫାରେ ଖୋଦିତ ହୋଇଥିବା ଗର୍ତ୍ତ ଅନୁରୂପ ଅନେକ ଗର୍ତ୍ତ ଲକ୍ଷ୍ୟ କରାଯାଇପାରେ । ଉପରୋକ୍ତ ସାମଞ୍ଜସ୍ୟ ପ୍ରତି ଅନୁଧ୍ୟାନ କଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଏକକାଳୀନ କୌଣସି ଏକ ସଭ୍ୟତା ବିକ୍ରମଖୋଲ, ଉଲାପଗଡ଼ ଅବଂ କୁଳିହାବେର୍ଣ୍ଣା ଦୁର୍ଗରେ ଅବସ୍ଥାନ କରୁଥିଲେ ଯେଉଁଟା ଆଜି ଦେଶ ବିଦେଶର ଐତିହାସିକ, ଭାଷାବିଦ୍ ଓ ଗବେଷକମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ  ପାଲଟିଛି ।


ବିଶ୍ୱରେ ଦେଖାଦେଇଥିବା  ସମସ୍ତ ପ୍ରାଚୀନ ସଭ୍ୟତାର ଲିପି ଗୁଡିକ ଆଦିବ ମାନବର ଗୁମ୍ଫା-ଚିତ୍ରା ବଳୀରୁ ସୃଷ୍ଟି ବୋଲି କୁହାଯାଏ । ଆଜିକୁ ପ୍ରାୟ ୪୦ ହଜାର ବର୍ଷ ପୂର୍ବେ ମଣିଷର କ୍ରମ ବିକାଶ ଅବସ୍ଥାରେ ବୁଦ୍ଧିମାନ ମାନବ କ୍ରୋମାଗନ ମାନବ ଦ୍ୱାରା  ଚିତ୍ର ଅଙ୍କନ , ପରେ ଚିତ୍ର ଲିପି  ଓ ଏଥିରୁ ଲିପି ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ତେବେ ଭାରତ ର ପ୍ରାଚୀନ ଲିପି ବ୍ରାହ୍ମୀ ଲିପି ଗ୍ରହଣ କରାଯାଇଛି ।  ଭାରତରେ ସମସ୍ତ କଥିତ ଭାଷାକୁ ୪ ଟି ଭାଷା ଗୋଷ୍ଠି  ବିଭକ୍ତ କରାଯାଇଥିଲେ ସୁଦ୍ଧା ଲିପି  ଗୋଟିଏ ସ୍ରୋତରୁ ସୃଷ୍ଟି  ବୋଲି ସମସ୍ତେ ସ୍ବୀକାର କରନ୍ତି, ଯାହାର ସ୍ରୋତ ହେଉଛି ବ୍ରାହ୍ମୀ ।ଭାରତୀୟ ଲିପି ବିଷୟରେ ସର୍ବ ପ୍ରାଚୀନ ପ୍ରାମାଣିକ ତଥ୍ୟ ଭାବରେ ପ୍ରଥମ ଶତାବ୍ଦୀର  ବୌଦ୍ଧ ସାହିତ୍ୟ "ଲଳିତ ବିସ୍ତାରରେ" ଭାରତ ପ୍ରଚଳିତ ୬୪ ପ୍ରକାର ଲିପି ଉଲ୍ଲେଖ ଅଛି ।

ଭାରତୀୟ ଲିପି ପ୍ରଥମ ବିଧିବଦ୍ଧ ଆଲୋଚକ ଜୋହାନ ଜର୍ଜ  ବ୍ୟୁଲ ତାଙ୍କର  "On the origin of the Indian Brahma  Alphabet ( 1898 )" ପୁସ୍ତକର  ୪ ଟି ଅଧ୍ୟାୟ ବ୍ରାହ୍ମୀ ଲିପି  ମଧ୍ୟ ଏସିଆର ସେମିଟିକ (ଖ୍ରୀଷ୍ଟପୂର୍ବ ୩୫୦୦୦)ରୁ ବିକଶିତ ହୋଇଛି ବୋଲି ମତ ପ୍ରକାଶ କରିଛନ୍ତି । ପରେ ଭାରତୀୟ ଆଲୋଚକ ଗଣ ଏହି ଲିପି କୁ ଶକ୍ତିଶାଳୀ କରିବାକୁ ଯାଇ ସେମିଟିରୁ ବିକଶିତ ଲିପି ଅରମାଇକ(ଖ୍ରୀଷ୍ଟପୂର୍ବ ୧୫୦୦) ରୁ ସୃଷ୍ଟି ହୋଇଛି ବୋଲି ଯୁକ୍ତି କରିଛନ୍ତି ।ଭାରତୀୟ ଲିପି ବାମରୁ ଡାହାଣକୁ ଲେଖା , ମାତ୍ର ଅରମାଇକ ଲିପି ଡାହାଣରୁ ବାମକୁ ଲେଖା ଯାଏ । ଆଲ୍ଫା, ଗାମାଲ ,ଡାଲାଥ ଆଦି ଧ୍ୱନିରୁ ବ୍ରାହ୍ମୀ ଅ ,ଆ , ବ ଓ ଡ଼ ଆଦି ଆସି ନାହିଁ ।

ସିନ୍ଧୁ ଲିପି ଓ ବ୍ରାହ୍ମୀ ଲିପି ମଧ୍ୟରେ ପ୍ରାୟ ୧୫୦୦ ବର୍ଷ ବ୍ୟବଧାନ ଥିବାରୁ ଅନେକ ଲିପି-ବିଶେଷଜ୍ଞ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଗ୍ରହଣ କରି ପାରୁନାହାଁନ୍ତି । କିନ୍ତୁ ଏହି ବ୍ୟବଧାନକୁ ଦୂର କରିବାକୁ ହେଲେ ନଗର ସଭ୍ୟତା ଲିପି ପରିବର୍ତ୍ତେ ଆମକୁ ଆଦି ମାନବର ଗୁମ୍ଫାଚିତ୍ରଲିପିକୁ ଅଲୋଚନ ପରିସରଭୂକ୍ତ କରିବାକୁ ପଡିବ। ଓଡ଼ିଶାର ବିକ୍ରମଖୋଲ ଗୁମ୍ଫା ଲିପି ଏହାର ମୁଖ୍ୟ ସଂଯୋଗକାରୀ ଲିପି ଭାବରେ ଗ୍ରହଣ କରାଯାଇ ପାରେ । ଭାରତୀୟ ଲିପି ସେମିଟିକ ପରିବାରର ବିକଶିତ ଲିପି ନୁହେଁ , ବରଂ ଏହା ଭାରତର ପ୍ରାଚୀନ ଗୁମ୍ଫା ଲିପିର କ୍ରମ ବିକଶିତ ରୂପ । ସିନ୍ଧୁ ଲିପି ଭାରତର ବିକଶିତ ଲିପି ଅବସ୍ଥାକୁ  ସୂଚିତ କରିଥିଲେ ମଧ୍ୟ  ବ୍ରାହ୍ମୀ ଲିପି ସହିତ ସ୍ୱଳ୍ପ ସାମଞ୍ଜସ୍ୟ ଥିବାରୁ  ଉଭୟ ଲିପି ମଧ୍ୟରେ ସଂପର୍କକୁ ଗ୍ରହଣ କରାଯାଇ ପାରି ନାହିଁ । ବିକ୍ରମଖୋଲ ଗୁମ୍ଫାରେ ଖୋଦିତ ଲିପି ଡାହାଣରୁ ନୁହେଁ , ବରଂ  ବାମରୁ ଲେଖା ଆରମ୍ଭ ହୋଇଥିଲା ଜଣାପଡେ । ଏହି ପରିପ୍ରେକ୍ଷୀରେ  ଭାରତୀୟ ଲିପିଗୁଡିକ ର କ୍ରମ ବିକାଶ ଭାବରେ ଯୋଗୀମଠ ଲିପି, ସିନ୍ଧୁ ଲିପି ଓ ବ୍ରାହ୍ମୀ ଲିପି ଗ୍ରହଣ କରାଯାଇଛି ।

ପ୍ରାଗ୍‌ ଐତିହାସିକ ପ୍ରସ୍ତର ଚିତ୍ରକଲା ଭାରତ ଦେଶର ବିଭିନ୍ନ ସ୍ଥାନରେ  ମୁଖ୍ୟତଃ  ଆନ୍ଦ୍ର ପ୍ରଦେଶ , କର୍ଣ୍ଣାଟକ, ଓଡ଼ିଶା , ବିହାର, ରାଜସ୍ଥାନ , କେରଳ ରାଜ୍ୟରେ ଦୃଷ୍ଟି ଗୋଚର ହୋଇଛି । ଏହି କ୍ଷେତ୍ରର ୩୬ ସ୍ଥାନରେ ମନୋରମ ଶିଳ୍ପଲିପି ଦେଖିବାକୁ ମିଳିଛି। ଉକ୍ତ ସ୍ଥାନ  ବିଶେଷ ଗୁଡିକର ନାମ ହେଲା କେମୁର ପାର୍ବତଶୃଙ୍ଗ (ଉତ୍ତର ପ୍ରଦେଶର ମିର୍ଜାପୁର ) , ବିନ୍ଧ୍ୟା ପର୍ବତମାଲା, ମହାଦେଓ ପର୍ବତ ଶ୍ରେଣୀ ,ଚାରୱାରଧାନ ପର୍ବତମାଲା (ସିଂହାନପୁର),  ରାୟଗଡ଼ାର କାବର ଡଙ୍ଗର , ମଧ୍ୟ ପ୍ରଦେଶର ପଞ୍ଚମାଡି ପର୍ବତ  । ପ୍ରସ୍ତର ଲିପି ଓ ଚିତ୍ର ମହାରାଷ୍ଟ, ଆନ୍ଦ୍ର ପ୍ରଦେଶର ରାଇଚୁର , ବେଲାରୀର କୂପୁଗାଲୁ ପର୍ବତଶ୍ରେଣୀ ,  ଗୋଟାଗିରିଲେଟା ପର୍ବତ(ବାଙ୍ଗାଲୋର) ଏବଂ କେରଳର ଏଡ଼କାଳମାଲ ପର୍ବତରେ ମଧ୍ୟ ଦେଖିବାକୁ ମିଳେ । ଏହି ଶିଳ୍ପକଳାରେ ଖାଦ୍ୟ ସଂଗ୍ରହ  ଓ ବନ୍ୟଜନ୍ତୁର ଶିକାର ଛବି ଅଙ୍କିତ ହୋଇଅଛି । କାଇମୁର ପର୍ବତରେ ମୁଖ୍ୟ କରି  ଶିକାର ଚିତ୍ର ଖୋଦିତ ହୋଇଛି , ଉଦାହରଣ ସ୍ଵରୂପ , କେତେକ ଲୋକଙ୍କ ଦ୍ବାରା ବର୍ଚ୍ଛା ରେ ବନ୍ୟ ମଇଁଷିର ଶିକାର । ଫୁଲ, ଫଳ  ଓ ମହୁ ର ଚିତ୍ର ଅଙ୍କନ କରାଯାଇଛି ।

ଓଡିଶାର  ଅରଣ୍ୟ ଏବଂ ପର୍ବତ ପରିପୂର୍ଣ୍ଣ ପଶ୍ଚିମା ଅଞ୍ଚଳରେ ପଥର ଖୋଦିତ ଲିପି ଓ ଚିତ୍ର ଦେଖିବାକୁ ମିଳେ । ସମ୍ବଲପୁରର ଉଷାକୋଟି, ଝାରସୁଗୁଡ଼ାର ବିକ୍ରମଖୋଲ, ସୁନ୍ଦରଗଡ଼ର ମାଣିକମୁଣ୍ଡା, କାଲହାଣ୍ଡିରେ ଗୁଡ଼ାହାଣ୍ଡି ଓ ୟୋଗୀମାଠ  ଠାରେ ପ୍ରାକ୍-ଐତିହାସିକ ଶିଲା ଲେଖା ଚିହ୍ନଟ କରାଯାଇଛି ।ଗୁଡାହାଣ୍ଡି ଗୁମ୍ଫାର ଅଗ୍ରଭାଗ ରେ ଅଙ୍କିତ ଚିତ୍ରଗୁଡ଼ିକ ବାସ୍ତବିକ ପ୍ରତୀତ କରାନ୍ତି । ଏକ ଆଦିମ ମଣିଷ ପଥରରେ ତିଆରି ଅସ୍ତ୍ର ସାହାଯ୍ୟରେ ବଣ ମଇଁଷି ଶିକାର ର ଚିତ୍ର ସମସ୍ତଙ୍କୁ ଅତିତ ଜୀବନ ବିଷୟ ମତ ପ୍ରକାଶ କରେ ।

ସରକାରଙ୍କ ଦ୍ବାରା ୧୯୫୮ମସିହାରେ ବିକ୍ରମଖୋଲ ଗୁମ୍ଫାକୁ ପର୍ଯ୍ୟଟନ କେନ୍ଦ୍ର ରୂପେ ମାନ୍ୟତା ଲାଭ କରିଥିଲେ ସୁଦ୍ଧା ପର୍ଯ୍ୟଟକ ଏବଂ ଗବେଷକମାନଙ୍କ ଯାତାୟତ ରହଣି  ସକାଶେ ପ୍ରାୟ କୌଣସି ବ୍ୟବସ୍ଥା ନାହିଁ । ଜିଲ୍ଲା ବନ  ବିଭାଗ ପକ୍ଷରୁ ବିକ୍ରମଖୋଲ ଗୁମ୍ଫାକୁ ଯିବା ପାଇଁ ରହିଥିବା ୨୦-୩୦ ମିଟର ରାସ୍ତାରେ ବ୍ୟାରିକେଟ କରାଯାଇଛି । ସେହିପରି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୋଟିଏ ସୂଚନା ଫଳକ ଲଗାଯାଇଛି । ଐତିହାସିକ କୀର୍ତିରାଜି ରକ୍ଷଣାବେକ୍ଷଣ କହିଲେ , ବାସ୍ ଏତିକି ବ୍ୟବସ୍ଥା ବ୍ୟତୀତ ବିକ୍ରମଖୋଲରେ ପ୍ରଶାସନ ପକ୍ଷରୁ ଅନ୍ୟ କିଛି ବ୍ୟବସ୍ଥା ହୋଇନାହିଁ । କ୍ଷୋଭର ବିଷୟ ଯେ ଭୁବନେଶ୍ଵର ହାତୀ ଗୁମ୍ଫାରେ ଲୁହା ଜାଲି ଦିଆଯାଇଥିବା ଭଳି ଜାଳି ଦିଆଯାଇ ନ ଥିବାରୁ ଅସାମାଜିକ ଏବଂ ଦାୟିତ୍ଵହୀନ ବ୍ୟକ୍ତି ବିଶେଷଙ୍କ ଦୁଷ୍କର୍ମରୁ ଗୁମ୍ଫାର ଲିପି ଓ ଚିତ୍ର କ୍ରମଶଃ ନଷ୍ଟ ହେବାରେ ଲାଗିଛି । ଖୋଦିତ ଶିଲା ଲିପିକୁ ସୁରକ୍ଷା ଦେଉଥିବା ପଥର କରୋଡ଼ରୁ  ବାହାରୁଥିବା ବର୍ଷା ପାଣି  ଓ ନିକଟବର୍ତ୍ତୀ  କଳକାରଖାନାରୁ ବାହାରୁଥିବା ପ୍ରଦୂଷିତ ଧୂଆଁ ଓ ପାଉଁଶ ଯୋଗୁଁ ମଧ୍ୟ ଏହି  ଗୁମ୍ଫାର ଲିପି କ୍ରମଶଃ ନଷ୍ଟ ହୋଇଯାଉଛି । ଗୁମ୍ଫାର ଲିପି ଓ ଚିତ୍ର ସଂପର୍କରେ ପର୍ଯ୍ୟଟକମାନଙ୍କୁ ସଚେତନତା କରାଯାଇଥିବା ଆଶ୍ବାସନା ବିଷୟ । ଜନସାଧାରଣଙ୍କ ଅଭିଯୋଗ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ଅନ୍ୟାନ୍ୟ ପର୍ଯ୍ୟଟନ କେନ୍ଦ୍ର ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଉଥିଲେ ସୁଦ୍ଧା ବିକ୍ରମଖୋଲ ପର୍ଯ୍ୟଟନ କେନ୍ଦ୍ରର ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପଇସାଟିଏ  ଖର୍ଚ୍ଚ ହେଉ ନାହିଁ ।  ପ୍ରାକ୍-ବ୍ରାହ୍ମୀଲିପି ଖୋଦିତ ଏହି ଐତିହାସିକ ଗୁମ୍ଫା ବିକ୍ରମଖୋଲ ପର୍ଯ୍ୟଟନ କେନ୍ଦ୍ର ପ୍ରତି ଏଭଳି ଚରମ ଅବହେଳା ଅତ୍ୟନ୍ତ ଦୁର୍ଭାଗ୍ୟ ବିଷୟ ।





Comments

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda