ସମ୍ବଳ ରାଜ୍ୟର ଗୁଜା ପାହାଡ଼ ବୌଦ୍ଧ ଗୁମ୍ଫା ଏକ ବଜ୍ରଯାନ ସାଧନା ପୀଠ

ଝାରସୁଗୁଡ଼ାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ଗୁଜା ପାହାଡ଼ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଗନ୍ତାଘର ଅଟେ ।  ପାହାଡ଼ର ପଛଭାଗରେ  ଅବସ୍ଥିତ  ହୀରାକୁଦ ଜଳ ଭଣ୍ଡାରର ନୀଳ ଜଳ ରାଶିର ମନମୋହକ ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ମନ୍ତ୍ରମୁଗ୍ଧ କରି ଥାଏ ‌। ଜଳଭଣ୍ଡାରରେ ବିଛେଇ ହୋଇଥିବା ଅନେକ  ଅରଣ୍ୟ ବେଷ୍ଟିତ ପାହାଡ଼ର  ଛବି  ବେଶ୍ ଆକର୍ଷଣୀୟ | ଏହାର ବୌଦ୍ଧ ଗୁମ୍ଫା ବଜ୍ରଯାନ ତନ୍ତ୍ର ସାଧନା ପୀଠ ରୂପେ ବେଶ ପରିଚିତ । ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହଜାର ହଜାର ଯାତ୍ରୀ , ଏଠାରେ ଅନୁଷ୍ଠିତ ହେଉଥିବା ଆଷାଢ ଓ ମାଘ ମେଳାରେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥାନ୍ତି । ଐତିହାସିକ ସ୍ଥଳ ଗୁଜା ପାହାଡ଼ ବରଙ୍ଗମାଲ୍ ଗ୍ରାମ ନିକଟରେ ଅବସ୍ଥିତ  ଯାହା ଝାରସୁଗୁଡ଼ା ସଦର ମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂରତାରେ ଅବସ୍ଥିତ ।

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda
 (  ଜଳାଶୟର ପ୍ରାକୃତିକ ସୌନ୍ଦର୍ଯ୍ୟ )

ଗୁଜା ପାହାଡ଼

 ଐତିହାସିକ ପାହାଡ ତିଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗାମାଲ ଗାଁର ସଂଲଗ୍ନ ଅଞ୍ଚଳରେ ରହିଅଛି | ଗୁଜା ପାହାଡ଼ରେ ଛୋଟ ବଡ଼  ୧୬ ଟି ଗୁମ୍ଫା ରହିଛି ସେଥି ମଧ୍ୟରୁ ବୃହତ୍ତମ ଗୁମ୍ଫାଟି ପାହାଡ଼ର ପାଦଦେଶରୁ ୧୫୦ ଫୁଟ ଉଚ୍ଚତାରେ ଅବସ୍ଥିତ । ଏହି ଗୁମ୍ଫାର ପ୍ରବେଶ ଦ୍ଵାର ପାହାଡ଼ର ଉତ୍ତର ପାର୍ଶ୍ଵରେ ଅବସ୍ଥିତ ଏବଂ ପାଞ୍ଚ ମିଟର ପରେ ଗୁମ୍ଫାଟି ଅଭ୍ୟନ୍ତରରେ ଦୁଇଟି ମାର୍ଗ ଜାତ କରିଛି । ପ୍ରଥମ ମାର୍ଗଟି ଅଭ୍ୟନ୍ତର ପର୍ଯ୍ୟନ୍ତ ଲମ୍ବି ଯାଇଥିବା ବେଳେ ଅନ୍ୟ ମାର୍ଗଟି ପାହାଡ଼ର ଦକ୍ଷିଣ ଆଡକୁ ଲମ୍ବି ଯାଇଛି । ଗୁଜା ପାହାଡ଼ ପାଦଦେଶର ପୂର୍ବ ଦିଗରେ ୧୬ଟି ପ୍ରସ୍ତର ପାହାଚ ଶ୍ରେଣୀ ପ୍ରତିଷ୍ଠିତ । 
ତେବେ ଗୁମ୍ଫା ଅଭ୍ୟନ୍ତରରେ ଅବସ୍ଥିତ ବିଶାଳ କକ୍ଷକୁ ଉପାସନା ଗୃହ ରୂପେ ବ୍ୟବହାର କରାଯାଇଥିଲା । ଏହି ଉପାସନା କକ୍ଷରେ ପ୍ରାୟ ୫୦୦ ଭକ୍ତ ସମବେତ ହୋଇ ଉପାସନା କରିପାରୁଥିଲେ । ଉପାସନା କକ୍ଷରେ ପ୍ରସ୍ତର ନିର୍ମିତ ଦେବୀ ସ୍ଥାପନ କରାଯାଇଥିବା ବେଳେ ଗୁମ୍ଫା କାନ୍ଥ ଗୁଡ଼ିକରେ ପ୍ରସ୍ତର ଖୋଦିତ ଅର୍ଦ୍ଧନିର୍ମିତ ହୟଗ୍ରୀବ ମୂର୍ତ୍ତି ଓ ବୌଦ୍ଧଙ୍କ ଆରାଧ୍ୟ ଦେବତାଙ୍କ ମୂର୍ତ୍ତି ବିଦ୍ୟମାନ ।

ସିଦ୍ଧ ସାଧକମାନଙ୍କ ବ୍ୟବହୃତ ବହୁ ପୁରାତନ ମାଟି ପାତ୍ର ଓ ମାଟି ଦୀପାଳି ବିକ୍ଷିପ୍ତ ଭାବରେ ଏହି ପ୍ରାଚୀନ  ବୌଦ୍ଧ ଉପାସନା ଗୁମ୍ଫାର ପ୍ରସ୍ତର ଚଟାଣର କୋଣରେ ପଡ଼ିଥିବା ଲକ୍ଷ୍ୟ କରାଯାଏ । ଅନ୍ୟ ଏକ ଗୁମ୍ଫା ପରିସରରେ ଗୁମ୍ଫା ଅନ୍ତେବାସୀଙ୍କ  ପାକଶାଳା ଓ ହେମକୁଣ୍ଡର  ବ୍ୟବହୃତ କାଷ୍ଠ ଜାଳେଣୀରୁ ଉତ୍ପନ୍ନ ପାଉଁଶ ପଡ଼ିରହିଛି । ଏହା ବ୍ୟତୀତ ଅନ୍ୟ ଏକ ଗୁମ୍ଫାର ଅଭ୍ୟନ୍ତର ଚଟାଣରେ ବିଭିନ୍ନ ଜୀବଜନ୍ତୁ ଓ ମଣିଷ ଅସ୍ଥିଖଣ୍ଡମାନ ସ୍ତୁପ ରୂପେ ପଡ଼ିଛି ।

ଗୁଜା ପାହାଡର ବୌଦ୍ଧ ଗୁମ୍ଫା ଏକଦା  ବଜ୍ରଯାନ  ସିଦ୍ଧ ଚାର୍ଯ୍ୟ ଇନ୍ଦ୍ରଭୂତିଙ୍କ ସାଧନା ପୀଠ ଥିଲା । ଏହି ଗୁମ୍ଫାରେ  ତାଙ୍କ ସମସାମୟିକ ବହୁ ବଜ୍ରଯାନୀ ସାଧକ ବାସ କରିଥିବାର ଉପରୋକ୍ତ ପରିବେଷ୍ଟନୀରୁ ପ୍ରମାଣିତ ହେଲା । ବଜ୍ରଯାନ ପୀଠ ରୂପେ ଖ୍ୟାତି ଅର୍ଜନ କରିଥିବା ଗୁଜା ପାହାଡ଼ ଗୁମ୍ଫାରେ ମୁଖ୍ୟତଃ ଚତୁର୍ଦ୍ଦଶୀ ଓ ସଂକ୍ରାନ୍ତି ତିଥିର ରାତ୍ରି କାଳରେ ଖଞ୍ଜଣି ଭଜନ ଶବ୍ଦ ଶୁଣିବାର ଆଞ୍ଚଳିକ ଗ୍ରାମବାସୀ ପରିପ୍ରକାଶ କରିଛନ୍ତି । 

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda
( ଗୁଜା ପାହାଡ଼କୁ ଯିବା ରାସ୍ତା )

ଇତିହାସ

ଗ୍ରୀକ୍ ପର୍ଯ୍ୟଟକ ଟଲେମୀଙ୍କ ବିବରଣୀ ଅନୁସାରେ  ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀରେ  ଓଡ଼ିଶାର ଅନ୍ତର୍ଗତ କୋଶଳ ଖଣ୍ଡରେ ପ୍ରବାହିତ ମହାନଦୀ ଓ ତାର ଉପନଦୀ ଇରାବତି ଅବବାହିକା ଅଞ୍ଚଳରେ ସମ୍ବଳ ନାମକ ରାଜ୍ୟ ଅବସ୍ଥାନର ପ୍ରମାଣ ମିଳିଛି  ।  ତତ୍କାଳୀନ ସମ୍ବଳ ରାଜ୍ୟର ପରିସୀମା ବରଗଡ଼ ଜିଲ୍ଲା ଅନ୍ତର୍ଗତ ଆମ୍ବଭୋଲା ଠାରୁ ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲ୍ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ସମ୍ବଳର ରାଜା ଇନ୍ଦ୍ରଭୂତିଙ୍କ ବୌଦ୍ଧ ଧର୍ମର ବଜ୍ରଯାନ ମାର୍ଗର ଦ୍ରୁତ  ପ୍ରସାର ଲାଭ କରିଥିଲେ । ଏହାର ପରବର୍ତ୍ତୀ ଅର୍ଥାତ୍ ସପ୍ତମ ଶତାବ୍ଦୀ କାଳରେ ସମ୍ବଳ  ରାଜ୍ୟର ରାଜା ଆଚାର୍ଯ୍ୟ  ଇନ୍ଦ୍ରଭୂତି  ରାଜଧାନୀ ଉପକଣ୍ଠରେ ଥିବା ଗୁଜା ପାହାଡ଼ ଗୁମ୍ଫାରେ ବ୍ରଜଯାନ ମାର୍ଗର ସାଧନ କରୁଥିଲେ । ଏହି ଗୁଜା ପାହାଡ଼ର ବୌଦ୍ଧ ଗୁମ୍ଫାରେ ରାଜାଙ୍କ ସହିତ ବଜ୍ରଯାନର ବହୁ ସିଦ୍ଧ ସାଧକ ଓ  ସମ୍ବଳ ରାଜ୍ୟର ପ୍ରଜାମାନେ ପୂଜା ଉପାସନା କରୁଥିଲେ । ତତ୍କାଳରେ ଏକ ଝରଣାର ଛୋଟ ଜଳଧାରା ପାହାଡର ଶିର୍ଷରୁ  ପାଦଦେଶ ପର୍ଯ୍ୟନ୍ତ ପ୍ରବାହିତ ହେଉଥିଲା । ଗୁମ୍ଫାର ଅନ୍ତେବାସୀ ପାନୀୟ ଓ ସ୍ନାନ ଜଳ ଏହି ଜଳଧାରାରୁ ସଂଗ୍ରହ କରୁଥିଲେ ।

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda
( ବୌଦ୍ଧ ଗୁମ୍ଫା )

 ପର୍ବ

ମାଘ ପୂର୍ଣ୍ଣିମା 

ପ୍ରତି ବର୍ଷ  ମାଘ ମାସରେ ଗୁଜା ପାହାଡ଼ର ପାଦଦେଶରେ ପ୍ରତିଷ୍ଠିତ ସିଦ୍ଧ ବାବାଙ୍କ ଆଶ୍ରମରେ ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ  ଅନୁଷ୍ଠିତ ହୋଇଥାଏ । । ବର୍ତ୍ତମାନ ରୀତିନୀତି ଅନୁସାରେ ନାମଯଜ୍ଞ  ମାଘ ପୂର୍ଣ୍ଣିମାର ତ୍ରୟୋଦଶୀ ଦିନ ଠାରୁ ନାମ ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନରେ ସମାପ୍ତି ହୁଏ । ମହୋତ୍ସବର ପ୍ରଥମ ଦିନରେ ସାଧୁ ସନ୍ଥ ସହିତ ମହିଳା ଓ କୁଆଁରୀ କନ୍ୟାମାନେ ନିକଟସ୍ଥ ଜଳାଶୟରୁ ପବିତ୍ର ଜଳ କଳସରେ ଆଣି ଆଶ୍ରମରେ ସ୍ଥାପନ କରିଥାନ୍ତି । ଆର୍ଯ୍ୟ ସମାଜର ପୁରୁଷ ଏବଂ ସ୍ତ୍ରୀମାନେ  ଚତୁର୍ଦ୍ଦଶୀର  ପ୍ରଭାତ ମୁହୂର୍ତ୍ତରେ ବୈଦିକ ଯଜ୍ଞ କରାଇଥାନ୍ତି । 

ନାମ ଯଜ୍ଞ ଉଦଯାପାନୀ ଅବସରରେ ବିଶ୍ଵ ଶାନ୍ତି ଓ କଲ୍ୟାଣ ନିମନ୍ତେ ଜନସାଧାରଣ ବ୍ରହ୍ମା ଯଜ୍ଞରେ ଘୃତାହୁତି ସାଙ୍ଗକୁ ପୂର୍ଣ୍ଣାହୁତି ଦେଇଥାନ୍ତି । ପୂର୍ଣ୍ଣିମା ତିଥିରେ ଅନ୍ନ ପ୍ରସାଦ ବଣ୍ଟନ କରିବା ସହିତ ସନ୍ଧ୍ୟାରେ ଅଲେଖ ମହିମା ସଂପ୍ରଦାୟ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି । ଏହି ଯଜ୍ଞରେ  ଅନେକ ସାଧୁ ସନ୍ଥ ଯଜ୍ଞ ମଣ୍ଡପରେ ଯୋଗ ଦାନ କରି  ମେଳାକୁ ଉତ୍ସବ ମୁଖରିତ କରାଇଥାନ୍ତି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା  ତଥା  ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ର ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଶିଳ୍ପ ସଂସ୍ଥା ପକ୍ଷରୁ ମେଳାରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଥାଏ ।

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda
( ସିଦ୍ଧ ବାବା ମନ୍ଦିର )

 ଆଷାଢ ପୂର୍ଣ୍ଣିମା 

ବୌଦ୍ଧ ଧର୍ମର ପ୍ରତିଷ୍ଠାତା ମହାତ୍ମା ଗୌତମ ବୁଦ୍ଧଙ୍କ ଜନ୍ମ ତିଥିରେ ବୌଦ୍ଧ ସଂପ୍ରଦାୟର  ଲୋକେ   'ଆଷାଢ ପୂର୍ଣ୍ଣିମା' ପାଳନ କରନ୍ତି । ବୌଦ୍ଧ ଧର୍ମ ଅବଲମ୍ବୀ  ସମ୍ବଳ ରାଜ୍ୟର ରାଜା ଆଷାଢ ମାସରେ ତାଙ୍କ ରାଜଧାନୀ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଗୁଜା ପାହାଡ଼ ପାଦଦେଶରେ ଆଷାଢ ଉତ୍ସବ ପାଳନ କରୁଥିଲେ । 

ଆଷାଢ ଉତ୍ସବ ପାଳନ ଅବସରରେ ଗୁଜା ପାହାଡ଼ ପାଦଦେଶରେ ସପ୍ତାହ ବ୍ୟାପୀ ଏକ 'ରାମ୍ୟ ମେଳା' ଅନୁଷ୍ଠିତ ହେଉଥିଲା । ଏହି ମେଳାକୁ  ଶହ ଶହ ପ୍ରଜାମାନେ ନିକଟବର୍ତ୍ତୀ ପଲ୍ଲୀ ମାନଙ୍କରୁ ଆସୁଥିଲେ । ଇତି ମଧ୍ୟରେ ଗୁଜା ପାହାଡ଼ ପାଦଦେଶରେ 'ରାମ୍ୟ ମେଳା ' ନାମକ ଗୋଟିଏ ଛୋଟ ପଲ୍ଲୀ ଗଢ଼ି ଉଠିଥିଲା  । କାଳକ୍ରମେ ରାମ୍ୟମେଳା ପଲ୍ଲୀ  ଜନସ୍ମୃତିରେ ଅପଭ୍ରଂଶ ହୋଇ ' ରମେଲା' ନାମରେ ପରିଚିତ ହେଲା ।  ହୀରାକୁଦ ଜଳଭଣ୍ଡାର ନିର୍ମାଣ ଯୋଗୁଁ ରମେଲା ଗାଁଟି ଜଳମଗ୍ନ ହେଲା ପରେ ଆଷାଢ଼ ପୂର୍ଣ୍ଣିମା ମେଳା ଗୁଜା ପାହାଡ଼ ଭୂମିରେ ଆୟୋଜିତ ହେବାକୁ ଲାଗିଲା । 

ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ବୌଦ୍ଧ ଧର୍ମ ପ୍ରତି ଲୋକମାନଙ୍କ  ବିଶ୍ଵାସ କ୍ରମଶଃ ଲୋପ ପାଉଥିଲାବେଳେ ସମ୍ବଳ ରାଜ୍ୟରୁ ବୌଦ୍ଧ ଧର୍ମ କ୍ରମେ ନିଶ୍ଚିହ୍ନ  ହୋଇଯାଇଥିଲା । ଯାହା ଫଳରେ ଆଷାଢ଼ ପୂର୍ଣ୍ଣିମା ଉତ୍ସବ ବୌଦ୍ଧ ପରମ୍ପରା ବିଚ୍ଛିନ୍ନ ହୋଇ କ୍ରମେ ହିନ୍ଦୁ ଧର୍ମ ପାରମ୍ପରିକ ବିଧି ବିଧାନ ଅନୁଯାୟୀ  ପାଳନ ହେବାକୁ ଲାଗିଲା ।

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda
( ପାହାଡର ଦୃଶ୍ୟ )

କିମ୍ବଦନ୍ତୀ

(୧) ଗୁଜାପାହାଡ଼ ପାର୍ଶ୍ଵବର୍ତ୍ତୀ  ଅଞ୍ଚଳର ଜଡ଼ାମୁଣ୍ଡା ଗ୍ରାମର ବିଶେଶ୍ୱର ବନଛୋର ନାମକ ଗାଈଆଳ ଯୁବକ ଗୋରୁ ଚରାଇବା ପାଇଁ ସେହି ପାହାଡକୁ ଯାଇଥିଲା ।  ପାହାଡ଼ର ପାଦଦେଶରେ ଗାଈ ଚରାଉଥିବା ବେଳେ  ଦୁଇ ଜଣ ସନ୍ୟାସୀ ଯୁବକକୁ  ଗୁମ୍ଫା ଭିତରକୁ ନେଇଗଲେ । ସେମାନେ  ଗୁମ୍ଫାର ଉପାସନା କକ୍ଷରେ ଯୁବକକୁ ବସାଇ ବିଭିନ୍ନ ପ୍ରକାର ସୁମିଷ୍ଟ ଭୋଜନ ଦେଇଥିଲେ । କିନ୍ତୁ ଯୁବକଟି ଏଭଳି ଅପ୍ରତ୍ୟାଶିତ ଘଟଣାରେ ସ୍ତମ୍ଭୀଭୂତ ହୋଇ ସନ୍ୟାସୀ କବଳରୁ ମୁକ୍ତି ପାଇଁ କ୍ରନ୍ଦନ କରିବାକୁ ଲାଗିଲା ।  ଫଳରେ ସନ୍ୟାସୀ ଜଣକ ଯୁବକଟିକୁ  ଗୁମ୍ଫା ବାହାରେ ଛାଡି ପୁଣି  ଗୁମ୍ଫାକୁ ଫେରିଗଲେ । 

ଅସ୍ଵାଭାବିକ ଘଟଣା ମଧ୍ୟରେ ଗାଈପଲ  ଗାଁକୁ ଫେରି ଆସିଥିଲେ । ଗାଈଆଳ ଯୁବକଟି ପ୍ରଭାତରେ ଘରକୁ ଫେରି ତାର ସହିତ ଘଟିଥିବା ଘଟଣା ସମ୍ପର୍କରେ ଗ୍ରାମବାସୀ  ନିକଟରେ ପରିପ୍ରକାଶ  କରିବା ଯୋଗୁଁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda
( ପାହାଚ ଶ୍ରେଣୀ )

(୨) ପାହାଡ଼ର ନିକଟବର୍ତ୍ତୀ ପାତରପାଳି ଗ୍ରାମର ଜଣେ ବ୍ୟକ୍ତି ଅତିସାର ରୋଗ ଆକ୍ରାନ୍ତ ଥିଲେ । ସେ  ଚେରି ମୂଳି  ସେବନ କରି ମଧ୍ୟ ଆରୋଗ୍ୟ ପ୍ରାପ୍ତ କରି ନ ପାରି ବ୍ୟସ୍ତ ହୋଇ ପଡ଼ିଥିଲେ । ଦିନେ ଗୁଜା ପାହାଡ଼ରୁ ଶୌଚ କାମ ସାରି ଘରକୁ ଫେରିବା ବେଳେ ଗୋଟିଏ ସନ୍ୟାସୀଙ୍କୁ ଦେଖିଲେ । ତାଙ୍କ ପାଖକୁ ଯାଇ ପ୍ରଣାମ କରି ନିଜର ଦୁଃଖ ବିଷୟରେ ଗୁହାରି କରି ଜଣାଇଥିଲେ ।  ସନ୍ନ୍ୟାସୀ ଲୋକଟିକୁ କିଛି ବିଭୂତି ଦେଇ ନିୟମିତ ଖାଇବା ପାଇଁ ଉପଦେଶ ଦେଇ ଅଦୃଶ୍ୟ ହୋଇ ଗଲେ । ସନ୍ନ୍ୟାସୀଙ୍କ ଦିଆଯାଇଥିବା ବିଭୂତି ସେବନ କରି ଲୋକଟି ଅଳ୍ପ ସମୟରେ ଆରୋଗ୍ୟ ଲାଭ କରିଥିଲା 

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda
( ଗୁଜା ପାହାଡ଼ )



(୩) ଶତାଧିକ ବର୍ଷ ତଳେ ଜଣେ ଅଲୌକିକ ଶକ୍ତି ସମ୍ପର୍ଣ୍ଣ ସନ୍ନ୍ୟାସୀ ଗୁଜା ପାହାଡ଼ ପାଦଦେଶରେ ଆଶ୍ରମ ନିର୍ମାଣ କରି ବସବାସ କରି ରହୁଥିଲେ । କେବଳ ଶାକାହାର ଓ ଫଳମୂଳ ଭକ୍ଷଣ କରି  ତାଙ୍କ କୁଟୀର ନିର୍ମିତ ଆଶ୍ରମରେ କୋଠାର କରୁଥିଲେ । ସେ ସିଂହାପାଲି ଗ୍ରାମର ଉଗ୍ରେସନ ସାହୁଙ୍କୁ ଆଶ୍ରମର ଦାୟିତ୍ଵ ପ୍ରଦାନ କରିଥିଲେ  ।

ସେତେବେଳ ବୈଶାଖ ମାସରେ ଜଳ ଅଭାବ ଯୋଗୁଁ  ଆଖ ପାଖ ଗ୍ରାମଗୁଡ଼ିକର ଜନସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । ଏହି ଜଳାଭାବ ସମସ୍ୟାର ସମାଧାନ କରିବା ପାଇଁ ଅନେକ ପଲ୍ଲୀର ଲୋକମାନେ ଏକତ୍ରିତ ହୋଇ ସନ୍ନ୍ୟାସୀଙ୍କୁ  ଦର୍ଶନ କରିବାକୁ ଗଲେ । ଗ୍ରାମବାସୀମାନେ ସନ୍ୟାସୀଙ୍କୁ ଜଳ ସଙ୍କଟରୁ ଉଦ୍ଧାର କରିବା ପାଇଁ ବ୍ୟାକୁଳ ପ୍ରାର୍ଥନା କଲେ ।  ଉପରୋକ୍ତ ସମସ୍ୟାରୁ ମୁକ୍ତି ପାଇଁ ସନ୍ନ୍ୟାସୀ  ତାଙ୍କ ଆଶ୍ରମରେ ସାତ ଦିନ ବ୍ୟାପୀ ଯଜ୍ଞାନୁଷ୍ଠାନ ଆୟୋଜନ କରିଥିଲେ ଏବଂ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକ ଏଥିରେ ଯୋଗଦାନ ଦେଇଥିଲେ । ସନ୍ନ୍ୟାସୀ ତାଙ୍କ ଆଶ୍ରମ ପଛପଟେ ଥିବା ବରଗଛ ଭୂମି ତଳକୁ ଚିମୁଟାରେ ଆଘାତ କରି ଜଳଧାରା ସୃଷ୍ଟି କଲେ । ସନ୍ନ୍ୟାସୀଙ୍କ ଏହି ଭଳି ଅଲୌକିକ  କାର୍ଯ୍ୟକଳାପ ସମଗ୍ର ଦିଗରେ ପ୍ରସାରିତ ହୋଇ ଲୋକେ 'ସିଦ୍ଧ ବାବା ' ବିବେଚନା କଲେ । 

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda
( ପାହାଡ଼ର ପାଦଦେଶେ ମନ୍ଦିର )

(୪) ଆଉ ଥରେ ଗୁଜା ପାହାଡ଼କୁ ଲାଗି କି ଥିବା ଗ୍ରାମ ଗୁଡିକରେ  ପ୍ରବଳ ବର୍ଷା ଯୋଗୁଁ  ମନୁଷ୍ୟ ଓ ଜୀବଜନ୍ତୁ ମାନଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲା । ଏହି ଭଳି ଦୈବୀ ଦୁର୍ବିପାକ କୁ ଏଡେଇବା ପାଇଁ ସିଂହାଇ ପାଲି ଗ୍ରାମର ହୀରା ରାମ ସାହୁ, ପଞ୍ଚୁ ଭୋଇ, ବାଳକି ପଣ୍ଡା ଓ ପବିତ୍ର ଭୋଏ ପ୍ରଭୃତ ବିଶିଷ୍ଟ ବ୍ୟକ୍ତିଗଣ ସନ୍ନ୍ୟାସୀଙ୍କ ଆଶ୍ରମକୁ  ଗଲେ । ସନ୍ନ୍ୟାସୀ ଧୂନି ଜଳାଇ ତାର ଉପରେ ଶୂନ୍ୟରେ ଶୋଇଥିବା ଦୃଶ୍ୟ ଅବଲୋକନ କରି  ସମସ୍ତେ  ବିସ୍ମିତ ହୋଇଥିଲେ । ଏହାର କିଛି ଦିନ ପରେ ସନ୍ନ୍ୟାସୀ ହଠାତ୍ ଗ୍ରାମବାସୀଙ୍କ ଅଜ୍ଞାତରେ ଅନ୍ତର୍ଦ୍ଧାନ  ହୋଇଗଲେ । 

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda

ବିକାଶ

ଏହି ଐତିହାସିକ ଗୁଜା ପାହାଡ଼କୁ ଯାତାୟତ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ରାସ୍ତା ନିର୍ମାଣ କରାଯାଇଛି । ଏହି ପର୍ଯ୍ୟଟନ କ୍ଷେତ୍ରକୁ  ବିଦ୍ୟୁତ୍ ସଂଯୋଗ କରାଯାଇଛି । ବିଭିନ୍ନ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାଇବା ପାଇଁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କ ଉଦ୍ୟମରେ  "ଗୁଜା ପାହାଡ଼ ବିକାଶ କମିଟି" ଗଠନ କରାଯାଇଛି । ସରକାର ଓ ବିଭିନ୍ନ ବଦାନୀ ବ୍ୟକ୍ତିମାନଙ୍କ ସହଯୋଗରେ ଆଶ୍ରମ ଗୃହ, ସିଦ୍ଧ ବାବା ମନ୍ଦିର, ଭୋଗ ଘର, ମହିମା ମଠ, ମହାଦେବ ମନ୍ଦିର, ଗଣେଶ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହା ବ୍ୟତୀତ ପଣସ, ପିଜୁଳି, ଆମ୍ବ, ଲିଚୁ ସହିତ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି । 

ଗୁଜା ପାହାଡ଼ ଝାରସୁଗୁଡ଼ା  Guja pahar Jharsuguda

କିପରି ଗୁଜା ପାହାଡ଼କୁ ଯିବେ :- 

ଗୁଜା ପାହାଡ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ  ପାଇଁ ଜଣାଶୁଣା ଏବଂ ପ୍ରକୃତି ପ୍ରେମୀଙ୍କ ପାଇଁ ସ୍ୱର୍ଗ ବୋଲି ବିଶ୍ୱାସ କରାଯାଏ |ଗୁଜା ପର୍ବତ ଝାରସୁଗୁଡ଼ା ସଦର ମହକୁମା ଠାରୁ ୫୦ କିଲୋ ମିଟର ଦୂରତା ଅବସ୍ଥିତ । ଏଠାକୁ ଯିବା ପାଇଁ ବିଭିନ୍ନ ମାର୍ଗ ରହିଅଛି । ତିଲିଆ ଗ୍ରାମ ପଞ୍ଚୟତର ଅନ୍ତର୍ଗତ ବରଙ୍ଗମାଲ୍ ଗ୍ରାମର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଏହି ଐତିହାସିକ ପାହାଡ଼  ଉପସ୍ଥିତ। ବରଙ୍ଗମାଲ୍ ପଲ୍ଲୀ ଝାରସୁଗୁଡ଼ାର  କୋଣରେ ଥିବାରୁ କୈାଣସି ବସ ସେବା ଉପଲବ୍ଧ ନାହିଁ । କିନ୍ତୁ ଆପଣ ଝାରସୁଗୁଡ଼ା, ବ୍ରଜରଜନଗର କିମ୍ବା ବେଳପାହାଡ଼ରୁ ମଟର ଗାଡି ଭଡ଼ାରେ ନେଇ ଅତି ଶୀଘ୍ର  ପାହାଡ଼କୁ ପହଞ୍ଚି ପାରିବେ । ଯଦି ଆପଣ ଝାରସୁଗୁଡ଼ା ଜିଲ୍ଲାର ଅଧିବାସୀ ତେବେ ଏହି ସ୍ଥାନକୁ ଯିବା ପାଇଁ ଆପଣ ନିଜ ଯାନ ଉଦ୍ଦିଷ୍ଟ ରହିବ ।  ଗୁଜା ପାହାଡ଼ ଆସି ଏହାର  ପ୍ରାକୃତିକ ସୌଦର୍ଯ୍ୟର ଉପଭୋଗ  କରନ୍ତୁ ।



                     -: ପଢ଼ିବା ପାଇଁ ଧାନ୍ୟବାଦ :-
-------------------------------------------------------------------


ଲେଖକ :- ରୋହିତ କୁମାର ଲୋହାରା
             ପୁରୁଣାବସ୍ତୀ, ଝାରସୁଗୁଡ଼ା

ଉଦ୍ଧରଣ 
ତଥ୍ୟ :- ବଜ୍ରଯାନ ସାଧନା ପୀଠ - ସମ୍ବଳ ରାଜ୍ୟର ଗୁଜା ପାହାଡ଼
  ଲେଖକ :- ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଭିଡିଓ କ୍ରେଡିଟ୍ :- ଟ୍ରାଭେଲର ବାବୁ


ଗୁଜା ପାହାଡ଼ର ଅବସ୍ଥିତି କୁ ଗୁଗୋଲ୍ ମେପରେ ଦେଖିବା ପାଇଁ ତଳେ ଦିଯାଇଥିବା ଲିଙ୍କ୍ ରେ କ୍ଲିକ୍ କରନ୍ତୁ ।👇👇👇👇👇👇




Comments

  1. କିନ୍ତୁ ପାହାଡ଼ ଉପର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାହାଚ ତିଆରି କାରହେଲେ ଭଲ ହୁଅନ୍ତା ।।

    ReplyDelete

Post a Comment

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda