ଶ୍ରୀ ଶ୍ରୀ ଶ୍ରୀ ମାଁ କନକ ଦୁର୍ଗା ଗାଦୀ ମନ୍ଦିର, ଝାରସୁଗୁଡ଼ା

ଖଣି, ଶିଳ୍ପ ଓ ବାଣିଜ୍ୟ ସମୃଦ୍ଧ ଜିଲ୍ଲା ରୂପେ ଝାରସୁଗୁଡ଼ା ଓଡ଼ିଶାର ଅନ୍ୟ ଜିଲ୍ଲା ମାନଙ୍କରୁ  ଅନ୍ୟତମ । ଐତିହ ଓ ପରମ୍ପରା ସମ୍ପର୍ଣ୍ଣ ଏହି ଝାରସୁଗୁଡ଼ା ଜିଲ୍ଲା ରେ ଅଷ୍ଟଚଣ୍ଡୀ ପୀଠ ବିଦ୍ୟମାନ ଅଛି । ସେଗୁଡ଼ିକ ହେଲା ପଦମପୁର(ପୂଝାରୀପାଲି)ର ଦେବୀ  ପଦ୍ମସିନି ମନ୍ଦିର, ରାମପୁର (ବ୍ରଜରାଜନଗର) ଦେବୀ ଶ୍ରୀ ରାମଚଣ୍ଡୀ ଗୁମ୍ଫା , କୋଳବିରର ଦେବୀ ଭୁବନେଶ୍ଵରୀ ମନ୍ଦିର, କୁମ୍ଭାରବଦ୍ଧର ଦେବୀ ଭଟ୍ଟାରିକା, ଧୂତୁରାଗଡ଼ ଦେବୀ ପୀଠ, କୁଅଁରମାଲର ଦେବୀ ବନଦୁର୍ଗା, ଚନ୍ଦରପୁରର ଦେବୀ କାଳିକା ମନ୍ଦିର ଓ ଝାରସୁଗୁଡ଼ାର ଶ୍ରୀ କନକ ଦୁର୍ଗା ମନ୍ଦିର ।
(କନକ ଦୁର୍ଗା ମନ୍ଦିର)

ଉପୋରୋକ୍ତ ସମସ୍ତ ଅଷ୍ଟଚଣ୍ଡୀ ପୀଠ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ରୂପେ ଶ୍ରୀ କନକ ଦୁର୍ଗା ମନ୍ଦିର ଝାରସୁଗୁଡ଼ା ରେଳଷ୍ଟେସନ ନିକଟବର୍ତ୍ତୀ ମୁଖ୍ୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ହୋଇ ସହର ଶୋଭାକୁ ପୁଲ୍ଲକିତ କରୁଛି । କନକ ଦୁର୍ଗା ମନ୍ଦିରର  ଦେବୀ ଶକ୍ତି, ଧନ ଏବଂ ଉଦାରତା ପ୍ରତିମୂର୍ତ୍ତି ଓ ଝାରସୁଗୁଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ରୂପ ସୁପରିଚିତ  ।  ଦେବୀଙ୍କ ମୁଖ୍ୟ ପର୍ବ 'ନବରାତ୍ରି'ରେ ସହ ସହ ଭକ୍ତଙ୍କ ସମାଗମ ଏହି ପୀଠରେ ହେଇ ଆମୋଦ ପ୍ରମୋଦ ଓ ଉତ୍ସବମୁଖର ରେ ପାଳନ କରାଯାଇଥାଏ ।

ଇତିହାସ

ଶ୍ରୀ କନକ ଦୁର୍ଗା ମନ୍ଦିର ସମ୍ପର୍କରେ ଅନୁଧ୍ୟାନ କଲେ ଜଣାଯାଏ, ମନ୍ଦିର ନିର୍ମାଣ ହେବା ପୂର୍ବରୁ ଏହି ପୀଠକୁ ସ୍ବର୍ଗତ ବିଶ୍ୱନାଥ ମହାରଣା ସ୍ଥାପନ କରିଥିଲେ । ଦେବୀ ଶ୍ରୀ କନକ ଦୁର୍ଗାଙ୍କ ଉପାସକ ଶ୍ରୀ ବିଶ୍ୱନାଥ ମହାରଣା ଜନ୍ମ ଗ୍ରହଣ ହୋଇଥିଲା ଅଭିବକ୍ତ କଟକ ଜିଲ୍ଲା ଅନ୍ତର୍ଗତ ବିରିଡି ବ୍ଲକ ଅଧିନସ୍ଥ  ଶଙ୍ଖାରୀ ସାହି ନାମକ ଏକ ଅଖ୍ୟାତ ପଲ୍ଲୀରେ । ଆବାଲ୍ୟରୁ କୌଳିକ ବୃତ୍ତିରେ ଆତ୍ମ ନିୟୋଗ କରି  ସେ ଯୁବକ ହେଲା ପରେ  ନିଜ ଗ୍ରାମ ଛାଡ଼ି ଝାଡ଼ଖଣ୍ଡ ପ୍ରଦେଶର ଶିଳ୍ପ ନଗରୀ ଟାଟାଠାରେ ଅଳ୍ପ କିଛି  ବର୍ଷ ବଢ଼େଇ ରୂପେ କାର୍ଯ୍ୟ କରିଥିଲେ । ତତ୍ପର ସେ ଜୀବିକା ନିର୍ବାହ ଉଦ୍ଦେଶ୍ୟରେ  ଆସି ପହଁଚିଲେ ଝାରସୁଗୁଡ଼ା ସହରରେ ରେଳ ଷ୍ଟେସନ ନିକଟବର୍ତ୍ତୀ ସହରର ମୁଖ୍ୟ ରାସ୍ତା କଡ଼ରେ ଏକ କାଠ କେବିନ୍ ଭଡ଼ା ସୂତ୍ରରେ ନେଇ ସେ ବଢ଼ାଇ ରୂପେ କାଠ କାମ ଆରମ୍ଭ କଲେ । ସେ ଏକ କାଚର୍ଫ୍ରେମ୍କା ବନ୍ଧେଇ ଦେବୀ ଦୁର୍ଗାଙ୍କ ଫଟୋ ତାଙ୍କ ସାଙ୍ଗରେ ଆଣିଥିଲେ ଏବଂ ସେଇ କାଠ କେବିନରେ ଉକ୍ତ ଫଟୋ ସ୍ଥାପନ କରି ଦେବୀଙ୍କ  ପୂଜା ଉପସନା ଆରମ୍ଭ କଲେ ।

ତତ୍କାଳୀନ ଝାରସୁଗୁଡ଼ା ସହରର ବୟୋଜ୍ୟେଷ୍ଠ   ଭଦ୍ରବ୍ୟକ୍ତି ସ୍ଥାନୀୟ  ଓ ରେଲ କର୍ମଚାରୀଙ୍କ ମିଳିତ ଉଦ୍ୟମରେ  ଶାରଦୀୟ ମୃଣ୍ମୟ ଦେବୀ ଦୁର୍ଗାଙ୍କ ପୂଜା ଉତ୍ସବର ଆୟୋଜନ କରିବା ପାଇଁ  ଉଦମ୍ୟ ହୋଇଥିଲା । ଫଳସରୂପ ୧୯୫୯ ମସିହାରେ ପ୍ରଥମ ଥର ପାଇଁ ଝାରସୁଗୁଡାରେ ଓଡ଼ିଆ ସମାଜ ପକ୍ଷରୁ ସ୍ବତନ୍ତ୍ର ପୂଜା ମଣ୍ଡପ ନିର୍ମାଣ କରି ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହେଲା ।


ଏହି ଶାରଦୀୟ ଦୁର୍ଗା ପୂଜାର ଆୟୋଜକମାନଙ୍କ ମଧ୍ୟରେ ପୂଜା ନିର୍ଦ୍ଧାରଣ ସମ୍ପର୍କରେ ମନୋମାଲିନ୍ୟ କାରଣରୁ ବିଶ୍ୱନାଥ ମହାରଣା ସେହି ବର୍ଷ ନିଜ କାଠ କେବିନ୍ ପରିସରରେ ସ୍ଵତନ୍ତ୍ର ପୂଜା  ମଣ୍ଡପ ଅୟୋଜନ କରି ଶାରଦୀୟ ଦୁର୍ଗା ପୂଜା ଆୟୋଜନ କଲେ । କଲିକତାରୁ ଆସିଥିବା ବଙ୍ଗାଳୀ ଶିଳ୍ପୀ ସିଂହ ଆସିନା ଶ୍ରୀ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ଵତୀ ମୃଣ୍ମୟ ପ୍ରତିମା ନିର୍ମାଣ କରାଇ  ବିଶ୍ୱନାଥ ମହାରଣା  ଶ୍ରୀ କନକ ଦୁର୍ଗା ପୂଜା ଆରମ୍ଭ କଲେ । କିନ୍ତୁ ବିଜୟଦଶମି ତିଥିରେ ଦେବୀ ପ୍ରତିମାଙ୍କୁ ବିସର୍ଜନ  କରିବା ପରିବର୍ତ୍ତେ ତାଙ୍କ କାଠ କେବିନ୍ ପରିସର  ଅଧିଷ୍ଠାତ୍ରୀ ଦେବୀଙ୍କୁ  ସ୍ଥାପନ କରି  ନିୟମିତ ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ୧୯୫୯ ମସିହାରୁ ଏହି ପୀଠରେ ଆରାଧ୍ୟ ଦେବୀ ଦୁର୍ଗାଙ୍କ ନିୟମିତ ପୂଜା ଉପାସନା  ହୋଇଥିଲା ।


ଦେବୀଙ୍କ ପରମ ଭକ୍ତ ବିଶ୍ୱନାଥ ମହାରଣା ଝାରସୁଗୁଡାରେ ଚିର ଦିନ ପାଇଁ  ଅବସ୍ଥାନ କରି ଜୀବନର ଅନ୍ତିମ କାଳ ପର୍ଯ୍ୟନ୍ତ ଦେବୀଙ୍କ  ଉପାସକରେ ଅତିବାହିତ କରିବା କଠୋର ନିଷ୍ପତ୍ତି ନେଇ   ନିଜ ପରିବାର ଓ ଜ୍ଞାତିଜନକଙ୍କ ଠାରୁ ସମ୍ପର୍କ ଛିନ୍ନ କରି ଦେଇଥିଲେ ।

 କେବଳ ତାଙ୍କର ଜ୍ୟେଷ୍ଠଭ୍ରାତାଙ୍କ ପୁତ୍ର ପ୍ରହଲ୍ଲାଦକୁ ପୌଷ୍ୟ ପୂତ୍ର ରୂପରେ ସାଙ୍ଗ ରଖିଥିଲେ ଏବଂ ସେହି କାଠ କେବିନ୍ ପରିସରରେ ଅବସ୍ଥାପିତ ଦେବୀ କନକ ଦୁର୍ଗାଙ୍କ ପୂଜା ଉପାସନା କରି ଆସୁଥିଲେ । ଦୀର୍ଘ ୧୭ ବର୍ଷ ଧରି ଦେବୀଙ୍କ ପୂଜା ଉପାସନା କରିବାପରେ ତାଙ୍କର ତାଙ୍କର ସ୍ବର୍ଗବାସ ହୋଇଥିଲା   । ପ୍ରତିଷ୍ଠାତା ବିଶ୍ୱନାଥ ମହାରଣା ତାଙ୍କର ଜୀବଦ୍ଦଶାରେ ଏହି କାଠ କେବିନ୍ ସମ୍ପୃକ୍ତ କିଣି ନେଇଥିଲେ । କିନ୍ତୁ ତାଙ୍କର ମୃତ୍ୟ ପରେ ଜଣେ ବ୍ୟବସାୟୀ ଉକ୍ତ କାଠ କେବିନକୁ ତାଙ୍କ ପୌଷ୍ୟପୂତ୍ରଙ୍କ ଠାରୁ କୌଶଳରେ କିଣି ନେଇଥିଲେ  ଏବଂ କାଠ କେବିନ୍ ରେ ତାଲା ବନ୍ଦ କରିବା ଫଳର   ଦୀର୍ଘ ଛଅ ମାସ ଧରି  ଶ୍ରୀ କନକ ଦୁର୍ଗା ଅପୂଜିତ ହୋଇ ରହିଥିଲା ।

କିନ୍ତୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏହି ଘଟଣା ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶାରଦୀୟ ଦୁର୍ଗା ପୂଜା ପାଇଁ ବିଶ୍ୱନାଥ ମହାରଣାଙ୍କୁ ସାହାଯ୍ୟ ସହଯୋଗ କରୁଥିବା ବ୍ୟକ୍ତିମାନଙ୍କ ସମୂହ ଉଦ୍ୟମ କ୍ରମେ ଏ ସମ୍ପର୍କରେ ପୋଲିସ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ହସ୍ତକ୍ଷେପ ଫଳରେ କାଠ କେବିନରେ ତାଲା ଖୋଲାଯାଇ ଦେବୀ ଶ୍ରୀ କନକ ଦୁର୍ଗାଙ୍କ ନିୟମିତ ସେବା ପୂଜା ବ୍ୟବସ୍ଥା ହେଲା ଏବଂ ପୂର୍ବ ଭଳି ପ୍ରତିବର୍ଷ ଏହି ପୀଠ ରେ ଶାରଦୀୟ ଦୁର୍ଗାପୂଜା ଆୟୋଜନ କରାଗଲା ।
(କନକ ଦୁର୍ଗା ମନ୍ଦିରର  ମୂର୍ତ୍ତିମାନ )

ନିର୍ମାଣ

ସହରର ଭଦ୍ରବ୍ୟକ୍ତି  ଅବଦାନରେ ୧୯୯୦ ମସିହାରେ ଏହି ପୀଠ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରାଗଲା  । ଶ୍ରୀ କନକ ଦୁର୍ଗା ମନ୍ଦିର ଗର୍ଭ ଗୃହରେ ଦେବୀ ମାଁ ଦୂର୍ଗା ସୁସଜ୍ଜିତ ଆସ୍ଥାନବେଦିରେ କନକବର୍ଣ୍ଣ  ଅଳଙ୍କାର ଧାରଣ କରି  ସିଂହ ବାହନରେ ଆସିନ ଅଛନ୍ତି । ଶ୍ରୀ କନକ ଦୁର୍ଗାଙ୍କ ଦକ୍ଷିଣ ପାର୍ଶ୍ଵରେ ଦେବଦେବ ଶ୍ରୀ ମହାଦେବ , ଦେବୀ ଲକ୍ଷ୍ମୀ ଓ ଶ୍ରୀ ଗଣେଶ ତଥା ବାମରେ ଦେବୀ ସରସ୍ଵତୀ ଓ ଦେବ ଶ୍ରୀ କାର୍ତ୍ତିକିୟ ପୂଜାପାଉଛନ୍ତି । ମନ୍ଦିର ସିଂହ ଦ୍ଵାର ଅତିକ୍ରମ କରିବା ପରେ ସର୍ବାଗ୍ରେ ଶ୍ରୀ ହନୁମାନଙ୍କ ବିରହ ଦୃଷ୍ଟି ଗୋଚୋର ହୁଏ ।  ମାଁଙ୍କ ନଅ ରୂପ ଯଥାକ୍ରମେ ମାଁ ଶୈଳପୁତ୍ରୀ, ବହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ  ସମେତ ହିନ୍ଦୁ ତ୍ରି ଦେବତା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ପ୍ରତିମୂର୍ତ୍ତି  ମନ୍ଦିର ଛାତର ସମ୍ମୁଖ ପଟେ ନିର୍ମାଣ  କରାଯାଇଛି ।
( ମାଁ କନକ ଦୁର୍ଗା )


ପୂଜା ଓ ପର୍ବ

ଏହି ଶକ୍ତି ପୀଠର ପରମ ଆରାଧ୍ୟ ଦେବୀ ଶ୍ରୀ କନକ ଦୁର୍ଗା  ଅତ୍ୟନ୍ତ ପ୍ରତ୍ୟକ୍ଷ ବୋଲି ଜନମାନସରେ ଅସୀମ ଭକ୍ତି ଓ ବିଶ୍ବାସ ଭରି ରହିଛି । ପ୍ରତ୍ୟହ ଅନେକ ଭକ୍ତ ନରନାରୀ ଏହି ମନ୍ଦିରକୁ ଦେବୀଙ୍କ ପୂଜାର୍ଚ୍ଚନା କରିବା ପାଇଁ ଆସିଥାନ୍ତି । ପ୍ରତି ମଙ୍ଗବାର ସନ୍ଧ୍ୟାରେ ଦେବୀ ଙ୍କ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ । ପାର୍ବଣ ତିଥି ଅନୁସାରେ ଅଶ୍ଵିନ ଶୁକ୍ଲ ପକ୍ଷ  ଓ ଚୈତ୍ର ଶୁକ୍ଳ ପକ୍ଷରେ ନବରାତ୍ରି ବିଧିରେ ଦେବୀ ଶ୍ରୀ କନକ ଦୁର୍ଗାଙ୍କ ପୂଜା ମହୋତ୍ସବ ହୁଏ ।
ତେବେ ଶାରଦୀୟ ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ଶ୍ରୀ କନକ ଦୁର୍ଗାଙ୍କ  ନବରୂପ  ଧାରଣ ଓ ସୃଙ୍ଗାର ସାଧନ ସମ୍ପନ୍ନ କରାଯାଇଥାଏ । ମନ୍ଦିର ଅଭ୍ୟନ୍ତର ପ୍ରକୋଷ୍ଟକୁ କାଚର କାରିଗର କାର୍ଯ୍ୟ କରାଯାଇଛି ଯାହା ମନ୍ଦିର ଭବ୍ୟତାକୁ ଦ୍ଵି ଗୁଣିତ କରିବାରେ ଅତୁଳନୀୟ ଭୂମିକା ଗ୍ରହଣ କରିଛି । ପ୍ରତି ମଙ୍ଗବାର ଦିନ ଏହି ପୀଠରେ ଭକ୍ତଙ୍କୁ ଦେବୀଙ୍କ ମହାପ୍ରସାଦ ଭକ୍ତ ମାନଙ୍କୁ ବଣ୍ଟନ କରାଯାଏ ।

ଏହି ପୀଠ ରେ ଅଧିଷ୍ଠାତ୍ରୀ ଶ୍ରୀ କନକ ଦୁର୍ଗାଙ୍କ ଅପାର କରୁଣା ଓ ଆଶୀର୍ବାଦ ଯୋଗୁଁ ଅନେକ ଭକ୍ତ ଓ ସାଧକଙ୍କ ସିଦ୍ଧିଲାଭ ହୋଇଥିବା ଜଣାଯାଏ ।  ତେଣୁ ଅନେକ ଭକ୍ତଗଣ ତାଙ୍କର ଦୁଃଖ ଓ ମୁକ୍ତି ଲାଭ ନିମିତ୍ତ ଦେବୀଙ୍କ ନିକଟରେ ମାନସିକ କରିବା ପାଇଁ ମଧ୍ୟ  ଆସିଥାନ୍ତି । ଦେବୀ ଶ୍ରୀ କନକ ଦୁର୍ଗାଙ୍କ ମହିମା ଅପାର ଅଟେ ଓ  ସଦାସର୍ବଦା ନିଜ ପ୍ରିୟ ଭକ୍ତଙ୍କ ଉପରେ ପ୍ରଗାଡ଼ ଅନୁକମ୍ପା ଓ କରୁଣା ଢାଳିଥାନ୍ତି। ସେ ଯେପରି ଦୁଃଖୀ  ଅସହାୟ ଆକୁଲ ପ୍ରାର୍ଥନାରେ ଅଭୟ ଆଶିଷ ପ୍ରଦାନ କରନ୍ତି , ସେହି ପରି  ନିଜ ଗର୍ଭ ଅହଂକାରରେ ଅପରାଧ କରିଥିବା  ଅପରାଥି ପାଇଁ ଉଚିତ  ଶାସ୍ତି ବିଧାନ କରିବା ଦୃଷ୍ଟାନ୍ତ ରହିଛି ।
( ଦୁର୍ଗା ମନ୍ଦିରର ଶ୍ରୀ ହନୁମାନ ମୂର୍ତ୍ତି)

ମନ୍ଦିରକୁ କିପରି ପହଞ୍ଚିବେ 

 ଯେହେତୁ କନକ ଦୁର୍ଗା ମନ୍ଦିର ଝାରସୁଗୁଡା ସହର ଭିତରେ ଅବସ୍ଥିତ, ଆପଣ ସହଜରେ ଏହି କ୍ଷେତ୍ରକୁ ଚାଲି କି ଯାଇପାରିବେ । ଏହି ପବିତ୍ର ସ୍ଥାନ ପାଦ ଚଳା ଦୂରତା ମଧ୍ୟରେ ଅଛି ,ଯାହା ଯଥାକ୍ରମେ ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ଠାରୁ  ପ୍ରାୟ ୩୦୦ ମିଟର ଏବଂ ୫୦ ମିଟର ଦୂରରେ । ଥରେ ମନ୍ଦିର ପରିଦର୍ଶନ କରି ମାତାଙ୍କର ଆଶୀର୍ବାଦ ଲାଭ କରନ୍ତୁ ।

ଗୁଗୁଲ୍ ମାନଚିତ୍ରରେ(Google Map) କନକ ଦୁର୍ଗା ମନ୍ଦିରର ଅବସ୍ଥାନ(Location) ଦେଖିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କରେ(Link) କ୍ଲିକ୍ କରନ୍ତୁ: -

👇👇👇👇👇👇👇👇👇👇👇👇👇👇👇👇


-------------------------------------------------------------------

ଲେଖକ :-  ରୋହିତ କୁମାର ଲୋହରା
                ପୁରୁଣାବସ୍ତି, ଝାରସୁଗୁଡ଼ା

ସୂଚନା ଉତ୍ସ  :- ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ 
                  ପୁରୁଣାବସ୍ତି, ଝାରସୁଗୁଡ଼ା




-

Comments

  1. Replies
    1. ମନ୍ଦିର ନିର୍ମାଣ କିମ୍ବଦନ୍ତୀ, ଐତିହ, ପୂଜାନୀତି ବିଷୟ ଜାଣି ଅତ୍ୟନ୍ତ ଭାଗ୍ୟବାନ ମନେକଲି l ପରମ୍ପରା ବଜାୟ ରହୁ, ଏତିକି ପ୍ରାର୍ଥନା l

      Delete

Post a Comment

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda