ଭୁବନେଶ୍ଵରୀ ମନ୍ଦିର, କୋଲାବିରାର ପ୍ରାଚୀନ ଶକ୍ତି ପୀଠ, ଝାରସୁଗୁଡ଼ା

 ସମ୍ବଲପୁର ସାମ୍ରାଜ୍ୟରେ ଚୌହାନ ରାଜାମାନେ ସମାଲେଶ୍ୱରୀ, ଖାମ୍ବେଶ୍ୱରୀ, ପାଟେନ୍ସୱାରୀ, ରଣଜୀତା, ବୁଢ଼ା ରଜା, ମାଉଲି ଆଦି ଦେବୀ ଦେବତାଙ୍କ ପୂଜା କରିବାର ଦୃଷ୍ଟାନ୍ତ ରହିଅଛି । ସେମାନେ  ସମ୍ବଲପୁର ରାଜ୍ୟରେ ବହୁ ସଂଖ୍ୟକ ଶକ୍ତି ପୀଠ ସ୍ଥାପନା ମଧ୍ୟ କରିଛନ୍ତି । ଝାରସୁଗୁଡା ଜିଲ୍ଲାରୁ  ୧୬ କିଲୋମଟର ବ୍ୟବଧାନରେ  କୋଲାବିରା ଗ୍ରାମର, କୋଲାବିରା ଦୁର୍ଗ ପରିସରରେ ଅବସ୍ଥିତ ଦେବୀ ଭୁବନେଶ୍ଵରୀଙ୍କ ମନ୍ଦିର ଏକ ପୁରାତନ ଶକ୍ତିପୀଠ ରୂପେ ପ୍ରସିଦ୍ଧ ଲାଭ କରିଛି । ଏହି ମନ୍ଦିରର ଦେବୀ ଭୁବନେଶ୍ଵରୀଙ୍କୁ  ଗ୍ରାମବାସୀ ଇଷ୍ଟଦେବୀ ସମଲେଇ ରୂପେ ପୂଜାର୍ଚ୍ଚନା କରୁଛନ୍ତି ।

(ଭୁବନେଶ୍ଵରୀ ମନ୍ଦିର)


ଇତିହାସ

ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀରେ ଝାଡ଼ଖଣ୍ଡ ରାଜ୍ୟର ଛାପ୍ରା ପଲ୍ଲୀରେ ଆଦିବାସୀ କୋହ୍ଳ ସମ୍ପ୍ରଦାୟ ନିବାସ ସ୍ଥାନ ଥିଲା । ଏହି କୋହ୍ଳ ସମ୍ପ୍ରଦାୟ ଗୋଟିଏ ଦଳ ଜୀବିକା ନିର୍ବାହ କରିବା ପାଇଁ ଓଡ଼ିଶାର  ଗାଙ୍ଗପୁର ରାଜ୍ୟର ମଧ୍ୟରେ  'କୋଲାବିରା' ନାମକ ଏକ ନୂତନ ପଲ୍ଲୀର ସ୍ଥାପନ କରି ବସବାସ କଲେ ।  କିଛି ବର୍ଷ ଅବସ୍ଥାନ  ପରେ ସେହି କୋହ୍ଳ ସମ୍ପ୍ରଦାୟ  ଏକ ଶାଖା ଦଳ ସମ୍ବଲପୁର ରାଜ୍ୟର ଭେଡେନ ନଦୀ କୂଳରେ ଏକ ଜନବସତି ସ୍ଥାପନ କରି ରହିଲେ ଯାହା କାଳକ୍ରମେ କୋଲାବିରା  ପଲ୍ଲୀ ନାମରେ ନାମିତ ହେଲା । 


