ବାବା ପିପଳେଶ୍ଵର - ମରାକୁଟା ଗ୍ରାମରେ ପ୍ରାଚୀନ ଶୈବ ପୀଠ

ଝାରସୁଗୁଡ଼ା ସହରରୁ ପ୍ରାୟ ୭ କି.ମି. ଦୂରରେ ଅବସ୍ଥିତ ଏକ ଆଧ୍ୟାତ୍ମିକ ଓ ଐତିହାସିକ ଗ୍ରାମ ମରାକୁଟା  । ଯେଉଁ  ଗ୍ରାମର ପୁଷ୍କରିଣୀ ପାଖରେ ଅବସ୍ଥିତ  ଏକ ଛୋଟ ଗିରି  ଉପରେ ଶ୍ରୀ ପିପଲେଶ୍ୱର ଅବସ୍ଥାନ କରିଛନ୍ତି । ବାବା ପିପଲେଶ୍ୱର ହେଉଛନ୍ତି ମରାକୁଟୁ ଗ୍ରାମର  ଶ୍ରଦ୍ଧା ଓ ଭକ୍ତିର ପ୍ରାଣ ବିନ୍ଦୁ ।  ଗ୍ରାମବାସୀମାନଙ୍କ  ଉଦ୍ଧିଷ୍ଟ  ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପଛରେ ମହାଦେବଙ୍କ ଦିବ୍ୟ କୃପା ଅଛି ବୋଲି ଜନ ମୁଖରୁ ଶୁଣିବାକୁ ମିଳିଥାଏ ।  ଭକ୍ତଙ୍କର ଭକ୍ତିରେ  ଈଶ୍ୱର ବନ୍ଧା, ଭକ୍ତ ଯେଉଁ ସ୍ଥାନକୁ ପ୍ରଭୁକୁ ନେଇଥାନ୍ତି ସେ ନିସଂକୋଚ  ସେଇ ସ୍ଥାନକୁ ଯାଇଥାନ୍ତି । ଶିବଲିଙ୍ଗର ଆବିର୍ଭାବ ଓ ମନ୍ଦିର ନିର୍ମାଣ ପଛରେ  ଏକ ମନୋରମ  କାହାଣୀ  ଳୁଚିକି ରହିଅଛି  ।


ବାବା ପିପଲେଶ୍ୱର ମନ୍ଦିର


ଏହା ବହୁତ ବର୍ଷ ପୂର୍ବ କଥା, ଏହି ଗ୍ରାମର କିଛି ଅଧିବାସୀ ପ୍ରତିଦିନ ନିଜର ଜୀବିକା ନିର୍ବାହ କରିବା ପାଇଁ  ବାରିକବେର୍ଣ୍ଣା ସ୍ଥିତ ବିଲକୁ କୃଷି କାର୍ଯ୍ୟ  କରିବାକୁ ଯାଉଥିଲେ  । ପୁରୁଷ, ମହିଳା ଓ ପୁଅଝିଅପିଲାମାନେ ସମସ୍ତେ ବିଲରେ ବିଭିନ୍ନ

 କୃଷି ସମ୍ପର୍କିତ  କାର୍ଯ୍ୟରେ  ନିୟୋଜିତ ହେଉଥିଲେ ।  ସେହି ଗ୍ରାମବାସୀମାନଙ୍କର କେତେକ ଝିଅପିଲା ବିଲରେ  ନିଜ ସାଙ୍ଗ ସହିତ   ଖେଳୁଥିଲେ  ।  ଗୋଟିଏ  ଦିନ ଏମିତି ବିଲରେ ଖେଳୁ ଖେଳୁ ତାଙ୍କୁ ମାଟି ଭିତରୁ ଏକ ଶିବଲିଙ୍ଗ ଉଦ୍ଧାର କରିଥିଲେ  । ଝିଅମାନେ ଅଜ୍ଞାତ ବଶତଃ  ସ୍ଵଂୟ  ଶିବଲିଙ୍ଗକୁ ପଥର ଭାବି  ପୂଜାର୍ଚ୍ଚନା  ଖେଳ ଖେଳୁଥିଲେ । ବିଲର ଜୋର ପାଖରେ ଥିବା ପୋଖରୀରୁ ପାଣି ସଂଗ୍ରହ କରି  ଓ ଗାଁର ପୁଷ୍ପଗଛ ଗୁଡିକରୁ ପୁଷ୍ପ ତୋଳି ଶିବଲିଙ୍ଗ ଉପରେ ସମର୍ପିତ କରି ଆନନ୍ଦିତ ହେଉଥିଲେ ।  ଏହି ପରି ଭାବରେ କିଛି ଦିନ କାର୍ଯ୍ୟ କଲାବେଳେ ବିଲ ପାଖର  ପୋଖରୀରୁ ଜଳ ଆଣି ପୂଜା କରିବାରେ ବାଧା ଉପୁଜିବା ପରେ  ଝିଅ ଗୋଷ୍ଟି  ଶିବଲିଙ୍ଗକୁ ବିଲର ପୋଖରୀ ପାଖକୁ ସ୍ଥାନାନ୍ତରଣ  କରିଥିଲେ  ।  ନୂଆ ସ୍ଥାନରେ ଅବସ୍ଥାନ କଲା ପରେ  ଝିଅମାନେ ପୁଣିଥରେ ତାଙ୍କ ପୂଜା କାର୍ଯ୍ୟ ପୂର୍ବ ପରି ଜାରି ରଖିଥିଲେ ।  ବିଲ କାମ ସାରି ଗ୍ରାମବାସୀ ବିଲର ଜୋର ପାଖରେ ଥିବା ପୋଖରୀରୁ  ସ୍ନାନ କରି ଘରକୁ ଫେରୁଥିଲେ , କିନ୍ତୁ ବିଲ କାମ ନ ଥିବା ଦିନ ଗୁଡିକରେ ଗାଁ ପାଖରେ ଥିବା ପୋଖରୀରେ ସ୍ନାନ କରୁଥିଲେ  । ତେବେ ଝିଅଦଳକୁ  ଶିବଲିଙ୍ଗକୁ ପୂଜା କରିବାରେ  ପୁଣି ଥରେ ବାଧା ସୃଷ୍ଟି ହେବା ଯୋଗୁଁ  ସେମାନେ ଗାଁ ପାଖରେ ଥିବା ପୋଖରୀ ପାଖର ଶିବଲିଙ୍ଗକୁ ନେଇ ଆଣିବାର ନିଷ୍ପତ୍ତି ନେଇଥିଲେ  ।  ଗାଁର ପୁଷ୍କରିଣୀ ପାଖରେ ଥିବା ଅଶ୍ୱତଥ ଗଛ ମୂଳେ ଶିବଲିଙ୍ଗକୁ ସ୍ଥାପନ କରି ପ୍ରତି ଦିନ ପୂଜାକାର୍ଯ୍ୟ ବଜାଇ ରଖିଲେ । 

