ଅଢ଼ାପଡ଼ାର ପ୍ରଚୀନ ଶୈବପୀଠ – ଶ୍ରୀ ପଶ୍ଚିମେଶ୍ୱର ମନ୍ଦିର
ଝାରସୁଗୁଡ଼ାର ଅଷ୍ଟସମ୍ଭୁ ଜିଲ୍ଲାର ୮ଟି ପ୍ରଚୀନ ଶୈବପୀଠକୁ ନେଇ ଗଠିତ । ପରମେଶ୍ୱର କେବଳ ଗୋଟି ରୂପରେ ନୁହେଁ ବରଂ ଅନେକ ରୂପେ ରେ ଜନକଲ୍ୟାଣ କରିଥାନ୍ତି । ଯେଉଁ କାଳରେ ଯେଉଁ ରୂପେ ଆବିର୍ଭାବ ହୋଇଥାନ୍ତି ଭକ୍ତଗଣ ତାଙ୍କୁ ସେହି ରୂପରେ ପୂଜାର୍ଚ୍ଚନା କରିଥାନ୍ତି । ଏହି ଅଷ୍ଟସମ୍ଭୁ ଗୁଡ଼ିକ ଜିଲ୍ଲାକୁ ରମଣୀୟ କରିବା ସଙ୍ଗେ ସଙ୍ଗେ ଜିଲ୍ଲାକୁ ବିଭିନ୍ନ ପ୍ରାକୃତିକ ବିପତ୍ତିରୁ ରକ୍ଷା ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ସୁତରାଂ ସ୍ଥାନୀୟ ଭକ୍ତଗଣ ନିଜ ପରିବାରର ସୁଖ ଓ ସମୃଦ୍ଧି ପାଇଁ ଶ୍ରୀ ଅଷ୍ଟସମ୍ଭୁଙ୍କ ପୂଜା ଓ ଉପାସନା ବିଧିବଦ୍ଧ ହିସାବରେ କରିଥାନ୍ତି । ମନ୍ଦିରର ପ୍ରବେଶ ଦ୍ବାର ପଶ୍ଚିମାମୁଖୀ ହୋଇଥିବାରୁ ଏହି ମନ୍ଦିର ଓ ଶ୍ରୀ ଲିଙ୍ଗଙ୍କୁ ଯଥାକ୍ରମେ ପଶ୍ଚିମେଶ୍ୱର ମନ୍ଦିର ଓ ପଶ୍ଚିମେଶ୍ୱର ବାବା ନାମରେ ବିବେଚନା କରାଯାଏ। ଝାରସୁଗୁଡ଼ା ସଦର ମହକୁମା ଠାରୁ ଜାତୀୟ ରାଜପଥ ୨୦୦ ନ. ଭାୟା ବେଳପାହାଡ଼ ଦେଇ ଅଢ଼ାପଡ଼ା ପୁରୁଣାବସ୍ତି ୪୨ କି:ମି ଦୂରରେ ଅବସ୍ଥିତ ପୁରୁଣା ଅଢ଼ାପଡ଼ା ଶୈବପୀଠ । ଆଜିକୁ ପ୍ରାୟ ୪୦୦ ବର୍ଷ ତଳର ପାତାଳୀ ଲିଙ୍ଗକୁ ହାତରେ ସ୍ପର୍ଶ କରି ,ଦର୍ଶନାର୍ଥୀ ଭଗବାନଙ୍କ ସମୀପରେ ଅନୁଭୂତି କରିଥାନ୍ତି ।
![]() |
(ପଶ୍ଚିମେଶ୍ୱର ମନ୍ଦିର) |
ଦ୍ଵାଦଶ ଶତାଦ୍ଦୀର ମଧ୍ୟଭାଗରେ ଭାରତର ଶେଷ ହିନ୍ଦୁ ସମ୍ରାଟ ପୃଥିବୀରାଜ ଚୌହାନଙ୍କର ବଂଶଧର ରାମଇଦେବ ( ରାମଚନ୍ଦ୍ର ଦେବ ) ପାଟଣା(ଆଧୁନିକ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼) ନାମକ ଏକ ସ୍ୱାବଲମ୍ୱୀ ରାଜ୍ୟ ପ୍ରଚୀନ ଦକ୍ଷିଣ କୋଶଳ ଖଣ୍ଡ ( ଆଧୁନିକ ପଶ୍ଚିମ ଓଡ଼ିଶା ) ରେ ସ୍ଥାପନ କରିଥିଲେ । ତାଙ୍କର ବଂଶଧର ରାଜା ବଳରାମ ଦେବ ପଞ୍ଚଦଶ ଶତାଦ୍ଦୀରେ ହୀରାଖଣ୍ଡ ସାମ୍ରାଜ୍ୟ (ସମ୍ବଲପୁର ରାଜ୍ୟ) ପ୍ରତିଷ୍ଠା କରିଥିଲେ । ଚୌହାନ ବଂଶୀୟ ବିଭିନ୍ନ ରାଜତ୍ୱ କାଳରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଶୈବପୀଠମାନଙ୍କରେ ସ୍ୱୟଂଭୂ ଶ୍ରୀଲିଙ୍ଗ ଆବିର୍ଭୁତ ହୋଇଥିବାର ଆଲୌକିକ କିମ୍ବଦନ୍ତୀମାନ ଅଦ୍ୟାବଧି ଜନସୃତିରେ ବିଦ୍ୟମାନ ରହିଛି ।
ହୀରାଖଣ୍ଡ ସାମ୍ରାଜ୍ୟ ନାମରେ ପରିଚିତ ସମ୍ବଲପୁର ରାଜ୍ୟରେ ୧୮ଟି ଗଡ଼ ସ୍ଥାପନ କରାଯାଇଥିଲା । ରାଜ୍ୟ ଶାସନ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଗଡ଼ମାନଙ୍କରେ ଜଣେ ସେନା ନାୟକୁ 'ଗଡ଼ତିଆ' ରୂପେ ନିଯୁକ୍ତି କରାଯାଉଥିଲା । ସେହି ଗଡ଼ମାନଙ୍କର ମଧ୍ୟରେ ଅନ୍ୟତମ ଗଡ଼ ଥିଲା ରାମ୍ପେଲା ଯାହା ଇରାବତୀ ନଦୀରେ ( ଆଧୁନିକ ଇବ୍ ନଦୀ ) ଅବବାହିକାରେ ଅବସ୍ଥିତ ଥିଲା । ଉକ୍ତ ଗଡ଼ର ପ୍ରାଚୀନ ନାମ ଥିଲା ରାମ୍ୟପଲ୍ଲୀ । ରମ୍ପେଲା ଗଡ଼ତିଆଙ୍କ ଇଷ୍ଟଦେବତା ବାବା ଶ୍ରୀପଶ୍ଚିମେଶ୍ୱର ମନ୍ଦିର ତାଙ୍କର ପ୍ରସାଦର ଉତ୍ତରପୂର୍ବ ପାର୍ଶ୍ଵରେ ଅବସ୍ଥିତ ଥିଲା । ମନ୍ଦିରର ଠିକ ପୂର୍ବ ଦିଗରେ ମଧୁବନ ନାମକ ଆମ୍ର କାନନ ଓ ପଶ୍ଚାତରେ ଅଢ଼ାପଡ଼ା ଗ୍ରାମ ଥିଲା । ଉଭୟ ଆମ୍ର କାନନ ଓ ମନ୍ଦିର ମଧ୍ୟ ଭାଗରେ ଏକ କ୍ଷୁଦ୍ର ଝରଣା ପ୍ରବାହିତ ହେଉଥିଲା ।
ଇତିହାସ
ଚୌହାନ ବଂଶୀୟ ଶେଷ ରାଜା ରୂପେ ମହାରାଜ ସାଏ ସମ୍ବଲପୁର ରାଜ୍ୟରେ ଶାସନ କାଳ (୧୮୧୮-୨୭) ମଧ୍ୟରେ ରାମ୍ପେଲାର ଗଡ଼ତିଆ ରୂପେ ଲୋକନାଥ ପଣ୍ଡା ନିଯୁକ୍ତି ପାଇଥିଲେ । ସେ ସମୟରେ ଇଂରେଜମାନଙ୍କର ପରୋକ୍ଷ ନିୟନ୍ତ୍ରଣରେ ରାଜ୍ୟର ଶାସନ କାର୍ଯ୍ୟ ଚାଲିଥିଲା । କିନ୍ତୁ ଇଂରେଜ କତ୍ତୃପକ୍ଷ ରାଜଙ୍କ ମୃତ୍ୟୁ ପରେ ସମ୍ବଲପୁର ରାଜ୍ୟ ଦାଖଲ କରି ପ୍ରତ୍ୟକ୍ଷ ଶାସନ ଅଭିପ୍ରାୟ ରଖି ସତତ ପ୍ରୟାସ କରିଥିଲେ । ଏହା ସମେତ କୂଟନୀତି ପୂର୍ଣ ଇଂରେଜ କତ୍ତୃପକ୍ଷ ବିଧବା ରାଣୀ ମୋହନ କୁମାରୀକୁ ରାଜ ସିଂହାସନରେ ବସାଇ ତାଙ୍କ ନାମରେ ସମ୍ବଲପୁର ରାଜ୍ୟରେ ଶାସନ କାର୍ଯ୍ୟ ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରଣ କଲେ । ଇଂରେଜମାନେ ନାମମାତ୍ର ରାଣୀଙ୍କ ଶାସନ ଆଳରେ ପ୍ରଜା ,ଜାମିଦାର ଓ ସାମନ୍ତ ରାଜାମାନଙ୍କ ଠାରୁ ଅତ୍ୟଧିକ ହାରରେ କର ଆଦାୟ କରି ପ୍ରଜାମାନଙ୍କ ଉପରେ ଜୁଲମ ଅତ୍ୟାଚାର ଆରମ୍ଭ କରିବା ଫଳରେ ସମ୍ପୃକ୍ତ ପ୍ରଜାମାନଙ୍କ ସମେତ ଗଡ଼ତିଆ, ଜମିଦାର ଓ ସାମନ୍ତ ରାଜାମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା । ନିରୀହ ବ୍ୟକ୍ତିମାନଙ୍କୁ କର ପ୍ରଦାନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା ।
ସର୍ବ ପ୍ରଥମେ ମହାରାଜ ସାଏଙ୍କ ଉତ୍ତରାଧିକାରୀ ଭାବରେ ତାଙ୍କ ବଂଶ ଧର ଝାରସୁଗୁଡ଼ା ଜାମିଦାର ଗୋବିନ୍ଦ ସିଂହ ଇଂରେଜ କତ୍ତୃପକ୍ଷଙ୍କ ବିରୁଦ୍ଧରେ ଆନ୍ଦୋଳନ ସୃଷ୍ଟି କରିବା ସହିତ ସମ୍ବଲପୁର ରାଜ ସିଂହାସନ ପାଇଁ ଦାବୀ କରିଥିଲେ । ଖିଣ୍ଡାର ଜାମିଦାରଙ୍କ ବଂଶଧର ସୁରେନ୍ଦ୍ର ସାଏ ଅନ୍ୟତମ ପ୍ରତିଦ୍ୱନ୍ଦୀ ରୂପେ ଏହି ରାଜସିଂହାସନର ଦାବୀ କରିଥିଲେ । ଜାମିଦାର ଓ ଗଣ୍ଡ ପ୍ରଜାମାନେ ସାଏଙ୍କ ବିଦ୍ରୋହକୁ ଅଧିକ ବ୍ୟାପକ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
କିନ୍ତୁ ଇଂରେଜ କତ୍ତୃପକ୍ଷ ସମ୍ବଲପୁରରେ ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହେଉଥିବା ପ୍ରବଳ ବିଦ୍ରୋହକୁ ନିଷ୍କ୍ରିୟ କରିବା ନିମନ୍ତେ ଗୁପ୍ତଚୋର ନିଯୁକ୍ତି କରିବା ସମତେ ସୈନ୍ୟ,ତୋପ,ବନ୍ଧୁକ ବ୍ୟବସ୍ଥା କରିଥିଲେ । ଝାରସୁଗୁଡ଼ା ଜାମିଦାର ଗୋବିନ୍ଦ ସିଂହ ଇଂରେଜ ସୈନ ବିରୁଦ୍ଧରେ ପ୍ରବଳ ଯୁଦ୍ଧ କରି ୧୮୩୩ ଖ୍ରୀଷ୍ଟାବ୍ଦରେ ମେଜର ଉଇଲକିନସନଙ୍କ ଦ୍ଵାରା ବନ୍ଦୀ ହୋଇଥିଲେ । ଯଦିଓ ଇଂରେଜ ସରକାର ତାଙ୍କୁ ଦୀର୍ଘ ସାତ ବର୍ଷ ପର୍ଯ୍ୟନ୍ତ କାରାରୁଦ୍ଧ କରିଥିଲେ କିନ୍ତୁ ତାଙ୍କର ବିଦ୍ରୋହକୁ କୂଟନୀତି ମାଧ୍ୟମରେ ସମାପ୍ତ କରିବା ପାଇଁ ତାଙ୍କୁ ହଠାତ୍ ମୁକ୍ତି କରି ମାଫିଦାର ବା ନିଷ୍କର ଜାଗୀର ପ୍ରଦାନ କରିଥିଲେ । ତେଣୁ ବିପ୍ଳବୀ ଗୋବିନ୍ଦ ସିଂହ ସମ୍ବଲପୁର ରାଜ୍ୟ ଦାବୀ ପ୍ରତ୍ୟାହାର କରି କ୍ଷାନ୍ତ ରହିଲେ । କିନ୍ତୁ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କର ଭାଇମାନେ ଏହି ବିଦ୍ରୋହକୁ ଭୟଙ୍କର ରୂପରେ ବଦଳାଇ ଇଂରେଜ କତ୍ତୃପକ୍ଷକୁ ଆତଙ୍କିତ କରିଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ସଶସ୍ତ୍ର ସଂଗ୍ରାମ ପଶ୍ଚାତରେ କୋଲବୀରା ,ରମ୍ପେଲା ,ଘେଁସ,ଲେଖନପୁର, ପାଟକୁଲୁଣ୍ଡା, ପାହାଡ଼ ଶ୍ରୀଗୀଡ଼ା ପ୍ରଭୁତିର ଗଡ଼ତିଆ ଓ ଜାମିଦାର ଏବଂ ପ୍ରଜାମାନେ ସଙ୍ଗଠିତ ହୋଇଥିଲେ ।
ଏହି ବିପ୍ଳବର ମୁଖ୍ୟ ପୃଷ୍ଟପୋଷକ ଓ ଦୃଢ ସମର୍ଥକ ରୂପେ ରାମ୍ପେଲାଗଡ଼ତିଆ ଲୋକନାଥ ପଣ୍ଡା ବୀର ସୁରେନ୍ଦ୍ର ସାଏଙ୍କ ସହିତ ଯୋଗଦାନ କରିଥିଲେ । ଲୋକନାଥ ପଣ୍ଡାଙ୍କ ପ୍ରସାଦ ସାମରିକ ଦୃଷ୍ଟି କୋଣରୁ ଏକ ଅଭେଦ୍ୟ ଦୁର୍ଗଭଲି ଥିଲା । ଶତ୍ରୁଙ୍କ ଆକସ୍ମିକ ଆକ୍ରମଣକୁ ପ୍ରତିହତ କରି ସୁରକ୍ଷା ପ୍ରଦାନ କରିବାପାଇଁ ପ୍ରସାଦର ମଧ୍ୟଭାଗରେ ଏକ ଗୁପ୍ତ ସୁଡ଼ଙ୍ଗ ମାର୍ଗ ଯୁକ୍ତ ଭୂମି ତଳ କକ୍ଷ ନିର୍ମିତ ହୋଇଥିଲା। ଉକ୍ତ କକ୍ଷ ପାର୍ଶ୍ଵରେ ଗଡ଼ତିଆଙ୍କ ଧନରତ୍ନ ଭଣ୍ଡାର ସହିତ ଯୁଦ୍ଧ ବିଗ୍ରହ କାଳରେ ସପରିବାର ଆତ୍ମଗୋପନ କରିବା ପାଇଁ ପ୍ରକୃଷ୍ଟର ବ୍ୟବସ୍ଥା ଥିଲା । ପଣ୍ଡାଙ୍କ ପାଞ୍ଚଟି ପୁତ୍ରମାନଙ୍କ ପାଇଁ ପ୍ରସାଦର ପରିସରରେ ପାର୍ଶ୍ଵରେ ସ୍ଵତନ୍ତ୍ର ବାସଗୃହ ନିର୍ମିତ ହୋଇଥିଲା । ପ୍ରସାଦର ଅନତି ଦୂରରେ ଯଥାକ୍ରମେ ଅଶ୍ଵଶାଳା, କୂଳ ପୁରୋହିତ ଗୃହ ଏବଂ ନାପିତ କୁଟୀର ଥିଲା । ସେ କାଳରେ ଗଡ଼ତିଆଙ୍କ ପ୍ରାସାଦ ପାର୍ଶ୍ଵଦେଇ ପ୍ରଜାମାନଙ୍କ ଯାତାୟତ ନିଷେଧ ଥିଲା । ଫଳରେ ଗ୍ରାମ ଗୃହବଧୂ ମାନେ ଏହି ପ୍ରସାଦର ସମୀପରେ ଦେଇ ଆଦୌ ଚଳଚଞ୍ଚଳ କରୁ ନ ଥିଲେ । ରମ୍ପେଲା ଗଡ଼ତିଆ ଲୋକନାଥ ପଣ୍ଡାର ଇଷ୍ଟଦେବତା ଶ୍ରୀ ପଶ୍ଚିମେଶ୍ୱର ମନ୍ଦିର ତାଙ୍କ ପ୍ରସାଦ ଠାରୁ ପୂର୍ବ ଦିଗରେ ପ୍ରାୟ ୪ କିଲୋମିଟର ବ୍ୟବଧାନରେ ଅବସ୍ଥିତ ଥିଲା । ଅଢ଼ାପଡ଼ା ଗ୍ରାମଟି ଏହାର ପୂର୍ବ ଦିଗରେ ଅତି ନିକଟରେ ରହିଥିଲା ।
ରମ୍ପେଲା ଗଡ଼ତିଆ ଲୋକନାଥ ପଣ୍ଡା ଅତ୍ୟନ୍ତ ପ୍ରଭାବଶାଳୀ ଓ ସାହସୀ ପୁରୁଷ ଥିଲେ । ସେ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କୁ ଇଂରେଜ ବିରୁଦ୍ଧରେ ସଶସ୍ତ୍ର ଯୁଦ୍ଧ ଅଭିଯାନ କାଳରେ ତାଙ୍କ ପ୍ରାସାଦର ଭୂମି ତଳ କକ୍ଷରେ ଅନେକ ଥର ଗୋପନ ଆଶ୍ରୟ ଦେଇଥିଲେ। ସୁତରାଂ ଇଂରେଜ କତ୍ତୃପକ୍ଷ ପ୍ରେରିତ ଗୁପ୍ତଚୋରମାନେ କିମ୍ବା ପୋଲିସ ବାହିନୀ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କୁ ଆଦୌ ସନ୍ଧାନ କରି ପାରୁନଥିଲେ । କିନ୍ତୁ ସୁରେନ୍ଦ୍ର ସାଏ ମାତୃଭୂମିରୁ ବିଦେଶୀ ଇଂରେଜମାନଙ୍କୁ ବହିଷ୍କାର କରିବା ପାଇଁ ଅଭିପ୍ରେତ ଏହି ବିପ୍ଲବ ଅଭିଯାନକୁ ଚିରଦିନ ପାଇଁ ଆତ୍ମଗୋପନ କରି ଏତେ ଶିଘ୍ର ସ୍ଥଗିତ ରଖିବା ପାଇଁ ପ୍ରସ୍ତୁତ ନଥିଲେ । ବିପ୍ଲବୀ ସୁରେନ୍ଦ୍ର ସାଏ ଦୀର୍ଘ ୩୫ ବର୍ଷ କାଳ ଇଂରେଜ ଶକ୍ତି ବିରୁଦ୍ଧରେ ପ୍ରବଳ ସଂଗ୍ରାମ କରି ନିରସ୍ତ୍ର ଅବସ୍ଥାରେ ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କ ସହିତ ଲୋକନାଥ ପଣ୍ଡା ମଧ୍ୟ କାରାବାସରେ ଦଣ୍ଡ ଭୋଗ କରିଥିଲେ । ଦୀର୍ଘ ବର୍ଷ କାଳ ମଧ୍ୟପ୍ରଦେଶର ଅସିରାଗଡ଼ ଜେଲରେ ନିର୍ବାସିତ ଜୀବନ ଅତିବାହିତ କଳାପରେ ୧୮୬୯ ମସିହା ସେପ୍ଟେମ୍ବର ୧୭ ତାରିଖ ଦିନ ଇହଧାମ ତ୍ୟାଗ କରିଥିଲେ ।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭାରତ ସ୍ୱାଧୀନ ହେଲା ପରେ ଓଡ଼ିଶାର ମହାନଦୀରେ ଏସିଆର ଦୀର୍ଘତମ ମାଟିବନ୍ଧ ହୀରାକୁଦ ଜଳଭଣ୍ଡାର ପରି ଯୋଜନା କାର୍ଯ୍ୟକାରୀ ହେଲା । ଏହା ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଅନେକ ଗ୍ରାମ ଜଳମଗ୍ନ ହେଇଥିଲେ ବି ଏହି ଜଳଭଣ୍ଡାରର ଉତ୍ତର ପଶ୍ଚିମ ତଟଦେଶ ଅବସ୍ଥିତ ବନହରପାଲି ଉପକଣ୍ଠରେ ଅବସ୍ଥିତ ସେଇ ପ୍ରଚୀନ ଶ୍ରୀ ପଶ୍ଚିମେଶ୍ୱର ମନ୍ଦିର ସମସ୍ତ ଘଟଣାର ମୂକ ସାକ୍ଷୀ ରୂପେ ବିଦ୍ୟମାନ ଅଛି । ପଶ୍ଚିମେଶ୍ୱର ମନ୍ଦିରର ସ୍ୱୟଂଭୂ ଶ୍ରୀ ଲିଙ୍ଗ କେବେ ଆବିର୍ଭାବ ହୋଇଥିଲେ ସେ ବିଷୟରେ ସଠିକ ରୂପେ ବିବରଣୀ ପ୍ରଦାନ କରିବା ଅସମ୍ଭବ । କିନ୍ତୁ ରମ୍ପେଲା ଗଡ଼ତିଆ ଅମଳରେ ଏହି ପ୍ରଚୀନ ପୀଠରେ ମନ୍ଦିର ନିର୍ମାଣ ଅନୁଧ୍ୟାନ କରାଯାଇଛି ।
ପୌରାଣିକ
ଆଦ୍ୟ ରାଜା ରାଜୁଡ଼ି କାଳରେ , ଅଢାପଡ଼ା ଗାଁରେ ସାଂ ବଂଶ ନାମ ସୁପରିଚିତ ଥିଲା । ଗ୍ରାମର କୋଣରେ ଥିବା ରାଣୀବନ୍ଧ ପୋଖରୀରୁ ନାଳ ଖୋଲି ଚାଷ ଜମି ଉପରେ ଜଳସେଚନ କରିବା ପାଇଁ ଯୋଜନା ସାଂ ବଂଶ କାର୍ଯ୍ୟକାରୀ କଲେ ।କିନ୍ତୁ ନାଲ ଖୋଲିବା ବେଳେ ଭୂମିରୁ ରକ୍ତସ୍ରାବ ଘଟଣା ସମସ୍ତ ଗ୍ରାମବାସୀକୁ ଆତଙ୍କିତ କଲା । ଏହା ସମେତ ଉକ୍ତ ରାତିରେ ଭଗବାନ ଶିବ ସାଂ ବଂଶର ମୁଖିଆ ଜନୈକଙ୍କୁ ସ୍ବପ୍ନଦେଶ ଦେଇ ତାଙ୍କ ଉପସ୍ଥିତିକୁ ପ୍ରତିପାଦନ କଲେ । ଫଳରେ ନାଳ ଖୋଲିବା କାର୍ଯ୍ୟକୁ ସ୍ଥଗିତ ରଖି ପରେ ସମ୍ପୂର୍ଣ୍ଣ ବନ୍ଦ କରାଗଲା ।
ଦିନେ ଗ୍ରୀଷ୍ମ ଋତୁର ଶୋଖିଲା ରାଣୀବନ୍ଧ ପୋଖରୀରେ ସାଂ ବଂଶର ପୋଢ଼ କାଦୁଅରେ ଶୋଇ ଉଠିଲା ବେଳକୁ ଅକସ୍ମାତ ସିଂଘରେ ହଣ୍ଡାର ହତା ଫସିଗଲା । ରାତି ଅଧରେ ମଇଁଷିଟି ହଣ୍ଡାକୁ ଟେକି ଘୋଷାଡ଼ି ମାଲିକ ଘରକୁ ନେଲା । ସା ଘର ମାଲିକ ହଣ୍ଡାର ଢାକୁଣୀକୁ କାଢ଼ିଲେ ଓ ରୂପାରେ ଟଙ୍କା ଭର୍ତ୍ତି ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଲେ ।
ପୂର୍ବରୁ ଦେଖିବା ଶିବଙ୍କ ସ୍ୱପ୍ନକୁ ସ୍ୱରଣ କରି, ଭଗବାନ ମନ୍ଦିର ନିର୍ମାଣ କରିବା ପାଇଁ ମଇଁଷି ହାତରେ ଏସବୁ ଧନ ସମ୍ପତ୍ତିକୁ ମତେ ଦେଇ ପଠାଛନ୍ତି ଅନୁଭୂତି କରି ଅତ୍ୟନ୍ତ ପ୍ରସନ୍ନ ହେଲେ । କିନ୍ତୁ ଏଇ ଖବର ରାଜାଙ୍କ କାନରେ ପହଞ୍ଚିବା ପରେ , ରାଜା ଉକ୍ତ ସମସ୍ତ ସମ୍ପତ୍ତି ଆମ ପୂର୍ବ ପୁରୁଷ କହିବା ସହିତ ମନ୍ଦିର ତୋଳିବା ପାଇଁ ଅର୍ଥ ଦାନ କରିବା ପାଇଁ ଅନୁଗ୍ରହ ପୂର୍ବ ନିବେଦନ କଲେ । ସାଂ ପରିବାର ରାଜାକୁ ଅର୍ଥ ପ୍ରଦାନ କରି, ମନ୍ଦିର ନିର୍ମାଣ କାର୍ଯ୍ୟକୁ ଚାହିଁ ରହିଲେ । ପୂଜାରୀ ସେବାୟତ ,ମଜୁରୀ ଇତ୍ୟାଦି ମଧ୍ୟରେ କିଛି ଅର୍ଥ ଭାଗବଣ୍ଟା କରିବାର ଦୁର୍ବ୍ୟବହାର ଦେଖି କ୍ଷୋଭ ପ୍ରକାଶ ପୂର୍ବକ ଏ ମାଟିର ପାଣି ଆଉ ପିଇବି ନାହିଁ କହି ପଥର କଚାଡି ପଳାଇଗଲେ । ବର୍ତ୍ତମାନ ତାଙ୍କର ବଂଶଧର ସାହୁପଡାରେ ଅଡାପଡ଼ିଆ ସାଂ ଭାବରେ ପରିଚିତ । ରାଜା ଓ ରାଣୀ ପୋଖରୀର ବୁଢ଼ାସାଗରରେ ସ୍ନାନ କରୁଥିଲେ । ସ୍ନାନବେଳେ ରାଣୀଙ୍କ ଆଲୌକିକ ଶକ୍ତି ବଳରେ ପାଣିର ପଦ୍ମଫୁଲ ଉପରେ ଚାଲିପାରୁଥିଲେ । ଉଭୟ ପୋଖରୀ ଉପରକୁ ବଡ଼କଟା (ପୋଖରୀ) ଥିଲା । ସେ ସମୟରେ ମନ୍ଦିର ନିର୍ମାଣ ଚୂନ, ଗୁଡ଼, ଇଟା ଓ ପଥର ଇତ୍ୟାଦିରେ କରାଯାଉଥିଲା । ମନ୍ଦିର ତିଆରିରେ ଅର୍ଥ ଅଭାବ ଯୋଗୁଁ ରାଜା ପ୍ରଜାମାନଙ୍କ ଉପରେ ବିଭିନ୍ନ କର ବସାଉଥିଲେ । ଏହାର ପରବର୍ତ୍ତୀ ସମୟରେ ରାଣୀ ପଦ୍ମଫୁଳ ଉପରେ ଚାଲୁ ଚାଲୁ ବୁଢ଼ୀ ଗଲେ ଏବଂ ନିଃସନ୍ତାନ ରାଜା ପ୍ରାଣ ହରାଇବାରୁ ରାଜ ବଂଶ ଲୋପ ପାଇଲା ।
ନିର୍ମାଣ
ଏହି ପ୍ରଚୀନ ଶ୍ରୀ ପଶ୍ଚିମେଶ୍ୱର ମନ୍ଦିରର ଉଚ୍ଚତା ପ୍ରାୟ ୪୦ ଫୁଟ ହେବ । ଏହାର ପ୍ରବେଶ ଦ୍ଵାର ପଶ୍ଚିମା ମୁଖୀ ହୋଇଥିବାରୁ ଏହି ମନ୍ଦିର ନାମ ପଶ୍ଚିମେଶ୍ୱର ମନ୍ଦିର ପଡିଛି। ମନ୍ଦିରର ଦୈର୍ଘ୍ୟ ୭୫ ଫୁଟ ହେବ ଏବଂ ପ୍ରସ୍ଥ ୨୦ ଫୁଟ ହେବ। ଏହି ମନ୍ଦିରଟି ବାଲିଚୂନ ପ୍ରଲେପ ମୁକ୍ତ ପ୍ରସ୍ତର ଅତ୍ୟନ୍ତ ମନୋରମ ଶୈଳୀରେ ନିର୍ମିତ ହୋଇଛି । ମନ୍ଦିର ଚତୁଃପାର୍ଶ୍ୱରେ ପ୍ରସ୍ତର ପ୍ରଚୀର ରହିଛି ଏବଂ ଉତ୍ତର ପାର୍ଶ୍ୱଦେଇ ପାଚେରୀ ଦେଇ ମନ୍ଦିର ପରିସରକୁ ପ୍ରବେଶ ମାର୍ଗ ରହିଛି । ଏହା ବ୍ୟତୀତ ମନ୍ଦିରକୁ ପ୍ରବେଶ କରିବା ପାଇଁ ପୂର୍ବ ପାର୍ଶ୍ୱର ପାଚେରୀ ମଧ୍ୟରେ ଏକ ସ୍ୱତନ୍ତ୍ର କ୍ଷୁଦ୍ର ଦ୍ୱାର ମଧ୍ୟ ରହିଛି । ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ଭୋଗ ପ୍ରସ୍ତୁତି କକ୍ଷ ଥିଲା ।
ଶ୍ରୀ ହନୁମାନ ଏବଂ ଅନ୍ୟାନ୍ୟ ଦେବା ଦେବୀଙ୍କ ପ୍ରସ୍ତର ନିର୍ମିତ ମୂର୍ତ୍ତିମାନ ମନ୍ଦିର ସମ୍ମୁଖ ପରିସରରେ ସ୍ଥାପିତ କରାଯାଇଛି । ଯେକୌଣସି ଯାତ୍ରୀକୁ ଶ୍ରୀ ଲିଙ୍ଗର ଦର୍ଶନ ପାଇଁ ମନ୍ଦିର ନାଟ ମଣ୍ଡପ ଅତିକ୍ରମ କରି ଛଅ ଫୁଟ ଗଭୀରରେ ଥିବା ଗର୍ଭଗୃହକୁ ଏକ ପାବଚ୍ଛ ଶ୍ରେଣୀ ଦେଇ ପ୍ରବେଶ କରିବାକୁ ପଡ଼େ । ଶ୍ରୀ ପଶ୍ଚିମେଶ୍ୱର ଶ୍ରୀଲିଙ୍ଗ ମନ୍ଦିରର ଗର୍ଭଗୃହ କେନ୍ଦ୍ର ସ୍ଥଳରେ ପୂଜିତ ହୁଅନ୍ତି । ଶ୍ରୀ ପଶ୍ଚିମେଶ୍ୱର ମନ୍ଦିରର ଉତ୍ତରଦିଗ ଅନତି ଦୂରରେ ଏକ କ୍ଷୁଦ୍ର ପାହାଡ଼ ପାଦଦେଶରେ 'ରାଣୀସାଗର' ନାମକ ପୁଷ୍କରିଣୀ ଅବସ୍ଥିତ।
ଏହାର ପୂର୍ବ ପ୍ରାନ୍ତରେ ବୁଢ଼ାରଜାଙ୍କ ସୃତିପୀଠ କେତେଟି ବୃକ୍ଷର ଛାୟାବେଷ୍ଟିତ ଭୂମିରେ ଅଦ୍ୟାବଧି ଜରାକୀର୍ଣ୍ଣ ଅବସ୍ଥାରେ ବିଦ୍ୟମାନ । ଓଡ଼ିଶାରେ ଚୌହାନ ବଂଶର ପ୍ରତିଷ୍ଠାତା ହମିର ଦେବଙ୍କ ସୃତିରେ ତାଙ୍କ ପୁତ୍ର ପାଟଣା ରାଜ୍ୟର ରାଜା ରାମଇଦେବ ଦେବ (ରାମଚନ୍ଦ୍ର ଦେବ)ଙ୍କ ଶାସନ କାଳରେ ଏହି 'ବୁଢ଼ା ରାଜା' ସୃତିପୀଠ ସମ୍ବଲପୁର ରାଜ୍ୟର ସମସ୍ତ ଗଡ଼ତିଆ ଓ ଜାମିନଦାରମାନଙ୍କ ଶାସିତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିଲା ।
ସେହିପରି ହୀରଖଣ୍ଡ ସାମ୍ରାଜ୍ୟର ଗଡ଼ତିଆ 'ବୁଢ଼ାରଜା' ନାମରେ ହମିର ଦେବକୁ ଅଭିହିତ କରି ଜମିଦାର ଓ ପ୍ରଜାମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ । ସୋନପୁର, ସମ୍ବଲପୁର ଜିଲ୍ଲାର ତାଳବ ,ଝାରସୁଗୁଡ଼ା ଜିଲ୍ଲାର କୋଲାବୀରା,ଅଢ଼ାପଡ଼ା ପ୍ରଭୁତି ଅଞ୍ଚଳରେ ଅଦ୍ୟାବଧି ସୃତିପୀଠମାନ ରହିଅଛି ।ବର୍ତ୍ତମାନ ବହୁ ମଠ, ମନ୍ଦିର ଓଡିଶାରେ ଜମିଦାରୀ ଉଚ୍ଛେଦ ସାଧନ ହେଲାପରେ ରକ୍ଷଣାବକ୍ଷଣ ଅଭାବରେ କ୍ରମେ ଶ୍ରୀହୀନ ହୋଇଯାଉଛି ।
ପୂଜକ
ପ୍ରଥମେ ସେବାୟତ ବଡ଼ ପୁଝରୀ ପୂଜା ଉପାସନାରେ ଲିପ୍ତ ଥିଲେ । ବଡ଼ ପୁଝାରୀଙ୍କ ଭାତୃଦ୍ଵୟ ଯଥା ସୁରୁପୁଝାରୀ ଓ ଭୁବନେଶ୍ୱର ପୁଝାରୀ ଥିଲା । ତିନିଭାଇ ମଧ୍ୟରୁ ବଡଭାଇର ତିନୋଟି ପୁତ୍ରା ଓ ଅନ୍ୟ ଦୁଇଭାଇଙ୍କ ଗୋଟିଏ ଲେଖା ପୁତ୍ରା ଥିଲେ । ସେମାନଙ୍କ ବଂଶଧର ଦୁଃଖୁନ ଓ କମଳ ନିସନ୍ତାନ ହେତୁ ବଡ଼ପୁଝରୀଙ୍କ ପୁତ୍ରଗଣ ମହେଶ୍ୱର ଓ ନାରାୟଣ ବର୍ତ୍ତମାନ ସେମାନଙ୍କ ପୁତ୍ରମାନେ ଯଥାକ୍ରମେ ବିଶ୍ଵନାଥ, ଡିଲେଶ୍ୱର ଓ ବିଦ୍ୟାଧର ପୂଝାରୀ ଶ୍ରୀ ପଶ୍ଚିମେଶ୍ୱର ବାବାଙ୍କ ପୂଜା ସେବା କରି ନିଜ ନିଜ ପରିବାର ପୋଷଣ କରୁଛନ୍ତି ।
![]() |
(ପଶ୍ଚିମେଶ୍ୱର ବାବା) |
ଅଭିମତ
ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗର ଅବହେଳା ଯୋଗୁଁ ତାଙ୍କ ଅଧିନରେ ପରିଚାଳିତ ବହୁ ମନ୍ଦିରରେ ମରାମତି ଓ ସେବାପୂଜା ବ୍ୟବସ୍ଥା ଅଭାବ ଲାଗି ରହିଛି । ସେଥିପାଇଁ ଅବହେଳିତ ଶ୍ରୀ ପଶ୍ଚିମେଶ୍ୱର ମନ୍ଦିର ସେବାପୂଜା ଦାୟିତ୍ୱ ଅଢ଼ାପଡ଼ା ଗ୍ରାମର ଶ୍ରୀ ମହେଶ୍ୱର ପୁଝରୀ ବଂଶଧର ବଂଶାନୁକ୍ରମେ ଚଳାଇ ଆସୁଛନ୍ତି ।କିନ୍ତୁ ମନ୍ଦିର ଆବଶ୍ୟକୀୟ ମରାମତି ଓ ଉନ୍ନୟନ ପାଇଁ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ଆଦୌ ଦୃଷ୍ଟି ଦିଆଯାଉ ନାହିଁ । ଅତି କ୍ଷୋଭ ବିଷୟର ଏହି କି ଯେ ଏହି ପ୍ରଚୀନ ମନ୍ଦିର ବନହରପାଲି ସ୍ଥିତ ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ର ଠାରୁ ମାତ୍ର ପାଞ୍ଚ କିଲୋମିଟର ବ୍ୟବଧାନରେ ରହିଥିଲେ ମଧ୍ୟ ଏହି ପୀଠକୁ ରାସ୍ତା ଓ ବୈଦ୍ୟୁତିକ ସଂଯୋଗ ବ୍ୟବସ୍ଥା କରାଯାଇନାହିଁ । ସୁତଂରା ଝାରସୁଗୁଡା ଜିଲ୍ଲାର ଅଷ୍ଟସମ୍ଭୁ ପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀ ପଶ୍ଚିମେଶ୍ୱର ମନ୍ଦିର ସୁରକ୍ଷା ଓ ଉନ୍ନୟନ ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରି ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜନସାଧାରଣ ତଥା ପ୍ରଶାସନ ଦୃଷ୍ଟି ଆବଶ୍ୟକ ଅଛି ।
କିପରି ପହଞ୍ଚିବେ
ଆପଣ ବସ୍, ଟ୍ରେନ ଓ ଉଡାଜାହାଜ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାକୁ ପହଞ୍ଚି ପାରିବେ । ଅଢ଼ାପଡ଼ାର ପଶ୍ଚିମେଶ୍ୱର ମନ୍ଦିର ଝାରସୁଗୁଡା ଜିଲ୍ଲାରୁ କେବଳ ୪୦ କିଲୋମିଟର ଦୂରତାରେ ଅବସ୍ଥିତ ଯାହାକୁ ଆପଣ ପ୍ରାୟ ୧ ଘଣ୍ଟା ଯାତ୍ରାରେ ପହଁଞ୍ଚି ପାରିବେ । ଝାରସୁଗୁଡ଼ା ବସ ଷ୍ଟାଣ୍ଡରେ ଆପଣ ଦିନକୁ ୪-୫ ଟା ବସ ପଶ୍ଚିମେଶ୍ୱର ମନ୍ଦିର ଯିବା ପାଇଁ ପାଇଯିବେ । ଆପଣଙ୍କୁ ବସରେ ଗଲେ ଥର୍ମାଲ ରେ ଓହ୍ଲାଇଲାବାକୁ ପଡ଼ିବ । ଏହା ବ୍ୟତୀତ ଆପଣ ନିଜର ଗାଡ଼ି କିମ୍ବା ମଟର ଗାଡ଼ି ଭଡ଼ାରେ ନେଇ ଏହି ପବିତ୍ର ସ୍ଥାନକୁ ଅତି ଶୀଘ୍ର ଓ ଆରାମରେ ପହଁଞ୍ଚି ପାରିବେ ।
ତଳେ ଦିଆ ଯାଇଥିବା ସଂଯୋଗ (link)ରେ ଦାବି ଏହି ପଶ୍ଚିମେଶ୍ୱର ମନ୍ଦିର ଅବସ୍ଥାନକୁ ଗୂଗଲେ ମାନଚିତ୍ରରେ (Google map)ରେ ଦେଖନ୍ତୁ ।
-----------------------------------------------------------------------------
ଲେଖକ :- ରୋହିତ କୁମାର ଲୋହରା
ପୁରୁଣାବସ୍ତି, ଝାରସୁଗୁଡ଼ା
ସହାୟକ :-(୧) ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ
ପୁରୁଣାବସ୍ତି, ଝାରସୁଗୁଡା
(୨) ଅନନ୍ତରାମ ସାହୁ
ସରବାହାଲ, ଝାରସୁଗୁଡ଼ା
(୨) ଅନନ୍ତରାମ ସାହୁ
ସରବାହାଲ, ଝାରସୁଗୁଡ଼ା
Great job friend
ReplyDeleteJai paschimeswar baba
ReplyDeleteହର ହର ମହାଦେବ l ସଂସ୍କୃତିକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରିରହୁ l
ReplyDelete