ସେହିପରି ଖ୍ରୀଷ୍ଟୀୟ ତ୍ରୟୋଦଶୀ ଶତାବ୍ଦୀରେ ଆଦିମ ଗଣ୍ଡମାନେ ମଧ୍ୟ ପ୍ରଦେଶର ଗଣ୍ଡୱାନ ଅଞ୍ଚଳରେ ଅନେକ  ରାଜ୍ୟମାନ ସ୍ଥାପନ କରିଥିଲେ । ତେବେ ଚତୁର୍ଦ୍ଦଶ ଶତାବ୍ଦୀ ଏହି ବିଶାଳ ଗଣ୍ଡ  ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିବା ଫଳର ବହୁ ସଂଖ୍ୟାରେ ଗଣ୍ଡ ମାନେ ଆଶ୍ରୟ ନେବା ପାଇଁ ସମ୍ବଲପୁର ରାଜ୍ୟକୁ ପ୍ରବେଶ କଲେ ।  ସେମାନଙ୍କ ମଧ୍ୟରେ ଏକ ଶାଖା ଦଳ ଭେଡେନ ନଦୀ କୂଳରେ ପ୍ରତିଷ୍ଠିତ କୋଲାବିରା ପଲ୍ଲୀ ପ୍ରବେଶ କଲେ ଯାହା ଫଳସରୂପ ଗଣ୍ଡ ଓ କୋହ୍ଳମାନଙ୍କ ମଧ୍ୟରେ ପ୍ରବଳ ସଂଗ୍ରାମ ହୋଇଥିଲା । ଯୁଦ୍ଧରେ  ଗଣ୍ଡମାନେ ସ୍ଥାନୀୟ କୋହ୍ଳମାନଙ୍କୁ ପରାଜୟ କରିବାରେ ସଫଳ ହୋଇଥିଲେ । ଫଳରେ  କୋହ୍ଳମାନେ ଅନ୍ୟ ଅଞ୍ଚଲକୁ ପଳାୟନ କରିଥିଲେ ଓ ଗଣ୍ଡମାନେ କୋଲାବିରାରେ ପଲ୍ଲୀରେ  ନିଜର ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ ।


ଅତୀତରେ ଏହି କୋଲାବିରା ଗ୍ରାମର ପୂର୍ବ ପାର୍ଶ୍ଵରେ ଜୟପୁର ରାଜ୍ୟ ଥିଲା, ଯେଉଁଠି କଳଚୁରୀ ବଂଶର ରାଜା ବିଶ୍ୱନାଥ  ଶାସନ କରୁଥିଲେ । ତାଙ୍କର ଏହି ଜୟପୁର ରାଜ୍ୟ ତିନି ଦିଗରେ ଯଥାକ୍ରମେ  ବାମଣ୍ତା, ଗଙ୍ଗାପୁର ଏବଂ ସୁରଗୁଜା ବିସ୍ତୃତ ଥିଲା । ଜୟପୁର ରାଜା ବିଶ୍ୱନାଥ ଅପୁତ୍ରିକ ଥିଲେ । ଯାହା ଯୋଗୁଁ ତାଙ୍କର ବୃଦ୍ଧାବସ୍ଥାରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା । ରାଜ୍ୟର ଏହି ଦୁର୍ବଳତାର ସୁଯୋଗ ନେଇ ଉଭୟ ବାମଣ୍ଡା ରାଜା ରୁଦ୍ର ନାରାୟଣ ଦେବ ଓ ଗାଙ୍ଗପୁର୍ ରାଜା  ସଂଯୋଗ ଭାବେ ଜୟପୁର ରାଜା ଉପରେ ଆକ୍ରମଣ କରିଥିଲେ ।


 ତେବେ ଯୁଦ୍ଧରେ ରାଜା ରୁଦ୍ର ନାରାୟଣ ଦେବ ମୃତ୍ୟୁ ବରଣ  କରିଥିଲେ ଓ ଜୟପୁର ରାଜ୍ୟର ବିନାଶ ଘଟିଥିଲା  । ଜୟପୁର ରାଜ୍ୟ  ଉଭୟ ବାମଣ୍ଡା ଓ ଗାଙ୍ଗପୁର ଅନ୍ତଭୁକ୍ତ ହୋଇଥିଲା । ଜୟପୁର ରାଜ୍ୟର ପତନ ହେବା କାରଣରୁ ସମଗ୍ର ରାଜ୍ୟରେ ପ୍ରବଳ ଅରାଜକତା ସୃଷ୍ଟି ହୋଇ ଥିଲା । ଏହି ଦୟନୀୟ ପରିସ୍ଥିତକୁ ଆୟତ୍ତ କରିବା ପାଇଁ ବାସିନ୍ଦା ଗଣ୍ଡମାନେ ଅଷ୍ଟ ମଲ୍ଲିକ ଶାସନ ପ୍ରତିଷ୍ଠା କଲେ । ସେମାନେ ସିଂହାସନ ଉପରେ ଗୋଟିଏ ଲେମ୍ବୁ ସ୍ଥାପନ କରି ଆଠ ଜଣ ଗଣ୍ଡ ସର୍ଦ୍ଦାର ପାଲି ଅନୁସାରେ ରାଜ୍ୟ ଶାସନ ଭାର ତ୍ଵରାନିତ କରିଥିଲେ ।


ଖ୍ରୀଷ୍ଟୀୟ ଷୋଢ଼ଶ ଶତାବ୍ଦୀରେ ଚୌହାନ ବଂଶୀୟ  ରାଜା ବଳରାମ ଦେବ ମହାନଦୀ ଅବବାହିକାରେ  ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କରିଥିଲେ । ତାଙ୍କର ଶାସନ କାଳରେ (୧୫୧୦-୧୫୮୪ ଖୀ) ରାଜ୍ୟ ବିସ୍ତାର କରିବା ଉଦେଶ୍ୟରେ ସୁରଗୁଜ ରାଜ୍ୟ (ଆଧୁନିକ ଛତିଶଗଡ଼ର ସୁରଗୁଜା) ଆକ୍ରମଣ ଅଭିଯାନ ଆରମ୍ଭ କରିଥିଲେ ।ସେଥିପାଇଁ ସର୍ବପ୍ରଥମେ ସେ ସୁରଗୁଜାର ସାମନ୍ତ ରାଜ୍ୟ ଗାଙ୍ଗପୁର (ଆଧୁନିକ ଓଡିଶାର ସୁନ୍ଦରଗଡ଼ ଅଞ୍ଚଳ) ଅଧିକାର କରିଥିଲେ ।ରାଜା ବଳରାମ ଦେବ ନିଜର ରାଜ୍ୟ ବିସ୍ତାର କରିବାପାଇଁ ୧୫୧୪ ଖ୍ରୀ.ରେ ସେନା ବାହିନୀ ସହିତ ରାଜ୍ୟର ପଶ୍ଚିମ  ଦିଗରେ ଅଗ୍ରସର ହୋଇଥିଲେ । ଯେହେତୁ ସୁରଗୁଜା ଲଳିତ ସିଂହ ଜାଣିପାରିଥିଲେ ତାଙ୍କ ରାଜ୍ୟ ଉପରେ ଆକ୍ରମଣ ହେବ । ତେଣୁ ସେ ବିଳମ୍ବ ନ କରି ନିଜର ସୈନ ବଳ ଧରି ରାଜ୍ୟର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ଭୋଗରାଗଡ଼ ଦୁର୍ଗରେ ପହଞ୍ଚିଥିଲେ । ଫଳସ୍ଵରୂପ ଉଭୟ ସୈନ୍ୟମାନଙ୍କ  ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇଥିଲା । କିନ୍ତୁ ଏହି ଯୁଦ୍ଧରେ ସୁରଗୁଜା ରାଜ୍ୟର ଅନେକ ସୈନ ବାହିନୀ ସମେତ ଭୋଗରାଗଡ଼ ଦାୟିତ୍ୱରେ ଥିବା ସେନାପତୀ,ଦୁର୍ଗରକ୍ଷୀ ଓ କର୍ମଚାରୀମାନେ ମୃତାହତ ହୋଇଥିଲେ ।

ଇତି ମଧ୍ୟରେ ସୁରଗୁଜା ରାଜ୍ୟର ସେନ୍ୟବାହିନୀର ପରାଜୟ ସୁଯୋଗ ନେଇ ସମ୍ବଲପୁର ରାଜାଙ୍କ ସେନ୍ୟବାହିନୀ ଭୋଗରାଗଡ଼ ଦୁର୍ଗ ଅବରୋଧ କରିଥିଲେ । ବିଜୟ ଲାଭ ପରେ ସମ୍ବଲପୁର ରାଜ୍ୟର ସୈନ୍ୟବାହିନୀ ଭୋଗରାଗଡ଼ ଦୁର୍ଗକୁ ଧ୍ୱଂସ ବିଧ୍ୱଂସ କରି ଦେଇଥିଲେ । ଅବଶେଷରେ  ସୁରଗୁଜା ରାଜା ଲଳିତ ସିଂହ ଯୁଦ୍ଧରେ ପରାଜୟ ଆସନ୍ନ ଜାଣିପାରି  ନିଜ ରାଜଧାନୀ ପଳାୟନ କଲେ । ଏହି ଐତିହାସିକ ଭୋଗରାଗଡ଼ ଯୁଦ୍ଧ ପରେ ସମ୍ବଲପୁର ରାଜ୍ୟ ଉତ୍ତର ପଶ୍ଚିମ ଦିଗରେ ଝାରସୁଗୁଡ଼ା ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଥିଲା ।  

ପ୍ରାଚୀନ ଭୋଗରାଗଡ଼ ଦୁର୍ଗର ଉତ୍ତର  ପାର୍ଶ୍ବରେ ଏକ କ୍ଷୁଦ୍ର ମନ୍ଦିର ମଧ୍ୟରେ ଦେବୀ ଭୁବନେଶ୍ୱରୀଙ୍କ ପୂଜା ଓ ଉପାସନା ହେଉଥିଲା ବୋଲି ଜଣାଯାଏ। କିନ୍ତୁ ଯୁଦ୍ଧ ପରେ ଏହି ଭୋଗରାଗଡ଼ ନିର୍ଜନ ହୋଇରହିଲା ଯାହା ଫଳରେ ଭେଡେନ ନଦୀର ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ପୁନଶ୍ଚ ସମ୍ବଲପୁରର ଚୌହାନବଂଶ୍ରୀୟ  ରାଜା ଜୟନ୍ତ ସିଂହଙ୍କ ଶାସନ କାଳରେ (୧୭୮୨-୧୮୧୮) ଭଗ୍ନ ମନ୍ଦିର ପରିସରରୁ ଦେବୀ ଭୁବନେଶ୍ୱରୀ ପ୍ରତିମା ତତ୍କାଳୀନ କୋଲବୀରା ଜାମିନଦାର ସନସାଧର ସିଂହଙ୍କ ପ୍ରସାଦ ପରିସରକୁ ସ୍ଥାନାନ୍ତରିତ କରାଯାଇଥିଲା ।


ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀ ଶେଷ ଭାଗରେ ( ୧୭୮୧- ୧୮୧୮) ସମ୍ବଲପୁର ରେ ରାଜା ଜୟନ୍ତ ସିଂହ ଶାସନ କରୁଥିଲେ । ତାଙ୍କର ରାଜତ୍ୱ କାଳରେ ଅର୍ଥାତ୍ ୨୭୮୫ ମସିହାରେ କୋଲାବିରା ଜମିଦାରୀ ପ୍ରତିଷ୍ଠା ହୋଇଥିଲା । ଜୟନ୍ତ ସିଂହ ତୃତୀୟ ରାଣୀ ରାହାସଙ୍କୁ ତାଙ୍କ ଦେବାନ୍ ବିଶ୍ଵଶ୍ଵର ମହାନ୍ତି  ଅପହରଣ କରି ନେଇଯାଇଥିଲା । ସନସାଧର ସିଂହ ରାଣୀକୁ ନିଜର ପରାକ୍ରମ ବଳରେ ଦେବାନ୍ କବଳରୁ ଉଦ୍ଧାର କରି ରାଜା ଜୟନ୍ତ ସିଂହ ପାଖରେ ଅର୍ପଣ କରିଥିଲେ । ସନସାଧର ସିଂହଙ୍କ କାର୍ଯ୍ୟରେ ପ୍ରଶଂନ୍ନ ହୋଇ ରାଜା ଜୟନ୍ତ ସିଂହ ତାଙ୍କୁ କୋଲାବିରା ଜମିଦାର ରୂପେ ନିଯୁକ୍ତି କରିଥିଲେ ।


ତତ୍କାଳୀନ କୋଲାବିରା ଜମିଦାରୀ ଆୟତନ ପ୍ରାୟ ୨୭୮ ବର୍ଗ ମାଇଲ (୭୨୦ ବର୍ଗ କି.ମି.)  ଥିଲା । ଏହାର ପରିସୀମା ଉତ୍ତର ସୀମା ବାମରା ଜମିଦାରୀ ସୀମାକୁ ଲାଗି ବାଗଡିହି ପର୍ଯ୍ୟନ୍ତ , ଦକ୍ଷିଣରେ ବାମଣ୍ଡା ରାଜ୍ୟ ସୀମାକୁ ଲାଗି ସାହାସପୁର , ପାକେଲ ପଡ଼ , ଗଞ୍ଜି ଡିହି ,  ତାଲମୁଣ୍ଡା ପର୍ଯ୍ୟନ୍ତ , ପୂର୍ବରେ ଲୁଡୁଙ୍ଗ , ସିରିଆପାଲି , ରବଡେଗା , ହାଡ଼ିପାଲି ପର୍ଯ୍ୟନ୍ତ ଏବଂ ପଶ୍ଚିମରେ ଝାରସୁଗୁଡ଼ା ଜମିଦାରୀ ସୀମାର ସିରିଆପାଲି ପର୍ଯ୍ୟନ୍ତ ବିସ୍ତୃତ ଥିଲା  । 

ତେବେ କୋଲାବିରାର ପ୍ରଥମ ଜମିଦାର ସନସାଧର  ସିଂହଙ୍କର ଦୁଇଟି ରାଣୀ ଥିଲେ ।   ପ୍ରଥମ ରାଣୀଙ୍କର ଗୋଟିଏ ମାତ୍ର ପୁତ୍ର ନୀଳାମ୍ବର ସିଂହ ଥିଲେ। କିନ୍ତୁ ଦ୍ବିତୀୟ ରାଣୀଙ୍କର ୧୧ ଜଣ ପୁତ୍ର ଥିଲେ ଏବଂ ଜ୍ୟେଷ୍ଠପୁତ୍ର କରୁଣାକର ଥିଲେ । ଜମିଦାର  ସନସାଧର ସିଂହ ଉଭୟ ରାଣୀଙ୍କ ପୁତ୍ରମାନଙ୍କ ମଧ୍ୟରେ ତାଙ୍କ ଜମିଦାରୀକୁ ବାଣ୍ଟି ଥିଲେ । ସେ ଦ୍ବିତୀୟ ରାଣୀଙ୍କ ପୁତ୍ର କରୁଣାକରଙ୍କୁ କୋଲାବିରା ଜମିଦାର ଘୋଷଣା କରିଥିଲେ । ସନସାଧର ସିଂହଙ୍କୁ କୋଲାବିରା ସମେତ ନକ୍ସାପାଲି , ବିଡ଼ମାଲ , ଲଇକେରା , ତରେଇକେଲା , ଝାରମାଲ , କାଦୋବାହାଲ , ଖୁନ୍ତାମାଲ ଗ୍ରାମ ଜାଗିରୀ ଦେଇଥିଲେ । ପ୍ରଥମ ରାଣୀଙ୍କ ପୁତ୍ର ନୀଳାମ୍ବରଙ୍କୁ ଜାଗିରୀ ରୂପେ ୭ଟି ଗ୍ରାମ ଯଥା – ଖୁନାପାଲି , ସିଆଲ୍ରମା , କେଲଡା , ଜାମମାଲ , ପରମାଣପୁର ଓ ସିରିଆପାଲି ପ୍ରଦାନ  କରିଥିଲେ । 


କୋଲାବୀରା ଜମିଦାର ସନସାଧର ସିଂହଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର କରୁଣାକର ନାଏକ ଜମିଦାରୀ ଶାସନ ଭାର ଗ୍ରହଣ କରିଥିଲେ । ସମ୍ବଲପୁର ରାଜ ସିଂହାସନ ଦାବି କରି ଚୌହାନ ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ବିରୁଦ୍ଧରେ ଯେଉଁ ସଶସ୍ତ୍ର ସଂଗ୍ରାମ ଅଭିଯାନ ଆରମ୍ଭ କରିଥିଲେ । କୋଲାବୀରା ଜମିଦାର କରୁଣାକର ତାଙ୍କ ମୁଖ୍ୟ ସହଯୋଗୀ ରୂପେ ବିଦ୍ରୋହରେ ଅଂଶଗ୍ରହଣ କରିଥିଲେ । କରୁଣାକର ଇଂରେଜମାନଙ୍କ ବିରୁଦ୍ଧରେ କୁନ୍ଦୋପାଲି ଯୁଦ୍ଧରେ  ବିଦ୍ରୋହୀମାନଙ୍କର ସେନାପତି ରୂପେ ଯୁଦ୍ଧ ପରିଚାଳନା କରିଥିଲେ ।ଉକ୍ତ ଯୁଦ୍ଧକ୍ଷେତ୍ରରେ ତାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ସିଂହ ଶହୀଦ ହୋଇଥିଲେ । ଇଂରେଜମାନେ କ୍ରୋଧରେ କରୁଣା କର ସିଂହ ତ୍ରିତଳ  ପ୍ରସାଦକୁ ତୋପରେ  ଧ୍ୱଂସ  କରିଦେଇଥିଲେ । ସେ ଇଂରେଜମାନଙ୍କ ନିକଟରେ ରାଜକ୍ଷମା ସର୍ଭରେ ଆତ୍ମସମର୍ପଣ କରିଥିଲେ । କିନ୍ତୁ ନିଷ୍ଠୁର  ଇଂରେଜ ସରକାର  ୧୮୬୧ ମସିହା ଡିସେମ୍ବର ମାସ ୨୨ ତାରିଖରେ ତାଙ୍କୁ ସମ୍ବଲପୁର ଜେଲଖାନା ମଧ୍ୟରେ ଫାଶୀଦଣ୍ଡ ଦିଆଯାଇଥିଲା । ୧୮୭୨ ମସିହାରେ  ନାଗପୁର 'କୋର୍ଟ ଅଫ୍ ୱାଡ଼ର୍ର' ନିର୍ଦ୍ଦେଶ ଅନୁସାରେ ଘନଶ୍ୟାମ ସିଂହାଙ୍କୁ କୋଲାବୀରା ଜମିଦାର ମିଲବା ସହିତ ଇଂରେଜ ସରକାର କ୍ଷତିପୂରଣ ସ୍ୱରୂପ କୋଲାବୀରା ଜମିଦାର ପାଇଁ ନୂତନ ଦୁର୍ଗର ନିର୍ମାଣ କରି ଦେଇଥିଲେ । ସେହି ଦୁର୍ଗର ଅବେ ବି ଜମିଦାରଙ୍କ ବଂଶଧର ବାସ କରୁଛନ୍ତି  ଯାହାକୁ ଲାଗି ମା ସମଲେଇଙ୍କ  ମନ୍ଦିର ରହିଅଛି ।

(ଦେବୀ ଭୁବନେଶ୍ଵରୀ)


ପର୍ବ ଓ ପର୍ବାଣୀ

ପ୍ରତି ବର୍ଷ  ମା ସମଲେଇଙ୍କ ମନ୍ଦିରରେ  ଶାରଦୀୟ ପୂଜା ଆୟୋଜନ କରାଯାଉଅଛି । ଶାରଦୀୟ ଦୁର୍ଗା ପୂଜା ଅଶ୍ଵିନ ମାସ ଶୁକ୍ଳ ପକ୍ଷରେ ସପ୍ତମୀ ତିଥିରେ  ପୂଜାର୍ଚ୍ଚନା  ଆରମ୍ଭ ହୋଇ ଦଶମୀ ତିଥିରେ  ଶେଷ ହୋଇଥାଏ ।  ଏହି ତିଥିରେ ମନ୍ଦିର ଗର୍ଭ ଗୃହରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଥାଏ । କୋଲାବିରାର ପଞ୍ଚମ ଜମିଦାର ଘନଶ୍ୟାମ ଅମଳରୁ  ଶାରଦୀୟ ପୂଜା ଅବସରରେ କୋଲାବିରା ଦୁର୍ଗ ସମ୍ମୁଖରେ ଅବସ୍ଥାପିତ ମା ସମଲେଇଙ୍କ ପୀଠରେ  ବାଲିଯାତ୍ରା ଉତ୍ସବ ପାଳନ କରାଯାଇ ଆସୁଅଛି । ଅଶ୍ଵିନ ଶୁକ୍ଳ ପକ୍ଷ ଦଶମୀ ରାତ୍ରୀରେ ବରୁଆଙ୍କୁ  ( କାଳିସୀ) ପାରମ୍ପାରିକ ବାଦ୍ୟର ତାଳର କୋଳବିରା ଗ୍ରାମର ପରିକ୍ରମା କରାଯାଏ  । ଏହି ପର୍ବରେ ବରୁଆ ( କାଳିସୀ ) ଙ୍କୁ ପ୍ରତ୍ୟକ୍ଷ ରୂପେ ମା ସମଲେଇ ଚିନ୍ତା କରି କୋଳବିରା ଗ୍ରାମରେ ଭକ୍ତ ଓ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥାନ୍ତି । ମା ସମଲେଇଙ୍କର ବରୁଆ ରୂପର ଦର୍ଶନ କରିବା ପାଇଁ ଦୂର ଦୂରାନ୍ତର ଅଞ୍ଚଳରୁ  ଶହ ଶହ ଶ୍ରଦ୍ଧାଳୁ ନରନାରୀ ପୀଠରେ ସମବେତ ହୋଇଥାନ୍ତି । ଏହା ବ୍ୟତୀତ ସମ୍ବଲପୁର ଚୌହାନ ବଂଶୀୟ ପରମ୍ପରା ଅନୁସାରେ କୋଲାବିରାରେ ଏହି  ଦଶମୀ  ରାତ୍ରୀରେ   ରଣିଜିତା   ଉତ୍ସବ ଅଦ୍ୟାବଧି ପାଳିତ ହୋଉଛି ।

( ବଳି ଯାତ୍ରାର ଝଲକ୍ )


ନିର୍ମାଣ

ସମ୍ବଲପୁର ରାଜା ଜୟନ୍ତ ସିଂହଙ୍କ  ନିର୍ଦ୍ଦେଶ କ୍ରମେ  ସନସାଧରେ ସିଂହଙ୍କ ଶାସନ କାଳରେ ଭେଡେନ ନଦୀ କୂଳର ଭୋଗରା ଗଡ଼ ଦୁର୍ଗ ପରିସରରୁ ପରିତ୍ୟକ୍ତ ଦେବୀ ମନ୍ଦିରର ପ୍ରସ୍ତର ଭୁବନେଶ୍ଵରୀ ପ୍ରତିମାକୁ  କୋଲାବିରା ଦୁର୍ଗ ପରିସରକୁ ସ୍ଥାନାନ୍ତରିତ କରାଯାଇଥିଲା । ଜମିଦାର ସନସାଧର  ଦେବୀ ପ୍ରତିମାକୁ ଏକ ମଞ୍ଚ ଉପରେ ସ୍ଥାପନ କରି  ତାଙ୍କୁ ଜମିଦାର ଓ  ପ୍ରଜାମାନେ ମା ସମଲେଇ ରୂପେ ପୂଜା ଉପାସନା ଆରମ୍ଭ କରିଥିଲେ ।  କୋଲାବିରା ଜମିଦାର ଘନଶ୍ୟାମ ସିଂହ ଶାସନର ପରବର୍ତ୍ତୀ କାଳରେ ମନ୍ଦିରର ନିର୍ମାଣ ପରିକଳ୍ପନା କାର୍ଯ୍ୟକାରୀ ହୋଇଥିଲା ।  ଦେବୀଙ୍କ ଏହି  ମନ୍ଦିରର ଉଚ୍ଚତା  ପ୍ରାୟ ୩୦ ଫୁଟ ହେବ । ମନ୍ଦିରର ଗର୍ଭଗୃହରେ  ଆରାଧ୍ୟ ଦେବୀ  ଭୁବନେଶ୍ଵରୀ ସମେତ  ଗର୍ଭଗୃହ ପରିସରରେ ଯଥାକ୍ରମେ ଦକ୍ଷିଣ କାଳୀ , ଭୈରବ ,  ଭୈରବୀ, ବଞ୍ଜାରୀ, ଶିକଲା ପାଟ ଓ ଦେବୀ ଛତ୍ର ବାଉତିଙ୍କ ପାଟ ଖଣ୍ଡା ମଧ୍ୟ ସ୍ଥାପନ କରାଯାଇ ପୂଜା କରାଯାଉଥିବା ଜଣାଯାଏ ।


କୋଲାବିରା ଜମିଦାର ମନ୍ଦିରର ପୂଜା,ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ଵ  ବହନ କରି ଆସୁଥିଲେ । କିନ୍ତୁ ୧୯୫୪ ମସିହାରୁ ରାଜ୍ୟ ସରକାର  ଜମିଦାର ଶାସନ ଉଚ୍ଛେଦ କରିବା ପରେ ମନ୍ଦିର ଦାୟିତ୍ଵ   ସାଧାରଣ ଲୋକଙ୍କ ଓ ଜମିଦାର ତୁଲାଉଛନ୍ତି । ଅର୍ଥର ଅଭାବ ଯୋଗୁଁ ଏହି ପବିତ୍ର ଶକ୍ତି ପୀଠର ଉନ୍ନତି ହୋଇପାରୁ ନାହିଁ । ତଥାପି ଗ୍ରାମବାସୀଙ୍କ ମନ୍ଦିର ସମୃଦ୍ଧି  ଦିଗରେ କାର୍ଯ୍ୟରତ ପ୍ରଶଂସନୀୟ ଅଟେ ।



କିପରି ଯିବେ 

ଏହି ପ୍ରାଚୀନ ଶକ୍ତି ପୀଠଟି କୋଲାବୀରା ବ୍ଲକରେ ବିଦ୍ୟମାନ । କୋଲାବିରା ଝାରସୁଗୁଡ଼ା ଜିଲ୍ଲାରୁ ୧୬ କିଲୋମଟର ଦୂରରେ ଅବସ୍ଥିତ । ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡରୁ ଅନେକ ବସ୍ କୋଲାବୀରାକୁ ଯାଏ । ଆପଣ   ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡ ରୁ କୋଲାବିରା କୁ ଯାଉଥିବା ବସ୍ ରେ ଧରି ଅଳ୍ପ ଖର୍ଚ୍ଚରେ ମା ସମଲେଇଙ୍କ ମନ୍ଦିର ଦର୍ଶନ କରି ପାରିବେ । ଏହା  ବ୍ୟତୀତ ଆପଣ ଝାରସୁଗୁଡ଼ା ସହରରୁ ଗାଡ଼ି ଭଡ଼ାରେ ନେଇ କିମ୍ବା ନିଜ ବାହନରେ ଅତି ଶୀଘ୍ର ଏଠାକୁ ପହଞ୍ଚି ପାରିବେ ।

     ---------------ପଢ଼ିବା ପାଇଁ ଧନ୍ୟବାଦ------------

ତଳେ ଏହି ଶକ୍ତି ପୀଠର ଗୁଗଲ୍ ଲୋକେସନ ଦିଆଯାଇଛି ।


Maa Samaleswari Temple, Kolabira

Kolabira, Odisha 768213

https://maps.app.goo.gl/88BQ35hyhjy1s5qNA


ଲେଖକ :- ରୋହିତ କୁମାର ଲୋହରା

              ପୁରୁଣାବସ୍ତି, ଝାରସୁଗୁଡ଼ା


ଲେଖନୀରେ ସହାୟକ :- ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ସହିତ ଚର୍ଚ୍ଚା

                        ପୁରୁଣାବସ୍ତି , ଝାରସୁଗୁଡା

                   




Comments

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda