ରାମପୁରର ପ୍ରାଚୀନ ଶକ୍ତି ପୀଠ : ଶ୍ରୀ ରାମଚଣ୍ଡୀ ଗୁମ୍ଫା (ବ୍ରଜରାଜନଗର)

ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାର ରାମପୁର ଅଞ୍ଚଳ ଏକ ପୁରାତନ ଜମିଦାରୀ ଅଟେ । ସମ୍ବଲପୁର  ଚୌହାନ୍ ବଂଶ ରାଜତ୍ୱକାଳରେ ରାମପୁର ଜମିଦାରୀ ସୃଷ୍ଟି ହୋଇଥିଲା । ଏହି ରାମପୁରର ଆରାଧ୍ୟ ଦେବୀ ଶ୍ରୀ ରାମ ଚଣ୍ଡୀଙ୍କ ଶକ୍ତି ପୀଠ ଇରାବତୀ (ଇବ) ନଦୀ ତଟରେ ଅବସ୍ଥିତ ଏକ କ୍ଷୁଦ୍ର ପାହାଡ ଗୁମ୍ଫାରେ ଅବସ୍ଥାପିତ । କେଉଁ ପ୍ରାଚୀନ କାଳରୁ ମାଁ ରାମଚଣ୍ଡୀ  ଅଧିଷ୍ଠାତ୍ରୀ ଦେବୀ ରୂପେ ସ୍ଥାନୀୟ ଲୋକମାନଙ୍କ ଠା ରୁ ପୂଜା ପାଇ ଆସୁଛନ୍ତି ସଠିକ ରୂପେ କହିବା କଷ୍ଟକର ।
ଏହି ପବିତ୍ର ପୀଠଟି କେବଳ ଝାରସୁଗୁଡ଼ା ଜିଲ୍ଲାରେ ନୁହେଁ ବରଂ ସଂପୂର୍ଣ୍ଣ ଓଡ଼ିଶା ଓ ଛତିଶଗଡ଼ରେ ପ୍ରସିଦ୍ଧ ଲାଭ କରିଛି । ଦେବୀ ରାମଚଣ୍ଡୀଙ୍କୁ ଗୋଟିଏ ପାହାଡର ଗୁମ୍ଫା ଭିତରେ ପୂଜା କରାଯାଉଛି  । ଏହି ଗୁମ୍ଫାଟି ପାହାଡର ନିମ୍ନରେ ପ୍ରସସ୍ଥ ଚଟାଣରେ ଅବସ୍ଥିତ । ସେଥିପାଇଁ ଶ୍ରୀ ରାମଚଣ୍ଡୀ ଗୁମ୍ଫାରେ ଦେବୀଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟ ଆଗତ ଯାତ୍ରୀମାନଙ୍କୁ ବ୍ରଜରାଜନଗର-ରାମପୁର ରାସ୍ତାରେ ଅବସ୍ଥିତ ଏକ ଅନୁଜ ପାହାଡ଼ ଶିଖରେ ପହଞ୍ଚିଲା ପରେ  ଲୋହ ନିର୍ମିତ ପାହାଚ ଦେଇ ପାହାଡ ଶିଖରରୁ ନିମ୍ନକୁ ଅବତରଣ କରିବାକୁ ପଡେ।


ବର୍ଷା ଋତୁରେ ମାଁଙ୍କ ଅବସ୍ଥିତ ଗୁମ୍ଫାଟି ଇରାବତୀ ନଦୀର ଜଳରେ ଜଳମଗ୍ନ ହୋଇଥାଏ । ଗୁମ୍ଫାକୁ ସଂପୂର୍ଣ୍ଣ ଲାଲ ରଙ୍ଗରେ ରଙ୍ଗୀତ କରାଯାଇଛି ଯାହା ମାଁଙ୍କ ପୀଠର ସୁନ୍ଦରତାକୁ ଦ୍ଵିଗୁଣିତ କରେ । ଏହା ବ୍ୟତୀତ, ଗୁମ୍ଫାର ବାହାର ପଟର କାନ୍ଥରେ ଶ୍ରୀ ରାମଚନ୍ଦ୍ର, ମାତା ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କ ଛବି ଅଙ୍କନ କରାଯାଇଛି । ପ୍ରବେଶ ଦ୍ବାରା ର ଉଭୟ ପଟରେ ଭଗବାନ ହନୁମାନ ଓ  ଶିବଲିଙ୍ଗର ପୂଜା କରାଯାଉଛି ।
ପ୍ରତି ବର୍ଷ  ମନ୍ଦିର ପ୍ରାଗଣରେ ଚୈତ୍ର ନବରାତ୍ରୀ ଓ ଅଶ୍ୱିନ ନବରାତ୍ରୀ ପ୍ରବଳ ଆଡମ୍ବରରେ ପାଳନ କରାଯାଇଥାଏ । ସ୍ଥାନୀୟ ଲୋକଙ୍କ ମାଁ ଚଣ୍ଡିଙ୍କ ଉପରେ ପ୍ରଗାଡ଼ ଶ୍ରଦ୍ଧା ଓ ବିଶ୍ଵାସ ରହିଛି ।

ପୌରାଣିକ
ରାମଚଣ୍ଡୀଙ୍କ ଆବିର୍ଭାବ ସମ୍ପର୍କରେ ଅନେକ ଜନଶ୍ରୁତି ରହିଅଛି ସେଥି ମଧ୍ୟରୁ ମୁଖ୍ୟ ଦୁଇଟି ଏଠାରେ ବର୍ଣ୍ଣନା କରାଯାଇଛି ।

(୧)   ରାମାୟଣ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ଯେ ଭଗବାନ ରାମଚନ୍ଦ୍ର ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ର ରୂପେ ଅବତାର ଧାରଣ କରିଥିଲେ । ତାଙ୍କର ବନବାସ କାଳରେ ଦଣ୍ଡକାରଣ୍ୟ ଅଞ୍ଚଳରେ ଅବସ୍ଥାନ କରିଥିଲେ ଯାହା ହେଉଛି ଆଧୁନିକ ଓଡିଶାର ଝାରସୁଗୁଡା ଜିଲ୍ଲାର ଅନ୍ତର୍ଗତ । ଏହି ଦଣ୍ଡକାରଣ୍ୟ ଅଞ୍ଚଳରେ ଶ୍ରୀ ରାମଚନ୍ଦ୍ର, ଦେବୀ ସୀତା ଓ ଭ୍ରାତା ଲକ୍ଷ୍ମଣ କ୍ଷୁଦ୍ର ନଦୀ ଅବବାହିକାରେ ବସବାସ କରୁଥିଲେ ଯେଉଁଟା ବର୍ତ୍ତମାନ ଇରାବତୀ(ଇବ) ନଦୀ ନାମରେ ପରିଚିତ । ଶ୍ରୀ ରାମଚନ୍ଦ୍ର ପଞ୍ଚବଟୀ  ଅଞ୍ଚଳରେ ଅବସ୍ଥାନ କରୁଥିବା ସମୟରେ ଲଙ୍କା ପତି ରାବଣ ମାତା ସୀତାଙ୍କୁ ପଞ୍ଚ କୁଟୀର  ମଧ୍ୟରୁ ଅପହରଣ କରି ନେଇଯାଇଥିଲା । ଅପହରଣ କରିବା ପାଇଁ ଦୁଷ୍ଟ ରାବଣ ମାରୀଚ ନାମକ ଏକ ରାକ୍ଷସର ସହାୟତା ନେଇଥିଲା ।

ସେବକ ମାରୀଚ ନିଜକୁ ସ୍ଵର୍ଣ୍ଣମୃଗ ରୂପେ ଧାରଣ କରି ଦେବି ସୀତାଙ୍କୁ ପ୍ରଲୋଭନ କରିଥିଲା । ଯାହା ଫଳରେ ସୀତାଙ୍କ ମନରେ ସୃଷ୍ଟି ହୋଇଥିଲା ମୃଗ ପ୍ରତି ଆକର୍ଷଣ   ଓ  ସ୍ଵାମୀଙ୍କୁ  ଆୟତ୍ତ କରିବା ପାଇଁ ଅନୁରୋଧ କରିଥିଲେ । ପତ୍ନୀ ସୀତାଙ୍କ ଅନୁରୋଧ କ୍ରମେ ସ୍ଵାମୀ ଶ୍ରୀ ରାମଚନ୍ଦ୍ର ମାୟା ହରିଣର ଅନୁଧାବନ କରିଥିଲେ । ସୁତରାଂ ରାମଚନ୍ଦ୍ର ହରିଣକୁ ଅନୁସନ୍ଧାନ କରି ଶର ନିକ୍ଷେପ କଲେ ଓ  ଆହତ ମାୟାମୃଗ ରୂପୀ ମାରୀଚ ଏହି ଇବ ନଦୀ ଶଯ୍ୟାର କୁଦ ପୃଷ୍ଠଦେଶରେ ଆସି ମୃତ୍ୟୁବରଣ କରିଥିଲା । ନଦୀ କୂଳରେ ଅବସ୍ଥିତ ଏହି କୁଦକୁ ଆଜି ଲୋକମାନେ "ମାରୀଚକୁଦ" ବୋଲି କହନ୍ତି । ମାରୀଚ କୁଦର ସମ୍ମୁଖରେ ଓ ନଦୀଶଯ୍ୟା ଅପର ପାର୍ଶ୍ଵରେ ଅବସ୍ଥିତ କ୍ଷୁଦ୍ର ପାହାଡ ପାଦଦେଶର ଏକ ଗୁମ୍ଫା ମଧ୍ୟରେ ଶ୍ରୀ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କ ଉପାସନା କରୁଥିବାର କିମ୍ବଦନ୍ତୀ ସ୍ଥାନୀୟ ଅଞ୍ଚଳର ଲୋକମୁଖରୁ ଶୁଣିବାକୁ ମିଳିଥାଏ ।
ଶ୍ରୀ ରାମଚନ୍ଦ୍ର ବନବାସ କାଳରେ ଉକ୍ତ ସ୍ଥାନରେ ଗୋଚର କରିଥିବାର ପ୍ରମାଣ ରୂପେ ନଦୀ ଅବବାହିକାରେ ରାମପୁର ଏବଂ ଲଷ୍ମଣପୁର ନାମକ ଦୁଇଟି ଜନପଦ ଥିଲା ବୋଲି ସ୍ଥାନୀୟ ଲୋକମାନେ ପରିପ୍ରକାଶ କରିଛନ୍ତି ।
(୨) ମାତା ଚଣ୍ଡୀଙ୍କ ଆବିର୍ଭାବ ବହୁତ ବର୍ଷ ପୂର୍ବରେ ହୋଇଥିଲା । ପୁରାଣ ଗ୍ରନ୍ଥରେ ରଚିତ ଅଛି ଯେ , ତ୍ରେତୟା ଯୁଗରେ ଶ୍ରୀ ରାମଚନ୍ଦ୍ର, ପତ୍ନୀ ସୀତା ଓ ଭ୍ରାତା ଲଷ୍ମଣ ସହିତ ୧୪ ବର୍ଷ ବଣ ବାସ ଯାଇଥିଲେ । ତତ୍ କାଳରେ  ସେମାନେ ବିଭିନ୍ନ ଗାଁ,ଅରଣ୍ୟ,ପର୍ବତ ଓ ନଦୀ ଦେଇ ଅତିକ୍ରମ କରିଥିଲେ ।ଯେତେବେଳେ ସେମାନେ ବ୍ରଜରାଜନଗର ଜଙ୍ଗଲରେ ଥିଲେ ସେତେବେଳେ ତାଙ୍କର କୁଳାଇ ଚଣ୍ଡୀ ନାମକ ରାକ୍ଷସୀ ସହିତ ଯୁଦ୍ଧ ହୋଇଥିଲା ଓ  କୁଳାଇ ଚଣ୍ଡୀ ଉପରେ ଶ୍ରୀ ରାମଚନ୍ଦ୍ର ସର ନିକ୍ଷେପ କରିଥିଲେ ।କିନ୍ତୁ ଚଣ୍ଡୀ ଶ୍ରୀ ରାମଚନ୍ଦ୍ରଙ୍କୁ ବିଷ୍ଣୁ ଅବତାର ବୋଲି ଅବଗତ ହୋଇ କ୍ଷମା ଭିକ୍ଷା କଲେ । ବିନମ୍ର ଓ ଦୟାଳୁ ରାଜା ରାମଚନ୍ଦ୍ର କୁଳାଇ ଚଣ୍ଡିଙ୍କୁ କ୍ଷମା ଦେବା ସହିତ ତାଙ୍କୁ ବର ପ୍ରଦାନ କରି ଥିଲେ । ଉକ୍ତ ଘଟଣା ପରେ କୁଳାଇ ଚଣ୍ଡିଙ୍କ ନାମ ରାମଚଣ୍ଡି ନାମରେ ପରିବର୍ତ୍ତନ ଘଟିଥିଲା । ଶ୍ରୀ ରାମଚନ୍ଦ୍ର କୁଳାଇ ଚଣ୍ଡି କୁ କାହାର କ୍ଷତି ନ କରି ଏହି ସ୍ଥାନର ଅଧିଷ୍ଠାତ୍ରି ଦେବୀ  ହୋଇ ଗ୍ରାମ ବାସିଙ୍କୁ ରକ୍ଷା ଓ ଆଶୀର୍ବାଦ ଦେବା ପାଇଁ  ପାଇଁ ଅନୁରୋଧ କରିଥିଲେ । ସେ ଦିନଠାରୁ ଆଦିଶକ୍ତି ମାଁ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଇରାବତୀ ନଦୀ କୂଳରେ ପୂଜା ଅର୍ଚ୍ଚନା କରାଯାଇଆସୁଛି ।ଶେଷରେ ନିକ୍ଷେପ କରିଥିବା   ଶର ଟି ରାମଚନ୍ଦ୍ର  ଭୂମିରେ  ସନ୍ଧାନ କରିଥିଲେ ଯେଉଁଠାରୁ ଶିବଲିଙ୍ଗ ଉତ୍ପନ୍ନ ହୋଇଥିଲା । ଏହି ପବିତ୍ର ପୀଠରେ ଦେବୀ ଦୁର୍ଗା ବ୍ୟତୀତ ଅନ୍ୟ ଦେବାଦେବୀଙ୍କ ପୂଜା କରାଯାଉଛି । ଅନ୍ୟ ଗ୍ରାମ ଦେବୀ ପରି ରାମଚଣ୍ଡୀ ହେଉଛନ୍ତି ବ୍ରଜରାଜନଗର ଗ୍ରାମଦେବୀ ଓ ସହର ବିଭିନ୍ନ ଦୁର୍ଯୋଗ-ଦୁର୍ବିପାକ ରକ୍ଷା କରିଥାନ୍ତି ।

ଇତିହାସ
ପଞ୍ଚଦଶ ଶତାବ୍ଦୀ ଶେଷ ଭାଗରେ ଭାରତ ଶେଷ ହିନ୍ଦୁ ସମ୍ରାଟ ପୃଥିବୀ ରାଜ ଚୌହାନଙ୍କ ବଂଶର ବଳରାମ ଦେବ ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କରିଥିଲେ । ସେ ତତ୍କାଳୀନ ପାଟଣା (ବଲାଙ୍ଗୀର) ରାଜା ନରସିଂହ ଦେବଙ୍କ କନିଷ୍ଠ ଭ୍ରାତା ଥିଲେ । ବଳରାମ ଦେବଙ୍କ ପରବର୍ତ୍ତି କାଳରେ  ଅର୍ଥାତ ସପ୍ତଦଶ ଶତାବ୍ଦୀରେ ଚୌହାନ୍ ବଂଶର ସପ୍ତମ ରାଜା ଛତ୍ରଶାହ ଦେବଙ୍କ ଶାସନକାଳରେ (୧୬୫୭-୧୬୯୫ ଖ୍ରୀ:)  ମଧ୍ୟରେ ଇରାବତୀ ନଦୀ ଅବବାହିକାରେ ରାମପୁର ଦଣ୍ଡପାଟ (ଜମିଦାରି) ସୃଷ୍ଟି ହୋଇଥିଲା । ତେବେ ସମ୍ବଲପୁର ରାଜ୍ୟର ୧୮ଟି ଗଡ଼ ଏବଂ ୧୩ଟି ଦଣ୍ତପାଟ ଥିଲା  । ଉକ୍ତ ଦଣ୍ଡପାଟ ଗୁଡ଼ିକ ମଧ୍ୟରୁ ରାମପୁର ଦଣ୍ଡପାଟ ରାଜଧାନୀ ସମ୍ବଲପୁର ରାଜ୍ୟ ସଂଲଗ୍ନ ଲମଡୁମୁରୀ ପାହାଡ଼ରୁ ହିମଗିର ନିକଟବର୍ତ୍ତୀ କାଉଦରହ ନାମକ ଇରାବତୀ ନଦୀର ଏକ ଗଣ୍ଡ ପର୍ଯ୍ୟନ୍ତ ପ୍ରାୟ ୨୦ କୋଶ ବ୍ୟାପୀ ରହିଥିଲା । ଏହାର ପରିସୀମା ୧୪୯ ମାଇଲ (୭୮୬ କିଲୋମିଟର) ଥିଲା । ତତ୍କାଳୀନ ଜମିଦାର ସମୟରେ ଏହାର ବାର୍ଷିକ ଆୟ ୨୬୨୨୫ ଟଙ୍କା ଥିଲା ଏବଂ ବାର୍ଷିକ ଖଜଣା ୪୮୬୫ ଟଙ୍କା ଧାର୍ଯ୍ୟ ଥିଲା । ରାମପୁର ଦଣ୍ଡପାଟ ସୃଷ୍ଟି ସମ୍ପର୍କରେ ନିମ୍ନ କିମ୍ବଦନ୍ତୀ ସ୍ଥାନୀୟ ଅଞ୍ଚଳରେ   ଶୁଣିବାକୁ ମିଳେ । 

ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀ ଶେଷ ଭାଗରେ ଉତ୍ତର ରାଜପୁତାନାର କୌଣସି ଏକ କ୍ଷୁଦ୍ର ରାଜ୍ୟରେ ଗହରୱାର ବଂଶୀୟ ଜଣେ କ୍ଷତ୍ରିୟ ବାସ କରୁଥିଲେ । ପଡୋଶୀ ରାଜ୍ୟ ସହିତ ଯୁଦ୍ଧ କଲାବେଳେ ତାଙ୍କର ମୃତ୍ୟୁ ବରଣ କରିଥିଲେ । ତାଙ୍କର ଗର୍ଭବତୀ ପତ୍ନୀ ଶତ୍ରୁରୁ ଆତ୍ମରକ୍ଷା ପାଇବା ପାଇଁ ଭାରତର ରେୱା ରାଜ୍ୟକୁ ଗୋପନରେ ପଳାୟନ କଲେ ଓ ଜଣେ ରାଜାଙ୍କ ପୁରୋହିତ ଘରେ ଆଶ୍ରୟ ନେଲେ । ଏହାର ଅଳ୍ପ ମାସ ପରେ ତାଙ୍କର ଗର୍ଭରୁ ଏକ ପୁତ୍ର  ଜାତ ହୋଇଥିଲା । କ୍ଷତ୍ରିୟ ସନ୍ତାନଟି ବ୍ରାହ୍ମଣ ପରିବାରରେ ଲଳିତ ପାଳିତ  ହେଲା  ଏବଂ ତାଙ୍କର ବିବାହ କାର୍ଯ୍ୟକ୍ରମ ଉକ୍ତ ପରିବାରଙ୍କ ଦ୍ଵାରା ସମାପନ କରାଗଲା । ବିବାହର କିଛି ସମୟ ପରେ ତାଙ୍କର ଦୁଇଟି ପୁତ୍ର ମଧୁସୂଦନ ସିଂହ ଓ ପ୍ରାଣ ନାଥ ସିଂହ ଜନ୍ମ ଗ୍ରହଣ କରିଥିଲେ । ପୁରୋହିତ ଏହି ଦୁଇ ପୁତ୍ରର ଶିକ୍ଷା ଓ ସାମରିକ ବିଦ୍ୟାର୍ଜନ ବ୍ୟବସ୍ତା କରିଥିଲେ ।  ଜ୍ୟେଷ୍ଠ ପୁତ୍ର ମଧୁସୂଦନ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ଵଭାବ   ଏବଂ କନିଷ୍ଠ ପୁତ୍ର ପ୍ରଖର ବୃଦ୍ଧି ଓ ଶାରୀରିକ ଦକ୍ଷତାରେ ପରିପୂର୍ଣ୍ଣ ଥିଲା ।ଯୁବକ ପ୍ରାଣନାଥ ନିଜ ପାଇଁ ଉପଯୁକ୍ତ ନିଯୁକ୍ତି ପାଇବା ସକାଶେ ପରିବାର ରେୱା ରାଜ୍ୟ ପରିତ୍ୟାଗ କରି ବାମଣ୍ଡା ରାଜ୍ୟରେ ରହିଲେ। କନିଷ୍ଠ ଭ୍ରାତା ତତ୍କାଳୀନ ବାମଣ୍ଡା ରାଜ ଦରବାରରେ ରାଜାକୁ ସାକ୍ଷାତ କରି ନିଜ ପାଇଁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି କରିବା ପାଇଁ ପ୍ରାର୍ଥନା କରିଥିଲେ। ବାମଣ୍ଡାର ରାଜା ଉକ୍ତ  କ୍ଷତ୍ରିୟ ଯୁବକର ପ୍ରାର୍ଥନାକୁ ସହାନୁଭୂତି ଓ ଶାରୀରିକ ଦକ୍ଷତାରେ ମୁଗ୍ଧ ହୋଇ ତାଙ୍କ ପରିବାରକୁ ନିଜ ରାଜ୍ୟରେ ଆଶ୍ରୟ ପ୍ରଦାନ କରିଥିଲେ । ପ୍ରାଣନାଥଙ୍କୁ ରାଜା ସେନାବାହିନୀରେ ଅଧିନାୟକ ରୂପେ "ଦଳ ବେହେରା" ପଦବୀରେ ନିଯୁକ୍ତି କରିଥିଲେ ।

ଏହିପରି ଭାବରେ କେତେକ ମାସ ନିଜର କାର୍ଯ୍ୟ ତୁଲାଇଲେ ସତ କିନ୍ତୁ କ୍ଷତ୍ରିୟ  ସୁଲଭ କ୍ଷମତା ଲାଳସା ଦଳ ବେହେରା ପଦବୀରେ ତୃପ୍ତି ହୋଇପାରି ନ ଥିଲେ। ଅପରପକ୍ଷରେ ପ୍ରାଣନାଥ ସିଂହଙ୍କ କାର୍ଯ୍ୟକଳାପ ଉଦ୍ଧତ ଆଚରଣ ବାମଣ୍ଡା ରାଜା ବିକ୍ରମ ଦେବଙ୍କ କ୍ରୋଧର କାରଣ ହୋଇଥିଲେ । ଅବଶେଷରେ ରାଜା ପ୍ରାଣନାଥ ସିଂହ କୁ ପ୍ରକୃତି ଯୋଗୁଁ ତାଙ୍କୁ କଠୋର ଦଣ୍ଡ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରାଜା ନିଷ୍ପତ୍ତି ସଂପର୍କରେ ପ୍ରାଣନାଥ ଅବଗତ ହେଲା ପରେ ନିଜର ଜ୍ୟେଷ୍ଠ ଭ୍ରାତା ମଧୁସୂଦନ ସିଂହ ଓ ପରିବାର ବର୍ଗ ସହିତ ପ୍ରତୂଷ ଗୋପନରେ ବାମଣ୍ଡା ରାଜ୍ୟରୁ ପଳାୟନ କଲେ ।

ସର୍ବଶେଷରେ ପ୍ରାଣନାଥ ସିଂହଙ୍କ ନିଜ ପରିବାର କୁ ସମ୍ବଲପୁର ରାଜ୍ୟର ରାମପୁର ନିକଟବର୍ତ୍ତୀ ଏକ ଅଖ୍ୟାତ ପଲ୍ଲୀର ବ୍ରାହ୍ମଣ ଗୃହରେ ଆଶ୍ରୟ ନେଇଥିଲେ । ଅଳ୍ପ ସମୟରେ କୁଟୀର ନିର୍ମାଣ କରି ଜୀବନ ଯାପନ କରିଥିଲେ । ତାଙ୍କର 'ଦଲବେହେରା' ବା 'ବେହେରା' ପଦବୀ ଯୋଗୁଁ ଏହି କ୍ଷୁଦ୍ର ପାଲ୍ଲୀ  ବେହେରାପାଲି ନାମରେ ନାମିତ ହେଲା ।

