ଝାରସୁଗୁଡାର ରଶିଜିତା ଆଧ୍ୟାତ୍ମିକ ଉତ୍ସବ
ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବିବଧ ପରମ୍ପରା ଓ ସଂସ୍କୃତି ପାଳିତ ହେବାର ଦୃଷ୍ଟି ଗୋଚର ହୋଇଥାଏ । ପଶ୍ଚିମ ଓଡ଼ିଶା ଯେପରି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସେହି ପରି ସାଂସ୍କୃତିକ ଓ ପରମ୍ପରାରେ ମଧ୍ୟ ଭରପୁର । ଏହି ପରମ୍ପରା ଆମର ପୂର୍ବ ପୁରୁଷଙ୍କ ଚାଲି ଚଳଣ ପୁନରାବୃତ୍ତି କରିବା ସମେତ ଆମ୍ଭମାନଙ୍କୁ ତାଙ୍କ ସହିତ ଭାବ ପ୍ରବଣ ଭାବରେ ସଂଯୁକ୍ତ କରିଥାଏ । ଅନେକ ପରମ୍ପରା ଆଧୁନିକତା ଯୋଗୁଁ ଲୋପ ପାଇଥିଲେ ସୁଦ୍ଧା କେତେକ ପରମ୍ପରା ଆଜି ମଧ୍ୟ ଧରାରେ ଜାଜ୍ଜ୍ୱଲ୍ୟମାନ ଅବସ୍ଥାରେ ଅଛି । ରାଜକୀୟ "ରଣଜିତ ଉତ୍ସବ" ପ୍ରାଚୀନ କାଳରୁ କୌଶଳ ରାଜାମାନଙ୍କ ଅସୀମ ଦକ୍ଷତା ଓ ସାମରିକ କୌଶଳକୁ ଜନଙ୍କ ସମ୍ମୁଖରେ ଉପସ୍ଥାପନା କରୁଅଛି । ଏହି ପର୍ବର ଅଧିଷ୍ଠାତ୍ରୀ ଦେବୀ ମାଁ ଭୁବନେଶ୍ଵରୀ ଜନ ମାନସ ଦୁଃଖର ଦୁର୍ଦ୍ଦଶା ନିବାରଣ କରି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି ।
![]() |
( ରାଣିଜିତା ଉତ୍ସବର ଶୋଭାଯାତ୍ରା ) |
ରୀତିନୀତି ଓ ପର୍ବ
"ରଣଜିତ ଉତ୍ସବ" ପ୍ରତ୍ୟେକ ବର୍ଷ ଆଶ୍ଵିନ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରୁ ଦଶମୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ଏହି ଉତ୍ସବ ପ୍ରଥମ ଦିନରେ ଅର୍ଥାତ ଷଷ୍ଠୀ ରାତ୍ରିରେ ରାଜବାଟୀ ଅନତିଦୂରରେ ଅବସ୍ଥିତ ପୁଷ୍କରିଣୀରୁ ଜଲଘଟ ନେଇ ପୂଜାମଣ୍ଡପରେ ସ୍ଥାପନ କରାଯାଏ । ଏହା ସହିତ ରାଜବାଟୀର ପୂଜା ଉପାସନ କକ୍ଷରେ ରଖାଯାଇଥିବା ଶ୍ରୀ ଇଷ୍ଟଦେବୀ ଭୁନେଶ୍ଵରୀ ଦେବୀ ରୂପେ ପୂଜିତ ପାଟଖଣ୍ଡାକୁ ମଧ୍ୟ ପୁଷ୍କରିଣୀ ଜଳରେ ସ୍ନାନ କରାଯାଇ ପୂଜାମଣ୍ଡପରେ ସ୍ଥାପନ କରାଯାଏ ।
ଏହା ପରେ ସପ୍ତମୀ ତିଥିରେ ଦେବୀ ଶ୍ରୀ ଭୂବନେଶ୍ଵରୀଙ୍କୁ ଷୋଡଶ ଉପଚାରରେ ପୂଜା, ଆବାହନ, ଆରତୀ ଓ ଭୋଗ ଲାଗି ସମ୍ପନ୍ନ ହୁଏ । ଦଶମୀ ତିଥିରେ ଦେବୀଙ୍କୁ ‘ଛାଗବଳି’ ପ୍ରଦାନ କରାଯାଏ । ପ୍ରଜାମାନେ ମଧ୍ୟ ପୂଜାରେ ଯୋଗଦାନ କରି ମାତା ଭୂବନେଶ୍ଵରୀ ଦେବୀ ଆଶୀର୍ବାଦ ଲାଭ କରିଥାନ୍ତି । ରାଜ ପରିବାରଙ୍କ ବ୍ୟତୀତ ପ୍ରଜାମାନଙ୍କ ମଧ୍ୟରୁ ମାନସିକ କରିଥିବା ବ୍ୟକ୍ତି ଦଶମୀ ଦିନ ପ୍ରତୁଷ୍ୟରୁ ରାଜବାଟୀ ମଧ୍ୟରେ ପୂଜା ମଣ୍ଡପକୁ ପୂଜା ସାମଗ୍ରୀ ଓ ଭୋଗ ସହିତ ଆସିଥାନ୍ତି ଏବଂ 'ଛାଗବଳି' ଦାନ ବିଧି ସମାପନ କରାଯାଏ ।
ଝାରସୁଗୁଡ଼ା ଜମିଦାରଙ୍କ ବଂଶଧରମାନେ ବିଜୟା ଦଶମୀ ତିଥିର ଅପରାହ୍ନରେ "ରଣଜିତ ଉତ୍ସବ"ର ଶୋଭାଯାତ୍ରା ଆୟୋଜନ କରନ୍ତି । ଏହି ରଣଜିତ ଉତ୍ସବରେ ଜମିଦାରଙ୍କ ଦ୍ଵାରା ଝାରସୁଗୁଡାର ସରବାହାଲ ଅଞ୍ଚଳରେ ଅବସ୍ଥାପିତ କୁମ୍ଭାର ସମ୍ପ୍ରଦାୟ ମଧ୍ୟ ଯୋଗଦାନ କରିଥାନ୍ତି । କୁମ୍ଭାରମାନେ ବିଜୟା ଦଶମୀ ପ୍ରତ୍ୟୁଷ କାଳରୁ ସ୍ନାନାଦି ନିତ୍ୟକର୍ମ ସମାପନ କରି କଞ୍ଚା ମାଟିର ଏକ ସମଲେଶ୍ଵରୀ ଦେବୀ ପ୍ରତିମା ନିର୍ମାଣ କରନ୍ତି । ପ୍ରତିମାକୁ ସମ୍ପୂର୍ଣ୍ଣ ସିନ୍ଦୁର ଲେପନ କରିବା ସହିତ ଲାଲ ରଙ୍ଗର ବସ୍ତ୍ର ପରିଧାନ କରାଯାଏ । ଦେବୀ ସମଲେଶ୍ଵରୀଙ୍କ ପ୍ରତିମାକୁ କୁମ୍ଭାର ସମ୍ପ୍ରଦାୟଙ୍କ ମୁଖିଆଙ୍କ ଉପାସନ ଗୃହରେ ସ୍ଥାପନ କରିଥାନ୍ତି । ସମଗ୍ର କୁମ୍ଭାର ପରିବାର ଓ ସମ୍ପର୍କୀୟ ବ୍ୟକ୍ତିବିଶେଷରେ ପୂଜା ଯୋଗଦାନ କରନ୍ତି । ଦେବୀଙ୍କୁ ପାରମ୍ପାରିକ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ପରେ କୁମ୍ଭାରମାନେ ପ୍ରସାଦ ସେବନ କରିବା ପାଇଁ ଏକାଠି ଏକତ୍ରିତ ହୁଅନ୍ତି । ଏହାପରେ ନିଜ ନିଜର ସ୍ଵଗୃହ ପ୍ରତ୍ୟାବର୍ତ୍ତନ କରି ଅନ୍ନ ଭୋଜନ କରିଥାନ୍ତି ।
ସନ୍ଧ୍ୟାରେ ଏହି କୁମ୍ଭାରମାନେ ଇଷ୍ଟଦେବୀ ଶ୍ରୀ ସମଲେଶ୍ଵରୀଙ୍କ ପ୍ରତିମାକୁ ବହନ କରି ଝାରସୁଗୁଡ଼ା ପୁରୁଣା ବସ୍ତି କେନ୍ଦ୍ର ସ୍ଥଳରେ ଅବସ୍ଥିତ ରଣିଜିତା ପଡ଼ିଆର ନିର୍ମିତ ବେଦୀରେ ମାଁଙ୍କ ପ୍ରତିମାଙ୍କୁ ସ୍ଥାପନ କରିଥାନ୍ତି । ଦେବୀଙ୍କୁ ରଣିଜିତା ଉତ୍ସବ କ୍ଷେତ୍ରରେ ଅବସ୍ଥାନ କରିବା ପୂର୍ବରୁ ପ୍ରାଗଣକୁ କୁମ୍ଭାର ପରିବାର ବ୍ୟକ୍ତି ଦ୍ଵାରା ପରିଷ୍କାର କରି ଚତୁଃପାର୍ଶ୍ଵରେ ତୋରଣ ଦେଇ ସାଜସଜ୍ଜା କରାଯାଇଥାଏ ।
ଦଶମୀ ତିଥିର ଚନ୍ଦ୍ରୋଦୟ ବେଳାରେ ରଣିଜିତା ଉତ୍ସବ ଶୋଭାଯାତ୍ରା ରାଜବାଟୀରୁ ଆରମ୍ଭ ହୋଇ ପୁରୁଣା ବସ୍ତି ସହର ପରିକ୍ରମଣ କରିଥାଏ । ଏଇ ଶୋଭାଯାତ୍ରାରେ ରାଜପରିବାର ବ୍ୟକ୍ତିବିଶେଷ ଏବଂ ତାଙ୍କ ସଂପର୍କୀୟମାନେ ପାରମ୍ପାରିକ ରାଜ ପୋଷାକ ସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧାରଣ କରି ଯୋଗଦାନ କରିଥାନ୍ତି । ଏହା ବ୍ୟତୀତ ଜମିଦାରଙ୍କ ସୈନ୍ୟବାହିନୀ, ବାଦ୍ୟ ନୃତ୍ୟ ଦଳ ଓ କର୍ମଚାରୀ ବୃନ୍ଦ ସମେତ ଝାରସୁଗୁଡ଼ାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ ଦେଇଥାନ୍ତି । ରାଜବାଟୀ ପରିସରର ପୂଜା ମଣ୍ଡପ ଉପଯୁକ୍ତ ବିଧିବଦ୍ଧ ଅନୁଯାୟୀ ପୂଜାର୍ଚ୍ଚନା ପରେ ରାଜ ପୁରୋହିତ ସ୍କନ୍ଧରେ ପାଟଖଣ୍ଡା ରୂପୀ ଭୁବନେଶ୍ୱରୀଙ୍କୁ ଧାରଣ କରି ଶୋଭାଯାତ୍ରା ଆରମ୍ଭ କରନ୍ତି ।
ଦେବୀଙ୍କ ଅଗ୍ରଭାଗରେ ବାଦ୍ୟକାରମାନଙ୍କ ନୃତ୍ୟ ଗୀତ ସହିତ ଘଣ୍ଟ ଶଙ୍ଖ ଧ୍ୱନିର ଝଙ୍କାର ଅନବରତ ଲାଗି ରହିଥାଏ । ଦେବୀ ଭୁବନେଶ୍ୱରୀଙ୍କ ଶୋଭାଯାତ୍ରା ରାଜବାଟୀ ସିଂହ ଦ୍ୱାର ଅତିକ୍ରମ ମୁହୁର୍ତ୍ତରେ 'ଚାନ୍ଦଟିପା' ପରମ୍ପରା ଅନୁସାରେ ଜମିଦାର ଓ ଉତ୍ସବ ମୁଖ୍ୟ ବ୍ୟକ୍ତିବିଶେଷ ଆକାଶର ଚାନ୍ଦକୁ ଲକ୍ଷ୍ୟ କରି ଗୁଳି ବର୍ଷଣ କରିଥାନ୍ତି । ଏହି ଶୋଭାଯାତ୍ରାରେ ରାଜାଙ୍କ ବୀର ସେନାବାହିନୀ ବାଦ୍ୟକାରଙ୍କ ବାଦ୍ୟ ତାଳରେ ନିଜର ଯୁଦ୍ଧା ଚାଳନା ଓ ସମର କୌଶଳ ବସ୍ତିବାସୀଙ୍କ ସମ୍ମୁଖରେ ପରିଦର୍ଶନ କରି ନିଜ ବୀରତାର ପରିଚୟ ପ୍ରଦାନ କରିଥାନ୍ତି । ତାପରେ ଯାତ୍ରାଟି ରଣିଜିତା ମେଲଣ ପଡ଼ିଆକୁ ଆଡ଼କୁ ଅଗ୍ରସର ହେବା ପଥରେ ବସ୍ତି ଅନେକ ପରିବାର କଳସ, ଧୂପ, ଦୀପ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ସହିତ ନିଜର ଗୃହ ଦ୍ଵାର ସମ୍ମୁଖରେ ମାଁଙ୍କ ପଥକୁ ଅତ୍ୟନ୍ତ ଧୈର୍ଯ୍ୟରେ ଚାହିଁ ବସିଥାନ୍ତି । ଦେବୀଙ୍କ ଦର୍ଶନ ଲାଭ କରି ପରିବାର ମଙ୍ଗଳ କାମନା ପାଇଁ ଗୁହାରୀ କରିଥାନ୍ତି । ଯେତେ ଗମ୍ଭୀର ରାତ୍ରି ହେଉଥାଏ ସେତେ ଶୋଭାଯାତ୍ରା ଦୃଶ୍ୟ ଯୁବପ୍ରାଣରେ ଅସୀମ ଉନ୍ମାଦନା ସୃଷ୍ଟି କରିଥାଏ । ନୃତ୍ୟ କାରମାନଙ୍କ ସଂସ୍କୃତି କାର୍ଯ୍ୟକ୍ରମ କିଶୋର କିଶୋରୀଙ୍କୁ ଆତ୍ମ ବିଭୋର କରିଥାଏ ।
![]() |
( ରାଣିଜିତା ପଡିଆର ଝଲକ୍ ) |
ଏହା ପରେ ରଣିଜିତା ଉତ୍ସବ ମେଳଣ ପଡିଆରେ ଦେବୀ ଶ୍ରୀ ଭୁବନେଶ୍ଵରୀ ସହିତ ଦେବୀ ସମଲେଶ୍ଵରୀ ସାକ୍ଷତ କରିଥାନ୍ତି । ଏହି ପବିତ୍ର ମିଳନ ମୁହୂର୍ତ୍ତରେ ଉଭୟ ଦେବୀକୁ ବେଦୀ ଉପରେ ସ୍ଥାପନ କରି ପୂଜା ଆରାଧନା କରାଯିବା ସହିତ ଏଠାରେ 'ଛାଗବଳି' ପ୍ରଦାନ କରାଯାଏ । ଉଭୟ ଦେବୀଙ୍କ ଏହି ଅପୂର୍ବ ମିଲନ ଓ ଅସ୍ତ୍ର ଶସ୍ତ୍ରରେ ଲଢାଇ ପ୍ରଦର୍ଶନକୁ ନିଜ ସ୍ଵଚକ୍ଷୁରେ ଅବଲୋକନ କରିବା ପାଇଁ ବସ୍ତିରୁ ସହିତ ବସ୍ତି ବାହାରୁ ସହ ସହ ଦର୍ଶନାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥାଏ ।
ଏହି ରଣିଜିତା ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଦେବୀ ଭୁବନେଶ୍ଵରୀ ବିଦାୟ ପୂର୍ବକ ସମ୍ବର୍ଦ୍ଧନା ଦେବୀ ସମଲେଶ୍ଵରୀଙ୍କୁ ଜଣାଇ ମେଳଣ ପଡ଼ିଆ ପରିତ୍ୟାଗ କରି ଆଗକୁ ଅଗ୍ରସର ହୋଇଥାନ୍ତି । କୁମ୍ଭାରମାନେ ଦେବୀ ଶ୍ରୀ ସମଲେଶ୍ଵରୀଙ୍କ ପ୍ରତିମା ବହନ କରି ଝାରସୁଗୁଡ଼ାର ବୁରୋମାଲ ଉପକଣ୍ଠରେ ଅବସ୍ଥିତ ପୁଷ୍କରିଣୀରେ ବିସର୍ଜନ କରି ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଅନ୍ୟ ପକ୍ଷରେ ଦେବୀ ଭୁବନେଶ୍ୱରୀ ଝାରସୁଗୁଡ଼ା ପୁରୁଣାବସ୍ତିର ପରିକ୍ରମଣ କରି ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରି ରାଜବାଟୀ ପୂଜା ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ସପ୍ତମ ଶତାବ୍ଦୀରୁ ପରମ୍ପରା କ୍ରମେ ଏହି ଅଦ୍ୟାବଧି "ରଣିଜିତା ଉତ୍ସବ"ର ମହାସମାରୋହ ରାଜ ପରିବାର ଦ୍ଵାର ଝାରସୁଗୁଡ଼ାରର ପୁରୁଣାବସ୍ତିରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ପାଳିତ ହୋଇ ଆସୁଛି । ପୁରୁଣାବସ୍ତରେ କାରିଗରମାନଙ୍କ ଦ୍ଵାରା ପ୍ରୀତିକର ମେଢ଼ର ନିର୍ମାଣ ସହିତ ମାଁ ରମଣୀୟ ମୄଣ୍ମୟ ପ୍ରତିମା ଓ ସାଜସଜ୍ଜା ମଧ୍ୟ ପରିଦର୍ଶକଙ୍କୁ ଆକୃଷ୍ଟ କରୁଅଛି ।
![]() |
(ରାଜ ପୁରୋହିତ ପାଟଖଣ୍ଡା ଧାରଣ କରିଥିବା ଦୃଶ୍ୟ ) |
ଇତିହାସ
ପଞ୍ଚଦଶ ଶତାବ୍ଦୀରେ ଚୌହାନ ବଂଶୀୟ ରାଜା ପୃଥିବୀ ରାଜା ଚୌହାନଙ୍କ ବଂଶଧର ରମାଇଦେବ କୌଶଳ ରାଜ୍ୟ ପ୍ରାନ୍ତରେ ପାଟଣା ରାଜ୍ୟ ( ଆଧୁନିକ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଅଞ୍ଚଳ ) ସ୍ଥାପନ କରିଥିଲେ । ଉତ୍କଳର ରାଜା ଗଜପତି ରାମଦେବଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ପାଟଣା ରାଜ୍ୟକୁ ସ୍ଵୀକୃତି ମଧ୍ୟ ପ୍ରଦାନ କରିଥିଲେ । ତାଙ୍କର ପରବର୍ତ୍ତୀ ବଂଶଧର ରାଜା ବଳରାମ ଦେବ ୧୪୬୬ ଖ୍ରୀଷ୍ଟାବ୍ଦରେ ହୀରାଖଣ୍ଡ ସାମ୍ରାଜ୍ୟ (ସମ୍ବଲପୁର ରାଜ୍ୟ) ପ୍ରତିଷ୍ଠା କରି ରାଜା ରୂପେ ଅଭିଷିକ୍ତ ହୋଇଥିଲେ । ମହାବୀର ବଳରାମ ନିଜର ସାମରିକ ଶକ୍ତି ବଳରେ ପାର୍ଶ୍ଵବର୍ତ୍ତୀ ସୁରୁଗୁଜାର ସିମାନ୍ତବର୍ତ୍ତି ରାଜ୍ୟ ଗୁଡିକ ଅଧିକାର କରି ନିଜର ସାମ୍ରାଜ୍ୟକୁ ବୃହତ ଓ ଶକ୍ତିଶାଳୀ ରାଜ୍ୟ ରୂପେ ଗଢ଼ି ତୋଳି ଥିଲେ । ଯହିଁ ଫଳର ତାଙ୍କର ସାମ୍ରାଜ୍ୟ ପରିସୀମା ଉତ୍ତରରେ ସୁନ୍ଦରଗଡ଼ଠାରୁ ଦକ୍ଷିଣ ରେ କଳାହାଣ୍ଡି ପର୍ଯ୍ୟନ୍ତ ଏବଂ ପୂର୍ବରେ ସୁବର୍ଣ୍ଣପୁର ଠାରୁ ପଶ୍ଚିମରେ ଛତିଶଗଡର ରାୟଗଡ଼ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତି ଲାଭ କରିଥିଲା ।
ବଳରାମ ଦେବଙ୍କ ଶାସନ କାଳ (୧୪୬୬-୧୫୨୮) ମଧ୍ୟରେ ହୀରାଖଣ୍ଡ ସାମ୍ରାଜ୍ୟର ବିଭିନ୍ନ ସାମନ୍ତ ରାଜ୍ୟ ଓ ଜମିଦାରୀମାନଙ୍କରେ ଅବସ୍ଥାପିତ ରାଜା ବଂଶଧର ମାନେ ଯୁଦ୍ଧରେ ବିଜୟ ଲାଭ ସ୍ମାରକୀ ରୂପେ ଆଶ୍ଵିନ ଶୁକ୍ଳ ପକ୍ଷ ବିଜୟ ଦଶମୀ ତିଥିରେ " ରଣଜିତ ଉତ୍ସବ" ପ୍ରଚଳନ କରାଯାଇଥିଲା । ସେହି ଦିନ ଠାରୁ ଏହି ରାଜକୀୟ ପରମ୍ପରା କ୍ରମେ ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତ ରାଜଙ୍କ ସାହସ ପ୍ରତିମୂର୍ତ୍ତି ରୂପେ ପାଳିତ ହୋଇ ଆସୁଛି ।
ଚୌହାନ ବଂଶର ସପ୍ତମ ରାଜା ଛତ୍ରଶାହ ଦେବଙ୍କ ରାଜତ୍ୱ କାଳରେ ଝାରସୁଗୁଡ଼ାର ଘଞ୍ଚ ଅରଣ୍ୟ ମଧ୍ୟରେ ଅବସ୍ଥିତ ବ୍ୟାଘ୍ର ଦୀର୍ଘ ଦିନ ଧରି ଅନେକ ପ୍ରଜାମାନଙ୍କୁ ଆକ୍ରମଣ କରି ଆତଙ୍କର ବାତାବରଣ ସୃଷ୍ଟି କରିଥିଲା । ସାହସୀ ଶିବ ସିଂହ ତୀକ୍ଷ୍ଣ ତରବାରୀ ସାହାଯ୍ୟରେ ବଧ କରି ପ୍ରଜାମାନଙ୍କୁ ବ୍ୟାଘ୍ର କବଳରୁ ରକ୍ଷା ପ୍ରଦାନ କରିଥିଲେ । ଉକ୍ତ ଜନ ମଙ୍ଗଳ କାର୍ଯ୍ୟରେ ପ୍ରସନ୍ନ ହୋଇଛି ରାଜା ଛତ୍ରଶାହ ଦେବ ନିଜର ପ୍ରପୌତ୍ରକୁ ଝାରଗୁଡା ପ୍ରଗଣାକୁ ଜଗୀର ରୂପେ ଅର୍ପଣ କରିଥିଲେ ।
ଝାରଗୁଡ଼ାର ଅର୍ଥ ହେଲା ଅରଣ୍ୟ ପ୍ରାନ୍ତର ଭୂମି । ମୁଖ୍ୟତ ଏହି ଝାରଗୁଡ଼ା ପ୍ରଗଣା ବାର ଗୋଟି ପଲ୍ଲୀକୁ ନେଇ ଗଠିତ ହୋଇଥିଲା । ସେହି ପଲ୍ଲୀ ଗୁଡ଼ିକ ନାମ ହେଲା ଝାରଗୁଡ଼ା, ବଞ୍ଜାରି, ଦଳକି, କୁମୁଡ଼ା ପାଲି, ବଢ଼େଇ ମୁଣ୍ଡା, କୁରେବଗା, ବୁରୋମାଲ, ସରବାହାଲ , ବଳିଯୋରୀ, ବେହେରା ମାଲ, ଏକା ପାଲି ଓ ଡ଼େବାଡିହି ।
ଚୌହାନ ବଂଶର ରାଜା ଶିବ ସିଂହଙ୍କ ପୁତ୍ର ହରିବଂଶ ଲାଲଙ୍କ ଆଠୋଟି ପୁତ୍ରସନ୍ତାନ ଥିଲେ । ସେମାନେ ସମସ୍ତ ସମ୍ବଲପୁରର ରାଜ ପ୍ରାସାଦ ଅବସ୍ଥାନ କରୁଥିଲେ । ୧୮୨୭ ମସିହାରେ ସମ୍ବଲପୁରର ଶେଷ ରାଜା ମହାରାଜ ସାଏଙ୍କ ମୃତ୍ୟୁ ଘଟିଥିଲା । ଏହି ପରିସ୍ଥିତିର ସୁଯୋଗ ନେଇ ଇଂରେଜ ସରକାର ସମ୍ବଲପୁର ରାଜ୍ୟରେ ପ୍ରତକ୍ଷ ଶାସନ କରିବା ପାଇଁ ପ୍ରୟାସ କରିଥିଲେ । ଯଦିଓ ଇଂରେଜ ସରକାର ସମ୍ବଲପୁର ରାଜ୍ୟରେ ପ୍ରତ୍ୟକ୍ଷ ଶାସନ କରିବାରେ ବିଫଳ ହୋଇଥିଲେ କିନ୍ତୁ ରାଜାଙ୍କ ବିଧବା ରାଣୀ ମୋହନ କୁମାରୀଙ୍କୁ ସମ୍ବଲପୁର ରାଜ ସିଂହାସନରେ ବସାଇ ପରୋକ୍ଷ ରାଜ୍ୟ ଶାସନ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଥିଲେ ।
ସେତେବେଳେ ହରିବଂଶ ଲାଲଙ୍କ ଜ୍ୟେଷ୍ଠ ପୁତ୍ର ନାରାୟଣ ଲାଲ ଓ ରଣଜିତ ସମେତ ଅନ୍ୟ ଭ୍ରାତାମାନଙ୍କ ସହିତ ରାଜ୍ୟରେ ବସବାସ କରୁଥିଲେ । ରାଣୀ ମୋହନ କୁମାରୀ ନାରାୟଣଙ୍କୁ ଉତ୍ତରାଧିକାରୀ ରୂପେ ରାଜ ସିଂହାସନରେ ବସାଇବାର ଅଭିଳାଷା ଥିଲା । କିନ୍ତୁ ଧୂର୍ତ୍ତ ଇଂରେଜ କର୍ତ୍ତୁପକ୍ଷ ବକସି ନାମକ ଜଣେ ପାରିଷଦ ସାହାଯ୍ୟରେ ଭାଇମାନଙ୍କ ମଧ୍ୟରେ ସିଂହାସନ ପାଇଁ ଯୁଦ୍ଧ ସୃଷ୍ଟି କରିଥିଲେ । ବକସିର ସମର୍ଥକ ଗୋଷ୍ଟି ଇଷ୍ଟଦେବୀ ସମଲେଶ୍ଵରୀଙ୍କ ସମ୍ମୁଖରେ ବଳି ଦେବାର ଧମକରେ ଆତଙ୍କଗ୍ରସ୍ତ ହୋଇ ନାରାୟଣ ସିଂହ, ରଣଜିତ ସିଂହ ଓ ଭୂପାଳ ସିଂହ ଯଥାକ୍ରମେ ମଧ୍ୟପ୍ରଦେଶର ଆକାଶୀ ଅଞ୍ଚଲକୁ , ଝାରସୁଗୁଡ଼ା ଏବଂ ବିହାରର ଚୟଗିରି ଅଞ୍ଚଳକୁ ପଳାୟନ କରିଥିଲେ ।
ରାଣୀ ମୋହନ କୁମାରୀ ଭବାନୀ ସିଂହଙ୍କ ସହିତ କଟକରେ ଅବସ୍ଥାନ କଲେ । ଇଂରେଜ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଅନ୍ୟ ରାଜ୍ୟମାନଙ୍କ ଉପରେ ଆକ୍ରମଣ କରି ଆପଣର ନିୟନ୍ତ୍ରଣ ରଖିବା ପାଇଁ ଚାହୁଁଥିଲେ । ସେତେବେଳ ଇଂରେଜ ଏବଂ ମରହଟ୍ଟା ମଧ୍ୟରେ ପ୍ରବଳ ପ୍ରତିଦ୍ଵନ୍ଦିତା ଚାଲିଥିଲା । ଏହି ଭଳି ଅନୁକୂଳ ପରିସ୍ଥିତିରେ ନାରାୟଣ ସିଂହ ଇଂରେଜ କବଲରୁ ରକ୍ଷା ପାଇବା ପାଇଁ ନାଗପୁର ସଂଲଗ୍ନ ଆକାଶୀ ଅଞ୍ଚଳରୁ ଅଶ୍ଵରେ ଆରୋହଣ କରି ଝାରସୁଗୁଡ଼ାକୁ ପଳାୟନ କଲେ । ଅଶ୍ୱ ସହାୟତା ସେ ଦୁର୍ଗମ ବିପଦପୂର୍ଣ୍ଣ ବନ ପର୍ବତ ଅତିକ୍ରମ କଲାବେଳେ ଇଷ୍ଟଦେବୀ ଆଶୀର୍ବାଦ ଯୁକ୍ତ ଶାଣିତ ତରବାରୀ ଦ୍ୱୟ ସୁର୍ଯ୍ୟ ରଶ୍ମି ପଡି ଚକ୍ ଚକ୍ କରୁଥିଲା । ଦୀର୍ଘ ସମୟ ଧରି ଯାତ୍ରା କରି ପରେ ଶୀତଋତୁର ପ୍ରତୁଷ୍ୟରେ ଝାରସୁଗୁଡ଼ାର ରାଜବାଟି ଦ୍ଵାର ଦେଶରେ ପହଞ୍ଚିଲେ ।
ସେତିକିବେଳେ ସିଂହ ଦ୍ବାର ସମ୍ମୁଖରେ ସୂର୍ଯ୍ୟ ତାପରେ ବସି ଭ୍ରାତା ରଣଜିତ ସିଂହଙ୍କ ପୁତ୍ର ଗୋବିନ୍ଦ ସିଂହ ଓ ସୋନପୁର ରାଜବଂଶୀୟ ଦେବରଥ କଥୋପକଥନ କରୁଥିଲେ । ସିଂହ ଦ୍ୱାର ନିକଟରେ ନାରାୟଣ ସିଂହ ଅଶ୍ୱ ପୃଷ୍ଟରୁ ଅବତରଣ କରିବାପରେ ତତକ୍ଷଣାତ ଅଶ୍ଵଟିର ପ୍ରାଣବାୟୁ ଶେଷ ହୋଇଥିଲା । ଇଷ୍ଟଦେବୀ ରୂପେ ପୂଜିତ ଉକ୍ତ ତରବାରୀ ଦ୍ଵୟକୁ ନାରାୟଣ ସିଂହ ହସ୍ତରୁ ଗୋବିନ୍ଦ ସିଂହ ଏବଂ ଦେବରଥ ଗ୍ରହଣ କରିଥିଲେ। ଅଶ୍ୱର ମୃତ୍ୟୁରେ ନାରାୟଣ ସିଂହ ବ୍ୟଥିତ ହୋଇଥିଲେ ।
ଗୋବିନ୍ଦ ସିଂହ ଇଷ୍ଟ ଦେବୀ ରୂପେ ପୂଜିତ ତରବାରୀ ଦ୍ୱୟ ରାଜବାଟିର ଉପାସକ କକ୍ଷ ମଧ୍ୟରେ ସ୍ଥାପନ କରିଥିଲେ । ଗୋବିନ୍ଦ ସିଂହ ପିତୃ ତୁଲ୍ୟ ନାରାୟଣ ସିଂହଙ୍କ ଠାରୁ ପ୍ରାପ୍ତ ତରବାରୀକୁ ଦେବୀ ଶ୍ରୀ ଭୁବନେଶ୍ୱର ରୂପେ ପୂଜା କରିବା ସଙ୍ଗେ ସଙ୍ଗେ ଚୌହାନ ବଂଶ ପରମ୍ପରା ଅନୁଯାୟୀ ଆଶ୍ଵିନ ମାସ ଶୁକ୍ଳପକ୍ଷ ବିଜୟା ଦଶମୀ ତିଥିରେ "ରଣିଜିତା ଉତ୍ସବ" ଆରମ୍ଭ କରିଥିଲେ ।
![]() |
( ଭକ୍ତଗଣ ପୂଜା ସାମଗ୍ରୀ ସହିତ ମାଁଙ୍କ ପ୍ରତୀକ୍ଷାରେ ) |
କିପରି ଉତ୍ସବ ଦେଖିବେ
ରଣଜିତ ଉତ୍ସବ" ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ପକ୍ଷର ବିଜୟଦଶମୀ ତିଥି ଅନୁଷ୍ଠିତ ହୁଏ । ଏହି ବାର୍ଷିକ ପର୍ବକୁ ହୃଦୟଙ୍ଗମ କରିବା ସକାଶେ ରାତ୍ରୀରେ ସହ ସହ ପରିଦର୍ଶକ ରଣିଜିତା ପଡ଼ିଆର ଏକତ୍ରିତ ହୋଇଥାନ୍ତି । ରଣିଜିତା ପଡ଼ିଆଟି ଝାରସୁଗୁଡ଼ା ଜିଲ୍ଲାର ପୁରୁଣାବସ୍ତି ବାଳକ ପ୍ରାଥମିକ ବିଦ୍ୟାଳୟରେ ସମୀପରେ ଅବସ୍ଥିତ । ଆପଣ ଦଶହରା ରାତ୍ରୀରେ ରଣିଜିତା ପଡ଼ିଆରେ ପହଞ୍ଚି ଉଭୟ ଭୁବନେଶ୍ଵରୀ ଓ ସମଲେଶ୍ଵରୀଙ୍କ ଦେବୀ ମହାଦର୍ଶନ ସହିତ ଶୋଭାଯାତ୍ରାର ଆନନ୍ଦ ଲାଭ କରନ୍ତୁ ।
( ରାଣିଜିତା ଉତ୍ସବର ଭିଡିଓ )
ରଣିଜିତା ପଡିଆର ଅବସ୍ଥିତିକୁ ଗୁଗୋଲ ମାନଚିତ୍ରରେ ଦେଖିବା ପାଇଁ ନିମ୍ନରେ ଦିଆଯାଇଥିବା ସଂଯୋଗରେ ଆଙ୍ଗୁଳିରେ ଛୁଅନ୍ତୁ ବା କ୍ଲିକ କରନ୍ତୁ ।
👇👇👇👇👇👇👇👇👇👇👇👇👇👇👇👇
-------------------------------------------------------------------
ଲେଖକ :- ରୋହିତ କୁମାର ଲୋହରା
ପୁରୁଣାବସ୍ତି , ଝାରସୁଗୁଡ଼ା
ସୂଚନା :- ଗୋବିନ୍ଦ ଚନ୍ଦ୍ର ତ୍ରପାଠୀ
ପୁରୁଣାବସ୍ତି , ଝାରସୁଗୁଡ଼ା
Comments
Post a Comment