 ଏମିତି କିଛି ଦିନ ପୂଜା ପାଇଲା ପରେ ବାବା ପିପଲେଶ୍ୱର୍ ଗ୍ରାମ ବାସିଙ୍କୁ ନିଜ ଅସ୍ଥିତ୍ଵ ସ୍ୱପ୍ନ ଆଦେଶ ଦେଲେ । ନିଜସ୍ଵ ଗ୍ରାମରେ ମହାଦେବଙ୍କ ଅବସ୍ଥିତି ସୂଚନା ପାଇ ଗ୍ରାମବାସୀ ଅଶ୍ୱତଥ ଗଛମୂଳେ ଏକ କୁଟୀର ନିର୍ମାଣ କରି ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ କରିଥିଲେ।  

ଅଶ୍ୱତଥ ଗଛକୁ ସମ୍ବଲପୁରୀ ଭାଷାରେ ( ପିପେଲ୍ ଗଛ୍ ) କୁହାଯାଏ ।  ଦୁଇଟି ଶବ୍ଦ  ପିପେଲ୍ ଓ ଈଶ୍ୱର  ସମାହାରରୁ ଏହି ଶିବଲିଙ୍ଗର ନାମ  ତିଆରି ହେଇଛି । ଯେହେତୁ  ଗ୍ରାମବାସମାନେ ମହାଦେବଙ୍କୁ ଅଶ୍ୱତଥ ଗଛ ମୂଳେ ଅବସ୍ଥାନ କରିବାର  ସୂଚନା ପାଇ ପ୍ରଥମେ ଉପଯୁକ୍ତ ଆଧ୍ୟାତ୍ମିକ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ କରିଥିବାରୁ   ଶିବଲିଙ୍ଗର ନାମ ପିପଲେଶ୍ୱର ରଖାଯାଉଛି ।

ମରାକୁଟା ଗାଁ ନାମର ଅସ୍ଥିତ୍ଵ ବିଷୟରେ ଏକ ଆକର୍ଷଣୀୟ ଏବଂ ଭାବପ୍ରବଣ କାହାଣୀ ରହିଅଛି । ପୂର୍ବେ ମରାକୁଟା ଗାଁକୁ ଲୋକେ ସାତଖମ୍ବା ନାମରେ ଜାଣୁଥିଲେ   । ଗାଁର ମଧ୍ୟ ଭାଗରେ  ସାତୋଟି ଖମ୍ବ ବିଶିଷ୍ଟ  ଏକ ନିର୍ମାଣ ସ୍ଥଳ ଅବସ୍ଥିତ ଥିବାରୁ  ଲୋକେ ଏହି ଗ୍ରାମକୁ "ସାତଖମ୍ବା" ବୋଲି କହୁଥିଲେ । ସାତୋଟି ଖମ୍ବ ମଧ୍ୟରୁ ଛଅଟି ଖମ୍ବ ଚାରିପାଖରେ ଏବଂ ଗୋଟିଏ ଖମ୍ବ ମଧ୍ୟରେ  ଭାଗରେ ଉପସ୍ଥିତ ଥିଲା । ଆଜି ସେହି ସ୍ଥାନରେ ସେହି ଖମ୍ବ ଗୁଡିକୁ ଧ୍ଵଂସ କରି ଏକ ମଣ୍ଡପ ତିଆରି କରାଯାଉଛି । ସେହି ନୂଆ ମଣ୍ଡପ ପାଖରେ ସେହି ପୁରୁଣା ଖମ୍ବର ଧ୍ଵଂସବାଶେଷ ଅବଲୋକନ କରାଯାଇ ପାରେ  । 

ଭାରତରେ ଇଂରେଜ ଶାସନ ସମୟର ଏହି ଗ୍ରାମରେ ଉପାଧ୍ୟୟ ନାମକ ଏକ  ଗଅନ୍ତିଆ ବସବାସ କରୁଥିଲେ । ସେ ମରାକୁଟା ଗାଁ ପାଖରେ ଥିବା  ସିଂହାବଗ ଗ୍ରାମର  ଏକ ଚିତ୍ତାକର୍ଷକ  ମହିଲାକୁ ବିବାହିତ କରିଥିଲେ । ଗଅନ୍ତିଆ ଉପାଧ୍ୟୟ ସ୍ଥାନୀୟ ଅଞ୍ଚଲରୁ ଖଜଣା ନେବା ଓ ଅନ୍ୟ କାର୍ଯ୍ୟ ପାଇଁ ପ୍ରାୟ ସମ୍ୱଲପୁର ଗମନାଗମନ  କରୁଥିଲେ । ଏକ ଦିନ ଇଂରେଜ କତୃପକ୍ଷ  ନିଜ ଝାରସୁଗୁଡ଼ାର ବିଭିନ୍ନ  ଗାଁ ଗୁଡ଼ିକର ସ୍ଥିତି ଅନୁସନ୍ଧାନ କରିବା ପାଇଁ  ପରିଭ୍ରମଣରେ  ବାହାରିଥିଲେ । ଇଂରେଜ ଶାସକ ଗାଁର ଗଅନ୍ତିଆମାନଙ୍କ ସହିତ ସାକ୍ଷାତ କରି ତାଙ୍କ ଝିଅ ଓ  ସ୍ତ୍ରୀମାନଙ୍କର ଉପରେ ମନ୍ଦ  ଦୃଷ୍ଟି ପକାଉଥିଲେ । ଇଂରେଜ କତୃପକ୍ଷ ମରାକୁଟା ଗାଁର ଗଅନ୍ତିଆ ସହିତ ସାକ୍ଷାତ କରିବା ପାଇଁ ଆଗମନ କରିଥିଲେ , କିନ୍ତୁ  ଗଅନ୍ତିଆଙ୍କ ରୂପ କୁମାରୀ ପତ୍ନୀ ଲୁଚି ରହିବା ଫଳରେ  ଦେଖା  କରିବା ସୁଯୋଗ ନ ମିଳିବା  ଯୋଗୁଁ  ଇଂରେଜ କତୃପକ୍ଷ କ୍ରୋଧିତ ହୋଇ ଯାଇଥିଲେ  । ପରେ  ସମ୍ୱଲପୁର ମାଜିଷ୍ଟ୍ରେଟ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ  ଗଲାବେଳେ  ମରାକୁଟାର ଗଅନ୍ତିଆକୁ  ନିଜ ପତ୍ନୀ ସହିତ ସାକ୍ଷାତ କରିବା ପାଇଁ  ତାଙ୍କୁ ଦୁର୍ବ୍ୟବହାର କରି ଥିଲେ ।  ଏହିପରି  ଘଟଣାରେ ବାରମ୍ବାର   ଶିକାର ହେବା  ଫଳରେ  ଗଅନ୍ତିଆ ଶେଷରେ ଇଂରେଜ ମାଜିଷ୍ଟ୍ରେଟ ନିର୍ଦ୍ଦେଶରେ ବର୍ଶବର୍ତ୍ତୀ ହୋଇ ଏକ ଦୁଃଖଦ ଓ ସାହସିକ ଯୋଜନା ପ୍ରସ୍ତୁତି କଲେ । ଗୋଟିଏ ଦିନ ନିଜ ପତ୍ନୀଙ୍କୁ ସର୍ବଶ୍ରେଷ୍ଠ ବସ୍ତ ଓ ଅଳଙ୍କାର ପରିଧାନ କରିବାର ନିର୍ଦ୍ଦେଶ ଦେଲାପରେ ନିଜ ସ୍ତ୍ରୀର ମୁଣ୍ଡକୁ ଶରୀରରୁ କାଟି ଇଂରେଜଙ୍କୁ ସାକ୍ଷାତ କରିବାକୁ ସମ୍ବଲପୁର ବାହାରିଲେ । ନିଜ ପତ୍ନି ସମ୍ମାନ ରକ୍ଷା କରିବା ପାଇଁ ସେ ଜିବନ୍ତ ପରିବର୍ତ୍ତେ ତାଙ୍କୁ ହତ୍ୟା କରି କଟା ମୁଣ୍ଡକୁ ଇଂରେଜ କର୍ତ୍ତୃପକ୍ଷ ସମ୍ମୁଖରେ ସମ୍ପର୍ପଣ କରିଥିଲେ । ଗୋଟିଏ ଥାଳିରେ କଟା ମୁଣ୍ଡକୁ ଲାଲ କପଡ଼ାରେ ଘୋଡାଇ ଇଂରେଜ ସମ୍ମୁଖରେ ପରିବେଶଣ କଲେ  । ଇଂରେଜ ମାଜିଷ୍ଟ୍ରେଟ କଟାମୁଣ୍ଡକୁ ଦେଖି  ଆଶ୍ଚର୍ଯ୍ୟ ଚକିତ ହୋଇ " କାଟା  ମାରା " ବୋଲି ଅଭିବ୍ୟକ୍ତ କରିଥିଲେ  । ଉକ୍ତ ଘଟଣା ଖୁବ୍ କମ୍ ସମୟ ଅବଧି ଭିତରେ  ଚତଃପାଶ୍ୱର୍ରେ ବ୍ୟାପି ଯିବା ପରେ " କାଟା  ମାରା"  ନାମ ଅପଭ୍ରଂଶ ହୋଇ ମରାକୁଟା ନାମରେ ନାମିତ ହେଲା । ତେଣୁ, ମରାକୁଟା ନାମ କେବଳ ଏକ ସ୍ଥାନର ନାମ ନୁହେଁ ବରଂ ବ୍ରିଟିଶ ଯୁଗରେ ତ୍ୟାଗ, ସମ୍ମାନ ଏବଂ ଅତ୍ୟାଚାର ବିରୁଦ୍ଧରେ ପ୍ରତିରୋଧର ପ୍ରତୀକ ।


ବାବା ପିପଲେଶ୍ୱର

ବର୍ତ୍ତମାନ ଝାରସୁଗୁଡା ଜିଲ୍ଲା ଅନ୍ତର୍ଭୁକ୍ତ ମରାକୁଟା ଗାଁ  ପୂର୍ବେ ସମ୍ବଲପୁର ରାଜ୍ୟ   ଶାସନଧିନ ଥିଲା । ମହାରାଜ ସାଏ ମୃତ୍ୟୁ ପରେ ତାଙ୍କ ବିଧବା ରାଣୀ ମୋହନ କୁମାରୀ ରାଜ ସିଂହାସନ ବସାଇବାର ପ୍ରତିବାଦରେ  ବୀର ସୁରେନ୍ଦ୍ର ସାଏଙ୍କ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ । ସେହି ସମୟରେ ମରାକୁଟା ଗାଁର ଯୁଧିଷ୍ଟିର ଗୁରୁ ଓ  ପଦ୍ମନାଭ  ଭୂୟା ଦୁଇଜଣ ଶକ୍ତିଶାଳୀ ଓ ସାହସୀ ବ୍ୟକ୍ତି ବାସ କରୁଥିଲେ । ସେ ଦୁଇ ଜଣ ବ୍ୟକ୍ତି ବୀର ସୁରେନ୍ଦ୍ର ସାଏଙ୍କ ଅନୁଆୟୀ  ଭାବରେ  କାମ କରୁଥିଲେ । ସେମାନେ ବୀର ସୁରେନ୍ଦ୍ର ସାଏଙ୍କ ସହିତ ମିଶି ଇଂରେଜ ସରକାରଙ୍କ ବିରୁଦ୍ଧରେ ଅନ୍ଦୋଲନ କରିବା ସହିତ  ଲଢାଇ ମଧ୍ୟ କରୁଥିଲେ  । ଯେହେତୁ ସୁରେନ୍ଦ୍ର ସାଏ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଂରେଜ ସରକାରଙ୍କ ବିରୁଦ୍ଧରେ  ଆନ୍ଦୋଳନ କରିବା ଯୋଗୁଁ ସେ ମୁଖ୍ୟ ଦୋଷୀ ଭାବରେ ସାବ୍ୟସ୍ତ ହେଇଥିଲେ ।  ଇଂରେଜ ସରକାର ସିଂହାବଗା ଗ୍ରାମରେ ବୀର ସୁରେନ୍ଦ୍ର ସାଏଙ୍କୁ  ଖୋଜିବା  ପାଇଁ ପହଞ୍ଚି ସିଂହାବଗାର ଗଅନ୍ତିଆ ଗଣେଶ ଉପାଧ୍ୟୟ  ଓ  ମରାକୁଟା ଗାଁର ଯୁଧିଷ୍ଟିର ଗୁରୁ ଓ  ପଦ୍ମନାଭ  ଭୂୟା ତିନିଜଣ ବିଷୟରେ ସୂଚନା ପାଇଥିଲେ । କିନ୍ତୁ ତଥ୍ୟ ଲିଖନ ସମୟରେ ଭୁଲବଶତଃ ଯୁଧିଷ୍ଟିର ଗୁରୁ  ବଦଳରେ  ଯୁଧିଷ୍ଟିର ଭୂୟା ଓ  ପଦ୍ମନାଭ  ଭୂୟା  ବଦଳରେ ପଦ୍ମନାଭ ଗୁରୁ ଲେଖା ହୋଇ ଯାଇଥିଲା।   ଇତି ସମୟରେ ଏହି ବ୍ୟକ୍ତିବିଶେଷଙ୍କର ସହୟତାରେ ବୀର ସୁରେନ୍ଦ୍ର ସାଏଙ୍କୁ   ବେଲା ପାହାଡ଼ ବର୍ତ୍ତମାନ ବେଲପାହାଡ଼କୁ  " ଝିଲ " ଜାତିର ଲୋକମାନଙ୍କର ସହାୟତାରେ ଉଳାପ ଗଡ ଦୁର୍ଗରେ ଲୁଚାଇ ଦିଆ ଯାଇଥିଲା । ଇଂରେଜ ସରକାର ବୀର ସୁରେନ୍ଦ୍ର ସାଏଙ୍କ ଅନେକ  ସହକର୍ମୀମାନଙ୍କୁ ଗିରଫ କରିଥିଲେ । ଏଥିରେ ଗଣେଶ ଉପାଧ୍ୟୟଙ୍କୁ ଫାଶୀ ଦିଆ ଯାଇଥିଲା କିନ୍ତୁ  ଯୁଧିଷ୍ଟିର ଗୁରୁ ଓ  ପଦ୍ମନାଭ  ଭୂୟା ଭୂଲ  ନାମ ଦସ୍ତାବିଜରେ  ଥିବା ଯୋଗୁଁ ମୃତ୍ୟୁଦଣ୍ଡରୁ  ବଞ୍ଚିତ ହୋଇ ଯାଇଥିଲେ  । ଏହିପରି, ଏକ ସାଧାରଣ ତ୍ରୁଟି ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମର ଦୁଇଜଣ ପ୍ରମୁଖ ବିପ୍ଳବୀଙ୍କ ଜୀବନ ରକ୍ଷା କଲା।

ସ୍ୱାଧୀନତା ପ୍ରାପ୍ତିର ପରବର୍ତ୍ତୀ ସମୟରେ , ମରାକୁଟା ଗାଁର କମାର ସମ୍ପ୍ରଦାୟର ଯୁଧିଷ୍ଠିର ଗୁରୁ ସୁନାରି କାମ କରୁଥିଲେ ଓ ତାଙ୍କର ଅନେକ ଜମି ବାଡି ମଧ୍ୟ ଅର୍ଜନ କରିଥିଲେ । ଦୁଃର୍ଭାଗ୍ୟ ବଶତଃ ତାଙ୍କର  କୌଣସି ସନ୍ତାନ ନ ଥିଲା ।  ତେଣୁ ସେ ନିଜ ଧନ ସମ୍ପତ୍ତି ଉପଯୋଗ କରି ପ୍ରଭୁ ପାଇଁ ଏକ ଶିବ ମନ୍ଦିର ସ୍ଥାପନ କରିବା ପାଇଁ ନିଷ୍ପତି ନେଇଥିଲେ । ଗ୍ରାମବାସୀ ଅନୁମତି ଓ ସମର୍ଥନ ପାଇ ସେ ମନ୍ଦିର ନିର୍ମାଣ କାର୍ଯ୍ୟ ଅଶ୍ୱତଥ ଗଛ ପାଖରେ ଥିବା ଛୋଟ ପାହାଡ଼ ଉପରେ ମନ୍ଦିର କାର୍ଯ୍ୟ  ସମାପ୍ତ କରିଥିଲେ ।  ସେହି ମନ୍ଦିର ସମ୍ମୁଖରେ ଏକ ପୋଖରୀ ଥିଲା , ସେଇ ପୋଖରୀକୁ ସଲେଟିକ୍ରା ଗ୍ରାମର ଏକ ତେଲି ସମ୍ପ୍ରଦାୟର  ବ୍ୟକ୍ତି  ବହୁତ ବର୍ଷ ପୂର୍ବରୁ ଖନନ କରାଇଥିଲେ । ଏହିପରି, ଯୁଧିଷ୍ଠିର ଗୁରୁଙ୍କ ଭକ୍ତି ଏବଂ ଦାନ ମରାକୁଟ ଗ୍ରାମରେ ଏକ ସ୍ଥାୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଛାଡିଗଲା।

ପ୍ରଥମେ ଗୋସାଇଁ ସମ୍ପ୍ରଦାୟର ଏକ ବ୍ୟକ୍ତି ବିଶେଷକୁ ପୂଜା କାର୍ଯ୍ୟ ପାଇଁ ରଖା ଯାଇଥିଲା । କିନ୍ତୁ ପ୍ରଭୂ ମହାଦେବ ପୂଜକର  ପୂଜାରେ ଆତ୍ମସନ୍ତୋଷ ନ ପାଇବାର ସ୍ବପ୍ନ ଦେଶ ଦେବା ପରେ , ମନ୍ଦିର ପୂଜା କାର୍ଯ୍ୟ ତୁଲାଇବା ପାଇଁ  ସମ୍ବଲପୁର ଜିଲ୍ଲାର ଲପଙ୍ଗା ବ୍ଲକ ଅଧିକୃତ ମହାଦେବ ପାଲି ଗ୍ରାମରୁ ଥନାପତି ମାଳି ଜାତିର ' ଵୋଇ'  ନାମକ ଏକ ବ୍ୟକ୍ତିକୁ ଆମନ୍ତ୍ରଣ କରି ତାକୁ ମନ୍ଦିରର ପୂଜା କାର୍ଯ୍ୟ ଶୃଙ୍ଖଲିତ ଭାବରେ କରିବା ପାଇଁ ନିୟୋଜିତ କରାଯାଇଥିଲା । ନିତି ପୂଜା କାର୍ଯ୍ୟ ତୁଲାଇବା ପାଇଁ  ଯୁଧିଷ୍ଟିର ଗୁରୁ  ଵୋଇଙ୍କୁ ୨ ଏକର ଜମି ଦାନ ବୃତ୍ତି ପ୍ରଦାନ କରିଥିଲେ ।  ପୂଜକଟି ଯୁବକ ଅବସ୍ଥାରେ ପୂଜାରେ ଥିଲା ବେଳେ ପୁଡ଼ାପାଳି  ଗ୍ରାମ ଏକ ଯୁବତୀ ଭକ୍ତ ଉପରେ  ଖରାପ ଦୃଷ୍ଟି ପକାଇଥିଲା  । ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସି ସେହି ପୁଜକକୁ ଧରି ବାବା ପିପଲେଶ୍ବର ପାଖରେ ସତ୍ୟତା ପ୍ରତିପାଦନ କରିବାକୁ ଆଦେଶ ଦେଲେ । ନିଜ ଦୃଷ୍ଟତାକୁ ଲୁଚାଇବା ପାଇଁ ସେ ବାବା ପିପଲେଶ୍ବର ପାଖରେ ମିଛ କହି  ଶପଥ ପାଠ କଲା, ନ ହେଲେ ମୋର ଦୃଷ୍ଟି ଶକ୍ତି ଲୋପ ପାଇବ ବୋଲି ଅଭିବ୍ୟକ୍ତ କଳା । ପ୍ରଭୁଙ୍କ ପ୍ରକୋପରେ ଅଳ୍ପ ଦିନ ଭିତରେ ତାର ଦୃଷ୍ଟି ଶକ୍ତି ଲୋପ ପାଇ ଯାଇଥିଲା । ତଥାପି ଦୃଷ୍ଟିହିନ ବାଧିତ  ସର୍ତ୍ତେ    ଅତି ଶ୍ରଦ୍ଧା ସହିତ ମନ୍ଦିରର ପୂଜା କାର୍ଯ୍ୟ ଜାରି ରଖିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ଚିନ୍ତାମଣି ମହାପାତ୍ର ମନ୍ଦିରର ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ତେବେ ଚିନ୍ତାମଣି ମହାପାତ୍ର ନିସନ୍ତାନ ହେବା ଯୋଗୁଁ ସେ ଅଧିର ହୋଇ ପଡ଼ିଥିଲେ । ତେବେ ପିପଳେଶ୍ୱର କୃପାରେ  ତାଙ୍କୁ ଝାରସୁଗୁଡା ସହରର କନକ ଦୁର୍ଗା ମନ୍ଦିରରୁ ଏକ ନବ ଜାତ ପୁତ୍ର ସନ୍ତାନକୁ ଉଦ୍ଧାର କରି ନିଜ ପୁତ୍ର ଭାବରେ ଲାଲନ ପାଳନ କରିଥିଲେ । ବର୍ତ୍ତମାନ ସେହି ପୁତ୍ର ସୁବ୍ରତ ମହାପାତ୍ର ଅତି ନିଷ୍ଟାର ସହିତ ମନ୍ଦିର ପୂଜା କାର୍ଯ୍ୟ ତୁଲାଉନ୍ତି । 

ମରାକୁଟାର  ଲୋକମାନଙ୍କ ମୁଖରୁ ଶ୍ରୀ ପିପଲେଶ୍ଵରଙ୍କ ଅନେକ ଅଲୌକିକ ଘଟଣା ଶୁଣିବାକୁ  ମିଳିଥାଏ।   ଏପରି ଏକ କାହାଣୀ ଜଣେ ବ୍ୟକ୍ତିଙ୍କ ବିଷୟରେ କହେ । ଜଣେ ବ୍ୟକ୍ତି ମନ୍ଦିର ପାଖର ପୋଖରୀରେ ସ୍ନାନ  କଳା ବେଳେ ଶିବଙ୍କ ଜଟ ପାଣିର ଭାସୁଥିବା ଦୃଶ୍ୟ ଦେଖିବାକୁ ମିଲିଥିଲା ।  

ଅନ୍ୟ ଏକ ଘଟଣାରେ, ଦିନେ ଗୋଟିଏ ଝିଅ ପୋଖରୀରେ ସ୍ନାନ କରି  ଅଶ୍ୱତତ ଗଛ ମୂଳେ ଶିବଲିଙ୍ଗ ସମ୍ମୁଖରେ ଏକ ଫଳକୁ ସମର୍ପିତ ହୋଇଥିବା ଦେଖି ତାକୁ ଖାଇବାକୁ ଉଦତ୍ୟ ହେବା ସମୟର ତାଙ୍କ  ମାଁ ବାରଣ କରିବା ଯୋଗୁଁ ସେହି ଫଳକୁ ପଥରେ ଯାଉଥିବା ବୁଢ଼ୀ ମହିଲାକୁ ଅର୍ପଣ କରିଥିଲେ ।  ଫଳ ଗ୍ରହଣ କରି ସେହି ମହିଳା ଅଳ୍ପ କ୍ଷଣେ ଅଦୃଶ୍ୟ ହୋଇ ଯାଇଥିଲେ । ଯାହା ଫଳରେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ସେ ମହିଳା ଜଣକ ହେଉଛନ୍ତି  ମହାଦେବଙ୍କ ଦିବ୍ୟ  ଶକ୍ତି ପ୍ରତୀକ ।

 ଏକ ବ୍ୟକ୍ତି ମହାଦେବଙ୍କ ଠାରୁ ବର ପାଇବା ପାଇଁ ଘରକୁ ନ ଯାଇ ତାଙ୍କର ସମ୍ମୁଖରେ କଠୋର ତପସ୍ୟା  କରୁଥିଲେ।  କିନ୍ତୁ ଏକ ଅଜଣା ବ୍ୟକ୍ତି ପ୍ରକଟ ହୋଇ ତାଙ୍କ ମାଁ ମରିଯିବା ଘଟଣା ପରିପ୍ରକାଶ କରିବା ଫଳରେ ସେ ଘରକୁ ଯାଇ ନିଜ ମାଁ ଜୀବିତ ପାଇଲେ  ।  ମହାଦେବଙ୍କର ପରୀକ୍ଷାରେ , ବ୍ୟକ୍ତି ଜଣଙ୍କର ବିଫଳ ହୋଇଥିଲେ, ତାର ତପସ୍ୟା ଭ୍ରଷ୍ଟ ହୋଇ ବର ପାଇବାରୁ ବଞ୍ଚିତ ହୋଇଥିଲେ । 

  ଏହି ରହସ୍ୟମୟ କାହାଣୀଗୁଡ଼ିକ ସ୍ଥାନୀୟ ଲୋକଙ୍କର ପ୍ରଭୁ ପିପଳେଶ୍ୱରଙ୍କ ଦିବ୍ୟ ଉପସ୍ଥିତିରେ ବିଶ୍ୱାସକୁ ଆହୁରି ଗଭୀର କରିଚାଲିଛି।

ମନ୍ଦିର ପ୍ରତିଷ୍ଠା ହେବା ପରେ ଦୁଇଟି  ନାଗସାପ ' ନାଗ ନାଗୁଣୀ'   ଶିବଲିଙ୍ଗ ଚାରିପଟେ କୁଣ୍ଡଳୀ ମାରି ରହୁଥିଲେ । ପ୍ରଭୁଙ୍କ କୃପାରେ ପ୍ରଥମ ପୂଜକ ନିଜ ସ୍ଵହାତରେ ନାଗ ସାପକୁ ଛୁଇଁ ପୂଜା କରି ପାରୁଥିଲେ । ଗାଁର ଲୋକମାନେ ଭଜନ କୀର୍ତ୍ତନ ସମୟରେ ମଧ୍ୟ ଅନେକ ପ୍ରକାରର  ବିଷାକ୍ତ ସାପ, ବିଛା,ପିମ୍ପୁଡ଼ି ଦେଖାଯାଇଛି କିନ୍ତୁ ସେମାନେ କାହାର କେବେ ଅନିଷ୍ଟ କରିନାହାନ୍ତି।  ଏହି ଘଟଣାଗୁଡ଼ିକ ପ୍ରଭୁଙ୍କ ସୁରକ୍ଷା ଏବଂ ଉପସ୍ଥିତିର ଦିବ୍ୟ ସଙ୍କେତ ଭାବରେ ବିବେଚନା କରାଯାଏ।


ମନ୍ଦିରକୁ ଯିବାପାଇଁ ପାହାଚ 


 ମନ୍ଦିରଟି ଦାନବୀର ଯୁଧିଷ୍ଟିର ଗୁରୁଙ୍କ ଦ୍ଵାରା ୧୯୬୦ ମସିହାର ପ୍ରତିଷ୍ଠା  ହୋଇଥିଲା । ଶିବ ମନ୍ଦିରର ଉଚ୍ଚତା ପ୍ରାୟ ୩୦ ଫୁଟ ହେବ। ମନ୍ଦିରଟି ୧୬୦୦ ବର୍ଗଫୁଟ ଜମିରେ ନିର୍ମିତ ହୋଇଛି  ଓ ମନ୍ଦିର ପରିସର ପ୍ରାୟ ୫୦୦୦ ବର୍ଗଫୁଟ ହେବ। ମନ୍ଦିରଟି ୩୦ ଫୁଟ ଉଚ୍ଚତାର  ବିଶିଷ୍ଟ  ଛୋଟ ପାହାଡ଼ ଉପରେ ଅବସ୍ଥିତ ଅଛି । ମନ୍ଦିର ସମ୍ମୁଖରେ  ୨୦ ଫୁଟ ଉଚ୍ଚତା ଏକ ଗରୁଡ ସ୍ତମ୍ଭ ସ୍ଥାପନ କରଯାଇଛି । ମନ୍ଦିର ଉପରକୁ ଚଡ଼ିବା ପାଇଁ ପାହାଚ ତିଆରି କରାଯାଇଛି । ମନ୍ଦିରର ପ୍ରବେଶ ଦ୍ୱାର ପୂର୍ବ ଦିଗରେ ରହିଅଛି ଏବଂ ମନ୍ଦିର ସମ୍ମୁଖରେ ବହୁତ ଗୁଡ଼ିଏ  ଛୋଟ ବଡ ବୃଷବ  ରଖାଯାଉଛି । ମନ୍ଦିରକୁ ଇଟା, ଚୂନ, ଗୁଡ଼ ଓ ବେଲ ଅଠାରେ ତିଆରି କରାଯାଉଛି । ମନ୍ଦିରଟି କଳିଙ୍ଗ ଶୈଳୀରେ ତିଆରି କରାଯାଉଛି ଓ ମନ୍ଦିର କାନ୍ଥରେ ଗଣେଶ ଓ ବ୍ରହ୍ମା ଭଳି ଅନେକ ଦେବାଦେବୀଙ୍କ ପ୍ରତିମାକୁ ସ୍ଥାପନ କରାଯାଇଛି ।   ମନ୍ଦିରର ପ୍ରବେଶ ଦ୍ୱାରର ଡାହାଣ ପାର୍ଶ୍ୱରେ ଭୈରବ ମନ୍ଦିର ଓ  ତାର ପାଖରେ ଶନି ମନ୍ଦିର ନିର୍ମାଣ କରାଯାଉଛି ।  ଏହିପରି ମନ୍ଦିର ପ୍ରବେଶ ଦ୍ୱାରର ବାମ ପାର୍ଶ୍ୱରେ  ହନୁମାନ ମନ୍ଦିର ଓ ତାକୁ ଲାଗିକି ଭୋଗ ଓ ବିଶ୍ରାମ ଗୃହ ତିଆରି କରାଯାଉଛି । ମନ୍ଦିର ଚତଃପାଶ୍ୱର୍ରେ ସବୁଜୀମା   ଭରି ରହିଛି ଏବଂ ମନ୍ଦିର ସମ୍ମୁଖରେ ଗାଁର ପୋଖରୀଟି ମନ୍ଦିରର ଶୋଭା  ବୃଦ୍ଧି  କରୁଅଛି । ମନ୍ଦିରରେ ଅଲୋକ ଓ ପାଣିର  ବ୍ୟବସ୍ଥା କରାଯାଉଛି ।  ମନ୍ଦିରଟି ନିୟମିତ ସକାଳ ଛଅଟାରୁ ବାରଟା ଯାଏ ଏବଂ ସନ୍ଧ୍ୟା ପାଞ୍ଚଟାରୁ ସାତଟା ଯାଏଁ ଖୋଲା ରହିଥାଏ ।   ମହାଶିବରାତ୍ରୀ ଓ ଶ୍ରାବଣ ମାସର ବୋଲ ବମ ଅତି ଆଡ଼ମ୍ବର ସହିତ ପାଲନ କରାଯାଇଥାଏ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭୋଗ ଅର୍ପଣ କରାଯାଇଥାଏ । ପାଖରେ ଥିବା ଝାରସୁଗୁଡ଼ା ସହରରୁ ଓ ଗାଁ ଗୁଡିକରୁ ହଜାର ସଂଖ୍ୟାରେ ଭକ୍ତ  ଏହି ଉତ୍ସବ ସମୟରେ ବାବା ପିପେଲେଶ୍ୱର ଆଶୀର୍ବାଦ ଲାଭ କରିବା ପାଇଁ  ଆଗମନ କରିଥାନ୍ତି। ଏହା ବ୍ୟତୀତ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ,  ମକର ସଂକ୍ରାନ୍ତି ଓ ଶନିଦେବ ଜୟନ୍ତୀ ଆଦି ପାଳନ କରାଯାଇଥାଏ। ବ୍ୟକ୍ତି ବିଶେଷଙ୍କ ପୂଜା ଯେମିତି ରୁଦ୍ରା ଅଭିଷେକ , ମାନସିକ ପୂଜା  ସମେତ ବିବାହ, ନାମକରଣ, ଅନ୍ନପ୍ରସନ୍ନ  ଭଳି ସାମାଜିକ କାର୍ଯ୍ୟ ମଧ୍ୟ କରାଯାଇଥାଏ ।   

ବାବା ପିପଲେଶ୍ୱର ଦିବ୍ୟ କୃପା ଅନେକ ଭକ୍ତମାଙ୍କର ମାନସିକ ପୂରଣ ହେବାର ସତ୍ୟ କାହାଣୀ ଲୋକମାନଙ୍କର ମୁଖରୁ ଶୁଣିବାକୁ ମିଳେ ।  ମହାଦେବଙ୍କୁ ଉତ୍ସର୍ଗୀକୃତ ଏହି ମନ୍ଦିର ଉପରେ ଗାଁର ଲୋକମାନଙ୍କର ଅତୁଟ ବିଶ୍ଵାସ ଓ ଶ୍ରଦ୍ଧା ଭରି ରହିଅଛି ଯାହା ଏହି ସ୍ଥାନ ଆଧ୍ୟାତ୍ମିକ କେନ୍ଦ୍ରରେ ପରିଣତ କରିଛି । 

ମାରାକୁଟାର ବାବା ପିପଳେଶ୍ୱରଙ୍କ ପବିତ୍ର ମନ୍ଦିର କେବଳ ଏକ ପ୍ରାଚୀନ ଧାର୍ମିକ ସ୍ଥଳ ନୁହେଁ - ଏହା ଗ୍ରାମର ଆଧ୍ୟାତ୍ମିକ ହୃଦସ୍ପନ୍ଦନ ଏବଂ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପ୍ରମାଣ । ଶିବଲିଙ୍ଗର ଚମତ୍କାର ଆବିଷ୍କାର ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ଅଟଳ ଶ୍ରଦ୍ଧା ପର୍ଯ୍ୟନ୍ତ, ଏବଂ ସାତଖମ୍ବା ନାମ ଠାରୁ ଆରମ୍ଭ କରି ବ୍ରିଟିଶ ଅତ୍ୟାଚାର ବିରୁଦ୍ଧରେ ସାହସିକ ପ୍ରତିରୋଧ କରି ମରାକୁଟା  ନାମ ପରିବର୍ତ୍ତନ ପର୍ଯ୍ୟନ୍ତ, ମାରକୁଟା କେବଳ ଏକ ସ୍ଥାନ ନୁହେଁ - ଏହା ଓଡ଼ିଶାର ଆଧ୍ୟାତ୍ମିକ ଗଭୀରତା ଏବଂ ଐତିହାସିକ ସ୍ଥିରତାର ଏକ ଜୀବନ୍ତ ସାକ୍ଷୀ।

......................... ଜୟ ବାବା ପିପଲେଶ୍ୱର🙏............................


ବାବା ପିପେଲେଶ୍ଵ ମନ୍ଦିର ପାଖର ପୋଖରୀ



ଲେଖକ :- ରୋହିତ କୁମାର ଲେଖକ 

ସ୍ଥାନ :- ପୁରୁଣାବସ୍ତି , ଝାରସୁଗୁଡ଼ା


ଗୁଗୋଲ ମେପ୍ ଲିଙ୍କ :- https://maps.app.goo.gl/HrwxkixgiKQbYfdJ6


Comments

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda