କୋଇଲି ଘୋଘର ଜଳପ୍ରପାତ ଓ ପ୍ରାଚୀନ ଶୈବପୀଠ - ଶ୍ରୀ ମହେଶ୍ୱରନାଥ

'କୋଇଲି ଘୋଘର ଜଳପ୍ରପାତ'  ଆଧୁନିକ ଓଡିଶାର ଖଣିଜ ଓ ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ । ଝାରସୁଗୁଡା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୫୫ କିଲୋମିଟର ବ୍ୟବଧାନରେ ଲଖନପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ନାମକ ଏକ କ୍ଷୁଦ୍ରପଲ୍ଲୀ ସନ୍ନିହିତ ଅଞ୍ଚଳର ବଣପର୍ବତରେ ଏହି ଜଳପ୍ରପାତଟି ଜନ୍ମ ଗ୍ରହଣ କରିଛି ଯାହାର ଶିଳା ଶଯ୍ୟାରେ ଅବସ୍ଥିତ ଆରାଧ୍ୟ ଦେବତା ଶ୍ରୀ ମହେଶ୍ୱର ନାଥ  ଅବାହନ କାଳରୁ ପୂଜା ପାଉଛନ୍ତି । ଏହି ସ୍ଥାନଟି ସୁନ୍ଦରଗଡ  ଓ ଝାରସୁଗୁଡା ଜିଲ୍ଲା ମଧ୍ୟରେ ଏବଂ ଛତିଶଗଡ଼ ରାଜ୍ୟ ସମୀପରେ ଅବସ୍ଥିତ ।
ଜଳପ୍ରପାତ ଚତୁଃପାଶ୍ୟରେ  ଶାନ୍ତ ଶୀତଳ ଏବଂ ରମଣୀୟ ପରିବେଶରେ ଜିଲ୍ଲାର ଅଷ୍ଟଶମ୍ଭୁମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀ ମହେଶ୍ୱରନାଥଙ୍କ ପବିତ୍ର ପୀଠ ବିଦ୍ୟମାନ ରହିଅଛି । କୋଇଲି ଘୋଘର ହେଉଛି ଓଡିଶାର ଏକ ଧାର୍ମିକ ଏବଂ  ପର୍ଯ୍ୟଟକ ସ୍ଥଳ। ଅରଣ୍ୟର ପ୍ରାକୃତିକ ସୁନ୍ଦର ଓ ଜଳସ୍ରୋତର ମଧୁର ଧ୍ବନି  ପର୍ଯ୍ୟଟକମାନଙ୍କୁ ଆତ୍ମ ବିଭୋର କରିଥାଏ । ସେଥିପାଇଁ ବର୍ଷ ସବୁ ସମୟରେ  ଦର୍ଶକଙ୍କ ଭିଡ଼ ଜମିଥାଏ । ବନ୍ୟଜନ୍ତୁମାନେ ଏହି ଜଳପ୍ରପାତର ପାଶ୍ୱବର୍ତ୍ତି ଅଞ୍ଚଳରେ ନିର୍ଭୟ  ବିଚରଣ କରିଥାନ୍ତି , ସେମାନେ " ଶାନ୍ତି କୁଣ୍ଡ  " ନାମକ କୁଣ୍ଡରୁ ପାଣି ସେବନ କରିଥାନ୍ତି ।
                  ( ମହେଶ୍ୱରନାଥଙ୍କ ମନ୍ଦିର ଓ ଜଳପ୍ରପାତ )

ଶିବଲିଙ୍ଗଟି ଜଳପ୍ରପାତରେ ଜଳମଗ୍ନ ଅବସ୍ଥାରେ ଅଛି । ଯଦି କେହିଜଣେ  ଲିଙ୍ଗଙ୍କୁ ଦେଖିବା ପାଇଁ ଚାହୁଁଥିଲେ ସୁଯ୍ୟର ପ୍ରତିଫଳିତ ରଶ୍ମି ତଳେ ଦେଖାଯାଏ ।ଶ୍ରୀ ମହେଶ୍ୱରନାଥଙ୍କର ଏକ ଶିବଲିଙ୍ଗ ଜଳପ୍ରପାତ ଶଯ୍ୟା ଭିତରେ ସଂପୂର୍ଣ୍ଣ ଜଳମଗ୍ନ ଅବସ୍ଥାରେ ଥିବାରୁ ପୂଜାର୍ଚ୍ଚନା କରିବା ଅସମ୍ଭବ ସେଥିପାଇଁ ପ୍ରଶାସନ ପକ୍ଷରୁ  ପୂଜାର୍ଚ୍ଚନା ଓ  ଦର୍ଶନ ଅଭିଳାଷରେ ଆସୁଥିବା ଭକ୍ତ ଓ ଯାତ୍ରୀଙ୍କ ଉଦ୍ଦେଶ୍ୟରେ  ଜଳପ୍ରପାତ ପାଶ୍ୱସ୍ଥ ପ୍ରସ୍ଥର ଚଟାଣରେ ଏକ ଶିବଲିଙ୍ଗ ସ୍ଥାପନ କରାଯାଇଛି । ଏହି ନୂତନ ମନ୍ଦିର ଭିତରେ ପ୍ରତିଷ୍ଠିତ ଶିବଲିଙ୍ଗଙ୍କୁ ସମସ୍ତ ଭକ୍ତ ଓ ପର୍ଯ୍ୟଟକ ଶ୍ରୀ ମହେଶ୍ଵର ନାଥ ରୂପେ ପୂଜା କରିଥାନ୍ତି ।
ପାହାଡ଼ରୁ ଉଦୃତ ହୋଇଥିବା ବ୍ରାହ୍ମଣୀ ନାଳ ଓ କୋଇଲି ନାଳର ଜଳ ସମ୍ମିଶ୍ରଣରେ ସୃଷ୍ଟି ଅହିରାଜ ନଦୀ କ୍ରମେ ଶିଲାମୟ ଶଯ୍ୟାରୁ ନିମ୍ନ ଭୂମିରେ ପତିତ ହେଇଥିବା ବେଳେ ଜାତ ହୋଇଛି "କୋଇଲି ଘୋଘୋର ଜଳପ୍ରପାତ" । ଏହି ଚିରସ୍ରୋତା ଅହିରାଜ ନଦୀ କ୍ରମେ କୋଇଲି ଘୋଘର ଜଳପ୍ରପାତ ଉତ୍ପନ୍ନ କରି ପଶ୍ଚିମ ଦିଗକୁ ଏକ ଜଳଧାରା ପାଲଟି ଅଗ୍ରସର କରି ପତିତ ହୋଇଛି ମହାନଦୀ ମଧ୍ୟରେ ।
 କୋଇଲି ଘୋଘର ଜଳପ୍ରପାତ ଉତ୍ତର ପୂର୍ବ ପାର୍ଶ୍ବରେ ଅବସ୍ଥିତ ଅଛି  ଦୈମିନୀ ପାହାଡ଼, ଏହି ପାହାଡ଼ରେ ମୀମାଂସ ଦର୍ଶନ ଶାସ୍ତ୍ର ପ୍ରଣେତା ମହର୍ଷି ଦୈମିନୀ ଯୋଗ ସାଧନ କରୁଥିଲେ ବୋଲି କିମ୍ବଦନ୍ତୀ ରହିଛି ।

ଭୌଗୋଳିକ କ୍ଷେତ୍ର
ଏହି ଜଳପ୍ରପାତ ପରିସୀମାରୁ ପ୍ରାୟ ପାଞ୍ଚ କିଲୋମିଟର ବ୍ୟବଧାନରେ ଉତ୍ତର ଦିଗରେ ରୋହିଣୀ ଓ ବରବାହାଲି ଆଦି ପଲ୍ଲୀମାନ ରହିଥିବା ବେଳେ ଦକ୍ଷିଣ ଦିଗରେ ଛୁଇଖାଞ୍ଚ ଓ ଦେବଦରହ ଅଞ୍ଚଳର ଘଞ୍ଚ ଅରଣ୍ୟର ପରିବେଶ । ସେହିପରି ପଶ୍ଚିମ ଦିଗରେ ଜନଡେରା,ଝାରଗାଁ,କୁରେମାଲ୍  ଓ ସମରବଗା ଗ୍ରାମ ରହିଥିବା ବେଳେ ପୂର୍ବ ଦିଗରେ କୁଟ୍ରାପାଲି ଓ କେଶେରଜିମା ଭଳି କ୍ଷୁଦ୍ର ପାଲ୍ଲୀମାନ ରହିଅଛି।
କୋଇଲି ଘୋଘର ଦକ୍ଷିଣ ପାର୍ଶ୍ବରେ ଛୁଇଖାଞ୍ଚ ଜଙ୍ଗଲ ବ୍ୟାପି ରହିଅଛି । ଏହାର ପଶ୍ଚିମ ତଟରେ ଅବସ୍ଥିତ ମହେଶ୍ୱର ଗୁମ୍ଫାରେ ଅତୀତରେ ବହୁ ସାଧୁ ଓ ତପସ୍ୱୀମାନେ କୋଠର ତପସ୍ୟା କରି ଅବସ୍ଥାନ କରୁଥିଲେ ।
                         ( ମହେଶ୍ୱରନାଥଙ୍କ ମନ୍ଦିର )

ନାମକରଣ
ତେବେ କୋଇଲି ଘୋଘର ଜଳପ୍ରପାତ ସଂପର୍କରେ ଅନୁଧ୍ୟାନ କଲେ  ପ୍ରତୀୟମାନ ହୁଏ –  ଅହିରାଜ ସର୍ପଟିଏ ଆପଣାର ବିସ୍ତାରିତ ଫଣା ଉତ୍ତୋଳନ କରି ଘୋର ନାଦ କରୁଥିବାରୁ ଏହି ନଦୀକୁ ଅହିରାଜ ନାମକରଣ କରାଯାଇଛି । ସେହିପରି ବର୍ଷା ଋତୁ କାଳରେ କୋଇଲି ପକ୍ଷୀର  କୁହୁକୁହୁ ସ୍ୱର ଓ ଜଳ ପ୍ରପାତର ଘୋଘୋ ଗୁରୁ ଗମ୍ଭୀର ଶବ୍ଦ  ହେତୁ ଏହି ଜଳପ୍ରପାତର  ନାମକରଣ ହୋଇଛି 'କୋଇଲି ଘୋଘର’ ବା କୋଇଲି ଘଘର ।

                        ( କୋଇଲି ଘୋଘର ଜଳପ୍ରପାତ )


ଇତିହାସ
ଏହି ପ୍ରାଚୀନ ଶୈବପୀଠ ମହେଶ୍ୱରନାଥ ଆବିର୍ଭାବ ସଂପର୍କରେ ଏକ କିମ୍ବଦନ୍ତୀ ଲୋକମାନଙ୍କ ମୁଖରୁ ଶୁଣିବାକୁ ମିଳେ । ସୁନ୍ଦରଗଡ଼ ଜିଲ୍ଲାର ହିମଗିରି ଜମିଦାରୀ କୋଇଲି ଘୋଘର ଜଳ ପ୍ରପାତର ପଶ୍ଚିମ ସୀମାନ୍ତରେ ପ୍ରାୟ ୩୦ କିଲୋମିଟର ଦୂରତା ଅବସ୍ଥିତ ରହିଅଛି । ବହୁ ବର୍ଷ ତଲର କଥା ଅଟେ । ତତ୍କାଳୀନ  ଚନ୍ଦନ ସିଂହ ଥିଲେ ହିମଗିରିର ଜମିଦାର ଓ ହିମଗିରଗଡ଼ ଥିଲା ତାଙ୍କର ରାଜଧାନୀ  । ଅଦୂର ଗଡ଼ସୂତା ଟଙ୍ଗୋପାହାଡ଼ର ପାଦ ଦେଶରେ ଅବସ୍ଥିତ ପବିତ୍ର 'ସାଗର ସଂସାର' ନାମକ ପୁଷ୍କରିଣୀରେ ପ୍ରତ୍ୟହ ବ୍ରାହ୍ମ ମୁହୂର୍ତ୍ତରୁ ସ୍ନାନ କଲାପରେ  ଚନ୍ଦନ ସିଂହ ଏହି ପୁଷ୍କରିଣୀ ତଟର  କ୍ଷୁଦ୍ର ଶିବ ମନ୍ଦିରେ ପ୍ରତିଷ୍ଠିତ ଶିବଲିଙ୍ଗର ପୂଜାର୍ଚ୍ଚନା କରି ଆସୁଥିଲେ।

ଏହିପରି ଭାବରେ କେତେ ବର୍ଷ ଜମିଦାର ଚନ୍ଦନ ସିଂହ ଭଗବାନ  ଶିବଙ୍କ ପୂଜାର୍ଚ୍ଚନା କରି ପରମ ଶିବଭକ୍ତ ଭାବରେ ନିକଟବର୍ତ୍ତୀ ପଲ୍ଲୀରେ ସୁପରିଚିତ ଥିଲେ । ତାପରେ ଚନ୍ଦନ ସିଂହ ମନ ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଥିଲା  । ସେ ପୂର୍ବପରି ଶିବ ମନ୍ଦିର ଯାଇ ଶିବଙ୍କୁ ପୂଜାର୍ଚ୍ଚନା କରିବା କ୍ରମଶଃ ବନ୍ଧ କରିଦେଲ ଏବଂ ଅଧିକ ସମୟ ବିଳାସ ବ୍ୟାସରେ ଅତିବାହିତ କରିଲେ, ଯାହା ଫଳରେ ସେ ପୂର୍ବପରି ଆଉ  ଶିବଭକ୍ତ  ହୋବାରୁ ବଞ୍ଚିତ ରହିଥିଲେ । ଜମିଦାରଙ୍କ  ମନ ପରିବର୍ତ୍ତନ, ଶିବଙ୍କ ପୂଜା ଉପାସନା ଦିଗରେ ଅବହେଳା , ଅନୀତିପୂର୍ଣ୍ଣ ଆଚରଣ ଓ ବିଳାସ ବ୍ୟାସନାରେ ସମୟ ଅତିବାହିତ ଆଦି ତାଙ୍କର ଧର୍ମପତ୍ନୀଙ୍କ ମନରେ  ସୃଷ୍ଟି କରିଥିଲା  ବ୍ୟଥା ।  କେବଳ ସେତିକି ନୁହେଁ , ଜମିଦାରଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ଶିବ ମନ୍ଦିର ପୂଜକ ଅଭାବରୁ ଦୀର୍ଘଦିନ ଅପୂଜିତ ହୋଇ ରହିଲା । ଯାହା ଫଳରେ ପରିତ୍ୟକ୍ତ କ୍ଷୁଦ୍ର ଶିବ ମନ୍ଦିରଟି ଭାଙ୍ଗି ପଡ଼ିଲା ।


ଇତି ମଧ୍ୟରେ ଜମିଦାର ରତନ ସିଂହ ଦ୍ଵାରା  'ସାଗର ସଂସାର' ପୁଷ୍କରିଣୀ ତଟ ପ୍ରତିଷ୍ଠିତ ଶିବ ମନ୍ଦିର ବର୍ଷା ଋତୁର ପ୍ରବଳ ଜଳସ୍ରୋତରେ  ଶିବଲିଙ୍ଗ ଉପୁଜି ଯାଇ ଜଳଧାରାରେ ଭାସି  ଟଙ୍ଗୋ (ଗଡ଼ସୂତା) ପାହାଡରୁ ଉତ୍ପନ୍ନ ହୋଇଥିବା କୋଇଲି ନାଳ ଓ ବ୍ରାହ୍ମଣୀ ନାଳର ମିଶ୍ରଣରେ ସୃଷ୍ଟିହୋଇଥିବା ଅହିରାଜ ନଦୀରେ ପତିତ ହୋଇଥିଲା । ଯାହାହେଉ ଶିବଲିଙ୍ଗଟି ଜଳସ୍ରୋତ ରେ ଅଧିକ ଦୂର ନ ଯାଇ ଜଳପ୍ରପାତ ସଂଲଗ୍ନ ପ୍ରସ୍ତର ଚଟାଣ ଅଟକି ହୋଇ ରହିଲା  ।
ସେତେବେଳେ ଭୂୟାଁ ଜାତି ଏକ ପରିବାର କୋଇଲି ଘୋଘର ଜଳପ୍ରପାତ ସମୀପରେ ଅବସ୍ଥିତ ଛୁଇଁଖାଞ୍ଚ ଅରଣ୍ୟରେ ବସବାସ କରି  ରହୁଥିଲେ । ବିରଜା ଦେଇ ନାମକ ମହିଲା ଥିଲେ ସେ ପରିବାରର ମୁଖିଆ । ସେମାନେ ଜୀବିକା ନିର୍ବାହ କରିବା ପାଇଁ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରେ କୁଳ, ପାଛିଆ ଓ  ଡ଼ଳା ଆଦି ଗୃହ ଉପକରଣ ପ୍ରସ୍ତୁତି କରି ନିକଟବର୍ତ୍ତୀ ପଲ୍ଲୀମାନଙ୍କରେ ବିକ୍ରୟ କରୁଥିଲେ । ବେଳେ ବେଳେ  କୋଇଲି ଘୋଘର ଜଳପ୍ରପାତରେ ମାଛ ମଧ୍ୟ ମାରୁଥିଲେ । ଥରେ ଭଗବାନ ଶିବ ବିରଜା ଦେଇଙ୍କ ସ୍ଵପ୍ନରେ ଦେଖା ଦେଇ କହିଲେ - " ଦେଖ ବିରଜା ଦେଇ ! ତୁ ଯେଉଁ ସ୍ଥାନକୁ ମାଛ ଧରିବା ପାଇଁ ଯାଉଛୁ , ସେହି ସ୍ଥାନରେ ମୁଁ  ମହେଶ୍ଵର ନାଥ ରୂପେ ରହିଅଛି । ସେଥିପାଇଁ ତୁ ସେଠାକୁ ମାଛ ଧରିବା ପାଇଁ ଯିବୁ ନାହିଁ ।"

ଇଶ୍ଵରଙ୍କ ବାରଣ ସତ୍ତେ ବିରଜା ଦେଇ ପୁନର୍ବାର ସ୍ଵାମୀ ସହିତ ଜଳପ୍ରପାତକୁ ମାଛ ମାରିବା ପାଇଁ ଯାଇଥିଲା । ବର୍ଷା ଋତୁ ହୋଇଥିବାରୁ ବିପୁଳ ମାଛ ମାରିବା ଲୋଭରେ  ବିରଜା ଦେଇ ଇଶ୍ଵରଙ୍କ ସ୍ଵପ୍ନା ଦେଶକୁ ଆଦୌ ଭୃକ୍ଷେପ କଲା ନାହିଁ ।  ବିରଜା ଦେଇ ଓ ତାର ସ୍ଵାମୀ ସହିତ ଜାଲ, ମାଛ ଖୋଲେଇ, ଧନୁତୀର ଓ ଟାଙ୍ଗୀଆ ଆଦି ଧରି ପହଞ୍ଚିଥିଲେ ସେଇ ଜଳପ୍ରପାତକୁ ଯେଉଁଠି ଶ୍ରୀ ଶିବ ଲିଙ୍ଗ ଅଟକି ହୋଇ ରହିଥିଲା ।

ସେଇଦିନ ପ୍ରଭାତରୁ ଝଡ଼ବର୍ଷା ଲାଗି ରହିଥାଏ , ବହୁତ ମାଛ  ନଦୀରୁ ମାରିବା ଆଶା ରେ ବିରଜା ଦେଇ ଓ ତାର ସ୍ଵାମୀ ପ୍ରସ୍ତର ଚଟାଣ ପାଖକୁ ଆଗେଇଲେ । ଶ୍ରୀ ମହେଶ୍ୱରନାଥଙ୍କ ଲୀଳା ଅପାର , ସେମାନେ ଦୁହିଜଣ  ପ୍ରସ୍ତର ଚଟାଣର ପିଛିଲ ପଥର ଉପରୁ ଅତିକ୍ରମ କଲାବେଳେ ଉଭୟ  ଝୁଂଣ୍ଟି ପଡିଲେ । ତେବେ ଖସି ପଡିଲା ପରେ ବିରଜା ଦେଇ ଦର୍ଶନ କରିଥିଲେ ଶ୍ରୀ ମହେଶ୍ୱର ନାଥ ଶିବ ଲିଙ୍ଗକୁ।  ଫଳରେ ବିରଜା  ଦେଇ ଚମକି ପଡ଼ିବା ସହିତ ପୂର୍ବର ଈଶ୍ଵରଙ୍କ ଦେଇଥିବା ସ୍ଵପ୍ନାଦେଶ ବିଷୟରେ ଅବଗତ ହୋଇ ପଡ଼ିଲେ।
ଅଜ୍ଞାତବସତ   ବିରଜା ଦେଇଙ୍କ ଗୋଡ଼ ଲିଙ୍ଗ ଉପରେ ବାଜିଯିବାରୁ ନିଜକୁ ଦୋଷୀ ବୋଲି ସାବ୍ୟସ୍ତ କରି ନିଜର ମୁଣ୍ଡକୁ ଭୂମି ଉପର ବାରମ୍ବାର ଆଘାତ କରିଥିଲେ । ନିଜର ପାପରୁ ମୁକ୍ତି ହେବା ପାଇଁ ପ୍ରଭୁଙ୍କୁ ହାତ ଯୋଡି କ୍ଷମାଭିକ୍ଷା କଲେ ।
ଏହାପରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ନିଜର କୁଟୀରକୁ  ଫେରି ଆସିଲେ ।  କୋଇଲି ଘୋଘର ଜଳପ୍ରପାତର ସଂଲଗ୍ନ ଚଟାଣ ପ୍ରସ୍ତର ଉପରେ ଶ୍ରୀ ମହେଶ୍ୱର ନାଥ ଶିବଲିଙ୍ଗ ଆବିର୍ଭୂତ ହୋଥିବା ଘଟଣା ସଂପର୍କରେ କୋଡ଼ାବଗା ଜାମିଦାରଙ୍କୁ ଭେଟି ଜଣାଇବା ପାଇଁ ସେମାନେ  ତାଙ୍କର ପ୍ରସାଦ  ନିକଟରେ ପହଞ୍ଚିଥିଲେ ।

ବିରଜା ଦେଇ ନିକଟରୁ ସମସ୍ତ ବୃତ୍ତାନ୍ତ ଅବଗତ ହେଲାପରେ କୋଡ଼ାବଗା ଜାମିଦାର ରତନ ସିଂହ  (ଖ୍ରୀ ୧୮୬୬ - ୯୬) କୋଇଲି ଘୋଘର ଜଳପ୍ରପାତ ଶଯ୍ୟାରେ ଉକ୍ତ ଶିବ ଲିଙ୍ଗ ସ୍ଥାପନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେଥିପାଇଁ ଶ୍ରୀ ମହେଶ୍ୱର ନାଥଙ୍କ ପ୍ରତିଷ୍ଠା ଉତ୍ସବ ଆୟୋଜନ କରିବାର ବନ୍ଦବସ୍ଥ କରିଥିଲେ ।

ଜାମିଦାର ରତନ ସିଂହ ଆପଣାର ପ୍ରଜାମାନଙ୍କ ସହିତ ଫାଲଗୁନ ମାସରେ ଏକ ଶୋଭାଯାତ୍ରା ରେ  ପୂଜା  ଏବଂ ଭୋଗ ସାମଗ୍ରୀ ସହିତ ଘଣ୍ଟ ଓ ଶଙ୍ଖ ନାଦରେ କୋଇଲି ଘୋଘର ଜଳପ୍ରପାତ ନିକଟକୁ ଆସିଥିଲେ । ଏହାପରେ ପୀଠ ପ୍ରତିଷ୍ଠା ଉତ୍ସବ ଯଥା ରୀତିରେ  ସଂପନ୍ନ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ସାତ ଦିନ ବ୍ୟାପୀ ଶିବ ରାତ୍ରୀ ମେଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ମେଳାରେ ବହୁ ସଂଖ୍ୟାରେ ଭକ୍ତଗଣ, ସାଧୁ ଓ ସନ୍ତ ଆଦି ଯୋଗଦାନ କରିଥିଲେ । ଶ୍ରୀ ମହେଶ୍ୱରନାଥଙ୍କ ଶ୍ରୀ ଲିଙ୍ଗ ପୁନଃ ସ୍ଥାପନ ଶାସ୍ତ୍ରୀୟ ବିଧିରେ ପୂଜା , ହୋମ ଓ ଯଜ୍ଞ ପରେ ସମାପନ ହୋଇଥିଲା ।

ଜାମିଦାର ରତନ ସିଂହ ଉଦ୍ଧବ ଭୂୟାଁଙ୍କୁ ଏହି ଶୈବପୀଠର ସେବାପୂଜା ଦାୟିତ୍ଵ ଅର୍ପଣ କରିଥିଲେ । ସେହି ଦିନଠାରୁ ବିରଜା ଦେଇ ପରିବାରର ଜଣେ ବ୍ୟକ୍ତି ଶ୍ରୀ ମହେଶ୍ୱରନାଥଙ୍କ ସେବା ପୂଜା କାର୍ଯ୍ୟରେ ନିଯୁକ୍ତି ହୋଇ ଆସୁଛନ୍ତି ।

ଏହି ପ୍ରାଚୀନ ଶୈବପୀଠର ପଶ୍ଚିମ ପାଶ୍ୱର୍ରେ ରହିଛି ଶ୍ରୀ ମହେଶ୍ୱରନାଥ ଗୁମ୍ଫା ଯେଉଁଠି ଅତିତରେ ବହୁ ସାଧୁ ,ସନ୍ତ ଓ ତପସ୍ୱୀ କୋଠର ସାଧନା କରି ବହୁ ସିଦ୍ଧି ଲାଭ କରିଥିଲେ ବୋଲି ଜଣାଯାଏ । ଆଜିକୁ ପ୍ରାୟ ୮୫ ବର୍ଷ ପୂର୍ବେ "ସୋହମ୍ ସ୍ୱାମୀ" ନାମକ ଜଣେ ସିଦ୍ଧି ପୁରୁଷ ଏହି ପୀଠକୁ ପଦାର୍ପଣ କରିଥିଲେ ଓ ପରବର୍ତ୍ତୀ କ୍ରମେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ ।
ଶ୍ରୀ ମହେଶ୍ୱରନାଥଙ୍କ ମହିମା ଯୋଗୁଁ ଏହି ଶୈବପିଠ  ଖ୍ୟାତି ଲାଭ କରିବା   ସହିତ  ମୁକ୍ତ ଅଞ୍ଚଳ ରୂପେ ମଧ୍ୟ ରହିଥିଲା । ଅର୍ଥାତ୍ ବ୍ରିଟିଶ ସରକାର ସମୟରେ ଏହି ପବିତ୍ର ପୀଠ କୋଡ଼ାବଗା, ରାମପୁର ଓ ହିମଗିରିର ଅନ୍ତର୍ଭୁକ୍ତ ନ ରହି ସଂପୁର୍ଣ ନିୟନ୍ତ୍ରଣ ମୁକ୍ତ ଅଞ୍ଚଳ ରୂପେ ରହିଥିଲା ।

ଵିଶେଷ ଆକର୍ଷଣ
କୋଇଲି ଘୋଘର ଜଳପ୍ରପାତର ଅପୂର୍ବ ନୈସର୍ଗ ସୌନ୍ଦର୍ଯ୍ୟ ଯାତ୍ରୀ ଓ ପର୍ଯ୍ୟଟନମାନଙ୍କୁ ଆକର୍ଷଣ କରେ । ଶୀତୠତୁରେ ଏଠାକୁ  ବଣଭୋଜି ଲକ୍ଷ୍ୟ ରଖି  ବିଭିନ୍ନ ସ୍କୁଲ , କଲେଜ ଛାତ୍ରଛାତ୍ରୀ ଓ ଯୁବକମାନେ ପଦାର୍ପଣ କରିଥାନ୍ତି।  ଅହିରାଜ ନଦୀ ସ୍ରୋତରେ ସନ୍ତରଣ କରୁଥିବା ବିଭିନ୍ନ ପ୍ରକାର ମାଛର ଦୃଶ୍ୟ ସମସ୍ତ କୁ ବିମୁଖ କରେ।  ପର୍ଯ୍ୟଟନ ମାଛମାନଙ୍କୁ ଖାଦ୍ୟ ପର୍ଦାଥ ଅର୍ପଣ କରି ବେଶ ମନୋରମ ଅନୁଭୂତି କରିଥାନ୍ତି। ବହୁ ଦୂର ଦୂରାନ୍ତ ଅଞ୍ଚଳରୁ ଆଗମନ କରିଥିବା ନାନା ଜାତି ପକ୍ଷୀମାନଙ୍କ  ଏକତ୍ର ସମାଗମର ଦୃଶ୍ୟ ମଧ୍ୟ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହା ବ୍ୟତୀତ ପାଶ୍ୱବର୍ତ୍ତି ଜଙ୍ଗଲର ମାଙ୍କଡ, ମୟୂର , କୁଟୀର , ହରିଣ ଓ ଅନ୍ୟାନ୍ୟ ବନ୍ୟଜନ୍ତୁର ବିଚରଣର ଦୃଶ୍ୟ ସମସ୍ତଙ୍କୁ ରୋମାଞ୍ଚିତ  କରିଥାଏ । ସୂର୍ୟ୍ୟଙ୍କ ସୁନେଲୀ କିରଣ ଜଳ ପ୍ରପାତ ଉପରେ ପଡ଼ି ପ୍ରତିଫଳିତ ହୁଏ ଇନ୍ଦ୍ରଧନୁର ସପ୍ତରଂଗ। ଏସବୁ ଦୃଶ୍ୟ ଦର୍ଶକମାନଙ୍କ ପାଇଁ ଏକାନ୍ତ ହୃଦୟସ୍ପର୍ଶୀ।

କୋଇଲି ଘୋଘର ଜଳପ୍ରପାତର ଅପୂର୍ବ ରମଣୀୟ ପରିବେଶ ସମସ୍ତଙ୍କ ମନରେ ସୃଷ୍ଟି କରେ ଶାଶ୍ୱତ ଚେତନା ଓ ଗଭୀର ଈଶ୍ୱର ବିଶ୍ୱାସ ।   ଭାରତର ବିଭିନ୍ନ ପ୍ରାନ୍ତରୁ ଆଗମନ କରିଥିବା ଅନେକ ତୀର୍ଥଯାତ୍ରୀ ଏହି ଜଳପ୍ରପାତର ପବିତ୍ର ଜଳରେ ସ୍ନାନ କରି ଶ୍ରୀ ମହେଶ୍ୱର ନାଥଙ୍କ ଦର୍ଶନ କରନ୍ତି । ସଂସାର ସମସ୍ତ ଦୁଃଖ, କ୍ଲେଶ ଓ ସାମାଜିକ ବାଧା ବନ୍ଧନରୁ ମୁକ୍ତିଲାଭ କରିବା ପାଇଁ ଅନେକ ଭକ୍ତ ନରନାରୀ ଏଠାର ସାଧୁ ଓ ସନ୍ଥମାନଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥାନ୍ତି ।


ଉତ୍ସବ ଓ ପୂଜା
ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନରେ ପ୍ରଭାତରୁ ଶହ ଶହ ବୋଲବମ୍ ଭକ୍ତମାନଙ୍କ ପ୍ରବଳ ସମାଗମ ହୋଇଥାଏ । କାର୍ତ୍ତିକ ମାସରେ କେତେକ ସଂପ୍ରଦାୟ ପକ୍ଷରୁ ପୀଠ ପ୍ରାଗଣରେ ରସଲୀଳା ଉତ୍ସବ ଆୟୋଜିତ କରାଯାଇଥାଏ । ଉପରୋକ୍ତ ପର୍ବ ବ୍ୟତୀତ ଏହି ପୀଠରେ ମାର୍ଗଶୀର ମାସରେ  ଶ୍ରୀ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୁଏ । ଫାଲଗୁନ ମାସର ଶିବରାତ୍ରୀରେ ଶହ ଶହ ଭକ୍ତ ନରନାରୀ ନିକଟବର୍ତ୍ତୀ ପଲ୍ଲୀମାନଙ୍କ ଠାରୁ ପଦାର୍ପଣ କରିଥାନ୍ତି । ଝାରସୁଗୁଡ଼ା ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ମହେଶ୍ୱରନାଥ ଅନ୍ୟତମ। ଯେହେତୁ ଶିବଲିଙ୍ଗ ଟି ଜଲମଗ୍ନ ଅବସ୍ଥାରେ ଅଛି ସେଥିପାଇଁ ଖାଲି ଆଖିରେ ଦେଖାଯାଏ ନାହିଁ । ଭକ୍ତ ମାନେ ପାଣି ଭିତରକୁ ହାତ ପଶାଇ ଏହାକୁ ଛୁଇଁବାକୁ ଚେଷ୍ଟା କରନ୍ତି। ଏହି ଶିବ ଲିଙ୍ଗକୁ ଛୁଇଁ ପାରିଲେ ପୁଣ୍ୟ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେଣୁ ପର୍ୟ୍ୟଟକମାନଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେଉଛି ମହେଶ୍ୱରନାଥ ମନ୍ଦିର।  ଆତ୍ମଗୀତା’ ନାମକ ଏକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ସୋହନ ସ୍ୱାମୀ। ତାଙ୍କର ପୋଥିପତ୍ରକୁ  ପ୍ରତିବର୍ଷ ଶ୍ରୀ ଆତ୍ମଗୀତା  ଜୟନ୍ତୀ ରେ ପୂଜା କରାଯାଏ। ଏହା ବ୍ୟତୀତ ଏଠାରେ ଶାନ୍ତି କୁଟୀର ମେଳା ଅନୁଷ୍ଠିତ ହୋଇଥାଏ ।ବର୍ତ୍ତମାନ ଏଠାରେ ଥିବା ଶାନ୍ତି କୁଟୀର ଆଶ୍ରମରେ ମଧ୍ୟ ସ୍ୱାମୀ ମୋହନ ବାବାଙ୍କ ଭକ୍ତ ବାବାମାନେ ରହୁଛନ୍ତି।


ବିକାଶ
କୋଇଲି ଘୋଘର ଜଳପ୍ରପାତ ଓ ଶୈବପୀଠ ଶ୍ରୀ ମହେଶ୍ୱର ନାଥ ଦର୍ଶନ ପାଇଁ ଏହି ଅଞ୍ଚଳକୁ ଏକ ପର୍ଯ୍ୟଟନ କେନ୍ଦ୍ରରୂପେ  ସ୍ୱକୃତି ଦେବା ରାଜ୍ୟ ସରକାରଙ୍କ ଉଦିଷ୍ଟ ପଦକ୍ଷେପ । ଯାତ୍ରୀ ଓ ପର୍ଯ୍ୟଟନଙ୍କ ଯାତାୟତ ସୁବିଧା ପାଇଁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିବା ବେଳେ, ସେମାନଙ୍କ ରହଣି ଓ ବିଶ୍ରାମ ଉଦ୍ଦେଶ୍ୟରେ ତିନୋଟି ଯାତ୍ରୀ ନିବାସ ସଙ୍ଗେ ସଙ୍ଗେ ଜଳପ୍ରପାତ ନିକଟରେ ଏକ ଯଜ୍ଞ ମଣ୍ଡପ ମଧ୍ୟ ନିର୍ମାଣ କରାଯାଇଛି । ଶ୍ରୀ ମହେଶ୍ୱରନାଥଙ୍କର ଦର୍ଶନ କରିବା ପାଇଁ ଆବଶ୍ୟକ ପାହାଚ ତିଆରି କରାଯାଇଛି । ଏହି ସ୍ଥାନଙ୍କୁ ବିଜୁଳି ସଂଯୋଗ କରାଯାଇଛି ।


କିପରି ପହଞ୍ଚିବେ
ଝାରସୁଗୁଡ଼ା ସହରଠାରୁ ୫୭ କିଲୋମିଟର ଦୂରରେ ଅବସ୍ଥିତ କୋଇଲି ଘୋଘର ଜଳପ୍ରପାତ। ଝାରସୁଗୁଡାକୁ ପ୍ରଥମେ ବସ କିମ୍ବା ଟ୍ରେନ ମଧ୍ୟରେ ଆସିବାକୁ ହେବ ।କିନ୍ତୁ ଝାରସୁଗୁଡ଼ାରୁ କୋଇଲି ଘୋଘରକୁ କୌଣସି ସ୍ୱତନ୍ତ୍ର ବସ୍‌ ବା ଗାଡ଼ି ଯାଏ ନାହିଁ । ସେଥିପାଇଁ ଆପଣଙ୍କୁ ଝାରସୁଗୁଡ଼ା ବସଷ୍ଟାଣ୍ଡରୁ ମଟର ଗାଡି ଭଡ଼ାରେ ନେଇ ଏହି ସ୍ଥାନକୁ ଅତି ଶୀଘ୍ର ପହଞ୍ଚି ପାରିବେ । ଏହାଛଡ଼ା ଆପଣ ବେଳପହାଡ଼ରୁ ମଧ୍ୟ ଏଠାକୁ ଯିବା ପାଇଁ ସ୍ବତନ୍ତ ଗାଡ଼ିର ବ୍ୟବସ୍ଥା କରିପାରିବେ । ବେଳପାହାଡ଼କୁ ଯିବା ପାଇଁ  ଝାରସୁଗୁଡା ବସଷ୍ଟାଣ୍ଡରୁ ବସ ଉପଲବ୍ଧ ଅଛି ।ବେଳପହାଡ଼ ପହଞ୍ଚିଲା ପରେ ଆପଣଙ୍କୁ ସେଠାରେ ମଟର ଗାଡ଼ି ଭଡ଼ାରେ ନେବାକୁ ପଡ଼ିବ ।

----------–-----------------------------------------------------------------
ଲେଖକ :- ରୋହିତ କୁମାର ଲୋହରା 
( ପୁରୁଣାବସ୍ତି ,ଝାରସୁଗୁଡା )

ସଂଗୃହିତ :- ଶ୍ରୀ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ
ପ୍ରାଚୀନ ଶୈବପୀଠ - ଶ୍ରୀ ମହେଶ୍ୱର ନାଥ
ବେଲପାହାଡ଼ ଉଚ୍ଛବ୍ ୨୦୧୬ (ମଚନ)
 (ପୁରୁଣାବସ୍ତି , ଝାରସୁଗୁଡା)

Comments

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda