ପୁରୁଣାବସ୍ତିର ଭାଗବତ ମନ୍ଦିର - ବିଶ୍ୱାସ, ସଂସ୍କୃତି ଏବଂ ଏକତାର ଏକ ଜୀବନ୍ତ ପ୍ରତୀକ

 

ଝାରସୁଗୁଡ଼ା ଜିଲ୍ଲାର ପୁରୁଣାବସ୍ତି ଅଞ୍ଚଳରେ ଏକ  ପୁରାତନ ଏବଂ ସଜୀବ  ମନ୍ଦିର  ରହିଅଛି। ଏହା କେବଳ ଉପାସନାର ସ୍ଥଳ ନୁହେଁ, ବରଂ ଗତ ଦେଢ଼ ଶହ ବର୍ଷ ଧରି ସଂସ୍କୃତିକୁ ପୋଷଣ କରି, ପରମ୍ପରାକୁ ସଂରକ୍ଷଣ କରି ଆସୁଅଛି । ଝାରସୁଗୁଡ଼ାବାସୀଙ୍କୁ  ନିଜ  ଦୈନନ୍ଦିନ ଜୀବନ ସହିତ ଯୋଡ଼ି ଏକ ଐତିହ୍ୟର ପ୍ରାଣକେନ୍ଦ୍ର ପାଲଟି ଯାଇଛି ।

ଝାରସୁଗୁଡ଼ାର ପୁରୁଣାବସ୍ତିରେ  ଜନବସତି ସ୍ଥାପନ ହେବାର ଏକ ଚିତ୍ତାକର୍ଷକ କିମ୍ବଦନ୍ତୀ ରହିଅଛି ।  ଦ୍ୱାଦଶ ଶତାବ୍ଦୀରେ କିଷାନ  ସମ୍ପ୍ରଦାୟ ଲୋକେ ଯିଏ ବର୍ତ୍ତମାନର ଝାଡ଼ଖଣ୍ଡର ଛୋଟାନାଗପୁର ଅଞ୍ଚଳର ମୂଳ ବାସିନ୍ଦା,  ଓଡ଼ିଶା ମଧ୍ୟକୁ ପ୍ରବେଶ  କରିଥିଲେ  । ସେମାନେ ବେଦ-ବ୍ୟାସ, ବାମଣ୍ଡା ଏବଂ ଝାରସୁଗୁଡା ଭଳି ଅଞ୍ଚଳରେ ବସତି ସ୍ଥାପନ କରିଥିଲେ। ଝାରୁ କିଷାନଙ୍କ ନେତୃତ୍ୱରେ, ଗୋଟିଏ ଗୋଷ୍ଠୀ ବର୍ତ୍ତମାନର ଝାଡ଼େଶ୍ୱର ମନ୍ଦିର ପରିସର ନିକଟରେ ଏକ ବସତି ସ୍ଥାପନ କରି ରହୁଥିଲେ । ତେବେ ସେହି ସମୟରେ ଏହି ଅଞ୍ଚଲରେ ବହୁତ୍ ଗୁଡ଼ିଏ ଗୁଡ଼ା ଜମିଗୁଡିକ ଥିଲା । ତେଣୁ କିସାନ   ସର୍ଦ୍ଦାରଙ୍କ ନାମ ଝାରୁ  ଓ  ଗୁଡ଼ାକୁ ମିଶାଇ ଏହି  ସ୍ଥାନର ନାମ ଝାରଗୁଡ଼ା ବୋଲି ଲୋକମାନଙ୍କର ମୁଖରେ  ଶୁଣିବାକୁ ମିଳିଥିଲା  ଯାହା ଏବେ ଝାରସୁଗୁଡା ଭାବରେ ଜଣାଶୁଣା  ହୋଇଛି ।

 ତ୍ରେୟଦଶ ଶତାବ୍ଦୀରେ, ମଧ୍ୟ ପ୍ରଦେଶରେ ଗଣ୍ଡ ସାମ୍ରାଜ୍ୟର ପତନ ଘଟି ଥିଲା । ଫଲରେ ଗଣ୍ଡ ଜନଜାତି  ଯିଏ ଭାରତର ଗୋଣ୍ଡୱାନାଲ୍ୟାଣ୍ଡ  ବାସିନ୍ଦା ଥିଲେ , ସେମାନେ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ଆସି ବସତି ସ୍ଥାପନ କରିଥିଲେ। 

ପଞ୍ଚଦଶ ଶତାବ୍ଦୀରେ ସମ୍ବଲପୁରରେ ଚୌହାନ ଶାସନ ପ୍ରତିଷ୍ଠା ହେବା ସହିତ, ଝାରସୁଗୁଡା ସମ୍ବଲପୁର ରାଜ୍ୟର ଏକ ପ୍ରଗଣା ହୋଇଥିଲା। ଚୌହାନ ରାଜବଂଶର ସପ୍ତମ ରାଜା ଛତ୍ର ସାହା ଦେବ (୧୬୫୯-୧୬୯୨)ଙ୍କ ରାଜତ୍ୱ କାଳରେ, ଝାରସୁଗୁଡାକୁ  ତାଙ୍କ ନାତି ଶିବ ସିଂହଙ୍କୁ ଜାଗିର ଭାବରେ ପ୍ରଦାନ କରାଯାଇଥିଲା। ପରେ, ୧୮୨୯ ମସିହାରେ, ରଣଜିତ ସିଂହ ଜମିଦାର ଭାବରେ ଏହି ଅଞ୍ଚଳକୁ ଶାସନ କରିଥିଲେ।  

ଏହି ଝାରସୁଗୁଡ଼ା ପ୍ରଗଣା ଝାରସୁଗୁଡା, ବଢେଇମୁଣ୍ଡା, ଦେବାଡିହି, ବାଲିଜୋରୀ, ବେହେରାମାଲ, ବଞ୍ଜାରୀ, ଏକାତାଲି, ସରବାହାଲ, ବୁରୋମାଲ, କୁରେବାଗା, କୁମୁଡ଼ା ପାଲି, ଏବଂ ଦଲକି ସମେତ ବାରଟି ଗ୍ରାମକୁ ନେଇ ଗଠିତ ହୋଇଥିଲା।

( ଭାଗବତ ମନ୍ଦିର ) 

 ବ୍ରିଟିଶ ଶାସନ ସମୟରେ ୧୮୯୦-୯୧  ମସିହାରେ ଝାରଗୁଡ଼ା ଦେଇ  ବଙ୍ଗଳା - ନାଗପୁର ରେଳ ଲାଇନ ବିଛା ହେଲା ଏବଂ  ଏଠି ଏକ ରେଳ ଷ୍ଟେସନ ମଧ୍ୟ ନିର୍ମାଣ କରାଗଲା । ଏହି ରେଳ ଷ୍ଟେସନ ପ୍ରତିଷ୍ଠା  ଦିନରେ ଝାରଗୁଡ଼ା ନାମକୁ ପରିବର୍ତ୍ତିତ କରି ଝାରସୁଗୁଡ଼ା ରଖାଯାଇଥିଲା ।  ତେବେ ସମଗ୍ର ଅଞ୍ଚଳର ନାମ ଝାରସୁଗୁଡା ହୋଇଥିଲା ଓ ସବୁଠାରୁ ପ୍ରଥମେ ଝାରଗୁଡ଼ା ଅଞ୍ଚଳରେ ଜନ ବସତି ସ୍ଥାପନ ହୋଇଥିବା ଯୋଗୁ ଏହାକୁ ସମସ୍ତେ ପୁରୁଣାବସ୍ତି  ବୋଲି ବୋଲିବାକୁ  ଲାଗିଲେ   ।  ତେବେ ଝାରସୁଗୁଡ଼ା ଜିଲ୍ଲାର ମାନ୍ୟତା ପାଇବା ପୂର୍ବରୁ ଏହା ସମ୍ବଲପୁରର ଏକ ସବଡିଭିଜନ ଭାବରେ ଥିଲା,  ପରେ ୧୯୯୪ ଏପ୍ରିଲ ୧ ତାରିଖ ଏହା  ସମ୍ବଲପୁର ଜିଲ୍ଲାରୁ ସମ୍ପୂର୍ଣ  ଅଲଗା ହୋଇ ସ୍ଵତନ୍ତ୍ର  ଝାରସୁଗୁଡା ଜିଲ୍ଲାରେ ପରିଣତ ହେଲା ।

ଇତି ମଧ୍ୟରେ ୧୮୨୯ ମସିହାରେ  ରଣଜିତ ସିଂହ ଝାରସୁଗୁଡ଼ା ଜମିଦାର ଭାର ଗ୍ରହଣ କରିବା ସହିତ ଏଠି ତାଙ୍କ  ପ୍ରଜାମାନଙ୍କର ଆଗତ ହୋଇଥିଲା ।  ତାପରେ ଝାଡେଶ୍ଵର ବାବାଙ୍କ ଆବିର୍ଭାବ ସହିତ , ବିଭିନ୍ନ ମନ୍ଦିର ନିର୍ମାଣ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତାଙ୍କ ଅମଳରୁ  ବର୍ତ୍ତମାନ ଭାଗବତ ମନ୍ଦିର ଥିବା ପରିସରରେ  ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯେପରିକି ଭାଗବତ ଓ ଗୀତା ପାଠ , ଲକ୍ଷ୍ମୀପୁରାଣ  ଓ ସଙ୍କୀର୍ତ୍ତନ  ଆଦି ପାଳନ  ହେବାକୁ ଲାଗିଲା । ଏଠିକାର ଲୋକେ ମଧ୍ୟ ଅତି ଆଗ୍ରହ ସହିତ ଖୋଲା ଆକାଶ ତଳେ ଏହିସବୁ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ  ଏଠି ଏକତ୍ରିତ ହେଉଥିଲେ । ସେହି ଦିନଠୁ ଏହା  ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳ ଭାବରେ ପରିଗଣିତ  ହୋଇଥିଲା । 

ଏମିତି  କିଛି ବର୍ଷ  ବିତି ଗଲାପରେ ଲୋକେ ଏଠାରେ ଏକ ସ୍ଥାୟୀ  ମନ୍ଦିର ସ୍ଥାପନ କରିବାର ଆବଶ୍ୟକ ଅନୁଭବ କରିଥିଲେ । ଏହି ସ୍ଥାନରେ ପ୍ରଥମେ ଭାଗବତ ଓ କୀର୍ତ୍ତନରୁ ହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।  ବର୍ଷର ଅଧିକାଂଶ ସମୟରେ ଅନେକ କୃଷ୍ଣ ଭକ୍ତ ପ୍ରେମୀ ଏଠି  କୀର୍ତ୍ତନ ଆୟୋଜନ  କରୁଥିଲେ  । ସେହି ସଙ୍କୀର୍ତ୍ତନ ଦଳ ମଧ୍ୟରୁ  ଦାନଶୀଲ ବ୍ୟକ୍ତି ନୂତନ ମନ୍ଦିର  ଗଢ଼ି ତୋଳିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।  ତେବେ ଆଉ ଏକ ସମାଜସେବୀ ଶ୍ରୀଯୁକ୍ତ ବିଦ୍ୟାଧର  ଭୋଇ  ମନ୍ଦିର ନିର୍ମାଣ କରିବା ପାଇଁ ଆବଶ୍ୟକ ଜମି ପ୍ରଦାନ କରିଥିଲେ ।  ୧୮୬୦ ମସିହାରେ ଶ୍ରୀଯୁକ୍ତ ଶଙ୍କର ପାଣ୍ଡେଙ୍କ ଦ୍ଵାରା ନୂତନ ମନ୍ଦିରଟି ନିର୍ମାଣ ହେଲା ।ଏହି ମନ୍ଦିରର ନାମ ଭାଗବତ ମନ୍ଦିର ରଖା ଯାଇଥିଲା  ।  ଏହି ମନ୍ଦିରଟି ଭଗବାନ କୃଷଙ୍କୁ ସମର୍ପିତ କରାଗଲା । ପରବର୍ତ୍ତୀ ସମୟରେ ଶ୍ରଦ୍ଧାଳୁ ବ୍ୟକ୍ତିମାନଙ୍କର ଦାନରେ ମନ୍ଦିର ପୁନଃନିର୍ମାଣ କରାଯାଇଥିଲା । ବାବୁ ପଡ଼ାରେ ଜଗନ୍ନାଥ ମନ୍ଦିର ନିର୍ମାଣ ସହିତ ପୁରୁଣାବସ୍ତିରେ ରଥଯାତ୍ରା ଆରମ୍ଭ ହୋଇଯାଇଥିଲା । ରଥଯାତ୍ରା ସମୟରେ ଏହି ଭାଗବତ ମନ୍ଦିର ମାଉସୀ ଘରର ଭୂମିକା ନିର୍ବାହ କରେ ଯେଉଁଠି ଏକ ସପ୍ତାହ ଥରି ଭଗବାନ ଜଗନ୍ନାଥ , ତାଙ୍କ ଭଉଣୀ ସୁଭଦ୍ରା ଓ ଭାତ୍ରା ବଳରାମ ସହିତ ବାସ କରିଥାନ୍ତି । ତେଣୁ ଏହାକୁ ଜଗନ୍ନାଥଙ୍କ ମାଉସୀ ମନ୍ଦିର ଭାବରେ ମଧ୍ୟ ଲୋକେ ଜାଣନ୍ତି ।

ଏହି ଭାଗବତ ମନ୍ଦିର ପୁରୁଣାବସ୍ତିର ଠିକ୍  ମଧ୍ୟ ଭାଗରେ ଅବସ୍ଥିତ । ପୁରୁଣାବସ୍ତି ମଧ୍ୟଦେଇ ଝାଡେଶ୍ୱର ମନ୍ଦିରକୁ ଯାଉଥିବା ରାସ୍ତାର ଡାହାଣକୁ ଗଣ୍ଡପଡ଼ା ଓ ଲୁହୁରା ପଡ଼ା ମଧ୍ୟରେ ଅବସ୍ଥିତ । ମନ୍ଦିରର ସମ୍ମୁଖ ଏକ କଲ୍ୟାଣ ମଣ୍ଡପଟିଏ ଅଛି ଏବଂ ମନ୍ଦିର ଡାହାଣକୁ ଲାଗି ୧୨ ମିଟର ଦୂରରେ ଏକ  ବଜରଙ୍କ ବଳିଙ୍କ ମନ୍ଦିର ଓ ଅନ୍ୟ ଏକ ଛୋଟ ମଣ୍ଡପ  ରହିଅଛି ଯେଉଁଠି  ପୁରୁଣାବସ୍ତିର ପ୍ରଥମ ଉଚ୍ଚ ବିଦ୍ୟାଳୟ ଥିଲା ।  ଉକ୍ତ ମନ୍ଦିରର ଉଚ୍ଚତା ପ୍ରାୟ ୩୦ ଫୁଟ ହେବ । ମନ୍ଦିରଟି ପ୍ରାୟ ୧୦୦୦ ବର୍ଗ ଫୁଟ ଜମି ଅଧିକାର କରିଛି । ମନ୍ଦିରର ଶିଖରରେ ସରଳ ରେଖା, ପଦ୍ମ ଫୁଲ  ଗୁଡ଼ିକର ଆକୃତ ସମେତ ଚାରି ପାର୍ଶ୍ବରେ  ପାର୍ଶ୍ଵ ଦେବଦେବୀଙ୍କ ଅବସ୍ଥାନ ପାଇଁ ଚାରୋଟି ବାକ୍ସ ତିଆରି କରାଯାଇଛି । ମନ୍ଦିରକୁ ସୁବର୍ଣ୍ଣ ରଙ୍ଗରେ ରଙ୍ଗିତ କରଯାଇଛି ।  ବର୍ତ୍ତମାନ ହୋତା ପାରିବାର ବ୍ୟକ୍ତିମାନେ ଏହି ପୂଜା ସେବା କରୁଛନ୍ତି । ଏହି ମନ୍ଦିରଟି ଏତେ ପ୍ରସିଦ୍ଧ ଯେ ଏହାକୁ ଏଠିକାର ଅଧିବାସୀ ନିଜ ଠିକଣାରେ ଲ୍ୟାଣ୍ଡମାର୍କ ଭାବରେ  ବ୍ୟବହାର କରିଥାନ୍ତି  ।

 ଏହି ମନ୍ଦିର କେବଳ ପୂଜାସ୍ଥଳ ଭାବରେ ନୁହେଁ ବରଂ ପିଢ଼ି ପରେ ପିଢ଼ି ଧରି ବନ୍ଧନ, ପରମ୍ପରା ଏବଂ ସାମାଜିକ ସମନ୍ୱୟର କେନ୍ଦ୍ର ଭାବରେ କାର୍ଯ୍ୟ କରିଆସୁଛି। ଶତାବ୍ଦୀ ଧରି, ସମସ୍ତ ସମ୍ପ୍ରଦାୟର ଲୋକମାନେ ଏଠାରେ ଏକତ୍ରିତ ହୋଇ ଏକତା ଏବଂ ଭକ୍ତିର ମୂଲ୍ୟବୋଧକୁ ଜୀବିତ ରଖିଛନ୍ତି ।

ପ୍ରତିଦିନ, ମନ୍ଦିରଟି ଗ୍ରାମବାସୀଙ୍କ ପାଇଁ ଏକ ସାକ୍ଷାତ ସ୍ଥଳ ପାଲଟିଥାଏ । ସନ୍ଧ୍ୟା ଓ ସକାଳରେ, ଭଦ୍ର ବ୍ୟକ୍ତିମାନେ ଏଠାକୁ ନିଜ ଚିନ୍ତାଧାରା ଆଦାନପ୍ରଦାନ କରିବା ପାଇଁ, ସେମାନଙ୍କର ଦୈନନ୍ଦିନ ଅଭିଜ୍ଞତା ବିଷୟରେ ଆଲୋଚନା କରିବା ପାଇଁ କିମ୍ବା ଏକତ୍ର  ଆଧ୍ୟାତ୍ମିକପୂର୍ଣ୍ଣ ମୁହୂର୍ତ୍ତ ବିତାଇବା ପାଇଁ ଏକତ୍ରିତ ହୁଅନ୍ତି ।

ଘଣ୍ଟ, ଶଙ୍ଖ ସହିତ ସନ୍ଧ୍ୟା ଆରତୀର ତାଳପୂର୍ଣ୍ଣ ଶବ୍ଦ ପବିତ୍ରତାର ପରିବେଶ ସୃଷ୍ଟି କରେ, ଯାହା ସମଗ୍ର ଅଞ୍ଚଳକୁ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ କରିଥାଏ। ସକାଳ ଏବଂ ସନ୍ଧ୍ୟାର ପୂଜାପାଠ ଅତ୍ୟନ୍ତ ଭକ୍ତିର ସହିତ ପାଳନ କରାଯାଏ, ଯାହା ମନ୍ଦିରକୁ ଲୋକଙ୍କ ଜୀବନରେ ଏକ ଆଧ୍ୟାତ୍ମିକ ବନ୍ଧନ ଜାଗ୍ରତ କରେ ।

ସଂକ୍ରାନ୍ତି, ଏକାଦଶୀ ଭଳି ପବିତ୍ର ଦିନଗୁଡ଼ିକରେ ଏବଂ ପବିତ୍ର କାର୍ତ୍ତିକ ମାସ ସାରା ଭଜନ, କୀର୍ତ୍ତନ, ଭାଗବତ ପାଠ ଏବଂ ଗୀତା ପାଠ ଭଳି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥାଏ। ଭକ୍ତମାନେ ଆଧ୍ୟାତ୍ମିକ ଗ୍ରନ୍ଥ ଶ୍ରବଣ କରିବା ପାଇଁ ବହୁ ସଂଖ୍ୟାରେ ଏକତ୍ରିତ ହୁଅନ୍ତି ।

ଫାଲଗୁଣ ମାସରେ ମନ୍ଦିର ଚାରିପାଖରେ ଆନନ୍ଦର ଲହରୀ ଘେରିଯାଏ । ଏହି ସମୟରେ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଅତି ଆଡମ୍ବର ସହିତ ପାଳନ କରାଯାଏ । ଶ୍ରୀକୃଷ୍ଣ ଭଜନ, ଖଞ୍ଜଣି, ମୃଦଙ୍ଗ ଏବଂ ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ବାୟୁମଣ୍ଡଳ ପ୍ରତିଧ୍ୱନିତ ହୁଏ।   ଗ୍ରାମବାସୀଙ୍କ ମଧ୍ୟରେ ଭକ୍ତିଭାବ ଜାଗ୍ରତ ହୋଇଥାଏ ଓ ବାଦ୍ୟଯନ୍ତ୍ର ତାଳରେ ଝୁଲି  ଝୁଲି ଭଗବାନଙ୍କ ପରିକ୍ରମା କରିଥାନ୍ତି  ।

ଗୁଣ୍ଡିଚା ରଥଯାତ୍ରା ସମୟରେ,  ବାବୁପଡ଼ାର ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତି - ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ପ୍ରଭୁ ବଳଭଦ୍ର - ସୁନ୍ଦର ଭାବରେ ସଜ୍ଜିତ ରଥରେ ଭାଗବତ ମନ୍ଦିରକୁ ବିଜେ କରନ୍ତି । ଏଠାରେ, ଦିବ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କର  ବିଶେଷ ପୂଜା, ବିଧି ଏବଂ ଭୋଗ ଗ୍ରହଣ କରାଯାଏ। ରଥଯାତ୍ରା କମିଟି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ  କରିଥାନ୍ତି। ପ୍ରତ୍ୟେକ ସକାଳେ ଓ ସନ୍ଧ୍ୟାରେ, ଶହ ଶହ ଭକ୍ତ ମନ୍ଦିରକୁ ଦର୍ଶନ କରିବାକୁ ଆସିଥାନ୍ତି ।  ଏହି ସମୟରେ , ପ୍ରତିଦିନ ଭୋଗ ତିଆରି   କରାଯାଏ  । ମହାପ୍ରଭୁଙ୍କୁ ଭୋଗ ଅର୍ପଣ ସହିତ ଶହ ଶହ ବ୍ୟକ୍ତିଙ୍କୁ ବଣ୍ଟନ କରାଯାଏ । ଉଭୟ  ବାହୁଡା ଓ ଗୁଣ୍ଡିଚା ରଥ ଯାତ୍ରାରେ, ସିଂଦେଓ ପରିବାରଙ୍କ  ଦ୍ଵାରା  ଛେରା ପହରା କରାଯାଏ । ଶଙ୍ଖ,ଘଣ୍ଟ ଓ ଭଜନ କୀର୍ତ୍ତନ ଧ୍ଵନିରେ ମହାପ୍ରଭୁଙ୍କୁ  ପହଣ୍ଡି ବିଜେ କରିବା ସମୟରେ  ରଥ  ଚାରିପଟେ ବିପୁଳ ସଂଖ୍ୟାରେ ଜନ ସମାଗମ ହୋଇଥାଏ । ରଥ ଟାଣିବା ପାଇଁ ଦୁଇଟି  ରଥର ବ୍ୟବସ୍ଥା କରାଯାଏ  ଗୋଟିଏ  ପୁରୁଷମାନଙ୍କ ପାଇଁ ଓ ଅନ୍ୟଟି ମହିଳାମାନଙ୍କ ପାଇଁ ।

ଜନ୍ମାଷ୍ଟମୀରେ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ ପ୍ରଦର୍ଶନ  ସହିତ ମନ୍ଦିର ପ୍ରାଙ୍ଗଣ ଜୀବନ୍ତ ହୋଇଯାଏ। କୃଷ୍ଣଙ୍କ ଜୀବନୀକୁ ଚିତ୍ରଣ କରୁଥିବା ନୃତ୍ୟ , ଗୀତ ଓ ନାଟକ  ଜନସମାଗମକୁ ଆକର୍ଷିତ କରେ। ପରଦିନ, ଗୌଡ଼ ସମ୍ପ୍ରଦାୟର ଲୋକମାନେ ସେମାନଙ୍କର ପାରମ୍ପରିକ ଗୌଡ଼ ନାଚ, ଏକ ରଙ୍ଗୀନ ଲୋକକଳା ଉପସ୍ଥାପନ କରନ୍ତି ଯାହା ଶହ ଶହ ପରିଦର୍ଶକଙ୍କୁ ବାନ୍ଧି ରଖେ ଏବଂ ସାଂସ୍କୃତିକ ବିବିଧତାକୁ ପାଳନ କରେ।

ଦଶହରାରେ, ମନ୍ଦିର ସମ୍ମୁଖରେ ଏକ ସୁନ୍ଦର ସଜ୍ଜିତ ଦୁର୍ଗା ମଣ୍ଡପ ନିର୍ମାଣ କରାଯାଏ। ପାଞ୍ଚ ଦିନ ଧରି, ଭକ୍ତମାନେ ଗଭୀର ଶ୍ରଦ୍ଧାର ସହିତ ଦେବୀ ଦୁର୍ଗାଙ୍କୁ ପୂଜା କରିବା ପାଇଁ ଏକତ୍ରିତ ହୁଅନ୍ତି। ଆକର୍ଷଣୀୟ ମେଢ଼, ରଙ୍ଗୀନ ଆଲୋକ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ  ସାଜସଜ୍ଜା ମନ୍ଦିର ଅଞ୍ଚଳକୁ ମନମୋହନରେ  ଭରିଦିଏ ଓ ହଜାର ହଜାର ଲୋକଙ୍କୁ ସମ୍ମିଳିତ କରେ।

କିଛି ବର୍ଷ ହେଲେ ମନ୍ଦିର ସମ୍ମୁଖରେ ସ୍ଥିତ ମଣ୍ଡପରେ ଗଣେଶ ପୂଜା ପାଳନ କରାଯାଉଛି। ପୁରୁଣାବସ୍ତିର ଯୁବକମାନେ ଅତି ଉତ୍ସାହର ସହିତ ସାଜସଜ୍ଜା  କରି  ଭଗବାନ ଗଣେଶକଙ୍କ ପ୍ରତିମା ସ୍ଥାପନ କରନ୍ତି ଏବଂ ପାଞ୍ଚ ଦିନିଆ ପୂଜାର ଆୟୋଜନ କରନ୍ତି। ବହୁ ସଂଖ୍ୟକ ଭକ୍ତ ଭଗବାନ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ  ସମାଗତ ହୋଇଥାନ୍ତି ।

ପଣା ସଂକ୍ରାନ୍ତିରେ, ସ୍ୱତନ୍ତ୍ର ପୂଜା କରାଯାଏ ଏବଂ ଗ୍ରାମବାସୀଙ୍କୁ ପଣା ବଣ୍ଟନ କରାଯାଏ।  ମନ୍ଦିରରେ ଶହ ଶହ ଲିଟର ପଣା   ପ୍ରସ୍ତୁତ କରାଯାଏ  ଓ  ଆନନ୍ଦ ଏବଂ ଏକତା ସହିତ 'ଓଡ଼ିଆ ନବ ବର୍ଷ'କୁ ପାଳନ କରାଯାଏ । ଏହି ଥଣ୍ଡା ପଣାକୁ ସେବନ କରି ଲୋକମାନଙ୍କୁ ଅସହ୍ୟ ଗରମ ଆରାମ  ମିଳିଥାଏ ।

ଏହି ମନ୍ଦିର ଗଣତନ୍ତ୍ର ଦିବସ (୨୬ ଜାନୁଆରୀ) ଏବଂ ସ୍ୱାଧୀନତା ଦିବସ (୧୫ ଅଗଷ୍ଟ) ଭଳି ଜାତୀୟ ପର୍ବଗୁଡ଼ିକରେ ମଧ୍ୟ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରେ। ନିକଟବର୍ତ୍ତୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଠାରେ  ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରିବା, ପତାକା ଉତ୍ତୋଳନ କରିବା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଏକତ୍ରିତ ହୁଅନ୍ତି। ଏହି ପରମ୍ପରା ସମ୍ପ୍ରଦାୟରେ ଜାତୀୟ ଗର୍ବ ଏବଂ ଏକତାକୁ ସୁଦୃଢ଼ କରିଥାଏ।

ଗତ କେତେ ବର୍ଷ ହେଲା ଏହି ଭାଗବତ ମନ୍ଦିର ପରିସରରେ ଗଣ୍ଡ ସମ୍ପ୍ରଦାୟଙ୍କର  ଜଙ୍ଗା ଲିଙ୍ଗା ବଡ଼ ଦେଓଙ୍କ ଯାତ୍ରା ଅତି ଶ୍ରାଦ୍ଧ ଓ ଆନନ୍ଦ ପାଳିତ  ହୋଇଆସୁଛି  । ଶୋଭାଯାତ୍ରାର  ପ୍ରକମ୍ପ ଶୁଣି , ହଜାର ହଜାର  ସଂଖ୍ୟାରେ ଭକ୍ତ ମନ୍ଦିର ପରିସରରେ ଏକତ୍ରିତ ହୋଇଥାଆନ୍ତି ।  ମନ୍ଦିର ଭିତରେ ଜଙ୍ଗା ଲିଙ୍ଗା ବଡ଼ ଦେଓଙ୍କକୁ  କିଛି ସମୟ ବିଶ୍ରାମ କରାଇ ବିଶେଷ ରୀତି ନୀତି ଅନୁଯାଇ ପୂଜା ଅର୍ଚ୍ଚନା କରାଯାଇଥାଏ ।

ପିଢ଼ି ପରେ ପିଢ଼ି ଧରି, ମନ୍ଦିରଟି ଗୁରୁତ୍ୱପୂର୍ଣ୍ଣ ପାରିବାରିକ ପ୍ରଥାର ଏକ ଅଂଶ ହୋଇଆସିଛି। । ବିବାହ  ସମୟରେ , ବରାତ ଗମନ ପୂର୍ବରୁ ବରମାନେ ଏଠାରେ ଆଶୀର୍ବାଦ ପ୍ରାପ୍ତ   କରିଥାନ୍ତି , ଏବଂ ନବ ବିବାହିତ ଦମ୍ପତିମାନେ ନିଜ ବୈବାହିକ ଜୀବନ ସୁଖମୟ ନିର୍ବାହ କରିବା  ଏଠି ପ୍ରାର୍ଥନା କରିଥାନ୍ତି । ଏପରି ପ୍ରଥା ଦର୍ଶାଏ ଯେ ମନ୍ଦିରଟି ଗ୍ରାମବାସୀଙ୍କ ବ୍ୟକ୍ତିଗତ ଏବଂ ସାମାଜିକ ଜୀବନରେ କେତେ ଗଭୀର ଭାବରେ ଜଡିତ।

ଭାଗବତ ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ - ଏହା ଏକ ସାଂସ୍କୃତିକ କେନ୍ଦ୍ର। ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି: କୃଷ୍ଣ ଗୁରୁ, ପାଳା, ସଞ୍ଚାର, ସମ୍ବଲପୁରୀ ନୃତ୍ୟ,  ଅର୍କେଷ୍ଟ୍ରା  ନିୟମିତ ଭାବରେ ଆୟୋଜିତ ହୁଏ। ଏହା ବ୍ୟତୀତ , ଏଠାରେ ଗଣେଶ ପୂଜାର  ବୈଠକ, ଦୁର୍ଗା ପୂଜାର ସମାବେଶ, ନାମଯଜ୍ଞ ସଭା ଯଥା ବିଭିନ୍ନ ଜାତିର ସମ୍ପ୍ରଦାୟ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ । 

ପୁରୁଣାବସ୍ତିର  ଭାଗବତ ମନ୍ଦିର ସବୁଠୁ ଅଧିକ ପୁରୁଣା ଏକ ମନ୍ଦିର - ଏହା ପୁରୁଣାବସ୍ତି ସ୍ପନ୍ଦିତ ହୃଦୟ । ଏହା ପରମ୍ପରାକୁ ସଂରକ୍ଷଣ କରେ, ସମ୍ପ୍ରଦାୟକୁ ଏକତ୍ର କରେ, ପର୍ବ ପାଳନ କରେ ଏବଂ ବିଶ୍ୱାସ ଏବଂ ଭାଇଚାରାର ଏକ କାଳଜୟୀ ପ୍ରତୀକ ଭାବରେ ଠିଆ  ହୋଇଛି । ଏହାର ରୀତିନୀତି, ପର୍ବ ଏବଂ ସାଂସ୍କୃତିକ ଅଭ୍ୟାସ ପୁରୁଣାବସ୍ତିର ସ୍ପନ୍ଦନଶୀଳ ଐତିହ୍ୟକୁ ପ୍ରଦର୍ଶନ କରେ ଏବଂ ପିଢ଼ି ପିଢ଼ିକୁ ଭକ୍ତି, ଶାନ୍ତି ଏବଂ ଭାଇଚାରାର ପ୍ରେରଣା ଦେଇ ଚାଲିଥାଏ।

                                                                  ( ଭାଗବତ ମନ୍ଦିର, ପୁରୁଣାବସ୍ତି  ) 

Comments

Popular posts from this blog

Kolabira Fort, Jharsuguda - Jaypur Estate

Ancient Ullapgarh fort in jharsuguda : Prehistoric Rock engravings and Painting

Bikramkhol cave, Archeological site of Jharsuguda