ବେହେରାପାଲିରେ ଅବସ୍ଥାନ କରି ପ୍ରାଣନାଥ ସିଂହ ଆପଣା ଭବିଷ୍ୟତ  କର୍ମପନ୍ଥା ନିରୂପଣ କରିବା ପାଇଁ କଠୋର ପରିଶ୍ରମ ଆରମ୍ଭ କରିଥିଲେ । ପ୍ରତିଦିନ ପ୍ରାତହ  କାଳରୁ ମାତାଙ୍କ ପ୍ରସ୍ତୁତ ମହୁଲ ପିଷ୍ଟର ଭୋଜନ କରି ସମ୍ବଲପୁର ପ୍ରସିଦ୍ଧ ମନ୍ଦିର ମା ସମଲେଶ୍ଵରୀ ମନ୍ଦିର ପ୍ରାଗଣଙ୍କୁ ଯାତ୍ରା କରୁଥିଲେ ।ସେଠାରେ ରାଜା ଛାତ୍ରସାହ ଦେବଙ୍କ ସାକ୍ଷାତ କରି ନିଜ ଯୋଗ୍ୟ ବୃତ୍ତି ପାଇବା ପାଇଁ ପ୍ରାଣନାଥ ପ୍ରତୀକ୍ଷା କରୁଥିଲେ । ରାଜା ଏହି ପଥଦେଇ ଦେବୀ ସମଲେଶ୍ବରୀଙ୍କ ମନ୍ଦିର ଦର୍ଶନ କରିବା ସମୟରେ ପ୍ରାଣନାଥ ରାଜାଙ୍କୁ ପ୍ରମାଣ ରୂପକ ଅଭିବାଦନ  ଜଣାଉଥିଲେ । କିନ୍ତୁ ରାଜା ଦେବୀ ଦର୍ଶନ ଶେଷ କରି ରାଜପ୍ରସାଦକୁ ପତ୍ୟାବର୍ତ୍ତନ କରିବା ପରେ ପ୍ରାଣନାଥ ସ୍ବଗୃହ କୁ ଫେରୁଥିଲେ ।

ସେ ଯାହାହେଉ, ଏକ ଅପରିଚିତ ଯୁବକ ଅପ୍ରତ୍ୟାଶିତ ସାକ୍ଷାତ ଓ ଅଭିବାଦନ ଘଟଣା ରାଜାଙ୍କ ମନରେ ସୃଷ୍ଟି କରିଥିଲା କୌତୁକ  । ଫଳରେ ରାଜାଙ୍କ ରାଜକର୍ମଚାରିମାନଙ୍କୁ ପ୍ରାଣନାଥଙ୍କ ଆଗମନ ଓ ପ୍ରତ୍ୟାବର୍ତ୍ତନ ବିଷୟ ତଥ୍ୟ ସଂଗ୍ରହ କରିବା ପାଇଁ ଆଦେଶ ଦେଇଥିଲେ । ପରେ  ରାଜାଙ୍କ କର୍ମଚାରୀଗଣ ପ୍ରାଣନାଥଙ୍କୁ ରାଜାଙ୍କ ସମ୍ମୁଖରେ ଉପସ୍ଥିତ କରାଇଥିଲେ ।

ତେବେ ଯୁବକ ପ୍ରାଣନାଥ ସିଂହ ଛତ୍ରଶାହ ଦେବଙ୍କ ସମ୍ମୁଖରେ ଆପଣା ବଂଶ ପରିଚୟ ପ୍ରଦାନ କରି ନିଜର ଆଚରଣ ପାଇଁ କ୍ଷମା ପ୍ରାଥନା କରିଥିଲେ । ଫଳରେ ରାଜା ତାଙ୍କର ସ୍ୱଷ୍ଟବାଦିତା, ଆଚରଣ ଓ ଶାରୀରିକ ସାମର୍ଥ୍ୟ ଯୋଗୁଁ ମୁଗ୍ଧ ହୋଇଥିଲେ । ଏହି ସୁଯୋଗରେ ପ୍ରାଣନାଥ ସିଂହ ସମ୍ବଲପୁର ରାଜା ଛତ୍ରଶାହ ଦେବଙ୍କୁ ଅଳ୍ପ କେତୋଟି   ଗ୍ରାମ ଜାଗିର ରୂପେ ପ୍ରଦାନ କରିବାକୁ ଆବେଦନ କରିଥିଲେ ।

ଇତିହାସରେ ଉଲ୍ଲେଖ ଅଛି ଯେ, ତତ୍କାଳୀନ ଇରାବତୀ ନଦୀ ଅବବାହିକାର ରାମପୁର ଅଞ୍ଚଳରେ ଦୁର୍ଗମ ଘନ ଜଙ୍ଗଲ ମଧ୍ୟରେ କରୁଆ ନାମକ ଜାତି ବସବାସ କରୁଥିଲେ । ସେମାନଙ୍କର ଜନସଂଖ୍ୟା ପ୍ରାୟ ଦଶ କୋଡିଏ ହଜାର ଥିଲା । ଇରାବତୀ ନଦୀକୂଳରେ ଅବସ୍ଥିତ "ଦୂରେଇ ସିଙ୍ଗା" ପଲ୍ଲୀର ଅନତି ଦୂରରେ ନିର୍ମିତ ବିଲେଇଗଡ଼ ଦୁର୍ଗ ମଧ୍ୟରେ ସେମାନଙ୍କ ଦଲପତି ଅବସ୍ଥାନ କରୁଥିଲା ।

ଯେତେବେଳେ ସମ୍ବଲପୁର ରାଜାଙ୍କ କର୍ମଚାରୀମାନେ ରାମପୁର ଅଞ୍ଚଳର ପ୍ରଜାମାନଙ୍କଠାରୁ ଖଜଣା ଆଦାୟ କରୁଥିଲେ ସେତେବେଳେ କରୁଆମାନେ ନାନା ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବା ସହିତ ପ୍ରକାଶ୍ୟରେ ରାଜାଙ୍କ ବିରୁଦ୍ଧରେ ପ୍ରବଳ ବିଦ୍ରୋହ ଆରମ୍ଭ କରିଥିଲେ । କରୁଆମାନଙ୍କ ବିଦ୍ରୋହ ଓ ଦୌରାତ୍ମ ଯୋଗୁଁ ପ୍ରଜାମାନେ ଆତଙ୍କିତ ହୋଇ ପଡିଥିଲେ। ରାଜା ଛତ୍ରଶାହ ଦେବଙ୍କ ଶାସନ କାଳରେ ସମ୍ବଲପୁର ରାଜ୍ୟରେ ଏଭଳି ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଉପରୋକ୍ତ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ସମ୍ବଲପୁର ରାଜା କ୍ଷତ୍ରିୟ ଯୁବକ ପ୍ରାଣନାଥ ସିଂହଙ୍କୁ ରାମପୁର ଅଞ୍ଚଳର କରୁଆ ବିଦ୍ରୋହୀ ମାନଙ୍କୁ ଦମନ କରିବାର ଦାୟିତ୍ୱ ପ୍ରଦାନ କରିଥିଲେ ।କରୁଆ ବିଦ୍ରୋହ ଦମନରେ  ସଫଳତା ହାସଲ  କରିବା ଯୋଗୁଁ  ରାଜା ପ୍ରସନ୍ନ ହୋଇ ରାଜା ରାମପୁର ଦଣ୍ଡପାଟକୁ ଜାଗିର ରୂପେ ଦେଇଥିଲେ । ସେ ସମୟରେ ରାମପୁର ଦଣ୍ଡପାଟ ଅଧୀନରେ ସର୍ବମୋଟ ୯୨ ଖଣ୍ଡ ଗ୍ରାମ ରହିଥିଲା ।

ଏହିପରି ଭାବରେ ରାମପୁର ଦଣ୍ଡପାଟ(ଜମିଦାରୀ) ରାଜପୁତ  ଗରହୱାର ବଂଶୀୟ ପ୍ରାଣନାଥ ସିଂହଙ୍କ ଦ୍ଵାରା ଶାସିତ ହୋଇଥିଲା । ଅନେକ ଦିନ ଶାସନ କଲାପରେ ଦୈବାତ୍ ରାମପୁର ଜମିଦାର ପ୍ରାଣନାଥ ସିଂହଙ୍କୁ ଦେବୀ ନବଦୁର୍ଗାଙ୍କ ସ୍ଵପ୍ନାଦେଶ ହୋଇଥିଲା ।

ତେଣୁ ପ୍ରାଣନାଥ ସିଂହ ଇରାବତୀ(ଇବ) ନଦୀ କୂଳରେ ଏହି ଗୁମ୍ଫା ମଧ୍ୟରେ ଦେବୀ ରାମଚଣ୍ଡୀଙ୍କର ମନ୍ଦିର ଆରମ୍ଭ କଲେ ଅର୍ଥାତ୍ ସେହିଦିନ ଠାରୁ ରାମପୁର ଅଧିଷ୍ଠିତ ଦେବୀ ରୂପେ ଶ୍ରୀ ରାମଚଣ୍ଡୀଙ୍କ ପୀଠରେ ପୂଜା ଉପାସନା ଆରମ୍ଭ ହୋଇଥିଲା । ଏହି ପୀଠରେ ଦେବୀ ଶ୍ରୀ ରାମଚଣ୍ଡୀଙ୍କର ବ୍ୟତୀତ ଦେବୀ ଚକ୍ରାସିନୀ, ଦେବୀ ଖମ୍ବେଶ୍ୱରୀ ଏବଂ ଛତ୍ରେଶ୍ୱରୀଙ୍କର ପ୍ରତିମା ପ୍ରତିଷ୍ଠା ହୋଇଥିଲା । ଆବାହନ କାଳରୁ ଏହି ଅଞ୍ଚଳର କୁଳତା(ଚଷା) ଜାତିର ପ୍ରଜାମାନେ ଶ୍ରୀ ରାମଚଣ୍ଡୀଙ୍କୁ ଆପଣା ଇଷ୍ଟଦେବୀ ରୂପେ ପୂଜା କରି ଆସୁଛନ୍ତି ।




ବିକାଶ
ଶ୍ରୀ ରାମଚଣ୍ଡୀ ଗୁମ୍ଫାରେ ଦେବୀଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟ ଆଗତ ଯାତ୍ରୀମାନଙ୍କୁ ବ୍ରଜରାଜନଗର-ରାମପୁର ରାସ୍ତାରେ ଅବସ୍ଥିତ ଏକ ଅନୁଜ ପାହାଡ଼ ଶିଖରେ ପହଞ୍ଚିଲାପରେ  ଲୋହ ନିର୍ମିତ ପାହାଡ଼ ଶିଖରରେ ନିମ୍ନକୁ ଅବତରଣ କରିବାକୁ ହୁଏ । ପ୍ରାୟ ୩୦ ମିଟର ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ର ଅନ୍ୟ ଏକ ପାହାଡ଼ର ଶିଖର ଭାଗରେ ଶ୍ରୀ ଲଷ୍ମୀନାରାୟଣ ମନ୍ଦିର ଅବସ୍ଥିତ । ପୂର୍ବତନ ଓରିଏଣ୍ଟ କାଗଜକଲର ମାଲିକ ସ୍ୱର୍ଗତ ବ୍ରଜରାଜ ସିଂହଙ୍କ ବଦାନ୍ୟତାରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ରାମପୁର ଜାମିନଦାର ବ୍ରଜରାଜ ସିଂହଙ୍କ ନାମ ଅନୁସାରେ ଓରିଏଣ୍ଡ କାଗଜକଳ ସଂଲଗ୍ନ ଅଞ୍ଚଳରେ ବ୍ରଜରାଜନଗର ସହର ପ୍ରତିଷ୍ଠା କରାଯାଇଥିଲା । ପର୍ବତର ଶୀର୍ଷ ଭାଗରେ ମହାଦେବଙ୍କ ଶିବ ମନ୍ଦିର ଓ ହୋମ ମଣ୍ଡପ ରହିଛି । ଏହି ପାହାଡର ପାଦଦେଶରୁ ଅଳ୍ପ ଉଚ୍ଚରେ ଅବସ୍ଥିତ ଶ୍ରୀ ରାମଚଣ୍ଡୀ ଗୁମ୍ଫାକୁ  ଯାତାୟତ ନିମନ୍ତେ ଯଥାକ୍ରମେ- ଲୌହ ଏବଂ ସିମେଣ୍ଟ ନିର୍ମିତ ଦୁଇଟି ପାହାଚ ଶ୍ରେଣୀର ସ୍ଵତନ୍ତ୍ର ପଥ ନିର୍ମାଣ କରାଯାଇଅଛି ।ଯାତ୍ରୀମାନେ ଅକ୍ଳେଶରେ ଯେ କୌଣସି ମାର୍ଗଦେଇ ଦେବୀଙ୍କ ମନ୍ଦିର ଯାଇପାରିବେ । ଏହି ଗୁମ୍ଫାର ଉଚ୍ଚତା ପ୍ରାୟ ୧୦ ଫୁଟ ଏବଂ ପ୍ରସ୍ଥ ପ୍ରାୟ ୮ ଫୁଟ ହେବ। ଗୁମ୍ଫା ଆଭ୍ୟନ୍ତରରେ ପ୍ରାୟ ଏକ ସୁଡ଼ଙ୍ଗ ପଥ କୁରାବଗା ଗ୍ରାମ ପର୍ଯ୍ୟନ୍ତ ବ୍ୟାପି ଥିଲା ବୋଲି ଜଣାଯାଏ । କିନ୍ତୁ ଗୁମ୍ଫାର ପ୍ରବେଶ ପଥରେ ଦେବୀ ଶ୍ରୀ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯିବ ଯୋଗୁଁ ଯାତାୟତ ମାର୍ଗ ବନ୍ଦ ହୋଇଯାଇଛି । ନଦୀ ଶଯ୍ୟାର ପ୍ରାୟ ୧୭ ଫୁଟ ଉଚ୍ଚରେ ଗୁମ୍ଫା ସମ୍ମୁଖରେ ପ୍ରଶସ୍ତ ସିମେଣ୍ଟ ଚଟାଣ ନିର୍ମିତ ହୋଇଥିବାରୁ ଯାତ୍ରୀ ଓ ଭକ୍ତମାନେ ଏଠାରେ ସ୍ୱତନ୍ତ୍ର ଅବସ୍ଥାନ କରିଥାନ୍ତି । ଶ୍ରୀ ରାମଚଣ୍ଡୀର ବହିର ପାଶ୍ୱର୍ରେ ନିର୍ମିତ ସିଂହ ଦ୍ୱାରର ଉଭୟ ପାର୍ଶ୍ୱରେ ଯଥାକ୍ରମେ ଶ୍ରୀ ହନୁମାନ ଓ ଶିବଲିଙ୍ଗ ପ୍ରତିଷ୍ଠା କରାଯାଇଛି । ଭକ୍ତ ଓ ଯାତ୍ରୀ ମାନଙ୍କ ରହିବା ପାଇଁ   ଗୋଟିଏ ବିଶ୍ରାମ ଘର ଓ ମା ଭୋଜନ ସେବନ କରିବା ଗୋଟିଏ ବଡ ପ୍ରକୋଷ୍ଠ    ପ୍ରଶାସନ ପକ୍ଷରୁ ତିଆରି କରାଯାଇଛି ।


ପୂଜକ
କେତେ ଦିନ ହେଲା ସିଦ୍ଧି ତାନ୍ତ୍ରିକ ପୁରୁଷ ଶ୍ରୀ ଦୟାନିଧି କାଲୋ ନାମକ ଜଣେ ବ୍ୟକ୍ତି ଏହି ମନ୍ଦିରର ପୂଜକ ଅଛନ୍ତି । କ୍ଷତ୍ରିୟ ପରିବାର ଜଣେ ଯୁବକ ମାଁଙ୍କ ସେବା ପୂଜା ଚଳାଇ ଆସୁଛନ୍ତି । ରାମପୁର ଜାମିଦାର ଶ୍ରୀ ରାମଚଣ୍ଡୀ ଗୁମ୍ଫାରେ ଦେବୀଙ୍କ ନିୟମିତ ପୂଜା ଉପାସନା  କାର୍ଯ୍ୟ କରିବା ଗୋଟିଏ ପୂଜକ ନିଯୁକ୍ତି କରି  ବୃତ୍ତି ପ୍ରଦାନ କରୁଛନ୍ତି ।


ପୂଜା ଓ ପରମ୍ପରା
 ଶ୍ରୀ ରାମଚଣ୍ଡୀ ଗୁମ୍ଫା ଦ୍ୱାର ସାଧାରଣତଃ ପ୍ରତ୍ୟୁଷରୁ ମଧ୍ୟାହ୍ନକାଲ ପର୍ଯ୍ୟନ୍ତ ଏବଂ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ଖୋଲା ରହିଥାଏ । ବହୁ ଦୂରରୁ ଯାତ୍ରୀ ଓ ଭକ୍ତମାନେ ଦର୍ଶନ ସକାଶେ ଏଠାକୁ ଆସିଥାନ୍ତି । ଅନେକ ମାନସିକ କରିଥିବା ଭକ୍ତ ଗଣ  ଭୋଗ ଏବଂ ବଳିଦାନ ରୀତିନୀତି ପୁରାଣ କରିବା ପାଇଁ ମାଁଙ୍କ ପାଖକୁ  ଆସିଥାନ୍ତି  । ଶ୍ରୀ ରାମଚଣ୍ଡୀଙ୍କ ପୂଜା ଉପାସନା ପରମ୍ପରା ଅନୁସାରେ ପ୍ରତିଦିନ ଅନୁସାରେ ପ୍ରତିଦିନ ସାଧାରଣ ଭୋଗ ପୂଜା ବ୍ୟତୀତ ପ୍ରତ୍ୟେକ ମଙ୍ଗଳବାର ଦିନ ଛାଗବଳୀ ସମ୍ପୂର୍ଣ୍ଣ କରାଯାଇଥାଏ । ପ୍ରତ୍ୟେକ ଆଶ୍ଵିନ ମାସ ଶୁକ୍ଳ ପକ୍ଷରେ ନବରାତ୍ରୀ କାଳୀନ ପୂଜା ମହୋତ୍ସବ ବିପୁଳ ଉତ୍ସାହ ଓ  ଉଦ୍ଦୀପନା ସହିତ ପୂରଣ କରାଯାଇଥାଏ । ଚୈତ୍ରମାସ ଶୁକ୍ଳ ପକ୍ଷରେ ଅଧିକାଂଶ ସମୟରେ ପୂଜା , ହୋମ , ଯଜ୍ଞ ପ୍ରଭୃତି କରାଯାଇଥାଏ ।

ଅଭିପ୍ରାୟ
ପ୍ରଶାସନିକ ଅବହେଳା ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଉଦାସୀନତା କାରଣରୁ ଶ୍ରୀ ରାମଚଣ୍ଡୀ ଗୁମ୍ଫା ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଉପଯୁକ୍ତ ସ୍ଥାନ ପାଇବାରେ ବଞ୍ଚିତ ରହିଥିବା ଅଧିକ କ୍ଷୋଭର ବିଷୟ । ଏଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପାନ୍ଥଶାଳା ନିର୍ମାଣ କରିବା ସହିତ ଏହି ପୀଠ ଉନ୍ନୟନ  ପାଇଁ  ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି ।
ତେଣୁ ଏହି ପ୍ରାଚୀନ ଶକ୍ତି ପୀଠ ମହତ୍ତ୍ଵ ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମହାନଦୀ କୋଇଲା କମ୍ପାନୀ ତଥା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗ ବିଧିବଦ୍ଧ ପ୍ରୟାସ ହେବା ଆବଶ୍ୟକ ।


ମୁଖ୍ୟ ଆକର୍ଷଣ
ଆପଣ ମାଁଙ୍କ ଆଧ୍ୟାତ୍ମିକ ବାତାବରଣରେ  ବିଶ୍ରାମ କରି ଶାନ୍ତି ଅର୍ଜନ କରିପାରିବେ । ପର୍ବତ ଶୀର୍ଷରୁ ଏଠାକାର ବଣର ସବୁଜିମା ଦେଖି ମନ ପ୍ରଫୁଲ୍ଲିତ ହୋଇ ଉଠେ । ହେଟାବାଘ, ବିଲୁଆ ଓ ମାଙ୍କଡ ଇତ୍ୟାଦି ବନ୍ୟା ଜନ୍ତୁ ନିର୍ଭୟରେ ଏଠାକାର ଅରଣ୍ୟରେ ବିଚରଣ କରୁଥାନ୍ତି ।ଏହା ଏକ  ଆଧ୍ୟାତ୍ମିକ ଓ ପ୍ରାକୃତିକ ସ୍ଥାନ ଯେଉଁଠି ଆପଣ ୨ ରୁ ୩ ଘଣ୍ଟା ଅକ୍ଲେଶରେ ଅତିବାହିତ କରିପାରିବେ । ଏଠାରେ ଆପଣ ସ୍ଥାନୀୟ ଡଙ୍ଗା ସାହାଯ୍ୟରେ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ସମୀପରୁ ଅବଲୋକନ କରିପାରିବେ । ବର୍ଷା ଋତୁରେ ନଦୀ ଜଳର  ଗଭୀରତା ପ୍ରାୟ ୨୦ ରୁ ୩୦ ଫୁଟ ହୋଇଥାଏ ଯାହା ପୀଠର ସୁନ୍ଦରତାକୁ ପୁଲ୍ଲକିତ କରିଥାଏ ।ଯଦି ଆପଣ ଭାଗ୍ୟଶାଳୀ ଥିବେ ତେବେ ଆପଣ ବ୍ରିଟିଶ ନିର୍ମିତ ସେତୁ ଉପରୁ ଟ୍ରେନ ଅତିକ୍ରମକୁ ହୃଦୟଙ୍ଗମ କରିପାରିବେ , ଯେଉଁଟା ସର୍ପ  ଖେଳନା ପରି ଦେଖା ଯାଏ । ଏହା ବଣଭୋଜି ପାଇଁ ଉଦ୍ଧିଷ୍ଟ ସ୍ଥାନ ଅଟେ ।

କିପରି ପହଞ୍ଚିପାରିବେ
ଏହି ପବିତ୍ର ସ୍ଥଳଟି ବ୍ରଜରାଜନଗର ସହର ପାଖରେ ଅବସ୍ଥିତ ଓ ଝାରସୁଗୁଡା ଠାରୁ ପ୍ରାୟ ୧୫ କିଲୋମିଟର ହେବ।  ପବିତ୍ର ସ୍ଥଳଟି ଓରିଏଣ୍ଟ କାଗଜ କଳ ପାଖରେ ମଧ୍ୟ ଅବସ୍ଥିତ ଯହିଁକୁ ପହଞ୍ଚିବାକୁ ଝାରସୁଗୁଡାରୁ ପ୍ରାୟ ୩୦ ମିନିଟ ସମୟ ଲାଗେ । ଆପଣ କାର୍ କିମ୍ବା ମୋଟର ସାଇକେଲ ରେ ସହଜରେ  ରାମଚଣ୍ଡୀ ପୀଠକୁ ଯାଇପାରିବେ । ଝାରସୁଗୁଡ଼ା ଜିଲ୍ଲାର ବ୍ୟତୀତ ଅନ୍ୟ ଜିଲ୍ଲାର ଯାତ୍ରୀ ମାନେ ଝାରସୁଗୁଡାକୁ ବସ କିମ୍ବା ଟ୍ରେନ ଯୋଗେ ଝାରସୁଗୁଡାକୁ ଅଳ୍ପ ସମୟରେ ପହଁଞ୍ଚି ପାରିବେ । ତା ପରେ ଆପଣ  ଝାରସୁଗୁଡ଼ା ବସଷ୍ଟାଣ୍ଡରୁ ମଟରଗାଡ଼ି ଭାଡ଼ାରେ ନେଇ ପୀଠକୁ ଶୀଘ୍ର ପହଁଞ୍ଚି ପାରିବେ । ଯେଉଁମାନେ ସ୍ଥାନୀୟ ବସ ମାଧ୍ୟମରେ ଯାତ୍ରା କରିବା ପାଇଁ  ଚାହୁଁଥିଲେ ସେମାନେ ଝାରସୁଗଡ଼ାରୁ ବ୍ରଜରାଜନଗର ପାଇଁ ଝାରସୁଗୁଡ଼ା ବସ ଷ୍ଟାଣ୍ଡରୁ ବସ ପାଇଯିବେ ।ଏହି ପବିତ୍ର ପୀଠଟି ବ୍ରଜରାଜନଗର ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ।ବ୍ରଜରାଜନଗର ଠାରୁ ଚାଲିବା ଅପେକ୍ଷା ଗାଡ଼ି ଭଡ଼ା ନେଇ ଚଣ୍ଡୀମନ୍ଦିରକୁ ସହଜ ଓ ଅଳ୍ପ ସମୟରେ ପହଞ୍ଚି ପାରିବେ ।

-----------------------------------------------------------------------------

ଲେଖକ :- ରୋହିତ କୁମାର ଲୋହରା                 ପୁରୁଣାବସ୍ତି , ଝାରସୁଗୁଡ଼ା

ସହଯୋଗ :- ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ
                ପୁରୁଣାବସ୍ତି , ଝାରସୁଗୁଡ଼ା


Comments

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda