ପଦ୍ମପୁରର ମାଁ ପଦ୍ମାସିନୀ ମନ୍ଦିର, ଝାରସୁଗୁଡ଼ା
ଶିଳ୍ପ ନଗରୀ ନାମରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅନେକ ଐତିହାସିକ ପୀଠ ସମେତ ଅଷ୍ଚଚଣ୍ଡୀ ପୀଠ ମଧ୍ୟ ବିଦ୍ୟମାନ । ପଦ୍ମପୁର ନଗରରେ ପ୍ରତିଷ୍ଠିତ ପଦ୍ମାସିନୀ ମନ୍ଦିରର ଭିନ୍ନ ନିର୍ମାଣ ଶୈଳୀ ଯୋଗୁଁ ଜିଲ୍ଲାରେ ଥିବା ଅନ୍ୟ ଚଣ୍ଡୀ ପୀଠ ଗୁଡ଼ିକ ମଧ୍ୟରୁ ଅନ୍ୟତମ ଅଟେ । ହୀରାକୁଦ ଜଳଭଣ୍ଡାର ଜଳମଗ୍ନ ଅବସ୍ଥାରେ ଛିଡ଼ା ହୋଇ ଏହି ପ୍ରାଚୀନ ପଦ୍ମାସିନୀ ମନ୍ଦିର ଅତୀତ ଅନେକ ଇତିହାସ ଜାବୁଡ଼ି ରଖିଛି ।
ଓଡିଶାର ଅନ୍ୟାନ୍ୟ ମନ୍ଦିରରୁ ଏହି ପଦ୍ମାସିନି ମନ୍ଦିରର କଳା ଏବଂ ସ୍ଥାପତ୍ୟ ସମ୍ପୂର୍ଣ୍ଣ ଭିନ୍ନ ଅଟେ | ମନ୍ଦିର ଗୋଟିଏ ଗୋଟିଏ ବଡ଼ ବଡ଼ ପଥର ମନ୍ଦିର ନିର୍ମାଣରେ ଲଗାଯାଇଛି । ମନ୍ଦିରରେ ଦୁଇଟି ପଥର ଲେଖା ମିଳିଛି |କିନ୍ତୁ ସେଗୁଡ଼ିକ ବ୍ୟାଖ୍ୟା କରାଯାଇ ପାରିନାହିଁ | ଏପରିକି ମନ୍ଦିରର ପ୍ରତିଷ୍ଠାତା ଏବଂ ନିର୍ମାଣ ସମୟ ଏପର୍ଯ୍ୟନ୍ତ ସଠିକ ନିର୍ଦ୍ଧାରଣ ହୋଇ ପାରି ନାହିଁ |
ପଦ୍ମାସିନୀ ମନ୍ଦିର ହେଉଛି ଅଷ୍ଟମ ଶତାବ୍ଦୀର ଏକ ଚାଲୁକ୍ୟ ସ୍ମାରକୀ । ସପ୍ତମ ଶତାବ୍ଦୀରେ ଦକ୍ଷିଣର ଜଣେ ଚାଲୁକ୍ୟ ରାଜା ପଦ୍ମସିନୀ ମନ୍ଦିର ନିର୍ମାଣ କରିଥିଲେ | ତେବେ ମୂଳ ମନ୍ଦିର କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା । ସପ୍ତମ ଶତାବ୍ଦୀରେ ସମ୍ବଲପୁରର ଚୌହାନ ରାଜାଙ୍କ ଦ୍ୱାରା ଏହାର ପୁନଃନିର୍ମାଣ ହୋଇଥିବାର ବିଶ୍ୱାସ କରାଯାଏ | ମୂଳ ମନ୍ଦିରର “ଜଗମୋହନ” କୁ ଦେଖିଲେ ଚଲୁକ୍ୟ ଯୁଗର ସ୍ଥାପତ୍ୟ ସହିତ ସମାନତା ଦେଖାଯାଏ | ଦେବୀ ପଦ୍ମାସିନିଙ୍କ ପଥର ମୂର୍ତ୍ତି ମଧ୍ୟ ଚାଲୁକ୍ୟ ସମୟର ଶୈଳୀ ସହିତ ସମାନତା ଦେଖାଯାଏ | ସମଗ୍ର ଓଡ଼ିଶା ପଦ୍ମାସିନି ମନ୍ଦିରର ଚାଲୁକ୍ୟ କଳା ଏବଂ ସ୍ଥାପତ୍ୟର ଏକ ନିଆରା ଉଦାହରଣ |
ପଦ୍ମପୁର ନଗର ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଅତ୍ୟନ୍ତ ସମୃଦ୍ଧ ଲାଭ କରିଥିଲା । ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ସଂସ୍କୃତ ଭାଷାର ଅନ୍ୟତମ ମହାନ ନାଟ୍ୟକାର ତଥା ବେଦୋପନିଷଦ ଏବଂ ଦର୍ଶନ ଶାସ୍ତ୍ର ପାରଦର୍ଶୀ ପୁରୁଷ ଭବଭୂତି ଏହି ପଦମପୁର ନଗରୀରେ ଜନ୍ମଗ୍ରହଣ କରିଥିଲେ । ଭବଭୂତିଙ୍କ ରଚିତ ତିନୋଟି ପ୍ରସିଦ୍ଧ ନାଟକ ଗୁଡ଼ିକ ହେଲା ମାଳତୀ ମାଧବଂ, ମହାବୀର ରଚିତ ଓ ଉତ୍ତର ରାମଚରିତ । ଏହି ସ୍ଥାନରେ ବୌଦ୍ଧ ଧର୍ମର ବଜ୍ରଯାନ ତନ୍ତ୍ର ମାର୍ଗ ଉତ୍ପନ୍ନ ହୋଇଥିଲା ବୋଲି ଜଣାଯାଏ ।
![]() |
ପୁରୁଣା ପଦ୍ମାସିନୀ ମନ୍ଦିର |
ଇତିହାସ
ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ଅଭିଯାନ କାଳରେ ' କୋଶଳ ' ନାମକ ଏକ ରାଜ୍ୟ ପ୍ରତିଷ୍ଠା ଲାଭ କରିଥିଲା । ମେଘ ବଂଶୀୟ ରାଜା ମାନେ ଉକ୍ତ କୋଶଳ ରାଜ୍ୟରେ ଶାସନ କରୁଥିଲେ । କଳିଙ୍ଗ ରାଜା ମେଘବାହନ ଯୁଦ୍ଧରେ ମଗଧ ସମ୍ରାଟ ଅଶୋକଙ୍କ ଠାରୁ ପରାସ୍ତ ହୋଇ ଏହି କୋଶଳ ରାଜ୍ୟରେ ଆଶ୍ରୟ ନେଇଥିଲେ ।
ଖ୍ରୀଷ୍ଟୀୟ ଦ୍ଵିତୀୟ ଶତାବ୍ଦୀରେ ଗୋଟିଏ ସୂର୍ଯ୍ୟବଂଶୀୟ ରାଜା କୋଶଳ ରାଜ୍ୟର ଉତ୍ତର ଅଂଶରେ ( ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରଗଡ଼ ଓ ପଦ୍ମପୁର ବୋଡାସମ୍ବର ଅଞ୍ଚଳ ) ରାଜତ୍ଵ କରୁଥିଲେ
। ଖ୍ରୀଷ୍ଟୀୟ ପୂର୍ବ ୧୪୩ ରୁ ୧୨୫ ମଧ୍ୟରେ ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଗ ( ପାଇକମାଳ ଅଞ୍ଚରେ ) ଏକ ସୂର୍ଯ୍ୟ ବଂଶୀୟ ରାଜା ବାମନ ଦେବ ଶାସନ କରୁଥିଲେ । ବାମନ ଦେବଙ୍କ ଶିଶୁପୁତ୍ରକୁ ପ୍ରତିବେଶୀ ରାଜ୍ୟର ରାଜା ଭୀମ ଦେବ ଅପହରଣ କରିନେଇ ଆପଣା ପୁତ୍ର ରୂପେ ଲାଳନ ପାଳନ କରିଥିଲେ । ରାଜା ଭୀମ ଦେବଙ୍କ ମୃତ୍ୟୁ ପରେ ପୋଷ୍ୟ ପୁତ୍ର ସୁଲୋଚନେୟ ଦେବ ଉକ୍ତ ରାଜ୍ୟର ରାଜା ହୋଇଥିଲେ । ପିତା ବାମନ ଦେବଙ୍କ ମୃତ୍ୟୁ ପରେ ପୁତ୍ର ସୁଲୋଚନେୟ ଦେବଙ୍କ ନିଜ ପୈତୃକ ରାଜ୍ୟ ମଧ୍ୟ ଅଧିକାର କରିଥିଲେ । ରାଜା ସୁଲୋଚନେୟ ଦେବଙ୍କ ଦୁଇଟି ପୁତ୍ର ପ୍ରତାପ ସେନ ଓ ଶତ୍ରୁଘାତୀ ସେନ ଥିଲେ । ଉଭୟ ପୁତ୍ର ପ୍ରତାପ ସେନ ଓ ଶତ୍ରୁଘାତୀ ସେନ ଖ୍ରୀଷ୍ଟୀୟ ପୂର୍ବ ୧୦୭ ଏବଂ ୮୯ ପ୍ରର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ । ତାଙ୍କର ରାଜଧାନୀ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ପାଟଣାଗଡରେ ସ୍ଥାପିତ ହୋଇଥିଲା ।
ଏହାର ପରବର୍ତ୍ତୀ କାଳରେ ଜଣେ କଣ୍ଡରା ବା ମାହାର ଜାତିର ରାଜା ପଦ୍ମସେନ କୋଶଳ ରାଜ୍ୟ ଅଞ୍ଚଲରେ ଶାସନ କରିଥିଲେ । ପଦ୍ମସେନ କୋଶଳ ସାମ୍ରାଜ୍ୟର ଅଭିଷିକ୍ତ ହୋଇ ମଧ୍ୟ ଆପଣା କୌଳିକ ବ୍ୟବସାୟ ତ୍ୟାଗ ନ କରି ବନଜାତ ଦ୍ରବ୍ଯ, ବାଉଁଶରୁ କୁଳା, ଚାଙ୍ଗୁଡ଼ି ଓ ଡଲା ପ୍ରଭୃତି ନିର୍ମାଣ କରି ତହିଁରେ ନିଜର ଜୀବିକା ନିର୍ବାହ କରୁଥିଲେ । ରାଜା ପଦ୍ମସେନ ତନ୍ତ୍ର ବିଦ୍ୟାରେ ନିପୂଣ ଥିଲେ । ଥରେ କେତେକ ପ୍ରଭାବ ଶାଳୀ ପ୍ରଜା ରାଜା ପଦ୍ମସେନଙ୍କୁ ସିଂହାସନରୁ ବହିଷ୍କାର କରିବା ଉଦ୍ୟମ କରିଥିଲେ । ଗୁପ୍ତ ଚର ମାନଙ୍କ ଦ୍ଵାରା ରାଜା ଏହି ଷଡ଼ଯନ୍ତ୍ର ବିଷୟରେ ଜାଣି ପାରି ସମସ୍ତ ଷଡ଼ଯନ୍ତ୍ରକରୀ ପ୍ରଜାମାନଙ୍କୁ ତନ୍ତ୍ର ବିଦ୍ୟା ବଳରେ ମୃତ୍ୟୁ ଦଣ୍ଡ ଦେଇଥିଲେ । ଅବଶ୍ୟ ଦୟାଲୁ ରାଜା ଉକ୍ତ ଅନିଷ୍ଟକାରୀ ବ୍ୟକ୍ତିମାନଙ୍କ ଆତ୍ମୀୟମାନେ ରାଜା ନିକରେ କ୍ଷମା ପ୍ରାର୍ଥନା କରିଥିବାରୁ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡରୁ ଉଦ୍ଧାର କରିଥିଲେ । ତେଣୁ ରାଜାଙ୍କ ତନ୍ତ୍ର ପାରର୍ଗମ୍ୟ ଯୋଗୁଁ ରାଜ୍ୟ ପ୍ରଜାମାନେ ରାଜା ବିରୁଦ୍ଧ ରେ କୈାଣସି ଷଡଯନ୍ତ୍ର କରିବା ପାଇଁ ସାହସ ହୋଇ ପାରୁ ନ ଥିଲେ ।
ଅପର ପକ୍ଷରେ ରାଜା ପଦ୍ମସେନଙ୍କ ରାଣୀ ପଦ୍ମାବତୀ ନିଜର ସିଦ୍ଧି ବଳରେ ପୋଖରୀ ମଧ୍ୟରେ ଥିବା ପଦ୍ମ ପତ୍ର ଉପରେ ଚାଲି ଯାଇ କଳସୀରେ ପାଣି ସଂଗ୍ରହ କରିପାରୁଥିଲେ । ରାଣୀ ମାୟା ଶକ୍ତି ଯୋଗୁଁ ତାଙ୍କ ପଦ୍ମ ଚିହ୍ନ ଭୂମି ଉପରେ ସୃଷ୍ଟି ହେଉ ନ ଥିଲା । ଉଭୟ ରାଜା ପଦ୍ମସେନ ଓ ରାଣୀ ପଦ୍ମାବତୀ ଶିବ ଏବଂ ଦୁର୍ଗାଙ୍କୁ ଇଷ୍ଟ ଦେବଦେବୀ ଭାବେ ନିୟମିତ ପୂଜାର୍ଚ୍ଚନା କରିଆସୁଥିଲେ । ରାଜା ପଦ୍ମସେନ ପରମ ଧାର୍ମିକ ଓ ନିଃସନ୍ତାନ ଥିଲେ । ରାଜ୍ୟ ଶାସନ ଚଳାଇବା ପାଇଁ ପ୍ରଜା ମାନଙ୍କ ଠାରୁ କୈାଣସି କର ଆଦାୟ ନ କରି କୈାଳିକ ବୃତ୍ତି ରୁ ଅର୍ଜିତ ଧନକୁ ଆପଣା ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଶାସନ ନିର୍ବାହରେ ବୟ କରୁଥିଲେ ।
( ମାଁ ପଦ୍ମାସିନି ମନ୍ଦିର )
ଥରେ ରାଜା ପଦ୍ମସେନ ରାଜ୍ୟ ଶାସନ ବୟ ବାବଦ କୁ ନେଇ ପ୍ରଜାମାନଙ୍କ ଠାରୁ ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ପଦକ ଖଜଣା ସ୍ୱରୂପ ଆଦାୟ କଲେ । ତାର ଅନ୍ୟ ଦିନ ରାଣୀ ଜଳ ସଂଗ୍ରହ କରିବା ପାଇଁ କଳସୀ ଧରି ପୁଷ୍କରିଣୀ ଆଡ଼କୁ ଗଲେ । କିନ୍ତୁ ସେ ପୂର୍ବ ପରି ପୋଖରୀ ମଧ୍ୟରେ ହୋଇଥିବା ପଦ୍ମ ପତ୍ର ଉପରେ ଆଉ ଚାଲି ପାରିଲେ ନାହିଁ । ପୋଖରୀରେ ପାଦ ଦେବା ମାତ୍ରେ ଗୋଡ ପାଣି ଭିତରେ ପଶିଗଲା । ସେ ଏହି ପରି ଅପ୍ରତ୍ୟାଶିତ ଘଟଣାରୁ ବିଚଳିତ ହୋଇ ତତକ୍ଷଣାତ୍ ଘରକୁ ଫେରି ଆସି ରାଜାକୁ କିଛି ଅଧର୍ମ କରିଛ ବୋଲି ପଚାରିଲେ ।
ରାଜା ରାଣୀକୁ ପ୍ରଜାମାନଙ୍କ ଠାରୁ ରାଜ୍ୟ ଶାସନ ବାବଦକୁ ନେଇ ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ପଦକ ଆଦାୟ କରିଥିବା ବିଷୟ ପ୍ରକାଶ କଲେ । ରାଜା ପଦ୍ମସେନଙ୍କ ଏହି କାର୍ଯ୍ୟକଳାପ ଯୋଗୁଁ ରାଣୀ ବହୁତ୍ ଦୁଃଖିତ ହୋଇ ପ୍ରଜା ମାନଙ୍କ ସହିତ ଅନ୍ୟୟ ହୋଇଛି ବୋଲି ଜଣାଇଲେ । ରାଜାଙ୍କ ଅଧର୍ମ କାର୍ଯ୍ୟ ପାଇଁ ସିଦ୍ଧି ଧ୍ୱଂସ ହୋଇଛି ଜାଣିପାରି ରାଣୀ ବିଷ ସେବନ କରି ଆତ୍ମହତ୍ୟା କଲେ । ରାଣୀ ପଦ୍ମାବତୀଙ୍କ ମୃତ୍ୟୁ ବିରହରେ ଅଳ୍ପ ଦିନ ରାଜା ମଧ୍ୟରେ ଦେହ ତ୍ୟାଗ କଲେ । ରାଜା ସମସ୍ତ ଅଳଙ୍କାର ଓ ଆଭୂଷଣ ଦେବୀ ଦୁର୍ଗାଙ୍କ ଠାରେ ସମର୍ପଣ କରି ନଦୀ ମୁହାଣରେ ( ଆଧୁନିକ ବାଡକେଲା ) ଝାସଦେଇ ସତୀ ହୋଇଥିଲେ । ଏହି ମୁହାଣକୁ ସତିଦରହ ( ସତିଧାରା ) ନାମରେ ପରିଚିତ । ରାଜା ପଦ୍ମସେନ ମୃତ୍ୟୁ ପୂର୍ବରୁ ରାଜ୍ୟ ଶାସନ ତଦାରଖ କରିବା ପାଇଁ ଗୋଟି ଯୁବକକୁ ନିଯୁକ୍ତି କରି ଦେଇଥିଲେ ।
ରାଜା ପଦ୍ମସେନ ଓ ରାଣୀ ପଦ୍ମାବତୀ ମୃତ୍ୟୁ ପରେ ତାଙ୍କର ରାଜଧାନୀ ନାମ ପଦ୍ମପୁର ହୋଇଥିଲା । ଦେବୀ ଦୁର୍ଗାକୁ ନଗର ବାସୀ ପଦ୍ମାସିନି ନାମରେ ପୂଜା ଆରମ୍ଭ କରିଥିଲେ । ଆଧୁନିକ ଓଡ଼ିଶା ଝାରସୁଗୁଡ଼ା ଜିଲ୍ଲାର ଅନ୍ତର୍ଗତ ଲଖନପୁର ତହସିଲରେ ଏହି ପ୍ରାଚୀନ ପଦ୍ମପୁର ଅଞ୍ଚଳ ଅବସ୍ଥିତ । ଦୁର୍ଭାଗ୍ୟବଶତଃ ଓଡ଼ିଶା ସରକାରଙ୍କ ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବା ଫଳରେ ପ୍ରାଚୀନ ପଦ୍ମପୁର ନଗରୀ ଜଳମଗ୍ନ ହୋଇଯାଇଛି । ସେ ଯାହାହେଉ ନଗର ବାସୀକୁ ପୁଝାରୀ ପାଲି ଓ କପିଲାପୁର ଗ୍ରାମ କୁ ଥଇଥାନ କରିବା ସଙ୍ଗେ ସଙ୍ଗେ ମାଁ ପଦ୍ମାବତୀ ଦେବୀଙ୍କ ପ୍ରାଚୀନ ପ୍ରତିମା ପୁଝାରୀ ପାଲିରେ ଏକ ନୂତନ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରାଯାଇଛି । ଗ୍ରୀଷ୍ମ ଋତୁରେ (ଏପ୍ରିଲ ରୁ ଜୁନ୍ ) ଜଳସ୍ତର କମିବା ଫଳରେ ଜଳମଗ୍ନ ପୂର୍ଣ୍ଣ ପ୍ରାଚୀନ ପଦ୍ମସିନି ମନ୍ଦିର ସମ୍ପୂର୍ଣ୍ଣ ଦେଖାଯାଇଥାଏ ।
କିପରି ପହଞ୍ଚିବେ :-
ପ୍ରାଚୀନ ପଦ୍ମାସିନି ମନ୍ଦିର ଝାରସୁଗୁଡାର ଲଖନପୁର ବ୍ଲକ ଅନ୍ତର୍ଗତ ପୂଜରିପାଲି ନିକଟରେ ଥିବା ହିରାକୁଦ ଜଳ ଭଣ୍ଡାରରେ ବୁଡ଼ି ରହିଛି। ଭିକମପାଲି ଗ୍ରାମରେ ନୂତନ ମନ୍ଦିର ନିର୍ମାଣ କରାଯାଇଛି ଯାହା ଝାରସୁଗୁଡା ସହରଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ | ଯଦି ଆପଣ ପୁରୁଣା ମନ୍ଦିର ଦେଖିବାକୁ ଚାହାଁନ୍ତି, ତେବେ ଏପ୍ରିଲ୍ କିମ୍ବା ଜୁନ୍ ମାସ ଯାତ୍ରା ପାଇଁ ଉପଯୁକ୍ତ ହେବ | ଆପଣ ପୂଜାରୀ ପାଲିରେ ସହଜରେ ଡଙ୍ଗା କରି ଏହି ପ୍ରାଚୀନ ମନ୍ଦିରକୁ ଯାଇପାରିବେ |
ରାଜ୍ୟ ରାଜପଥ ୧୦ ଏବଂ ଜାତୀୟ ରାଜପଥ ଦ୍ୱାରା ଝାରସୁଗୁଡା ନିକଟବର୍ତ୍ତୀ ଅନ୍ୟ ସହରଗୁଡିକ ସହିତ ଭଲ ଭାବରେ ସଂଯୁକ୍ତ | ସହରରେ ରିକ୍ସା ଉପଲବ୍ଧ | ଟାଉନରେ ଅନେକ ମଧ୍ୟମ ମୂଲ୍ୟର ହୋଟେଲ ଅଛି |
ଝାରସୁଗୁଡା ହେଉଛି ହାଟ୍ରା-ନାଗପୁର-ମୁମ୍ବାଇ ଲାଇନର ଟାଟାନଗର - ବିଲାସପୁର ବିଭାଗ ଏବଂ ଝାରସୁଗୁଡା-ଭିଜିଆନଗରାମ ଲାଇନର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗ | ରେଳ ଷ୍ଟେସନ ଦକ୍ଷିଣ ପୂର୍ବ ରେଳ ଅଧୀନରେ ଆସେ |
ସହରର ୫ କିଲୋମିଟର ଉତ୍ତର ପୂର୍ବରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦର ନାମକ ଝାରସୁଗୁଡାର ନିଜସ୍ୱ ବିମାନବନ୍ଦର ଅଛି | ଏୟାର ଓଡିଶା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ହବରୁ ଝାରସୁଗୁଡା ବିମାନବନ୍ଦରକୁ ଚାର୍ଟାର୍ଡ ସେବା ଆରମ୍ଭ କରିଛି।
ନିକଟତମ ଘରୋଇ / ଆନ୍ତର୍ଜାତୀୟ ବିମାନବନ୍ଦର ହେଉଛି ସ୍ୱାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦର, ଝାରସୁଗୁଡାର ୩୧୦ କିଲୋମିଟର ଦକ୍ଷିଣ-ପଶ୍ଚିମ ରାୟପୁରରେ ଅବସ୍ଥିତ | ଏହା ଝାରସୁଗୁଡାରୁ ସ୍ୱାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରାୟ ପାଞ୍ଚ ଘଣ୍ଟା ଯାତ୍ରାରେ ଅଟେ | ଝାରସୁଗୁଡା ସହରୁ ଟେକ୍ସି ଭଡ଼ା ନେଇ ସହଜରେ ମନ୍ଦିର ଦର୍ଶନ କରି ପାରିବେ ।
ପଢ଼ିବା ପାଇଁ ଧନ୍ୟବାଦ
-------------------------------------------------------------------
ଲେଖକ :- ରୋହିତ କୁମାର ଲୋହରା
ପୁରୁଣାବସ୍ତି, ଝାରସୁଗୁଡ଼ା
ସଂଗୃହିତ :- ପଦ୍ମପୁରର ପଦ୍ମରାଗ ମଣି
ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ
ପୁରୁଣାବସ୍ତି, ଝାରସୁଗୁଡ଼ା
ନୂଆ ଏବଂ ପୁରୁଣା ମନ୍ଦିରର ଗୋଗଲ ଲୋକେସନ ତଳେ ଦିଆ ଯାଇଛି । ତଳେ ଦିଆ ଯାଇଥିବା ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ ।
ନୂଆ ପଦ୍ମାସିନୀ ମନ୍ଦିର :-
Pujharipali
Odisha 768226
https://maps.app.goo.gl/JmWF4wWETDiqD8PeA
ପୁରୁଣା ପଦ୍ମାସିନୀ ମନ୍ଦିର :-
21°44'56.0"N 83°33'54.7"E
🙏🙏🙏🙏🙏 ଆପଣ ଙ୍କୁ ଅଶେଷ ଧନ୍ୟବାଦ୍
ReplyDeleteNice collection, I also belong to village Kapilapur.
ReplyDelete