ଭୋଗରାପାଲିର ପ୍ରାଚୀନ ଦୁର୍ଗ ଭୋଗରାଗଡ଼, ଝାରସୁଗୁଡ଼ା
ଆଧୁନିକ ଓଡିଶାରେ ଝାରସୁଗୁଡ଼ା ଜିଲ୍ଲାର ଅନେକ ଐତିହାସିକ ସ୍ଥଳଗୁଡ଼ିକ ଲୋକ ଲୋଚନରୁ ଦୂରେଇ ହୋଇ ରହିଅଛି । 'ଭୋଗରାଗଡ଼' ହୋଇଛି ସେହି ଐତିହାସିକ ସ୍ଥଳ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଝାରସୁଗୁଡ଼ା ଜିଲ୍ଲାର କୋଳବିରା ବ୍ଲକ ଅନ୍ତର୍ଗତ ଭୋଗରା ପାଲି ଏକ ପ୍ରାଚୀନ ପଲ୍ଲି ଅଟେ । ଏହି ଗ୍ରାମର ଦକ୍ଷିଣ ପ୍ରାନ୍ତରେ ଭେଡେନ ନଦୀ ପ୍ରଭାବିତ ହୁଏ ଯାହାର ନଦୀ ଉପତ୍ୟକାରେ ଭୋଗରାଗଡ଼ ନାମକ ଗୋଟି କ୍ଷୁଦ୍ର ଦୁର୍ଗ ଅବସ୍ଥିତ ଥିଲା ବୋଲି ଜନ ଶୃତି ରୁ ଜଣାପଡ଼େ । ତେବେ ଏହି ଧୂଂସପ୍ରାପ୍ତ ଦୁର୍ଗ ଭୂମିକୁ ଖନନ କରାଯାଇ କେତେକ ଭଗ୍ନ ଅଂଶ ଉଦ୍ଧାର କରାଯାଇଛି ଯାହା ଦୁର୍ଗା ଅବସ୍ଥିତିକୁ ପ୍ରତିପାଦନ କରେ । ବର୍ତ୍ତମାନ ପଲ୍ଲୀର ଲୋକମାନେ ସମ୍ପୂର୍ଣ ଧ୍ଵଂସ ପ୍ରାପ୍ତ ଦୁର୍ଗର ଚତୁଃପାର୍ଶ୍ଵର ଜମିରେ ଚାଷ କାର୍ଯ୍ୟ କରୁଛନ୍ତି । ଧୂଳି ସାତ ଦୁର୍ଗ ଠାରୁ କିଛି ମିଟର ଦୂରତାରେ ସ୍ଥିତ ପୋଖରୀକୁ ଲୋକେ 'ରାଣୀ ବନ୍ଧ' ବୋଲି କହନ୍ତି । ଭେଡେନ ନଦୀ ମଧ୍ୟରେ 'ରାଣୀ ଦରହ' ନାମକ ଏକ ଗଣ୍ଡ ଦୁର୍ଗ ଠାରୁ ଅଳ୍ପ ମିଟର ବ୍ୟବଧାନରେ ରହିଅଛି ଯାହା ଏବେ ସ୍ଥାନୀୟ ଯୁବକ ଯୁବତୀମାନଙ୍କ ପାଇଁ ଏକ ସୁନ୍ଦର ବଣଭୋଜି ସ୍ଥଳ ରୂପେ ପରିଣତ ହେଇଛି । ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ମହାଦେବଙ୍କ 'ଭୁବନେଶ୍ଵର ମନ୍ଦିର' ନଦୀର ଅପର ପାର୍ଶ୍ଵରେ ପ୍ରତିଷ୍ଠିତ ।
![]() |
(ଭୋଗାରାଗଡ ଦୁର୍ଗ ଅତୀତରେ ଏହି ଅଶ୍ୱତ୍ଥ ଗଛ ନିକଟରେ ଅବସ୍ଥିତ ଥିଲା) |
ବିବରଣୀ
ଖ୍ରୀଷ୍ଟୀୟ
ଷୋଢ଼ଶ ଶତାବ୍ଦୀର ଇତିହାସ ପୃଷ୍ଟା ନିରୀକ୍ଷଣ କଲେ ସ୍ପଷ୍ଟ ପ୍ରତୀୟମାନ ହୁଏ - ବଳରାମ ଦେବ ଥିଲେ
ସମ୍ବଲପୁରର ପ୍ରଥମ ଚୌହାନ ବଂଶୀୟ ରାଜା ,
ତାଙ୍କର ଶାସନ କାଳରେ (୧୫୧୦-୧୫୮୪ ଖୀ) ରାଜ୍ୟ ବିସ୍ତାର କରିବା ଉଦେଶ୍ୟରେ ସୁରଗୁଜ ରାଜ୍ୟ
(ଆଧୁନିକ ଛତିଶଗଡ଼ର ସୁରଗୁଜା) ଆକ୍ରମଣ ଅଭିଯାନ ଆରମ୍ଭ କରିଥିଲେ ।ସେଥିପାଇଁ ସର୍ବପ୍ରଥମେ ସେ
ସୁରଗୁଜାର ସାମନ୍ତ ରାଜ୍ୟ ଗାଙ୍ଗପୁର (ଆଧୁନିକ ଓଡିଶାର ସୁନ୍ଦରଗଡ଼ ଅଞ୍ଚଳ) ଅଧିକାର କରିଥିଲେ
।ରାଜା ବଳରାମ ଦେବ ନିଜର ରାଜ୍ୟ ବିସ୍ତାର କରିବାପାଇଁ ୧୫୧୪ ଖ୍ରୀ. ରେ ସେନା ବାହିନୀ ସହିତ
ରାଜ୍ୟର ପଶ୍ଚିମ ଦିଗରେ ଅଗ୍ରସର ହୋଇଥିଲେ ।
ଯେହେତୁ ସୁରଗୁଜା ଲଳିତ ସିଂହ ଜାଣିପାରିଥିଲେ ତାଙ୍କ ରାଜ୍ୟ ଉପରେ ଆକ୍ରମଣ ହେବ । ତେଣୁ ସେ ବିଳମ୍ବ
ନ କରି ନିଜର ସୈନ ବଳ ଧରି ରାଜ୍ୟର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ଭୋଗରାଗଡ଼ ଦୁର୍ଗରେ ପହଞ୍ଚି
ଥିଲେ । ଫଳସ୍ଵରୂପ ଉଭୟ ସୈନ୍ୟମାନଙ୍କ ମଧ୍ୟରେ
ପ୍ରବଳ ଯୁଦ୍ଧ ହୋଇଥିଲା । କିନ୍ତୁ ଏହି ଯୁଦ୍ଧରେ ସୁରଗୁଜା ରାଜ୍ୟର ଅନେକ ସୈନ ବାହିନୀ ସମେତ
ଭୋଗରାଗଡ଼ ଦାୟିତ୍ୱରେ ଥିବା ସେନାପତୀ,ଦୁର୍ଗରକ୍ଷୀ ଓ କର୍ମଚାରୀମାନେ ମୃତାହତ ହୋଇଥିଲେ ।
ସର୍ବପ୍ରଥମେ
କିଏ ଭୋଗରାଗଡ଼ ନିର୍ମାଣ କରି ଶାସନ କରୁଥିଲେ,
ସେ ବିଷୟରେ ସଠିକ ତଥ୍ୟ ତତ୍କାଳୀନ ଐତିହାସିକମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇ ନାହିଁ
। ତଥାପି ସ୍ଥାନୀୟ ଲୋକଙ୍କ ଆନୁମାନରେ କୁହାଯାଇପାରେ ଯେ ଏହି ଦୁର୍ଗରେ ସୁରଗୁଜା ରାଜାର
ସେନାପତି, ଦୁର୍ଗରକ୍ଷୀ ଓ ରାଜ୍ୟ କର୍ମଚାରୀ ସେମାନଙ୍କ ପରିବାର ସହିତ ବସବାସ କରୁଥିଲେ । ଏହି
ଦୁର୍ଗର ନିର୍ମାଣ ସୁରକ୍ଷା ପ୍ରତି ଧ୍ୟାନ ଦେଇ ନିର୍ମାଣ କରାଯାଇଥିଲା ଏବଂ ଶ୍ରେଷ୍ଠ କୌଶଳର
ପ୍ରୟୋଗ କରାଯାଇଥିଲା ବୋଲି ଶୁଣିବାକୁ ମିଳେ ।
ଦୁଇଟି ସମ୍ବର ଶିଙ୍ଗ ପ୍ରବେଶ ଏପରି ଖଞ୍ଜା ଯାଇଥିଲା ଯେପରିକି କୌଣସି ଶତ୍ରୁ ଗୃହ
ଭିତରକୁ ପ୍ରବେଶ କଲେ ଉକ୍ତ ସମ୍ବର ଶିଙ୍ଗଦ୍ୱୟ ପରସ୍ପର ମଧ୍ୟରେ ବାଜି ଠକ୍... ଠକ୍...ଶଦ୍ଦ
ସୃଷ୍ଟି କରୁଥିଲା । ଯାହା ଫଳରେ ଶତ୍ରୁର ଆଗମନ ସଂପର୍କରେ ସୂଚନା ପାଇ ଅନ୍ତେବାସୀ ଦୁର୍ଗ
ପଶ୍ଚାତ ଭାଗରେ ଥିବା ଗୁପ୍ତ ଦ୍ବାର ଦେଇ ଭେଡେନ ନଦୀ କୂଳକୁ ପଳାୟନ କରୁଥିଲେ ।
ଇତି ମଧ୍ୟରେ
ସୁରଗୁଜା ରାଜ୍ୟର ସେନ୍ୟବାହିନୀର ପରାଜୟ ସୁଯୋଗ ନେଇ ସମ୍ବଲପୁର ରାଜାଙ୍କ ସେନ୍ୟବାହିନୀ
ଭୋଗରାଗଡ଼ ଦୁର୍ଗ ଅବରୋଧ କରିଥିଲେ ।ସେ ସମୟରେ ଦୁର୍ଗ ଭିତରେ ସେନାପତି ଓ ଦୁର୍ଗରକ୍ଷୀଙ୍କ
ପତ୍ନୀଙ୍କ ଅଥବା ଆଉ କେହି ନ ଥିଲେ ।ବିଜୟ ଲାଭ ପରେ ସମ୍ବଲପୁର ରାଜ୍ୟର ସୈନ୍ୟବାହିନୀ ଭୋଗରାଗଡ଼
ଦୁର୍ଗର ଦ୍ବାର ଭାଙ୍ଗି ଦେଇ କୀର୍ଲାକୁ ଧ୍ୱଂସ ବିଧ୍ୱଂସ କରି ଦେଇଥିଲେ ।ଦୁର୍ଗର ଅନ୍ତେ
ବାସୀମାନେ ଶତ୍ରୁ ପ୍ରବେଶ କରିବା ପୂର୍ବରୁ ଗୁପ୍ତ ଦ୍ୱାର ଦେଇ ନଦୀ କୂଳକୁ ଚାଲି ଯାଇଥିଲେ
ଏବଂ ଗଭୀର 'ନଦୀଗଣ୍ଡ' ବା 'ଦରହ' ଜଳ ମଧ୍ୟରେ
ଆତ୍ମବିସର୍ଜନ କରି ସତି ହୋଇଥିଲେ ।ଏହା ଛଡ଼ା , ଯୁଦ୍ଧ ସମୟରେ ଉଭୟ ପକ୍ଷର ଅନେକ ସେନ୍ୟ ଯେଉଁ
ଗଣ୍ଡ ବା ଦରହରେ ମୃତାହତ ହୋଇ ନଦୀର ଜଳ ରକ୍ତରଞ୍ଜିତ ହୋଇଥିଲା ସେହି ସ୍ଥାନକୁ ଲୋକମାନେ
"ରକତ ଝରିଆ ଦରହ" ବୋଲି କହନ୍ତି ।
ଅନ୍ତରେ
ସୁରଗୁଜା ରାଜା ଲଳିତ ସିଂହ ଯୁଦ୍ଧରେ ପରାଜୟ ଆସନ୍ନ ଜାଣିପାରି ନିଜ ରାଜଧାନୀ ପଳାୟନ କଲେ । ଯୁଦ୍ଧ ସମୟରେ ସୁରଗୁଜା
ରାଜାଙ୍କ ଇଷ୍ଟ ଦେବତା "ଅନନ୍ତ ଶଯ୍ୟା ଶ୍ରୀ ଵିଷ୍ଣୁ''ଙ୍କ ବିଶାଳ ପ୍ରସ୍ତର ବିଗ୍ରହଟି
ସମ୍ବଲପୁର ରାଜା ଜବତ କରି ତାଙ୍କ ରାଜ୍ୟକୁ ଆଣି ପକାଇଥିଲେ । ରାଜା ବଳରାମ ଦେବ ୧୫୧୮ ମସିହାରେ
ନୂତନ ମନ୍ଦିର ନିର୍ମାଣ କରି ସେହି ବିଗ୍ରହ ପ୍ରତିଷ୍ଠା କରିଥିଲେ । ସମ୍ବଲପୁର ସ୍ଥିତ
"ଅନନ୍ତ ଶଯ୍ୟା ମନ୍ଦିର" ଏହି ଯୁଦ୍ଧର ସତ୍ୟତାକୁ ପ୍ରତିପାଦନ କରେ ।
ଏହି
ଐତିହାସିକ ଭୋଗରାଗଡ଼ ଯୁଦ୍ଧ ପରେ ସମ୍ବଲପୁର ରାଜ୍ୟ ଉତ୍ତର ପଶ୍ଚିମ ଦିଗରେ ଝାରସୁଗୁଡ଼ା
ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଥିଲା । କିନ୍ତୁ ସମୟ କ୍ରମେ ଏହି ପରିତ୍ୟକ୍ତ ଦୁର୍ଗ ଧ୍ଵଂସରେ
ପରିଣତ ହୋଇଥିଲା । ଶେଷରେ ଭେଡେନ ନଦୀ କୂଳରେ ଏହି କିର୍ଲା ସଂପୂର୍ଣ୍ଣ ଭୂମିରେ ପରିଣତ ହୋଇଗଲା
, ଯାହାର ପାଖାପାଖି ଅଞ୍ଚଳକୁ 'ଗଡ଼ମାଲ' ବୋଲି କହନ୍ତି । ଭୋଗରା ପାଲିର ଅନେକ ବ୍ୟକ୍ତି ଏହି
ଭଗ୍ନ କିର୍ଲା ସ୍ଥାନରୁ ବିଭିନ୍ନ ପ୍ରକାର
ଅସ୍ତ୍ରଶସ୍ତ୍ର , ସୁନା ଅଳଙ୍କାର ମିଳିଛି ବୋଲି ପରିପ୍ରକାଶ କରିଛନ୍ତି ।
ଏହି
ଐତିହାସିକ ଭୋଗରାଗଡ଼ ଦୁର୍ଗର ପ୍ରବେଶ ଦ୍ବାର ସମ୍ମୁଖରେ ଦୁଇଟି ସମ୍ବର ଶିଙ୍ଗ କାରିଗର କୌଶଳ
ବିଦ୍ୟା ପ୍ରୟୋଗ କରି ଲଗାଯାଇଥିବାରୁ ଏହି ଗଡ଼ର ନାମ "ସମ୍ବର ଶିଙ୍ଗାଗଡ଼ ଗଡ଼"
ନାମରେ ପରିଚିତ ଥିଲା । ଯୁଦ୍ଧର ପରବର୍ତ୍ତୀ କାଳରେ ରାଜ୍ୟର ସେନାପତି, ଦୁର୍ଗରକ୍ଷୀ ଓ କର୍ମଚାରୀ ତାଙ୍କର ପରିବାର ସହିତ ଭୋଗରା ପାଲି ଠାରୁ
ଅଳ୍ପ ଦୂରରେ ଏକ 'ସମ୍ବର ଶିଙ୍ଗା ଗଡ଼' ନାମକ
ସ୍ୱତନ୍ତ୍ର ପଲ୍ଲୀ ସ୍ଥାପନ କରି ବସବାସ ଆରମ୍ଭ କରିଥିଲେ । ବର୍ତ୍ତମାନ ସେହି ପାଲ୍ଲୀର
ନାମ ‘ସମାଶିଙ୍ଗା’ ହୋଇଛି ।
ପ୍ରାଚୀନ
ଭୋଗରାଗଡ଼ ଦୁର୍ଗର ଉତ୍ତର ପାର୍ଶ୍ବରେ ଏକ
କ୍ଷୁଦ୍ର ମନ୍ଦିର ମଧ୍ୟରେ ଦେବୀ ଭୁବନେଶ୍ୱରିଙ୍କ ପୂଜା ଓ ଉପାସନା ହେଉଥିଲା ବୋଲି ପ୍ରତୀୟମାନ
ହୁଏ । କିନ୍ତୁ ଯୁଦ୍ଧ ପରେ ଏହି ଭୋଗରାଗଡ଼ ନିର୍ଜନ ହୋଇରହିଲା ଯାହା ଫଳରେ ଭେଡେନ ନଦୀର ବନ୍ୟା
ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ପୁନଶ୍ଚ ସମ୍ବଲପୁରର
ଚୌହାନବଂଶ୍ରୀୟ ରାଜା ଜୟନ୍ତ ସିଂହଙ୍କ ଶାସନ
କାଳରେ (୧୭୮୨-୧୮୧୮) ଭଗ୍ନ ମନ୍ଦିର ପରିସରରୁ ଦେବୀ ଭୁବନେଶ୍ୱରୀ ପ୍ରତିମା ତତ୍କାଳୀନ କୋଲବୀରା
ଜାମିନଦାର ସନସାଧର ସିଂହଙ୍କ ପ୍ରସାଦ ପରିସରକୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ଉକ୍ତ
ପ୍ରାଚୀନ ଦେବୀଙ୍କ ପ୍ରତିମା ଜମିନଦାରଙ୍କ ପ୍ରସାଦରେ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରି ମାଁ
ସମଲେଶ୍ବରୀ ରୂପେ ପୂଜା ଉପାସନା କରାଯାଉଛି ।
![]() |
( ରାଣୀ ଦାରହ୍ ) |
କିପରି ପହଞ୍ଚିବେ :-
ଅତି ଶୋକ ସହିତ ଆପଣଙ୍କୁ ସୂଚିତ କରା ଯାଉଛି କି ଏହି ପ୍ରତ୍ନତତ୍ତ୍ୱ ସ୍ଥଳ ଭୋଗରା ଗଡ଼ ସଂପୂର୍ଣ୍ଣ ନଷ୍ଟ ହୋଇ ମାଟିରେ ମିଶି ଯାଇଛି । ତଥାପି ଆପଣ ଯଦି ସେହି ସ୍ଥାନକୁ ପରିଦର୍ଶନ କରିବା ପାଇଁ ଚାହୁଁଛନ୍ତି ହେଲେ, ତଳେ ଉକ୍ତ ସ୍ଥାନର ଅବସ୍ଥିତି ଦିଆଯାଇଛି ।
ଭୋଗରାଗଡ ଦୁର୍ଗ :-
https://maps.app.goo.gl/jrVqKHPqyKueadT97
ରାଣୀ ଦରହ୍ :-
https://maps.google.com/?cid=5546972366673411506&entry=gps
ଲେଖକ :- ରୋହିତ କୁମାର ଲୋହରା
ପୁରୁଣାବସ୍ତି, ଝାରସୁଗୁଡ଼ା
ସହାୟକ :- (୧)ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ
ବିସ୍ତୃତ ଭୋଗାରାଗଡ଼
(୨) ଭୋଗରାପାଲି ଗ୍ରାମବାସୀ
-( ପଡ଼ିବା ପାଇଁ ଧନ୍ୟବାଦ)-
Suscribe || Comments || Share
Comments
Post a Comment