କୋଲାବିରା ଦୁର୍ଗ, ଝାରସୁଗୁଡା - ଜୟପୁର ଇଷ୍ଟେଟ୍
ସାରାଂଶ: -
ଏହି କୋଲାବୀରା ଦୁର୍ଗ ଭେଡେନ ନଦୀ କୂଳରେ ଝାରସୁଗୁଡ଼ା ସହରରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ । ସମ୍ବଲପୁରର ଚୌହାନ ରାଜା ଜୟନ୍ତ ସିଂ (୧୭୮୧-୧୮୧୮) ଙ୍କ ରାଜତ୍ୱ କାଳରେ କୋଲାବିରା ଜମିଦାରୀ ଗଠନ କରାଯାଇଥିଲା। ସେ ସନ୍ସାଧର ସିଂଙ୍କୁ ‘କୋଲାବିରାର ଜମିଦାର’ ଭାବେ ନିଯୁକ୍ତ କରିଥିଲେ, ସନ୍ସାଧର ସିଂ ପରେ ତାଙ୍କ ପୁଅ କରୁଣାକର ସିଂ ’ କୋଲାବିରା ଜମିଦାରୀ ଦାୟିତ୍ୱ ଗ୍ରହଣ କଲେ । ଏହି ସମୟରେ ମହାରାଜା ସାଏ ସମ୍ବଲପୁରର ରାଜା ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ରାଣୀ ମୋହନ କୁମାରୀଙ୍କୁ ରାଣୀ କରାଯାଇଥିଲା, କିନ୍ତୁ ପ୍ରକୃତ ଶାସନ ବ୍ରିଟିଶଙ୍କ ହାତରେ ଥିଲା। ଫଳସ୍ୱରୂପ, ବ୍ରିଟିଶମାନଙ୍କ ବିରୁଦ୍ଧରେ ଏକ ସଶସ୍ତ୍ର ବିଦ୍ରୋହ ହୋଇଥିଲା। ରାଣୀଙ୍କୁ କଟକକୁ ପଠାଗଲା ଏବଂ ବ୍ରିଟିଶମାନେ 'ନାରାୟଣ ସିଂ'ଙ୍କୁ ସମ୍ବଲପୁରର ରାଜା ଭାବରେ ନିଯୁକ୍ତ କରିଥିଲେ। ଖିଣ୍ଡାର ଚୌହାନ ଜମିଦାର ବୀର ସୁରେନ୍ଦ୍ର ସାଏ ବ୍ରିଟିଶଙ୍କ ବିରୋଧରେ ସଶସ୍ତ୍ର ବିପ୍ଳବ ଆରମ୍ଭ କରିଥିଲେ ଏବଂ କୋଲାବିରାର ଜମିଦାର କରୁଣାକର ନାୟକ ଜଣେ ଅନୁଗାମୀ ଭାବରେ ଏହି ବିପ୍ଳବରେ ଯୋଗ ଦେଇଥିଲେ ଏବଂ ସୁରେନ୍ଦ୍ର ସାଏଙ୍କୁ ସମର୍ଥନ କରିଥିବାରୁ ତାଙ୍କ ସମ୍ପତ୍ତି ଜବତ କରାଯାଇଥିଲା। ତାଙ୍କୁ ୧୧ ଫେବୃଆରୀ, ୧୮୫୮ ରେ ସମ୍ବଲପୁରର ଜେଲ ପରିସରରେ ଫାଶୀ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ବ୍ରିଟିଶ ସୈନ୍ୟ ବାହିନୀ କୋଲାବିରା ଜମିଦାର ପ୍ରାସାଦକୁ ତୋପ ଦ୍ୱାରା ଧ୍ଵଂସ କରି ଦେଇଥିଲେ। ପରବର୍ତ୍ତୀ ସମୟରେ କରୁଣାକର ନାୟକଙ୍କ ପୁଅ ନାଗପୁରରେ 'କୋର୍ଟ ଅଫ୍ ୱାର୍ଡ'ରେ ଆବେଦନ କରିଥିଲେ ଏବଂ ୧୮୮୦ ମସିହାରେ ଜବତ ହୋଇଥିବା ଜମିଦାରୀ ଏବଂ ସମ୍ପତ୍ତି ଫେରାଇ ପାଇଥିଲେ। କ୍ଷତିପୂରଣ ସ୍ଵରୂପ ଇଂରେଜମାନେ କ୍ଷତିଗ୍ରସ୍ତ ପ୍ରାସାଦ ଏବଂ ଦୁର୍ଗକୁ ମରାମତି କରିଥିଲେ। ବର୍ତ୍ତମାନ କୋଲାବିରା ଜମିଦାରଙ୍କ ବଂଶଧରମାନେ ପୁରୁଣା ଦୁର୍ଗ ପରିସରରେ ରହୁଛନ୍ତି ଯାହା ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି | ସ୍ୱାଧୀନତା ସଂଗ୍ରାମର ଇତିହାସରେ କୋଲାବିରାଙ୍କୁ 'ଅଗ୍ନି ତିର୍ଥା' କୁହାଯାଏ | ଐତିହାସିକ ତଥା ଅନୁସନ୍ଧାନକାରିଙ୍କ ସମେତ ଅନେକ ଲୋକ ଏହି ସ୍ଥାନ ପରିଦର୍ଶନ କରିବା ପାଇଁ ଆସିଥାନ୍ତି |
![]() |
( କୋଲବିରା ଦୁର୍ଗ ) |
ଉପକ୍ରମ: -
ଝାରସୁଗୁଡ଼ା ସଦର ମହକୁମା ସହରଠାରୁ କିଛି ଦୂରରେ ତେଲେନ ନଦୀ କୂଳରେ କୋଲାବିରା ଦୁର୍ଗ ନାମକ ଏକ ପୁରାତନ ଦୁର୍ଗ ଅନାବୃତ ଏବଂ ଅର୍ଦ୍ଧ ଧ୍ଵଂସପ୍ରାପ୍ତ ଅବସ୍ଥାରେ ପଡିରହିଛ । ଦୁର୍ଗର ଅବସ୍ଥିତି କୋଲାବିରା ଗ୍ରାମରେ ଥିବାରୁ ଏହାର ନାମକରଣ କୋଲାବିରା କରାଯାଇଛି । ରାଜନେତା, ପର୍ଯ୍ୟଟକ, ଐତିହାସିକ, ଗବେଷକ, ଗଣମାଧ୍ୟମ ଏବଂ ଶିକ୍ଷାବିତ ଦୃଷ୍ଟିରୁ ଦୂରରୁ ରହିଅଛି | ଆଜି ମଧ୍ୟ ଏହି ଜମିଦାରଙ୍କ ବଂଶଧରମାନେ ଦୁର୍ଗ ପରିସରରେ ରହୁଛନ୍ତି , ଏହାର ସଂରକ୍ଷଣ କରିବା ପାଇଁ ସରକାରଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କାର୍ଯ୍ୟ ଆବଶ୍ୟକ ରହିଅଛି, ଯାହାଦ୍ଵାରା ଏହି ଐତିହାସିକ ସ୍ମାରକୀ ନିଜର ପରିଚୟ ହରାଇବ ନାହିଁ | ଏବଂ ଏହାର ଗୈରବମୟ ଅତୀତର କାହାଣୀ ଭବିଷ୍ୟତ ପିଢ଼ି ଆଗରେ ଉପସ୍ଥାପନ କରି ପାରିବ । ସମ୍ବଲପୁରର ଦଶମ ରାଜା ଜୟତ୍ ସିଂ (୧୭୮୧-୧୮୧୮) ଙ୍କ ସମୟରେ ୧୭୮୫ ମସିହାରେ କୋଳବିରା ଜମିଦାରୀ ସୃଷ୍ଟି ହୋଇଥିଲା । ବୋରାସମ୍ବର ଜମିଦାରୀର ୮୪୧ ବର୍ଗ ମାଇଲ୍ ପରେ କୋଳବିରା ଦ୍ୱିତୀୟ ବୃହତ୍ତମ ଜମିଦାରୀ ଥିଲା ଯାହା ୨୭୮ ବର୍ଗ ମାଇଲ୍ କ୍ଷେତ୍ରରେ ବିସ୍ତାର ଲାଭ ହୋଇଥିଲା ।
ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀ କାଳରେ ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ଛାପ୍ରା ନିକଟବର୍ତ୍ତୀ କୋଲାବିରା ଏକ କୋହ୍ଳ ଆଦିବାସୀ ଅଧିକୃତ ଅଞ୍ଚଳ ଥିଲା ଏବଂ ଏହି ଗ୍ରାମର ଦଳେ କୋହ୍ଳ ସଂପ୍ରଦାୟର ପ୍ରଜା ଜୀବିକା ଅର୍ଜନ ଉଦ୍ଦେଶ୍ୟରେ ପ୍ରତିବେଶୀ ଓଡ଼ିଶା ରାଜ୍ୟର ଗାଙ୍ଗପୁର ( ସୁଦରଗଡ଼ ) ଗଡ଼ଜାତ ମଧ୍ୟରେ ପ୍ରବେଶ କରିଥିଲେ ଏବଂ କୋଲାବିରା ଗ୍ରାମ ପ୍ରତିଷ୍ଠା କରି ବସବାସ କଲେ , ଯାହା ଆଦ୍ୟବଧୂ ସୁନ୍ଦରଗଡ଼ ଜିଲ୍ଲାରେ ଅଛି । ତେବେ ଝାଡ଼ଖଣ୍ଡର ଏହି କୋଲାବିରାରୁ ଅନ୍ୟ ଏକ କୋହ୍ଳ ଗୋଷ୍ଠୀ ଆସି ସମ୍ବଲପୁର ରାଜ୍ୟ ଅନ୍ତର୍ଗତ ଝାରସୁଗୁଡ଼ା ନିକଟବର୍ତ୍ତୀ ପ୍ରବାହିତ ଭେଡ଼େନ୍ ନଦୀ ଓ ଇବ୍ ନଦୀ ମଧ୍ୟବର୍ତ୍ତୀ ଭୂଭାଗରେ କୋଲାବିରା ଗ୍ରାମ ପ୍ରତିଷ୍ଠା କରି ବସବାସ କରିଥିଲେ । ତେବେ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ମଧ୍ୟ ପ୍ରଦେଶର ଗଣ୍ଡୱାନା ଅଞ୍ଚଳରେ ବହୁସଂଖ୍ୟକ ଗଣ୍ଡରାଜ୍ୟ ସ୍ଥାପିତ ହୋଇଥିଲା ।
ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ବିଶାଳ ଗଣ୍ଡ ସାମ୍ରାଜ୍ୟର ପତନ ଘଟିଥିଲା । ତେଣୁ ଆଦିମ ଗଣ୍ଡମାନେ ବହୁ ସଂଖ୍ୟାରେ ପ୍ରତିବେଶୀ ସମ୍ବଲପୁର ରାଜ୍ୟରେ ପ୍ରବେଶ କରିଥିଲେ । ତତ୍କାଳୀନ ଭେଡ଼େନ ନଦୀ କୂଳରେ ପ୍ରତିଷ୍ଠିତ କୋଲାବିରା ଗ୍ରାମରେ ସେମାନଙ୍କ ଅନୁପ୍ରବେଶ ଯୋଗୁଁ ଉଭୟ କୋହ୍ଳ ଓ ଗଣ୍ଡମାନଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା । ଅବଶେଷରେ ଗଣ୍ଡମାନେ ଏହି କୋହ୍ଳମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସେମାନଙ୍କ ଆଧିପତ୍ୟ ବିସ୍ତାର କରିଥିଲେ ଏହି କୋଲାବିରା ଅଞ୍ଚଳରେ । ଇତି ପୂର୍ବରୁ କୋଲାବିରା ଗ୍ରାମର ପୂର୍ବ ସୀମାନ୍ତରେ ଥିବା ଜୟପୁର ରାଜ୍ୟରେ କଳଚୁରୀ ବଂଶୀୟ ରାଜା ବିଶ୍ବନାଥ ଦେବ ରାଜତ୍ଵ କରୁଥିଲେ । ଏହି ରାଜ୍ୟର ତିନି ଦିଗରେ ଯଥାକ୍ରମେ – ବାମଣ୍ଡା , ଗାଙ୍ଗପୁର ଓ ସୁଗୁଜା ରାଜ୍ୟ ରହିଥିଲା । ଘଞ୍ଚ ଅରଣ୍ୟ ଏବଂ ନଦୀ ପର୍ବତ ବେଷ୍ଟିତ ଦୁର୍ଗମ ଜୟପୁର ରାଜ୍ୟର ଅଧିକାଂଶ ପ୍ରଜା ଭୂୟାଁ କୁମୁରା , ଗଣ୍ଡ ପ୍ରଭୃତି ଆଦିବାସୀ ସଂପ୍ରଦାୟର ଥିଲେ । ରାଜା ବିଶ୍ୱ ନାଥଦେବ ଅପୁତ୍ରିକ ହେତୁ ତାଙ୍କ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା । ଏହି ସୁଯୋଗରେ ବାମଣ୍ଡା ରାଜା ରୁଦ୍ରନାରାୟଣ ଦେବ ଏବଂ ଗାଙ୍ଗପୁର ରାଜା ମିଳିତ ଭାବେ ଜୟପୁର ରାଜ୍ୟ ଆକ୍ରମଣ କରିଥିଲେ । ତେବେ ଏହି ଯୁଦ୍ଧ ଅଭିଯାନରେ ଜୟପୁର ରାଜ୍ୟର ପତନ ଘଟିବା ସଙ୍ଗେ ସଙ୍ଗେ ରାଜା ବିଶ୍ଵନାଥଦେବଙ୍କ ମୃତ୍ୟୁ ହୋଇଥିଲା । ପରିଶେଷରେ ଏହି ଜୟପୁର ରାଜ୍ୟର କିଛି କିଛି ଅଂଶ ଉଭୟ ବାମଣ୍ଡା ଓ ଗାଙ୍ଗପୁର ରାଜା ଆପଣାର ସାମ୍ରାଜ୍ୟଭୁକ୍ତ କରି ନେଇଥିଲେ । ଜୟପୁର ରାଜ୍ୟ ଖଣ୍ଡ ବିଖଣ୍ଡିତ ହେବା ଫଳରେ ସମଗ୍ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରବଳ ଅରାଜକତା ସୃଷ୍ଟି ହୋଇଥିଲା । ତେଣୁ ଦୁର୍ଦ୍ଦାନ୍ତ ଗଣ୍ଡମାନେ ଏହି ଅଞ୍ଚଳରେ ଆପଣାର ଆପତ୍ୟ ବିସ୍ତାର କରିଥିଲେ । ଗୋଟିଏ ଲେମ୍ବୁ ରାଜସିଂହାସନରେ ସ୍ଥାପନ କରି ଦୁର୍ଦ୍ଦାନ୍ତ ଆଠଜଣ ଗଣ୍ଡ ସର୍ଦାର ପାଳି ଅନୁସାରେ ରାଜ୍ୟ ଶାସନ କରୁଥିଲେ । ଅର୍ଥାତ୍ ଏଠାରେ ଅଷ୍ଟମଲ୍ଲିକ ଶାସନ ପ୍ରଚଳିତ ଥିଲା ।
ସମ୍ବଲପୁର ରାଜ୍ୟର ପ୍ରତିଷ୍ଠାତା ଚୌହାନ୍ ବଂଶୀୟ ରାଜା ବଳରାମଦେବ ୧୫୧୪ ଖ୍ରୀ.ଅ.ରେ ସୁରଗୁଡ଼ାର ସାମନ୍ତ ରାଜ୍ୟ ଗାଙ୍ଗପୁର ଅଧିକାର କରିବା ସହିତ ଭେଡ଼େନ୍ ନଦୀ କୂଳରେ ଅବସ୍ଥିତ କୋଲାବିରା ନିକଟବର୍ତ୍ତୀ ଭୋଗରାଗଡ଼ ଦୁର୍ଗ ଆକ୍ରମଣ କରିଥିଲେ । ଫଳରେ ଭେଡ଼େନ୍ ନଦୀ କୂଳରେ ଉଭୟ ସମ୍ବଲପୁର ରାଜା ଓ ସୁରଗୁଜା ରାଜାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ତେବେ ଏହି ଯୁଦ୍ଧରେ ଭୋଗରାଗଡ଼ ଦୁର୍ଗର ପତନ ଘଟିଥୁଲା ଏବଂ ସୁଗୁଜା ରାଜା ଲଳିତ ସିଂହ ଯୁଦ୍ଧରେ ପରାସ୍ତ ହୋଇ ନିଜ ରାଜ୍ୟକୁ ପଳାୟନ କରିଥିଲେ । ଏହା ପରବର୍ତ୍ତୀ କାଳରେ ସମଗ୍ର ଜୟପୁର ରାଜ୍ୟ ସମ୍ବଲପୁର ସାମ୍ରାଜ୍ୟ ଭୁକ୍ତ ହୋଇଥିଲା । ଭୋଗରଗଡ ଦୁର୍ଗକୁ ଭାଙ୍ଗିବା ଯୋଗୁଁ ଏହାର ଜନ ସାଧାରଣ ଆଧୁନିକ କୋଲାବିରାକୁ ସ୍ଥାନାନ୍ତରଣ ହୋଇଥିଲେ । ସେମାନେ ସେମାନଙ୍କର ଗ୍ରାମ ଏବଂ ଦୁର୍ଗକୁ ପୂର୍ଣ୍ଣ ନିର୍ମାଣ କରିବା ସହିତ ସେମାନଙ୍କର ଦେବତାମାନଙ୍କୁ ପୂର୍ଣ୍ଣ ପ୍ରତିଷ୍ଠା କରିଥିଲେ | ମା ଭୁବନେଶ୍ଵରୀଙ୍କୁ ଆକୃତିହୀନ ମନ୍ଦିର ଭିତରେ ସମାଲେଶ୍ୱରୀ ଭାବରେ ପୂଜା କଲେ | ପରେ କୋଲାବିରାର ଜମିଦାର ମା ସାମଲେସ୍ୱରୀ ପାଇଁ ମନ୍ଦିର ନିର୍ମାଣ କରିଥିଲେ ଯାହା ଆଜି ମଧ୍ୟ ଦୁର୍ଗ ପରିସରରେ ବିଦ୍ୟମାନ ହୋଇଅଛି । ସେ ଯାହାହେଉ , ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀ ଶେଷ ଭାଗରେ ଅର୍ଥାତ୍ ସମ୍ବଲପୁର ରାଜ୍ୟର ରାଜା ଜୟନ୍ତ ସିଂହଙ୍କ ଶାସନକାଳ ( ୧୭୮୧ - ୧୮୧୮ ଖ୍ରୀ : ଅ ) ମଧ୍ୟରେ ଅର୍ଥାତ୍ ୧୭୮୫ ଖ୍ରୀ.ଅ.ରେ କୋଲାବିରା ଜମିଦାରୀ ପ୍ରତିଷ୍ଠା ହୋଇଥିଲା ।
ଗଣ୍ଡମାନଙ୍କର ସାହସିକତା ଏବଂ ବିଶ୍ବସ୍ତନିୟତାକୁ ସମ୍ମାନ ଦେଇ ସମ୍ବଲପୁରର ରାଜାମାନେ ବିଭିନ୍ନ ଅଞ୍ଚଳର ଜମିଦାର ଏବଂ ଗୌନ୍ତିଆ ଭାବରେ ଏମାନଙ୍କୁ ପୁରସ୍କୃତ କରିଥିଲେ । ଏହିପରି ଭାବରେ ୧୬ଟି ଜମିଦାରୀକୁ ନେଇ ଗଠିତ ୧୭୯୧ ବର୍ଗମାଇଲ କ୍ଷେତ୍ରଫଳ ବିଶିଷ୍ଟ ସମ୍ବଲପୁର ରାଜ୍ୟରେ ୧୦ ଜଣ ଗଣ୍ଡ ଜମିଦାର ( କୋଲାବିରା , ମଚିଦା , କୋଡାବଗା , ଲଇଡା , ଲୋଇସିଂହା , ଖରସାଲ , ପାହାଡ଼ଶ୍ରୀଗିଡା , ଭେଡେନ , ପାଟକୁଲୁଣ୍ଡା ଓ ମାଦୋମହୁଲ ) , ୨ ଜଣ ବିଝାଲ ଜମିଦାର ( ବୋଡାସମୂର , ଘେସ ) , ଦୁଇଜଣ ଚୌହାନ ଜମିଦାର ( ରାଜପୁର , ବରପାଲି ) ଯେଉଁମାନେ କି ସମ୍ବଲପୁର ରାଜାଙ୍କ ବଂଶଧର ଥିଲେ , ଜଣେ କୁଲତା ଜମିଦାର ( ବିଜେପୁର ) ଏବଂ ରାମପୁରର ଅନ୍ୟ ଜଣେ ଜମିଦାର ଥିଲେ । ପ୍ରଥମ ଜମିଦାର ସନ୍ସାଧର ସିଂହଙ୍କ ପରିଚୟ ପ୍ରସଙ୍ଗରେ ତା. ୯.୪.୧୮୬୨ ମସିହାରେ ସେଟଲମେଣ୍ଟ କୋର୍ଟ , କୋଲାବିରା କ୍ୟାମ୍ପରେ ଏହି ଜମିଦାରୀର ଉତ୍ତରାଧିକାରୀ ରୂପେ ଦିଆଯାଇଥିବା ଘନଶ୍ୟାମ ସିଂହଙ୍କ ଏକ ଆବେଦନ ପତ୍ରରୁ ସ୍ପଷ୍ଟ ଜଣାଯାଏ–
“ About 150 years ago one Biswambar Mohanty seduced away one of the Ranies of Sambalpur Raja Jait Singh and kept her at Dultigarh in Bamra . Raja Jait Singh ordered to kill Biswmbar Mohanty and called Sansadhar Singh who was staying at Laikera along with his brother Bisnu Naik of Garh Laida ...
ବାସ୍ତବରେ ସନ୍ସାଧର ସିଂହ ଏହି କାର୍ଯ୍ୟ ସାଧନ କରି ରାଜା ଜୟନ୍ତ ସିଂହଙ୍କ ତୃତୀୟ ରାଣୀ ରାହାସ କୁମାରଙ୍କୁ ଦେବାନ୍ ବିଶ୍ବମ୍ବର ମହାନ୍ତି କବଳରୁ ଉଦ୍ଧାର କରି ରାଜାଙ୍କୁ ଆଣି ଦେଇଥିଲେ ଏବଂ ରାଜା ଜୟନ୍ତ ସିଂହ ଏଥିରେ ସନ୍ତୋଷ ପ୍ରକାଶ କରି ତାଙ୍କୁ ନୂତନ କୋଲାବିରା ଜମିଦାରୀରେ ପ୍ରଥମ ଜମିଦାର ପଦବୀ ଦେଇଥିଲେ ବୋଲି ଘନଶ୍ୟାମ ସିଂହ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଅଛନ୍ତି—
"Lal Patta cloth given at the time of granting pattern."
ତେବେ କୋଲାବିରାର ପ୍ରଥମ ଜମିଦାର ସନ୍ସାଧର ସିଂହଙ୍କର ଦୁଇଗୋଟି ରାଣୀ ଥିଲେ । ପ୍ରଥମ ରାଣୀଙ୍କର ଏକମାତ୍ର ପୁତ୍ର ଥିଲେ ନୀଳାମ୍ବର ସିଂହ । କିନ୍ତୁ ଦ୍ବିତୀୟ ରାଣୀଙ୍କର ୧୧ ଜଣ ପୁତ୍ର ଥିଲେ ଏବଂ ଜ୍ୟେଷ୍ଠପୁତ୍ର ଥିଲେ କରୁଣାକର । ଜମିଦାର ସନ୍ସାଧର ସିଂହ ଉଭୟ ରାଣୀଙ୍କ ପୁତ୍ରମାନଙ୍କ ମଧ୍ୟରେ ତାଙ୍କ ଜମିଦାରୀକୁ ବାଣ୍ଟି ନେଇଥିଲେ ସତ ; କିନ୍ତୁ ଦ୍ବିତୀୟ ରାଣୀଙ୍କ ପୁତ୍ର କରୁଣାକରଙ୍କୁ କୋଲାବିରା ଜମିଦାର କରିଦେଇ କୋଲାବିରା ସମେତ ନକ୍ସାପାଲି , ବିଡ଼ମାଲ , ଲଇକେରା , ତରେଇକେଲା , ଝାରମାଲ , କାଦୋବାହାଲ , ଖୁନ୍ତାମାଲ ଗ୍ରାମ ଜାଗିରୀ ଦେଇଥିଲେ ଏବଂ ପ୍ରଥମ ରାଣୀଙ୍କ ପୁତ୍ର ନୀଳାମ୍ବରଙ୍କୁ ଜାଗିରୀ ସ୍ଵରୂପ ୭ଟି ଗ୍ରାମ ଯଥା – ଖୁନାପାଲି , ସିଆଲ୍ରମା , କେଲଡା , ଜାମମାଲ , ପରମାଣପୁର ଓ ସିରିଆପାଲି ଦେଇଥିଲେ ।
ତତ୍କାଳୀନ କୋଲାବିରା ଜମିଦାରୀର ଆୟତନ ଥିଲା ମୋଟ ୨୭୮ ବର୍ଗମାଇଲ ( ୭୨୦ ବର୍ଗ କିଲୋମିଟର ) । ଏହି ଜମିଦାରୀ ଉତ୍ତର ସୀମା ବାମରା ଜମିଦାରୀ ସୀମାକୁ ଲାଗି ବାଗଡିହି ପର୍ଯ୍ୟନ୍ତ , ଦକ୍ଷିଣରେ ବାମଣ୍ଡା ରାଜ୍ୟ ସୀମାକୁ ଲାଗି ସାହାସପୁର , ପାକେଲ ପଡ଼ , ଗଞ୍ଜି ଡିହି , ତାଲମୁଣ୍ଡା ପର୍ଯ୍ୟନ୍ତ , ପୂର୍ବରେ ଲୁଡୁଙ୍ଗ , ସିରିଆପାଲି , ରବଡେଗା , ହାଡ଼ିପାଲି ପର୍ଯ୍ୟନ୍ତ ଏବଂ ପଶ୍ଚିମରେ ଝାରସୁଗୁଡ଼ା ଜମିଦାରୀ ସୀମାର ସିରିଆପାଲି ପର୍ଯ୍ୟନ୍ତ ବ୍ୟାପି ରହିଥୁଲା ।
ଜମିଦାରଙ୍କ ରାଜଧାନୀ କୋଲାବିରାଠାରୁ ଅନତି ଦୂର ପାଇକପଡ଼ାରେ ସୈନ୍ୟବାହିନୀ ପରିବାର ବସବାସ କରୁଥିଲେ । ସନ୍ସାଧର ସିଂହଙ୍କ ଶାସନ ଅମଳରୁ କାଲାଭଞ୍ଜ ଥିଲେ ତାଙ୍କର ମୁଖ୍ୟ ସେନାପତି । ଜମିଦାରୀର ପ୍ରଜାମାନଙ୍କ ଜମି ରାଜସ୍ବ ଓ ଖମାର କାର୍ଯ୍ୟ ତଦାରଖ ପାଇଁ ମଧ୍ୟ ଜମି ଦାର କର୍ମଚାରୀ ନିଯୁକ୍ତି ଦେଇଥିଲେ । କୃଷ୍ଣବାସ ତାଙ୍କ ଦରବାରରେ ଭାଟ ରୂପେ ନିଯୁକ୍ତ ଥୁଲା । ତେବେ ଜମିଦାର ସତ୍ସାଧର ସିଂହଙ୍କ ମୃତ୍ୟୁ ପରେ ତାଙ୍କ ଦ୍ବିତୀୟ ରାଣୀଙ୍କ ପୁତ୍ର କରୁଣାକର ନାଏକ କୋଲାବିରା ଜମିଦାର ରୂପେ ଶାସନ ପରିଚାଳନା କଲେ । ସମ୍ବଲପୁର ରାଜ୍ୟର ସମସ୍ତ ଜମିଦାରମାନଙ୍କ ଅପେକ୍ଷା କୋଲାବିରା ଜମିଦାର କରୁଣାକର ନାଏକଙ୍କ ଯଥେଷ୍ଟ ପ୍ରତିପତ୍ତି ଥିଲା । ସେ ସିଧାସଳଖ ରାଜାଙ୍କ ପ୍ରାସାଦକୁ ମଧ୍ୟ ପ୍ରବେଶ କରିବାର ଅକାର ପାଇଥିଲେ ।
ସ୍ଵାଧିନତା ସଂଗ୍ରାମ ରେ କୋଳବିରା ଦୁର୍ଗର ଭୂମିକା
୧୮୫୭ ମସିହାରେ ସମଗ୍ର ଉତ୍ତର ଭାରତରେ ଈଂରେଜ ସରକାର ବିରୁଦ୍ଧରେ ସିପାହୀ ବିଦ୍ରୋହ ଦେଖା ଦେଇଥିଲା । ଏହି ଅବସରରେ ରାମଗଡ଼ ବାଟାଲିୟନ ବିଦ୍ରୋହୀ ସୈନ୍ୟମାନେ ବିହାରର ହଜାରିବାଗ କାରାଗାର ଫାଟକ ଭାଙ୍ଗି ଦେଇଥିଲେ । ସେହି କାରାଗାରରେ ରାମପୁର ଜମିଦାରଙ୍କ ପିତା ଓ ପୁତ୍ର ହତ୍ୟାରେ ୧୮୪୦ ମସିହାରୁ ସୁରେନ୍ଦ୍ର ସାଏ ଓ ତାଙ୍କ ଭ୍ରାତା ଉଦନ୍ତ କାରାଦଣ୍ଡ ଭୋଗ କରୁଥିଲେ । ଏହାର ସୁଯୋଗ ନେଇ ସୁରେନ୍ଦ୍ର ସାଏ ମୁକ୍ତି ଲାଭ କରିଥିଲେ । ୧୩.୧୦.୧୮୫୭ରେ ସୁରେନ୍ଦ୍ର ତତ୍କାଳୀନ ସମ୍ବଲପୁରର ଡେପୁଟୀ କମିଶନର ଜି , ଏଫ୍ , କବଙ୍କୁ ତାଙ୍କ ଅବଶିଷ୍ଟ ଜେଲଦଣ୍ଡ ଛାଡ କରି ସମ୍ବଲପୁରର ରାଜ ଗାଦୀରେ ଅଭିଷିକ୍ତ କରିବାକୁ ଆବେଦନ କଲେ । କିନ୍ତୁ ଇତିମଧ୍ୟରେ ଇଂରେଜମାନେ ତାଙ୍କୁ ପଳାତକ ଘୋଷଣା କରି ତାଙ୍କୁ ଓ ଉଦନ୍ତଙ୍କୁ ଧରାଇବାକୁ ୨୫୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଓଡ଼ିଶାର କମିଶନର ସୁରେନ୍ଦ୍ରଙ୍କ ଆବେଦନକୁ ଆଗ୍ରାହ୍ୟ କରି ତାଙ୍କୁ କୌଣସି ପ୍ରକାର ସହାନୁଭୂତି ନଦେଖାଇ ଗିରଫ କରିବା ପାଇଁ ଆଦେଶ ଦେଲେ । ଫଳରେ ସୁରେନ୍ଦ୍ର ଖିଣ୍ଡାରେ ରହୁଥିବା ଭାଇ ପାଖକୁ ପଳାଇ ଆସିଲେ ।
୩୧.୧୦.୧୮୫୭ ରାତିରେ ଖିଣ୍ଡା ଗ୍ରାମରେ ପ୍ରାୟ ୧୪୦୦ ବିଦ୍ରୋହୀ ଜମାହୋଇ ବିଦ୍ରୋହ ଘୋଷଣା କଲେ । ଏହାପରେ ସୁରେନ୍ଦ୍ରସାଏଙ୍କ ଦ୍ବିତୀୟ ପର୍ଯ୍ୟୟ ସଶସ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ତାଙ୍କ ଭ୍ରାତାମାନଙ୍କ ସମେତ କୋଲାବିରା ଜମିଦାର କରୁଣାକର ନାଏକ , ଲଖନପୁର ଜମିଦାର ବଳଭଦ୍ର ସିଂହ ଦାଉ , କୋଡ଼ାବଗା ଜମିଦାର ଅଞ୍ଜାର ସିଂହ , ବୌସ ଜମିଦାର ଖର୍ସଲ ଜମିଦାର , ପାଟକୁଲୁଣ୍ଡା ଜମିଦାର କୁର୍କଟା ଜମିଦାର, ଲୋଇସିଂହ ଜମିଦାର , ପାହାଡ଼ ଶ୍ରୀଗିଡ଼ା ଜମିଦାର , ମୁଣ୍ଡା ମହୁଲ ଜମିଦାର ପ୍ରଭୃତି ସେମାନଙ୍କ ଅନୁଗତ ଗଣ୍ଡ ଓ ବିଞ୍ଜାଳ ଆଦିବାସୀ ବିଦ୍ରୋହୀମାନଙ୍କୁ ଧରି ଇଂରେଜ ସରକାର ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଦେଇଥିଲେ । ଏହା ଭିତରେ କଟକରୁ କ୍ୟାପଟେନ୍ ଜେ.ଭି. ନକରଙ୍କ ନେତୃତ୍ବ ରେ ୧୦ ଅକ୍ଟୋବର ଦିନ ଖିଣ୍ଡା ଏବଂ କେଲ।ବିରା ଆକ୍ରମଣ କରିବା ପାଇଁ ୪୦ ମାଡ୍ରାସ ଆର୍ଟାଲେରୀର ୨ କମ୍ପାନୀ ସୈନ୍ୟ ଏବଂ ୫୦ଜଣ ଓଡ଼ିଆ ପାଇକ ସୈନ୍ୟ ସମ୍ବଲପୁର ପାଇଁ ପ୍ରେରିତ ହେଲେ । ସମ୍ବଲପୁରରେ ପହଞ୍ଚି କ୍ୟାପଟେନ୍ ହେଡୋଙ୍କ ନେତୃତ୍ବରେ ଖିଣ୍ଡା ଆକ୍ରମଣ ଯୋଜନା କଲେ । ସେମାନଙ୍କର ଧାରଣା ଥିଲା ସୁରେନ୍ଦ୍ର ଓ ତାଙ୍କ ଭାଇମାନେ କୋଲାବିରାରେ ଲୁଚିଥିବେ ।
୦୫ / ୧୧ / ୧୮୫୭ରେ ସେମାନେ ପୁଣି ସମ୍ବଲପୁରରୁ ବାହାରି , କତରବଗା ଦେଇ ସମାସିଂଙ୍ଗାରେ ପହଞ୍ଚି ରାତ୍ରି ଯାପନ କଲେ । ତା ପରଦିନ ସମାସିଂଙ୍ଗା ଗ୍ରାମ ଅତିକ୍ରମ କରି ୬ ତାରିଖ କୋଳବିରା ପଚଞ୍ଚିଲେ । କ୍ୟାପଟେନନ କରଙ୍କ ଆଦେଶରେ ୪୦ ମାଡ୍ରାସ ଆର୍ଟାଲେରୀର ସୈନ୍ୟମାନେ କୋଲାବିରା ଦୁର୍ଗ ଆକ୍ରମଣ କଲେ । । ଇଂରେଜମାନେ ସୁରେନ୍ଦ୍ର କି କରୁଣାକର କୋଲବିରାରେ ପାଇଲେ ନାହିଁ । କ୍ୟାପଟେନଙ୍କ କ୍ରୋଧ ଅଧିକ ମାତ୍ରାରେ ବଢି ଯାଇଥିଲା । କ୍ରୋଧାନ୍ଵିତ କ୍ୟାପଟେନ ହେଡୋଙ୍କ ଆଦେଶରେ ସୈନ୍ୟମାନେ ତୋପମାଡ କରି କୋଲାବିରା ଜମିଦାରଙ୍କ ପ୍ରାସାଦକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଦେଲେ । ଏତିକିରେ ମଧ୍ୟ ହେଡୋଙ୍କ କ୍ରୋଧ ଶାନ୍ତ ହେଲାନାହିଁ । ଏହାପରେ ସେମାନେ ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର , ଲୁଣ୍ଠନ ପୂର୍ବକ ଗୃହ ମାନଙ୍କରେ ଅଗ୍ନି ସଂଯୋଗ କଲେ । ଜୀବନ ରକ୍ଷା ପାଇଁ ଲେକେ ଜଙ୍ଗଲରେ ଯାଇ ଲୁଚିଲେ । ଏହି ଘଟଣା ପରେ ଗ୍ରାମବାସୀମାନେ ଆଉ ଗଡ ଭିତରେ ରହିବା ନିରାପଦ ମଣିଲେ ନାହିଁ । ଘର ଦ୍ଵାର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେଣୁ ଜମିଦାରଙ୍କ କେତେକ ଏକାନ୍ତ ଅନୁଗତଙ୍କୁ ଛାଡି ଅନ୍ୟ ସମସ୍ତେ ଗଡ଼ ବାହାରେ , ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଆସି ନୂଆ ଜନବସତି ସ୍ଥାପନ କଲେ । କାଳକ୍ରମେ ଏହା ନୂଆପଡା ବା ଉପର ପଡା ଭାବରେ ପରିଚିତ ହେଲା । ଦୁଇ ଦୁଇ ଥର ବିଫଳ ତାର ସ୍ନାନି ଇଂରେଜମାନଙ୍କ କ୍ରୋଧକୁ ଅନେକ ମାତ୍ରାରେ ବଢାଇ ଦେଇଥିଲା ଏବଂ ସେମାନେ ସୁଯୋଗ ଅପେକ୍ଷାରେ ଥିଲେ । କୋଲାବିରା ବିଫଳ ତାର ଅବସାଦ କୁଦୋପାଲି ରେ ଯାଇ ପ୍ରଶମିତ ହୋଇଥିଲା ।
କୋଲାବିରା ଘଟଣା ପରେ ଡିସେମ୍ବର ପ୍ରଥମ ଭାଗରେ ଆହତ ଇଂରେଜ ସୈନ୍ୟମାନଙ୍କ ଚିକିତ୍ସା ପାଇଁ ଡାକ୍ତର ମୁରେଙ୍କୁ ନେଇ ମିଷ୍ଟର ହାନସନ୍ ଆସୁଥିବା ସମୟରେ ବିଦ୍ରୋହୀମାନେ ଡାକ୍ତର ମୁରେଙ୍କୁ ହତ୍ୟା କଲେ । ମିଷ୍ଟର ହାନସନ୍ କିନ୍ତୁ କୌଶଳ କ୍ରମେ ବଞ୍ଚିଗଲେ ଏବଂ ଜଙ୍ଗଲରେ ଲୁଚି ରହିଲେ । ଏହାକୁ ପ୍ରତିଶୋଧ ନେବା ପାଇଁ ନିଜେ କ୍ୟାପଟେନ ଲେଗ୍ ସୈନ୍ୟମାନଙ୍କୁ ଧରି ଜଙ୍ଗଲକୁ ଗଲେ କିନ୍ତୁ ବିଦ୍ରୋହୀମାନଙ୍କ ଆକ୍ରମଣ ଯୋଗୁଁ ଫେରିଆସିଲେ । ଏହାର କିଛି ଦିନପରେ ମିଷ୍ଟର ହାନସନଙ୍କୁ ଇଂରେଜ ସୈନ୍ୟମାନେ ଜଙ୍ଗଲରୁ ଉଦ୍ଧାର କଲେ । ୩୦ ଡିସେମ୍ବର , ୧୮୫୭ ବୁଧବାର ଦିନ କୋଲାବିରା ପରାଜୟର ପ୍ରତିଶୋଧ ନେବା ପାଇଁ ସୁଯୋଗ ମିଳିଲା । ଇଂରେଜମାନେ ଖବର ପାଇଲେ ଯେ କୁନ୍ଦୋପାଲି ଗ୍ରାମ ମୁଣ୍ଡରେ ପାହାଡ ତଳେ ପ୍ରାୟ ୧୬୦୦ ବିଦ୍ରୋହୀ ରୁଣ୍ଡ ହୋଇଛନ୍ତି । ଏହି ସମୟରେ କ୍ୟାପଟେନ ଇ.ଜି.ଉଡ୍ ମଧ୍ୟ ନାଗପୁରରୁ ଆସି ସମ୍ବଲପୁରରେ ପହଞ୍ଚାଇଥିଲେ । ତାଙ୍କ ନେତୃତ୍ଵରେ ୭୩ ଜଣ ନିଜସ୍ବ ସୈନ୍ୟ , ୪୦ ମାଡ୍ରାସ ଆର୍ଟଲେରିର ୧୫୦ ଜଣ ସୈନ ଏବଂ ରାମଗଡ ବାଟାଲିୟନର ୫୦ ଜଣ ସୈନ୍ୟଙ୍କୁ ନେଇ କୁନ୍ଦୋପାଲି ଉପରେ ଅତର୍କିତ ଆକ୍ରମଣ କଲେ । ଠିକ୍ ଏହି ସମୟରେ ସୁରେନ୍ଦ୍ର ସାଏ ଅଧ୍ୟକ ସୈନ୍ୟ ସଂଗ୍ରହ ପାଇଁ ଝାରସୁଗୁଡା ନିକଟସ୍ଥ ପଞ୍ଚପଡ଼ା ଗ୍ରାମକୁ ଯାଇଥିଲେ ।
ସେଦିନ କୁନ୍ଦୋପାଲି ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଯାଇଥିଲା । ବୀର କରୁଣାକର ନାଏକଙ୍କ ନେତୃତ୍ବରେ ବିଦ୍ରୋହୀମାନେ ତାଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ କ୍ୟାପଟନ ଉଡ଼ଙ୍କ ଅତ୍ୟାଧୁନିକ ସୈନ୍ୟବାହିନୀ ସହ ଘମାଘୋଟ ଲଢାଇ କରିଥିଲେ । ୫୭ ଜଣ ବିଦ୍ରୋହୀ ସୈନ୍ୟ ଇଂରେଜ ସୈନ୍ୟବାହିନୀ ହାତରେ ଶହୀଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ , କରୁଣାକର ନାଏକଙ୍କ ପୁଅ କୃଷ୍ଣଚନ୍ଦ୍ର ସିଂହ ଏବଂ ପତ୍ରାପାଲିର ବିଭିଆ ବଳଭଦ୍ର ଦାଶ ପ୍ରମୁଖ ଥିଲେ । ଦଶଜଣ ବିଦ୍ରୋହୀ ସୈନ୍ୟ ଇଂରେଜମାନଙ୍କ ଦ୍ଵାରା ବନ୍ଦୀ ହୋଇଥିଲେ । କରୁଣାକର କିନ୍ତୁ ଖସି ଯାଇଥିଲେ । କାଳେ କୋଲାବିରାରେ ଲୁଚିଥିବେ ଭାବି ଫେରିଲାବେଳେ ଇଂରେଜମାନେ ପୁଣି କୋଲାବିରା ଆକ୍ରମଣ କରି ଘର ଦ୍ବାର ନଷ୍ଟ କରିଦେଇଥିଲେ । ୩୦ ଡିସେମ୍ବରର ଏହି ଘଟଣା ଏବେ ମଧ୍ୟ ଲେ।କ ଗୀତ ମାଧ୍ୟମରେ ଲେ।କମାନଙ୍କ ଶିରାପ୍ରଶିରାରେ ଉଜ୍ଜୀବିତ ଅଛି ।
‘ ଉଲି ... ଉଲି ... ଉଲି ... ଉଲି ... ବଉଲିରେ ... ଉଲି ... ଉଲି ... ଉଲି ... ଛବିଳ ସାଏ ଦିହେ ବାଜିଲା ଗୁଳି ... ବାଜିଲା ଗୁଲି ... କୁନ୍ଦୋପାଲି ମଝା ଖୁଲି ... ବଉଲିରେ ... କୁନ୍ଦୋପାଲି ମଝା ଖୁଲି ... ବଉଲିରେ ...
ଏପ୍ରିଲ୍ ୧୮୬୧ ରେ ମେଜର ଇଂପେ ସମ୍ବଲପୁରର ଡେପୁଟି କମିଶନର ଦାୟିତ୍ବ ନେଲେ । ସୁରେନ୍ଦ୍ର ସାଏଙ୍କ ପ୍ରତି ତାଙ୍କ ଦୃଷ୍ଟିଭଙ୍ଗୀ ଥିଲା ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ । ପ୍ରଥମ କରି ସେ ହିଁ ସୁରେନ୍ଦ୍ରଙ୍କୁ ବିଦ୍ରୋହୀର ମର୍ଯ୍ୟାଦା ଦେଇଥିଲେ । ସେ ଚାହୁଁଥିଲେ ସୁରେନ୍ଦ୍ର ଆତ୍ମ ସମର୍ପଣ କରି ତାଙ୍କ ଖିଣ୍ଡା ଜମିଦାରୀ ଫେରିପାଆନ୍ତୁ । ଏଥିପାଇଁ ସେ ୨୪ ସେପ୍ଟେମ୍ବର ୧୮୬ ୧ରେ ପ୍ରଥମ ଘୋଷଣାନାମା ଜାରି କଲେ । ପୁଣି ଅକ୍ଟୋବର ୧ ୧ ରେ ଦ୍ବିତୀୟ ଘୋଷଣାନାମା ପ୍ରକାଶ ପାଇଲା । ଏଥିରେ ନଭେମ୍ବର ୨୦ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ କୁହାଗଲା । ଇଂପେଙ୍କ ଘୋଷଣାନାମାରେ ବିଶ୍ଵାସକରି କରୁଣାକର ନାଏକ , ତାଙ୍କ ଭ୍ରାତା ଖଗ ନାଏକ ଏବଂ ପୁତୁରା କହ୍ନେଇ ନାଏକ ଆତ୍ମସମର୍ପଣ କଲେ । ଲେଫନାଣ୍ଟ କବର୍ଷ କିନ୍ତୁ କ୍ଷମା ସର୍ଭରେ ଏମାନେ ଆତ୍ମସମର୍ପଣ କରିଥିବା ନଜାଣି ଅନ୍ୟ ସାଧାରଣ ବନ୍ଦୀମାନଙ୍କ ଭଳି ଏମାନଙ୍କ ବିଚାର କରି କରୁଣାକର ନାଏକଙ୍କୁ ଫାଶୀ ଦଣ୍ଡ ଆଦେଶ କରିଥିଲେ ।
ତେବେ ଫାଶୀଦଣ୍ଡ ଦେବା ପୂର୍ବରୁ କରୁଣାକର ନାଏକଙ୍କ ଶେଷ ଇଚ୍ଛା ପୂରଣ ସକାଶେ ଇଂରେଜ କତୃପକ୍ଷ ସମ୍ମତ ଥିଲେ । ତେଣୁ ଫାଶୀଦେବା ଦିବସରେ ପ୍ରତ୍ୟୁଷ ମୁହୂର୍ତ୍ତରେ ରାଜଧାନୀ ସମ୍ବଲପୁର ମହାନଦୀ କୂଳରେ ଅବସ୍ଥିତ ବାଲିବନ୍ଧାସ୍ଥିତ ସାମିଆ ( ସୋମନାଥ ) ଶିବମନ୍ଦିର ପରସ୍ପର ମଧ୍ୟରେ ବିପ୍ଳବୀ କରୁଣାକର ନାଏକ ଅନ୍ତିମ ଇଚ୍ଛାରୂପ ବଳଭଦ୍ର ଦାଶଙ୍କ ପୁତ୍ରକୁ ପତ୍ରାପାଲି ଗ୍ରାମର ମାଫିଦାର ରୂପେ ଘୋଷଣାନାମା ସହିତ ତମ୍ବା ପଟ୍ଟା ପ୍ରଦାନ କରିଥିଲେ ।
![]() |
( କରୁଣାକର ନାଏକ ) |
୨୨ ଡିସେମ୍ବର ୧୮୬୧ ସୂର୍ଯ୍ୟୋଦୟ ଆଗରୁ କୋଲାବିରାର ମହାନ ବୀର କରୁଣାକର ନାଏକଙ୍କୁ ସମ୍ବଲପୁର ଜେଲଖାନାର ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ତାଙ୍କ ସହିତ ଆଉ ୧୨ ଜଣଙ୍କୁ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା । ଠିକ୍ ଏହି ଦିନ ଫାଶୀ ସରିବା ପରେ କଟକରୁ କମିଶନର ଆର୍.ଏନ୍.ସୋର ସମ୍ବଲପୁର ଆସି ପହଞ୍ଚିଲେ । ନଥିପତ୍ର ଯାଞ୍ଚପରେ ଜଣାପଡିଲା ଯେ ବଙ୍ଗଳାର ଛୋଟ ଲାଟ୍ ସୁରେନ୍ଦ୍ରଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ କ୍ଷମା ପ୍ରଦାନ ଘୋଷଣା କରିବା ସଙ୍ଗେ ସଙ୍ଗେ ୨୬ / ୦୯ / ୧୮୫୮ ତାରିଖରେ ତାଙ୍କର ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟ ଫେରାଇ ଦେବାପାଇଁ ଆଦେଶ କରିଛନ୍ତି । ଅନ୍ୟାୟ ଭାବରେ ଫାଶୀ ଦିଆଯାଇଥିବାରୁ ସୋର ଦୁଃଖୁତ ହେଲେ । କରୁଣାକରଙ୍କ ନାତି ଘନଶ୍ୟାମ ସିଂଙ୍କୁ ତାଙ୍କ ଜମିଦାରୀ ଫେରାଇ ଦିଆଯିବା ସଙ୍ଗେ ସଙ୍ଗେ ନାଗପୁରର “କୋର୍ଟ ଅଫ୍ ୱାର୍ଡର” ଆଦେଶ ଅନୁଯାୟୀ ତାଙ୍କ ପାଇଁ ଏକ ତ୍ରିତଳ ଦୁର୍ଗ ମଧ୍ୟ ତିଆରି କରାଗଲା । ପରବର୍ତ୍ତୀ କୋଲାବିରା ଜମିଦାରଙ୍କ ନିମିତ୍ତ ତ୍ରିତଳ ଦୁର୍ଗ ପ୍ରାସାଦ ମଧ୍ୟ ଇଂରେଜ ସରକାରଙ୍କ ଦ୍ଵାରା ନିର୍ମାଣ କରିଦିଆଗଲା , ଯାହା ଅଦ୍ୟାବଧୂ ମୂକସାକ୍ଷୀ ହୋଇ ରହିଛି ।
କୋଳବିରା ଦୁର୍ଗର ଶାସନ ବ୍ୟବସ୍ଥା:-
କୋଲବିରା ଜମିଦାରଙ୍କ ଶାସନ ବ୍ୟବସ୍ଥା କୋଲାବିରାର ବିଭିନ୍ନ ଜମିଦାର ମାନଙ୍କ ଶାସନ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ , ଶ୍ରୀ ନୃପଲାଲ ସିଂହଙ୍କ ଆଗରୁ ଥିବା ଜମିଦାରମାନଙ୍କ ଶାସନ ପଦ୍ଧତି ସେତେଟା ସୁବ୍ୟବସ୍ଥିତ ନଥିଲା । ସେମାନେ ଅଳ୍ପ କେତେକ ଅନୁରକ୍ତ ଏବଂ ପ୍ରଶଂସକ ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ଶାସନ ବ୍ୟବସ୍ଥା ନିୟନ୍ତ୍ରଣ କରୁଥିଲେ । କିନ୍ତୁ ଶ୍ରୀ ନୃପଲାଲ ସିଂହ କୋଲାବିରାର ପ୍ରଥମ ଜମିଦାର ଥିଲେ , ଯେ କି ଜମିଦାରୀର ଶାସନ ବ୍ୟବସ୍ଥାରେ ସଂସ୍କାର ଆଣି ଏହାକୁ ସୁବ୍ୟବସ୍ଥିତ କରି ଥିଲେ । ସେ କୋଲାବିରାର ଏକ ମାତ୍ର ଜମିଦାର ଥିଲେ ଯେକି ଜମିଦାରୀକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଇଂରେଜମାନଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ଜମିଦାରୀ ପ୍ରଶାସନ ଉପରେ ତାଲିମ ପାଇଥିଲେ । ୨୧ ଡିସେମ୍ବର , ୧୯୦୩ ଦିନ ନିଜର ପିତା ଶ୍ରୀ ଚିନ୍ତାମଣି ସିଂହଙ୍କ ମୃତ୍ୟୁ ସମୟରେ ନୃପଲାଲଙ୍କୁ ମାତ୍ର ୧୭ବର୍ଷ ହୋଇଥିଲା । ନାବାଳକ ନୃପଲାଲଙ୍କ ପକ୍ଷେ ଏତେବଡ ଜମିଦାରୀ ସୁଚାରୁ ରୂପେ ଚଳାଇବା ସମ୍ଭବ ନୁହେଁ ଅନୁଭବ କରି ଇଂରେଜମାନେ ( କୋର୍ଟଅଫ ୱାର୍ଡ ) କୋଲାବିରାର ଶାସନ ଭାର ନିଜ ହାତକୁ ନେଇଥିଲେ । ପରେ ଯେତେବେଳେ ନୃପଲାଲ ବଡ ହେଲେ, ଅର୍ଥାତ ୧୫. ୦୧.୧୯୧୦ ଦିନ କୋଲାବିରାର ଶାସନ ପୁଣି ନୃପଲାଲଙ୍କ ପାଖକୁ ଚାଲିଗଲା । ଏହି ଛଅ ବର୍ଷ ମଧ୍ୟରେ ନୃପଲାଲଙ୍କ ଶିକ୍ଷା ଏବଂ ତାଲିମ ମଧ୍ୟ ଇଂରେଜମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂରା ହୋଇଥାଏ ।
ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନୃପଲାଲ ପ୍ରଥମେ ଜମିଦାରୀର ସମସ୍ତ କାର୍ଯ୍ୟର ବିଭାଗୀକରଣ କରି ,ବିଭିନ୍ନ ବିଭାଗ ଯଥା- ରାଜସ୍ଵ , ଜଙ୍ଗଲ , ଖଜଣା ଇତ୍ୟାଦିରେ ବିଭାଗ ଉପରେ ଜ୍ଞାନଥିବା ବ୍ୟକ୍ତିବିଶେଷଙ୍କୁ ବିଶ୍ବସ୍ତନିୟତାର ଆଧାରରେ ନିଯୁକ୍ତି ଦେଇଥିଲେ । କହିବାକୁ ଗଲେ ନୃପଲାଲଙ୍କ ସମୟକୁ କୋଲାବିରା ଜମିଦାରୀର ସୁବର୍ଣ୍ଣଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ୪୦ ବର୍ଷରୁ ଊଦ୍ଧ ସମୟ ଧରି ଜମିଦାର ଥିବା ନୃପଲାଲ , ଶିକ୍ଷା ଏବଂ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସ୍କୁଲ ଓ ଡାକ୍ତରଖାନା ସ୍ଥାପନା କରିବା ସହ ସାଧାରଣ ଲୋକଙ୍କ ସୁଖ , ଦୁଃଖ ତଥା ବିଭିନ୍ନ ସାମାଜିକ କାର୍ଯ୍ୟରେ ଆର୍ଥିକ ଓ ଜିନିଷ ପତ୍ର ଆକାରରେ ସାହାଯ୍ୟ କରିବାର ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପୁତ୍ର ଲାଲ ବୀର ମହେନ୍ଦ୍ର ସିଂହ ଓ ନାତି ଲାଲ ରାଜେନ୍ଦ୍ର ସିଂହ ମଧ୍ୟ କେତେକାଂଶରେ ଏହି ପରମ୍ପରା ବଜାୟ ରଖୁଥିଲେ । ଜମିଦାରୀର ଆୟ ଓ ବ୍ୟୟର ହିସାବ ପ୍ରତିଦିନ କ୍ୟାସ୍ବୁକ୍ରେ ଲେଖା ହେଉଥିଲା ଏବଂ ପ୍ରତି ଲେଖାରେ ନୃପଲାଲ ନିଜେ ଦସ୍ତଖତ କରୁଥିଲେ । କ୍ୟାସ୍ବୁକ୍ ସମେତ ଜମିଦାରୀର ସମସ୍ତ କାଗଜପତ୍ର ଜମିଦାରଙ୍କ କାର୍ଯ୍ୟାଳୟରେ ରହୁଥିଲା । ଟ୍ରେଜେରୀକୁ ନୃପଲାଲ କିନ୍ତୁ ସର୍ବଦା ନିଜ ଘରେ ରଖୁଥିଲେ ।
ନୃପଲାଲଙ୍କ ସମୟରେ ଜମିଦାରୀର ବିଭିନ୍ନ ବିଭାଗରେ ପ୍ରାୟ ୪୦ - ୪୫ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ । ଏମାନଙ୍କର ମଧ୍ୟରୁ ୫ - ୭ ଜଣ ବିଶ୍ୱସ୍ତ କର୍ମଚାରୀ , ଯଥା ରାଜସ୍ବ ମୋହରିର , ମେନେଜର , ଫରେଷ୍ଟର , ୨ ଜଣ କିରାଣି ପ୍ରାୟ ସବୁ ସମୟରେ ଜମିଦାରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ ନୃପଲାଲଙ୍କର ସବୁଠୁ ବେଶୀ ବିଶ୍ବସ୍ତ ଥିଲେ ତାଙ୍କର ଡ୍ରାଇଭର ଶ୍ରୀ ବୃଷଭାନୁ ମହାପାତ୍ର । ୧୯୩୯ ମସିହାରେ ତାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ମିଳିଥିଲା । ନୃପଲାଲ ସିଂହ ତାଙ୍କ ଡ୍ରାଇଭର ଉପରେ ଅଖଣ୍ଡ ବିଶ୍ଵାସ କରୁଥିଲେ ଓ ସେ ପ୍ରାୟ ସମୟରେ ନୃପଲାଲଙ୍କ ପାଖେ ପାଖେ ରହୁଥିଲେ । ଏକଥା ଓଡ଼ିଶା ହାଇକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର ମଧ୍ୟ ତାଙ୍କର ୧୦.୧୨.୧୯୭୫ ପ୍ରଦତ୍ତ ରାଏରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ସମ୍ବଲପୁର ରାଜାଙ୍କ ଅଧୀନରେ ଥିବା ୧୬ଟି ଜମିଦାରୀ ମଧ୍ୟରୁ କ୍ଷେତ୍ରଫଳ ଅନୁଯାୟୀ ବୋଡାସମ୍ବର ପରେ କୋଲାବିରା ଦ୍ବିତୀୟ ବୃହତ୍ତମ ଜମିଦାରୀ ଥିଲା । ୧୯୦୧ର ଜନଗଣନା ଅନୁଯାୟୀ କୋଲାବିରା ଜମିଦାରୀର ଲୋକ ସଂଖ୍ୟା ୪୦ , ୧୧୦ ଥିଲା ଓ ଏହାର ବାର୍ଷିକ ମୋଟ ଆୟ ୧୩ , ୦୭୪ ଟଙ୍କା ଥିଲା । ସେଥିରୁ ୩୫୦୦ ଟଙ୍କା ଜମିଦାର ରାଜାଙ୍କୁ କର ଆକାରରେ ପ୍ରଦାନ କରୁଥିଲେ । କୋଲାବିରା ଜମିଦାରୀକୁ ଜୟପୁର ଇଷ୍ଟେଟ୍ ମଧ୍ୟ କୁହାଯାଏ ।
ସମ୍ବଲପୁର ରାଜ୍ୟର ଦ୍ବିତୀୟ ବୃହତ୍ତମ ଜମିଦାରୀ ହୋଇଥିବାରୁ ବିଭିନ୍ନ ସମୟରେ କୋଲାବିରା ଜମିଦାରଙ୍କୁ ସମ୍ବଲପୁର ରାଜ କାର୍ଯ୍ୟରେ ଗସ୍ତ କରିବା ଏବଂ ସେଠାରେ ରାତ୍ରିଯାପନ କରିବାକୁ ପଡୁଥିଲା । ତେଣୁ ସମ୍ବଲପୁର ରାଜା , କୋଲାବିରା ଜମିଦାରଙ୍କୁ ଗେଷ୍ଟହାଉସ୍ ବା ରାତ୍ରିଯାପନ ପାଇଁ ସେଭଳିଆ କିଛି ନିର୍ମାଣ ଉଦ୍ଦେଶ୍ୟରେ କିଛି ଜାଗା ଦେଇଥିଲେ । ଏହା କୋଲାବିରା ଜମିଦାରଙ୍କ ସମ୍ବଲପୁର ସହରରେ ଥିବା ଏକମାତ୍ର ସମ୍ପତ୍ତି ଥିଲା । ୨୮ ଡେସିମିଲ ଆୟତନ ବିଶିଷ୍ଟ ଏହି ଜମି ୧୯୦୨ ମସିହା ପର୍ଯ୍ୟନ୍ତ ପଡିଆ ପଡିଥିଲା । ୧୯୦୨ ରେ ଶ୍ରୀଚିନ୍ତାମଣି ସିଂହ ବାସୁ ମିସ୍ତ୍ରୀ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଇଟା ଇତ୍ୟାଦି କିଣି ଏହି ଜାଗାର ଚାରିପଟେ ପ୍ରାଚୀର ନିର୍ମାଣ କରିଥିଲେ । ଏଥିରେ ପ୍ରାୟ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ପରେ ଯେତେବେଳେ କୋଲାବିରାର ଶାସନଭାର ଇଂରେଜମାନଙ୍କ ହାତକୁ ଚାଲିଯାଇଥିଲା । ଅର୍ଥାତ ୨୧.୧୨.୧୯୦୩ରୁ ୧୫.୦୧.୧୯୧୦ ମଧ୍ୟରେ ପ୍ରାୟ ୭୦୦୦ ଟଙ୍କା ଖର୍ଚ୍ଚ କରି ଇଂରେଜମାନେ ଏହି ଜମିରେ ଏକ ପକ୍କା ଘର ନିର୍ମାଣ କରି ବ୍ୟବହାର କରୁଥିଲେ । ସେମାନେ ଏହି ଘରର ନାମକରଣ କୋଲାବିରା ହାଉସ୍ ରଖୁଥିଲେ ।
କୁହାଯାଏ ଯେ ବୃଷଭାନୁଙ୍କ ଠାରୁ ନୃପଲାଲ ବିଭିନ୍ନ ସମୟରେ ୪ଟି କିସ୍ତିରେ ୧୭.୦୭.୧୯୪୯ ରେ ୨୦୦୦ ଟଙ୍କା , ୦୩ / ୦୯ , ୧୯୪୯ ରେ ୨୦୦୦ ଟଙ୍କା , ୩୧.୧୨.୧୯୪୯ ରେ ୨୦୦୦ଟଙ୍କା ଏବଂ ୨୪.୦୩.୧୯୫୦ରେ ୧୫୦୦ ଟଙ୍କା ) ମୋଟ ୭ , ୫୦୦ ଟଙ୍କା ଧାର ସୂତ୍ରରେ ନେଇଥିଲେ ଓ ପ୍ରତିବଦଳରେ ସମ୍ବଲପୁରସ୍ଥିତ ତାଙ୍କର ଏହି ଜମି ଓ ଘରକୁ ୨୬.୦୩.୧୯୫୦ ଦିନ ଏକ ଦଲିଲ ସମ୍ପାଦନ କରି ବୃଷଭାନୁଙ୍କୁ ବିକ୍ରି କରିଦେଇଥିଲେ । ୨୭.୦୬.୧୯୫୧ ଦିନ ଏହି ଦଲିଲିଟି ସମ୍ବଲପୁରଠାରେ ପଞ୍ଜିକୃତ ହୋଇଥିଲା । ଭ୍ରମଣପ୍ରିୟ ନୃପଲାଲ ତାଙ୍କ ସମ୍ବଲପୁର ଗସ୍ତ ସମୟରେ କୋଲାବିରା ହାଉସରେ ଅବସ୍ଥାନ କରୁଥିଲେ ଓ ଅଧିକାଂଶ ସମୟରେ ସେ ତୀର୍ଥ ପାଇଁ ଆଲ୍ଲାହାବାଦ ଯାଉଥିଲେ ।
ମୃତ୍ୟୁର ୬ - ୭ ବର୍ଷ ଆଗରୁ ତାଙ୍କ ବାମ ହାତ ଏବଂ ଗୋଡ ପାରାଲେସିସରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୧୯୫୬ ପର୍ଯ୍ୟନ୍ତ ସେ ଜମିଦାରୀ କାର୍ଯ୍ୟ ବୁଝାସୁଝା କରୁଥିଲେ । ୧୯୫୮ରେ ତାଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ଲାଲବୀର ମହେନ୍ଦ୍ର ସିଂହ ଖୁବ ଅଳ୍ପ ଦିନ ପାଇଁ କୋଲାବିରାର ଜମିଦାର ହୋଇଥିଲେ । ୧୯୬୩ରେ ତାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁତ୍ର ଲାଲ ରାଜେନ୍ଦ୍ର ସିଂହ ( ଜନ୍ମ- ୨୯ / ୦୨ | ୧୯୩୬ ) କୋଲାବିରାର ଜମିଦାର ହୋଇଥିଲେ । ୧୯୫୧ର ଜମିଦାରୀ ଉଚ୍ଛେଦ ଆଇନ ବଳରେ କିନ୍ତୁ ନଭେମ୍ବର , ୧୯୫୨ ଠାରୁ ଓଡ଼ିଶାରେ ଜମିଦାରୀ ପ୍ରଥା ଉଚ୍ଛେଦ ହୋଇସାରିଥିଲା । ୧୯୫୮ରେ ଶ୍ରୀ ଲାଲ ରାଜେନ୍ଦ୍ର ସିଂହ ଗଣତନ୍ତ୍ର ପରିଷଦ ନାମକ ଏକ ରାଜନୈତିକ ଦଳରେ ଯୋଗ ଦେଇଥିଲେ । ପରେ ଏହି ଦଳର ବିଳୟ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସ୍ୱତନ୍ତ୍ର ପାଟିରେ ହୋଇଥିଲା ଏବଂ ଲାଲ ରାଜେନ୍ଦ୍ର ସ୍ବତନ୍ତ୍ର ପାର୍ଟ ଟିକେଟରେ ବର୍ତ୍ତମାନ ନିଜର ଅସ୍ତିତ୍ବ ହରାଇଥିବା ଲାଇକେରା ସଂରକ୍ଷିତ ଆସନରୁ ଚତୁର୍ଥ ବିଧାନ ସଭା ( ୧୯୬୭ରୁ ୧୯୭୧ ) କୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ୧୪୦ଟି ବିଧାନସଭା ଆସନରୁ ହରେକୃଷ୍ଣ ମହତାବଙ୍କ ଜନକଂଗ୍ରେସ ୨୬ଟି ଆସନରେ ଏବଂ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସ୍ୱତନ୍ତ୍ର ପାର୍ଟି ୪୯ଟି ଆସନରେ ବିଜୟୀ ହୋଇ ମିଳିତ ଭାବେ ରାଜେନ୍ଦ୍ର ନାରାୟଣଙ୍କ ମୁଖ୍ୟମନ୍ତ୍ରୀରେ ସରକାର ଗଢି ଥିଲେ ମଧ୍ୟ ବିଧାୟକ ଲାଲ ରାଜେନ୍ଦ୍ର କିନ୍ତୁ ମନ୍ତ୍ରୀ ହୋଇପାରିନଥିଲେ ।
Comments
Post a Comment